ସୁନାବେଶ ବା ବଡ଼ତଢ଼ାଉ ବେଶ//ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କର ମାନବୀୟ ଲୀଳା ଭଳି ରାଜକୀୟ ଲୀଳା ମଧ୍ୟ ଅନୁଷ୍ଠିତ ହେଉଅଛି।ଦାରୁଦିଅଁଙ୍କ ସୁନାବେଶ ଏହାର ଏକ ନିଦର୍ଶନ । ଆଷାଢ଼ ଶୁକ୍ଳ ଏକାଦଶୀରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ- ଡ଼ଃ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଭୁବନେଶ୍ୱର

Spread the love


ll ସୁନାବେଶ ବା ବଡ଼ତଢ଼ାଉ ବେଶ ll

     ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କର ମାନବୀୟ ଲୀଳା ଭଳି ରାଜକୀୟ ଲୀଳା ମଧ୍ୟ ଅନୁଷ୍ଠିତ ହେଉଅଛି। ଚତୁର୍ଦ୍ଧାମୂର୍ତ୍ତି ସକଳ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ମିଳିତ ବିଗ୍ରହ ।ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ । ତାଙ୍କର କେତେକ ରୀତିନୀତି, ବେଶ ଓ ଭୋଗ ଇତ୍ୟାଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ। ।ଦାରୁଦିଅଁଙ୍କ ସୁନାବେଶ ଏହାର ଏକ ନିଦର୍ଶନ । ଆଷାଢ଼ ଶୁକ୍ଳ ଏକାଦଶୀରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କର ଏହା ଦୁର୍ଲ୍ଲଭ ବେଶ। ଶ୍ରୀବିଗ୍ରହଙ୍କୁ ପୂର୍ବେ  ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି କରା ଯାଉଥିଲା। ରାଜାଧିରାଜ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସୁନାବେଶ  ବର୍ଷକୁ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଆଶ୍ୱିନ ଶୁକ୍ଳ ଦଶମୀ (ଦଶହରା), କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମା ଏହି ଚାରିଥର ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଏବଂ ବାହୁଡ଼ା ପରଦିନ ସିଂହଦ୍ୱାରଠାରେ ଥିବା ରଥ ଉପରେ ସୁନାବେଶ କରାଯାଇଥାଏ।

          ଇତିହାସ କୁହେ ଶିଳାଲେଖରେ ଉଲ୍ଲେଖ ରହିଛି ଯେ ରାଜା ଅନଙ୍ଗଭୀମଦେବ (୧୨୧୧-୧୨୩୮) ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ ।ରାଜା ମହାରାଜା ମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ । ଏହି ଲାବଣ୍ୟମୟ ସୁବର୍ଣ୍ଣ ବେଶ କେବେଠାରୁ ଆରମ୍ଭ ହେଲା, ତାହା ଠିକ୍‌ ଭାବେ କହିବା କଷ୍ଟକର। ଏ ସମ୍ପର୍କରେ ସ୍କନ୍ଦ ପୁରାଣ କିମ୍ବା ନୀଳାଦ୍ରି ମହୋଦୟ ଭଳି ଗ୍ରନ୍ଥମାନଙ୍କରେ କିଛି ଉଲ୍ଲେଖ ନାହିଁ। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶକୁ ସର୍ବଧର୍ମ, ସର୍ବମତବାଦର ଜନସାଧାରଣ ଓ ଭକ୍ତଗଣ ଆନନ୍ଦରେ ଦର୍ଶନ କରିଥାନ୍ତି। ସେଥିପାଇଁ ଏହିଦିନ ରଥଯାତ୍ରା ଭଳି ଶ୍ରୀକ୍ଷେତ୍ରରେ ଗହଳି ଲାଗିଥାଏ। ରଥ ଉପରେ ହେଉଥିବା ସୁନାବେଶର ନାମ ହେଉଛି ବଡ଼ତଢାଉ ବେଶ। ବଡ଼ତଢାଉ ବେଶ ସମ୍ପର୍କରେ ଜଣାଯାଏ, ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ରଦେବ ଦେବୀ ଜୟଦୁର୍ଗାଙ୍କ କୃପାରୁ ଦକ୍ଷିଣ ଭାରତ ଜୟ କରି ୧୬ଟି ହସ୍ତୀପୃଷ୍ଠରେ ବିପୁଳ ଧନରତ୍ନ ଲଦି ନିଜ ରାଜ୍ୟକୁ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ। ଗଜପତି ମହାରାଜାଙ୍କର ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ଆଗ୍ରହ ଲକ୍ଷ୍ୟକରି ବଡ଼ତଢାଉ ସେବକ (ଅଳଙ୍କାରଗୁଡ଼ିକୁ ଭଣ୍ଡାରରୁ ଆଣି ବେଶ ଶେଷ ହେବା ପରେ ପୁଣି ଭଣ୍ଡାର ମଧ୍ୟରେ ଯେ ଗଣିକରି ରଖନ୍ତି) 

