Spread the love

ଓଡ଼ିଶାର ସହର ପରିବର୍ତ୍ତନ ମଡେଲ୍ ଅଧ୍ୟୟନ କଲା ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ଜଳଯୋଗାଣ, ପରିମଳ, ସହର ଶାସନ ଓ ନାଗରିକ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ସଫଳ ଅଭିଜ୍ଞତା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ଜୁନ୍ ୧୧ 🙁 ଦର୍ଶନ ସମୀକ୍ଷା)

ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ସହଯୋଗରେ ଆୟୋଜିତ ଏକ ଅନୁଭୂତି ବିନିମୟ (Exposure Visit) କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜସ୍ଥାନ ଅର୍ବାନ ଡ୍ରିଙ୍କିଂ ୱାଟର, ସିୱରେଜ୍ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର କର୍ପୋରେସନ୍ ଲିମିଟେଡ୍ (RUIDP), ଜୟପୁରର ଏକ ୯-ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ରାଜ୍ୟର ସହରାଞ୍ଚଳ ବିକାଶ, ଜଳଯୋଗାଣ, ପରିମଳ ବ୍ୟବସ୍ଥାପନା ଏବଂ ନାଗରିକ-କୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସଫଳ ମଡେଲଗୁଡ଼ିକର ଅଧ୍ୟୟନ କରିଛନ୍ତି।

ଗସ୍ତ ଅବଧିରେ ପ୍ରତିନିଧି ଦଳ ଭୁବନେଶ୍ୱର ଓ ପୁରୀର ବିଭିନ୍ନ ପ୍ରମୁଖ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେମାନେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରି ଓଡ଼ିଶାର ସହର ଶାସନ ବ୍ୟବସ୍ଥା, ପରିମଳ ପରିଚାଳନା, ଜନସେବା ଆଦି ପଦକ୍ଷେପ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଥିଲେ।

ଏହି ଅବସରରେ ସେମାନେ ଓଡ଼ିଶା ଅର୍ବାନ ଏକାଡେମୀ ଠାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ସହିତ ଆଲୋଚନା କରିଥିଲେ । ଶ୍ରୀମତୀ ପାଢୀ ଓଡ଼ିଶାର ସହରାଞ୍ଚଳ ପରିବର୍ତ୍ତନର ଯାତ୍ରା ଏବଂ ବିଭିନ୍ନ ଅଭିନବ ପଦକ୍ଷେପ ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖିଥିଲେ।

ସେ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ସହରାଞ୍ଚଳ ବିକାଶ କ୍ଷେତ୍ରରେ ଦେଶବ୍ୟାପୀ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶେଷକରି ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ମିଶନ ମାଧ୍ୟମରେ ୨୪×୭ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ମଡେଲ୍ ଭାବେ ପ୍ରତିଷ୍ଠିତ ହୋଇପାରିଛି। ଏହା ସହିତ ସହର ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ସମନ୍ୱିତ ସହର ଯୋଜନା, ଆଧୁନିକ ଗଣପରିବହନ, ଡିଜିଟାଲ୍ ଓ ପ୍ରଯୁକ୍ତି-ନିର୍ଭର ଶାସନ ବ୍ୟବସ୍ଥା ଏବଂ ସ୍ଥାୟୀ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ସେ ଅବଗତ କରାଇଥିଲେ ।

ରାଜସ୍ଥାନ ପ୍ରତିନିଧି ଦଳ ଓଡ଼ିଶାର ସହରାଞ୍ଚଳ ସେବା ପ୍ରଦାନ ବ୍ୟବସ୍ଥା, ନବୀନ ଚିନ୍ତାଧାରା ଏବଂ ଫଳପ୍ରଦ କାର୍ଯ୍ୟାନ୍ୱୟନକୁ ଉଚ୍ଚ ପ୍ରଶଂସା କରିଥିଲେ। ବିଶେଷକରି ଜଳଯୋଗାଣ, ପରିମଳ ବ୍ୟବସ୍ଥାପନା ଓ ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଅନୁସରଣ କରୁଥିବା ବିଭିନ୍ନ ସଫଳ ମଡେଲକୁ ରାଜସ୍ଥାନରେ ପ୍ରୟୋଗ କରିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଥିଲେ।

ଏହି ଗସ୍ତ ଦୁଇ ରାଜ୍ୟ ମଧ୍ୟରେ ଜ୍ଞାନ ବିନିମୟ, ପରସ୍ପର ଶିକ୍ଷଣ ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଓଡ଼ିଶା ଅର୍ବାନ ଏକାଡେମୀର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସୁଭେନ୍ଦୁ କୁମାର ସାହୁଙ୍କ ସମେତ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଓଡ଼ିଶା ଅର୍ବାନ ଏକାଡେମୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରତିନିଧି ଦଳରେ ମୋହନ ଲାଲ ସାଇନୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ (ଜୟପୁର ଜୋନ୍), ମୁକେଶ କୁମାର ମୀଣା, ଅଧୀକ୍ଷଣ ଯନ୍ତ୍ରୀ (ପିଏମ୍ୟୁ, ଜୟପୁର), ଖେମରାଜ ମୀଣା, ଅଧୀକ୍ଷଣ ଯନ୍ତ୍ରୀ (ପିଏମ୍ୟୁ, ଜୟପୁର), ସତ୍ୟନାରାୟଣ ବର୍ମା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ନାଥଦ୍ୱାରା), ଅମିତ ବର୍ମା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଜୟପୁର), ଅନିଲ ପଟିଦାର, ସହକାରୀ ଯନ୍ତ୍ରୀ (ଡୁଙ୍ଗରପୁର), ଅଶୋକ କୁମାର ବାନସିୱାଲ, ସହକାରୀ ଯନ୍ତ୍ରୀ (ବାଂସୱାରା), ସଞ୍ଜୁ ପୁନିଆ, କନିଷ୍ଠ ଯନ୍ତ୍ରୀ (ନୱାଲଗଡ଼) ଏବଂ କୁଶ କୁମାର, କନିଷ୍ଠ ଯନ୍ତ୍ରୀ (ଯୋଧପୁର) ସାମିଲ ଥିଲେ।
…………

Leave a Reply

Your email address will not be published. Required fields are marked *