ଶିବ ଓ ଶକ୍ତି // ଯେତେବେଳେ ସତୀ ଶିବଙ୍କୁ ପତି ରୂପେ ପାଇବାପାଇଁ ଧ୍ୟାନମଗ୍ନ ହେଲେ ସେତେବେଳେ ସେହି ଧ୍ୟାନର ମହତ୍ତ୍ୱ ଏତେ ବେଶି ଥିଲା ଯେ ଶିବଙ୍କ ଆସନ ଟଳମଟଳ ହେବାକୁ ବସିଲା।ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ତ୍ରିପୁରରେ କମ୍ପନ ସୃଷ୍ଟି ହେଲା -ସଂଜୟ ରଥ ଭୁବନେଶ୍ବର

Spread the love

*ଶିବ ଓ ଶକ୍ତି
ଶିବ ସର୍ବଦା ଧ୍ୟାନମଗ୍ନ। ଅର୍ଦ୍ଧ ନିର୍ନିମେଷ ନୟନରେ ମହାଯୋଗୀ ଶିବଶଙ୍କର ଧ୍ୟାନମଗ୍ନ ହୋଇ ରହୁଥିବା ସମୟରେ ତାଙ୍କର ତୃତୀୟ ନେତ୍ର ଖୋଲା ରହିଥାଏ,ଯାହା ଜାଗୃତିର ପରିଚାୟକ ହୋଇ ବିଶ୍ଵ କଲ୍ୟାଣ ପାଇଁ ଅଭିପ୍ରେତ ହୋଇ ରହିଥାଏ। କୌଣସି ବ୍ୟତିକ୍ରମରେ ସେହି ତୃତୀୟ ନୟନ ସମଗ୍ର ସୃଷ୍ଟିକୁ ଧ୍ଵଂସ କରିଦେବାର ଶକ୍ତି ଧାରଣ କରିଥାଏ। ଦେବତାଙ୍କର ଦେବତା ଭାବରେ ଦେବଦେବ ମହାଦେବ ପୂଜିତ ହୋଇ ଥାଆନ୍ତି।ତାଙ୍କର ଯୋଗ ସାଧନା ଅବ୍ୟର୍ଥ ଏବଂ ଅସମାହିତ ଅକ୍ଷୟ,ଅବ୍ୟୟ।
ଅନ୍ୟ ପକ୍ଷରେ ସତୀ ଶବ୍ଦଟି ଉଚ୍ଚାରଣ କଲେ ତାହା ମାଆ ଶିବାନୀ, ପାର୍ବତୀଙ୍କୁ ବୁଝାଇଥାଏ।ସେହି ଶବ୍ଦର ଶକ୍ତି ଏତେ ବେଶି ଯେ ଶିବ ଶବ୍ଦରୁ ଶକ୍ତି ଅପସାରିତ ହେଲେ ଶିବ ଶବ୍ଦର ଅର୍ଥ ଶକ୍ତିହୀନ ହୋଇ ପଡେ।
ମହା ଯୋଗୀ ଶିବଙ୍କ ତୃତୀୟ ନେତ୍ରରେ ସମଗ୍ର ସୃଷ୍ଟି ଧ୍ଵଂସ ହୋଇଯିବାର ଶକ୍ତି ଭରପୁର ହୋଇ ରହିଛି। ହାତରେ ତ୍ରିଶୂଳ ଯାହା ସମସ୍ତ ସୃଷ୍ଟିକୁ ନିମିଷକ ଭିତରେ ଧ୍ଵଂସ କରିଦେଇ ପାରେ। ଶିବଙ୍କ ହାତରେ ଥିବା ଡମ୍ଵରୁ ତିନିଥର ବାଜି ଉଠିଲେ ଶିବ ତାଣ୍ଡବ ସୃଷ୍ଟି ହୋଇ ତ୍ରିପୁର ପ୍ରଳୟ ହୋଇଯାଇ ପାରେ।ଏତେ ଶକ୍ତିକୁ ପରାହତ କରିବାର ସାମର୍ଥ୍ୟ ସୃଷ୍ଟିରେ କାହାରବା ଅଛି?
ଯେତେବେଳେ ସତୀ ଶିବଙ୍କୁ ପତି ରୂପେ ପାଇବାପାଇଁ ଧ୍ୟାନମଗ୍ନ ହେଲେ ସେତେବେଳେ ସେହି ଧ୍ୟାନର ମହତ୍ତ୍ୱ ଏତେ ବେଶି ଥିଲା ଯେ ଶିବଙ୍କ ଆସନ ଟଳମଟଳ ହେବାକୁ ବସିଲା।ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ତ୍ରିପୁରରେ କମ୍ପନ ସୃଷ୍ଟି ହେଲା।ବ୍ରହ୍ମ ଲୋକରେ ବ୍ରହ୍ମା, ବୈକୁଣ୍ଠରେ ବିଷ୍ଣୁଙ୍କ ଆସନ ପ୍ରକମ୍ପିତ ହେବାକୁ ଲାଗିଲା। ସମସ୍ତେ ଆଶଙ୍କା କଲେ ଯେଵେ ମହାଯୋଗୀ ଶିବଙ୍କର ଧ୍ୟାନ ଭଗ୍ନ ହେବ ତେବେ ତାଙ୍କର ତୃତୀୟ ନୟନରୁ ଅଗ୍ନି ଉଦ୍ଗିରଣ ହୋଇ ବ୍ରହ୍ମ ଲୋକ, ସ୍ଵର୍ଗଲୋକ, ବୈକୁଣ୍ଠ ଧାମରୁ ଆରମ୍ଭ କରି ମର୍ତ୍ତ୍ୟ ଲୋକ ଏବଂ ପାତାଳ ଲୋକ ସମସ୍ତ ଧ୍ଵଂସ ହୋଇଯିବ।
