କନ୍ଧମାଳ : ଜିଲ୍ଲା ରେ SIR ଆରମ୍ଭ: ଭୋଟର ତାଲିକାରୁ ହଟିବ ଡୁପ୍ଲିକେଟ୍ ନାମ ଯୋଡ଼ି ହେବେ ନୂଆ ଭୋଟର
କନ୍ଧମାଳ: କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ, ପ୍ରତି ବୁଥ୍ରେ BLA ନିଯୁକ୍ତି ପାଇଁ ନିର୍ଦେଶ l ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକାକୁ ଶତପ୍ରତିଶତ ନିର୍ଭୁଲ କରିବା ଲାଗି କନ୍ଧମାଳ ଜିଲ୍ଲାରେ ସୋମବାର ଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) କାର୍ଯ୍ୟକ୍ରମ ଆରମ୍ଭ ହେଇଛି l ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l

ଅପରାହ୍ନ ୪ଟାରେ ଜିଲ୍ଲା କଲେକ୍ଟରେଟ୍ର ସଦଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ, ଏଥର SIRରେ ଘରକୁ ଘର ଯାଇ ଯାଞ୍ଚ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ l ୨୦୨୬ ଜାନୁଆରୀ ୧ ସୁଦ୍ଧା ୧୮ ବର୍ଷ ପୂରଣ କରିଥିବା ଯୋଗ୍ୟ ଭୋଟରଙ୍କ ନାମ ଫର୍ମ-6 ମାଧ୍ୟମରେ ଯୋଡାଯିବ l ସେହିପରି ମୃତ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଭୋଟରଙ୍କ ନାମ ଫର୍ମ-7ରେ ବାଦ୍ ଦିଆଯିବ ଏବଂ ଡୁପ୍ଲିକେଟ୍, ଭୁଲ୍ ନାମ, ଠିକଣା କିମ୍ବା ଫଟୋ ଫର୍ମ-8 ଦ୍ୱାରା ସଂଶୋଧନ କରାଯିବ l ଗୋଟିଏ ବି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡନ୍ତି ଏବଂ ଗୋଟିଏ ବି ଅଯୋଗ୍ୟ ନାମ ତାଲିକାରେ ନ ରୁହେ, ତାହା ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ସାମ୍ବିଧାନିକ ଦାୟିତ୍ୱ”, ବୋଲି ଜିଲ୍ଲାପାଳ ବୈଠକରେ ଦୃଢ଼ ଭାବେ କହିଥିଲେ l ଏଥିପାଇଁ ସେ ସମସ୍ତ ରାଜନୈତିକ ଦଳକୁ ପ୍ରତ୍ୟେକ ପୋଲିଂ ବୁଥ୍ ପାଇଁ ତୁରନ୍ତ ଜଣେ ଲେଖାଏଁ ବୁଥ୍ ଲେବଲ୍ ଏଜେଣ୍ଟ (BLA) ନିଯୁକ୍ତ କରି ତାଲିକା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି l ବ୍ଲା ମାନେ ବୁଥ୍ ଲେବଲ୍ ଅଫିସର (BLO)ଙ୍କ ସହ ମିଶି ଘରକୁ ଘର ବୁଲି ଭୋଟର ତାଲିକାର ଫିଲ୍ଡ ଭେରିଫିକେସନ୍ କରିବେ ଏବଂ ଦାବି-ଆପତ୍ତି ଦାଖଲରେ ସହଯୋଗ କରିବେ l ଜିଲ୍ଲାପାଳ ଆହୁରି କହିଥିଲେ ଯେ, ଦଳଗୁଡିକ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଗ୍ୟ ବ୍ୟକ୍ତିଙ୍କୁ ଆବେଦନ କରିବାକୁ ଉତ୍ସାହିତ କରନ୍ତୁ l ନିର୍ଭୁଲ ତାଲିକା ହିଁ ସ୍ୱଚ୍ଛ ଓ ଅବାଧ ନିର୍ବାଚନର ଆଧାର l ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ (ନିର୍ବାଚନ),ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ସମସ୍ତ ରାଜନୈତିକ ଦଳର ଜିଲ୍ଲା ସଭାପତି ଓ ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ପରାମର୍ଶ ଦେଇଥିଲେ। ସମସ୍ତ ଦଳ ପ୍ରଶାସନକୁ ପୂର୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଶେଷରେ ସହକାରୀ-ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ l












Leave a Reply