ସତ୍ୟବାନ୍ଓ ସାବିତ୍ରୀପୌରାଣିକ ଆଖ୍ୟାନ//ଦୈବବଳେ ବଳବନ୍ତ ଦୁର୍ବଳ ହୁଅଇ, ଦୁର୍ବଳକୁ ବଳବନ୍ତ ଦଇବ କରଇ ।ରାଜ୍ୟ ଧନ ବିଷୟରେ ନାହିଁ ମୋ ବିଚାର, ସତ୍ୟବାନ୍ ଅଟଇକି ଉପଯୁକ୍ତ ବର

Spread the love

ସାବିତ୍ରୀ_ବ୍ରତ

ପୌରାଣିକ ଆଖ୍ୟାନ

ସତ୍ୟବାନ୍ସାବିତ୍ରୀ

    ସନାତନ ଧର୍ମରେ ବାର ମାସରେ ତେର ପର୍ବପର୍ବାଣୀ ଚାଲେ । କେତେବେଳେ ଈଶ୍ବରଙ୍କ ଉପାସନା ତ କେତେବେଳେ ଦେବାଦେବୀଙ୍କର। ଆଉ ବେଳେ ବେଳେ ନିଜ ପ୍ରିୟତମ ମଣିଷ ପାଇଁ ବି ସେ ମାନନା କରେ । କିଏ ଦେଖି ଶିଖେ ତ କେହି ମର୍ମ ବୁଝି କରେ । ଯିଏ ମହତ୍ତ୍ଵ ଜାଣି କରେ ସେ ହୃଦୟର ସହିତ ଦାୟିତ୍ୱ ନିଭାଇଥାଏ । ଆଉ ଯିଏ ଜାଣେନି ସେ ନାମକୁ ମାତ୍ର ପରମ୍ପରାକୁ ବଜାୟ ରଖେ । କାରଣ ଜାଣି ପାଳନ କଲେ ସଂସ୍କୃତି ବଞ୍ଚିରହେ । ନଚେତ୍ ଗୁରୁତ୍ୱ ଦିନକୁ ଦିନ ହ୍ରାସ ପାଏ । 

  ଅଦ୍ୟାବଧି ଭାରତ ଭୂଖଣ୍ଡରେ ସଧବା ମାନେ ସାବିତ୍ରୀଙ୍କ ପରି ସାଧ୍ବୀ ହେବାପାଇଁ ସାବିତ୍ରୀ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ଏହା କେଉଁ ଅନାଦି କାଳରୁ ଚାଲି ଆସୁଛି ଓ ଚାଲୁଥିବ ମଧ୍ୟ। ତେବେ ସାବିତ୍ରୀ ଅମାବାସ୍ୟା ପାଳନ ଅବସରରେ ଏହା ପଛରେ କ'ଣ ପୌରାଣିକ କିମ୍ବଦନ୍ତୀ ରହିଛି ଆସନ୍ତୁ ଜାଣିବା....

