- ପରମହଂସ ଯୋଗାନନ୍ଦଙ୍କ ମହାସମାଧି
୧୯୫୧ ମସିହା ଅକ୍ଟୋବର ୬ ତାରିଖରେ ପରମହଂସ ଯୋଗାନନ୍ଦଜୀଙ୍କର ଜଣେ ଶିଷ୍ୟ ରବିନାରାୟଣଙ୍କ ପାଖକୁ ଏକ ପତ୍ର ଲେଖିଥିଲେ, (ଯିଏ ପରବର୍ତ୍ତୀ କାଳରେ ମୋର ପ୍ରିୟ ଗୁରୁଦେବ ପରମହଂସ ହରିହରାନନ୍ଦ ଭାବରେ ପରିଚିତ) : “ମୋର ଜୀବନ ଏକ ଘୁର୍ଣ୍ଣିବାୟୁ ଭଳି ସକ୍ରିୟ ଏବଂ କର୍ମ ସହ ସଂଘର୍ଷରତ”। ଶେଷ ଜୀବନର କେତେଦିନ ପୂର୍ବରୁ ସେ ଭାରି ଅସୁସ୍ଥ ହୋଇଯାଇଥିଲେ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଭଲ ହୋଇଯାଇଥିଲେ।
୧୯୫୨ ମସିହା ମାର୍ଚ୍ଚ ୭ ତାରିଖ ଦିନ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମହାମାନ୍ୟ ବିନୟ ରଂଜନ ସେନଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଭୋଜି ସଭାରେ ସେ ଯୋଗ ଦେଇଥିଲେ। ଉତ୍ସବ ସମୟରେ ଯୋଗାନନ୍ଦଜୀ ଅତ୍ୟନ୍ତ ହର୍ଷୋତ୍ଫୁଲ୍ଲ ଥିଲେ ଏବଂ କୌଣସି ଲୋକ ସେତେବେଳେ ସନ୍ଦେହ କରିନଥିଲେ ଯେ ସେହିଦିନଟା ତାଙ୍କ ପାଇଁ ଥିଲା ଏ ଜୀବନର ଶେଷ ଦିନ।
ସାଧୁସନ୍ଥମାନେ ସମସ୍ତ ମାନବ ସମାଜକୁ ପ୍ରେମ କରନ୍ତି ଓ ସେବା କରିଥାନ୍ତି କିନ୍ତୁ ଯୋଗନନ୍ଦ ତାଙ୍କ ଗୁରୁ, ମାତା-ପିତା ଏବଂ ନିଜ ଦେଶ ପ୍ରତି ତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ। ତାଙ୍କର ଶିଷ୍ୟମାନଙ୍କୁ ବହୁବାର କହିଥିଲେ, “ମୁଁ ରୋଗ ଶଯ୍ୟାରେ ମରବାକୁ ଚାହେଁ ନାହଁ, ଭଗବାନ ଓ ଭାରତବର୍ଷ ବିଷୟରେ ଚର୍ଚ୍ଚା କରୁଥିବାବେଳେ ସଜ୍ଜିତ ପୋଷାକରେ ମରିବାକୁ ଇଚ୍ଛା କରେ”। ରାଷ୍ଟ୍ରଦୂତଙ୍କ ଭୋଜି ସମ୍ବର୍ଦ୍ଧନାରେ ସେ ସଚେତନ ଅବସ୍ଥାରେ ହିଁ ଭାରତ, ତାଙ୍କର ଜନ୍ମ ଭୂମି, ଯାହାଠାରୁ ସେ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ପ୍ରାପ୍ତ ହୋଇଛନ୍ତି, ତାର କୀର୍ତ୍ତିରାଜିକୁ ପ୍ରଶଂସା କରି ଏକ ସଙ୍ଗୀତ ଗାନ କରୁଥିଲାବେଳେ, ସେ ଦେହ ତ୍ୟାଗ କରିଥିଲେ।
“ଯେଉଁ ସ୍ଥାନରେ, ଗଙ୍ଗାନଦୀରେ, ଅରଣ୍ୟରେ, ହିମାଳୟରେ ଗିରି ଗହ୍ୱରରେ ମନୁଷ୍ୟମାନେ ଭଗବାନଙ୍କୁ ସ୍ବପ୍ନରେ ଦେଖିବାକୁ ଚାହାଁନ୍ତି, ସେହି ସ୍ଥାନରେ ଜନ୍ମ ନେଇ ମୁଁ ପବିତ୍ର ହୋଇଯାଇଛି, ମୋ ଶରୀର ସେହି ଭୁପୃଷ୍ଠକୁ ସ୍ପର୍ଶ କରିଦେଇଛି”। ତାଙ୍କର ଏହି ଶବ୍ଦାବଳୀ ଅକ୍ଷର ଅକ୍ଷରେ ସଫଳ ହୋଇଯାଉଛି।
ଅନେକ ଶିଷ୍ୟ ତାଙ୍କର ଶରୀର ପ୍ରାପ୍ତିରେ ଆଘାତ ପ୍ରାପ୍ତ ହୋଇ ସେ ନାହାଁନ୍ତି ବୋଲି ସତ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ବହୁ ସପ୍ତାହ ପର୍ଯ୍ୟନ୍ତ ସେ ପୁଣି ତାଙ୍କର ମର ଶରୀରକୁ ଫେରି ଆସିବେ ବୋଲି ଅପେକ୍ଷା କରିଥିଲେ। ଅନେକ ସମୟ ଧରି ତାଙ୍କର ଶରୀର ଗଳିତ ହେବାର କୌଣସି ସଂକେତ ଦେଖାଦେଇ ନଥିଲା, ମୁଖ ମଣ୍ଡଳରେ ଶାନ୍ତ ଓ ନିଶ୍ଚଳତା ଆଚ୍ଛାଦିତ ଥିଲା। ଯଦିବା ପରିଶେଷରେ ତାଙ୍କର ଭୌତିକ ଶରୀରକୁ ସମାଧି ଦିଆଯାଇଛି, କିନ୍ତୁ ତାଙ୍କର ଆଧ୍ୟାତ୍ମିକ ଲୀଳା ଚିରଦିନ ନିମନ୍ତେ ପ୍ରଚଳିତ ରହିଥିବ।
ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ
















Leave a Reply