        ଶ୍ରୀଛାମୁରେ ଜଣାଇଥିଲେ ଯେ, ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବର୍ଷକ ମଧ୍ୟରେ ହେଉଥିବା ସକଳ ବେଶକୁ ସମସ୍ତ ବର୍ଗର ଲୋକେ ଦର୍ଶନ କରିପାରୁନାହାନ୍ତି। ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ବାହୁଡ଼ାଦିନ ରଥତ୍ରୟ ସିଂହଦ୍ୱାର ନିକଟରେ ପହଞ୍ଚିବା  ପରେ ତା’ ପରଦିନ ରଥ ଉପରେ ଠାକୁରମାନଙ୍କୁ ସର୍ବ ସମ୍ମୁଖରେ ସୁନାବେଶରେ ସୁସଜ୍ଜିତ କରାଗଲେ ସମସ୍ତେ ଉପକୃତ ହୋଇପାରନ୍ତେ। ବଡ଼ତଢାଉ ସେବକଙ୍କ ଅନୁରୋଧକ୍ରମେ ସେହିଦିନଠାରୁ ରାଜା କପିଳେନ୍ଦ୍ରଦେବ ୧୩୮ ପ୍ରକାର ରତ୍ନଖଚିତ ସ୍ବର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଠାକୁରମାନଙ୍କୁ ରଥ ଉପରେ ବଡ଼ ଏକାଦଶୀ ଦିନ ଚିତ୍ତାକର୍ଷକ ସୁନାବେଶ କରାଇଥିଲେ। ତେଣୁ ଏହି ସୁନାବେଶ ବଡ଼ତଢାଉ ବେଶ ନାମରେ ବିଦିତ ହୋଇଆସୁଛି। ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଚିତ୍ତାକର୍ଷକ ସୁନାବେଶ ଆରମ୍ଭ ହୋଇଥାଏ। ଏହି ବେଶରେ ମେକାପ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକ ସାହାଯ୍ୟ କରିଥାନ୍ତି। ରଥ ଉପରେ ଏମାନଙ୍କ ସହିତ ଦଇତାପତି ସେବକମାନେ ଅଂଶଗ୍ରହଣ କରିଥାନ୍ତି। ଏହିଦିନ ଦ୍ୱିପ୍ରହର ଧୂପ (ଖଇ, କୋରା, ଧୁଆମୁଗ, ଆମ୍ବ, ପଣସ, ନଡ଼ିଆ, ଇତ୍ୟାଦି ଶୁଖିଲି ଭୋଗ) ପରେ ଠାକୁରମାନେ ମଇଲମ ହୁଅନ୍ତି। ମଇଲମ ପରେ ଖଣ୍ଡେ ଖଣ୍ଡେ ଶାଢ଼ି ଓ ଖଣ୍ଡୁଆ ଲାଗି ହୁଅନ୍ତି। ପରେ ଫୁଟାଲାଗି (ଟାଇଟ୍‌ ବସ୍ତ୍ର ପରିଧାନ କରନ୍ତି) ହୁଅନ୍ତି। ଅଧର ବଳା ଓ ଦୁଇ ଭୁଜରେ ବଳା ଲାଗି ହେବା ପରେ ଅଳଙ୍କାରମାନ ଲାଗି ହୋଇଥାନ୍ତି।ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିବ ।

    ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡ଼ା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଟିକା କମରପଟି ଲାଗି କରାଯିବ । 

    ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି(ଆୟୁଧ), ସେବତୀ ମାଳି ଆଦି ଅଳଙ୍କାର ଲାଗି କରାଯିବ  ।

    ସେହିଭଳି ଶ୍ରୀଜଗନ୍ନାଥଙ୍କୁ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ,  କାନ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଓ କମରପଟି ଆଦି ରତ୍ନଅଳଙ୍କାର ଲାଗି କରାଯିବ  । 

   ଅଣହିନ୍ଦୁଙ୍କୁ ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଦର୍ଶନାର୍ଥୀ ଅସରନ୍ତି ଆନନ୍ଦ ପାଏ । ଜୟ ଜଗନ୍ନାଥ।🙏🙏।

Leave a Reply

Your email address will not be published. Required fields are marked *