ଅପର ପକ୍ଷରେ ଯେବେ ମହାସତୀ, ବ୍ର‌ହ୍ମଚାରିଣୀ ମାଆ ପାର୍ବତୀଙ୍କ ଧ୍ୟାନ ଭଗ୍ନ ହୁଏ ତେବେ ସେ ଯେଉଁ ଶିବଙ୍କୁ ପତିରୂପେ ପାଇବାକୁ ଧ୍ୟାନରତ ହୋଇଛନ୍ତି ସେହି ଶିବ ଲୋକ ମଧ୍ୟ ତାଙ୍କ କୋପରେ ଧ୍ଵଂସ ହୋଇଯିବ।ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ତିନି ପୁରର ସ୍ଥିତି ରହିବ ନାହିଁ।
ଏପରି ଏକ ବିପତ୍ତି ସମୟରେ ସମସ୍ତ ଦେବାଦେବୀଙ୍କ ସହିତ ସ୍ଵୟଂ ବ୍ରହ୍ମା ଶଙ୍କଟ ମୋଚନ ପ୍ରଭୁ ନାରାୟଣଙ୍କୁ ଧ୍ୟାନ କଲେ। ଭଗବାନ ବିଷ୍ଣୁ କ୍ଷୀର ସାଗରରେ ଶୟନ କରିଥାନ୍ତି। ମାଆ ମହାଲକ୍ଷ୍ମୀ ତାଙ୍କର ପାଦ ସେବାରେ ନିମଗ୍ନ ଥାଆନ୍ତି। ଭଗବାନ ବିଷ୍ଣୁ ଏହାର କୌଣସି ସମାଧାନର ସୂତ୍ର ଖୋଜି ପାଉନଥାନ୍ତି।
ମାଆ ମହାଲକ୍ଷ୍ମୀ ଭଗବାନ ବିଷ୍ଣୁ ଚିନ୍ତିତ ଥିବାର ଦେଖି ପଚାରିଲେ ହେ ପ୍ରଭୁ କଣ ପାଇଁ ଏତେ ଚିନ୍ତା ମଗ୍ନ ରହୁଛନ୍ତି? ଭଗବାନ ଶ୍ରୀକୃଷ୍ଣ ସୃଷ୍ଟିର ସମସ୍ୟା ସଂମ୍ପର୍କରେ ଲକ୍ଷ୍ମୀଙ୍କୁ ଜଣାଇଲେ।
ମହାଲକ୍ଷ୍ମୀ ଗୋଟିଏ ବିଲ୍ଵ ବୃକ୍ଷରୁ ଏକ ତ୍ରିଶାଖା ବିଲ୍ଵପତ୍ର ଆଣି ଯୋଗମାୟା ମାଆ ପାର୍ବତୀଙ୍କ ନିକଟକୁ ପଠାଇଦେଲେ। ଗୋଟିଏ ତ୍ରିଶାଖା ବିଲ୍ଵପତ୍ରର ଶକ୍ତି ଏତେ ବେଶି ଯେ ତାହା ମହାଯୋଗୀ ଶିବଙ୍କର ତୃତୀୟ ନୟନର ଅଗ୍ନି ସ୍ଫୁଲିଙ୍ଗକୁ ଅବରୋଧ କରିବାରେ ସମର୍ଥ ହେବ।ଯାହା ସତୀ ପାର୍ବତୀଙ୍କ ଉପରେ ତାର କୌଣସି ପ୍ରଭାବକୁ ରୋକି ଦେଇ ପାରିବ।ଅନ୍ୟ ପକ୍ଷରେ ମାଆ ପାର୍ବତୀଙ୍କର ଯେବେ ଧ୍ୟାନଭଗ୍ନ ହୁଏ ତେବେ ତାଙ୍କର କ୍ରୋଧର ପ୍ରଳୟଙ୍କରି ଅବସ୍ଥାକୁ ଅବରୋଧ କରିବାର ସାମର୍ଥ୍ୟ ବହନ କରେ।
ଅତଏବ ଗୋଟିଏ ତ୍ରିଶାଖା ବେଲପତ୍ର ଶିବ ଓ ଶକ୍ତି ଉଭୟଙ୍କର ମିଳିତ ସାମର୍ଥ୍ୟକୁ ପ୍ରତିହତ କରିବାରେ ସମର୍ଥ ହୋଇ ପାରେ। ସେଥିପାଇଁ ଶିବ ଲିଙ୍ଗରେ ତ୍ରିଶାଖା ବେଲପତ୍ର ଚଢାଇଲେ ଶିବ ଓ ଶକ୍ତି ସ୍ଵରୂପିଣୀ ମାଆ ପାର୍ବତୀ ଉଭୟଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥାଏ।
ସଞ୍ଜୟ ✍️

Leave a Reply

Your email address will not be published. Required fields are marked *