     ଶାଲ୍ଵଦେଶ ନୃପତି ସୂର୍ଯ୍ୟବଂଶଜ ଦ୍ୟୁମତସେନଙ୍କ ପୁତ୍ର ହେଉଛନ୍ତି ସତ୍ୟବାନ୍। ଏ ଦ୍ୟୁମତସେନଙ୍କ ରାଣୀ ଶୈବ୍ୟାଙ୍କ ଗର୍ଭରୁ ଜନ୍ମିଥିଲେ । ଦୈବ ବିଡ଼ମ୍ବନାରେ ସେ ଅନ୍ଧ ହୋଇ ଶତ୍ରୁମାନଙ୍କ ଷଡ଼ଯନ୍ତ୍ରର ଶୀକାର ହୋଇ ରାଜ୍ୟଚ୍ୟୁତପୂର୍ବକ ପତ୍ନୀ ଓ ଶିଶୁପୁତ୍ର ସତ୍ୟବାନଙ୍କ ସହିତ ଅରଣ୍ୟରେ ଆଶ୍ରୟ ନେଲେ ।
    ସାବିତ୍ରୀ ମଦ୍ରଦେଶର ରାଜା ଅଶ୍ଵପତିଙ୍କ ଦୁହିତା ଓ ସତ୍ୟବାନଙ୍କ ସ୍ତ୍ରୀ । ସେ ଅଶ୍ଵପତିଙ୍କ ଔରସରେ ମାଳବୀଙ୍କ ଗର୍ଭରୁ ଜନ୍ମିଥିଲେ । ତାଙ୍କର ବିବାହ ଯୋଗ୍ୟ ବୟସ ହେବାରୁ ପିତା ଅଶ୍ଵପତି ତାହାଙ୍କୁ ତାଙ୍କର ଉପଯୁକ୍ତ ସ୍ଵାମୀ ମନୋନୟନ କରିବାର ଅଧିକାର ଦେଇଥିଲେ । ଦିନେ ମଦ୍ରଦେଶର ନୃପ (ରାଜା) ଅଶ୍ଵପତି ନିଜର କନ୍ୟା ସାବିତ୍ରୀଙ୍କ ସହିତ ବନଗମନ କରିଥିଲେ । ସାବିତ୍ରୀ ଅମାତ୍ୟ ମାନଙ୍କ ସହ ବହୁସ୍ଥାନ ଭ୍ରମଣ କରି ତାଙ୍କଲାଗି ସ୍ଵାମୀ ନ ପାଇ ଅରଣ୍ୟର ଏକ ଆଶ୍ରମରେ ସତ୍ୟବାନଙ୍କର ସୌନ୍ଦର୍ଯ୍ୟ ଓ ପିତୃମାତୃଭକ୍ତି ଦେଖି ମନେ ମନେ ପତିରୂପେ ବରଣ କରିଥିଲେ । ଏହି ବଣରେ ରୂପବତୀ ସାବିତ୍ରୀ ପିତୃମାତୃ ଭକ୍ତ ସତ୍ୟବାନଙ୍କ ଗୁଣ ଓ ଧର୍ମ ଭାବରେ ଆକର୍ଷିତ ହୋଇ ତାହାଙ୍କୁ ପତି ରୂପେ ମନେମନେ ବରଣ କରି ପିତା ଅଶ୍ୱପତିଙ୍କୁ ରାଜ୍ୟକୁ ଫେରି ପତି ମନୋନୟନ ବିଷୟରେ ଅବଗତ କରାଇବା ସମୟରେ ସେଠାରେ ମହର୍ଷି ନାରଦ ଉପସ୍ଥିତ ଥିଲେ ।
 ନାରଦ ସତ୍ୟବାନଙ୍କ ପରିଚୟ ଦେବା ସହିତ ଅଶ୍ଵପତିଙ୍କୁ କହିଲେ ସାବିତ୍ରୀ ଯାହାଙ୍କୁ ପତିରୂପେ ବରଣ କରିଛନ୍ତି , ସେ ହେଉଛନ୍ତି ଦ୍ୟୁମତ୍‌ସେନଙ୍କ ପୁତ୍ର । ଦ୍ୟୁମତ୍‌ସେନଙ୍କ କର୍ମ ବଳରୁ ଅନ୍ଧ ହେବାରୁ ଶତ୍ରୁଙ୍କଦ୍ଵାରା ସିଂହାସନଚ୍ୟୁତ ହୋଇ ଅରଣ୍ୟରେ ରହିଛନ୍ତି । ତାଙ୍କ ପୁତ୍ର ସତ୍ୟବାନ୍ ଅଳ୍ପାୟୁ । ବିବାହର ଠିକ୍ ଏକ ବର୍ଷ ପୂରଣ ଦିନ ତାଙ୍କର ଦେହାନ୍ତ ଘଟିବ । ତେଣୁ ତାଙ୍କୁ ଛାଡ଼ି ଅନ୍ୟବର ସାବିତ୍ରୀଙ୍କପାଇଁ ଆୟୋଜନ କରନ୍ତୁ ।’”ନାରଦଙ୍କଠାରୁ ରାଜା ଅଶ୍ଵପତି ଏହା ଶୁଣିବା ପରେ କହିଲେ :-

ଦୈବବଳେ ବଳବନ୍ତ ଦୁର୍ବଳ ହୁଅଇ, ଦୁର୍ବଳକୁ ବଳବନ୍ତ ଦଇବ କରଇ ।
ରାଜ୍ୟ ଧନ ବିଷୟରେ ନାହିଁ ମୋ ବିଚାର, ସତ୍ୟବାନ୍ ଅଟଇକି ଉପଯୁକ୍ତ ବର ।”

      ସାବିତ୍ରୀ ବରଣ କରିଥିବା ପତି ଅଳ୍ପାୟୁଷ ହୋଇଥିବାରୁ , ଅନ୍ୟ ଏକ ଆୟୁଷ୍ମାନ ସ୍ଵାମୀ ମନୋନୟନ କରିବାକୁ ପରାମର୍ଶ ଦେଇଥିଲେ ।ତେଣୁ ତାହାକୁ ଛାଡ଼ି ଅନ୍ୟବର ଖୋଜିବାକୁ ଚେଷ୍ଟା କରନ୍ତୁ।
 ରାଜା ଅଶ୍ଵପତି ଭାବୀ ଜାମାତା ଅଳ୍ପାୟୁଷ ହୋଇଥିବା ଶୁଣି ନିଜ କନ୍ୟା ବିଧବା ହେବା ଆଶଙ୍କାରେ ଅନ୍ୟ ବର ଆୟୋଜନ କରିବା ନିମନ୍ତେ ନାରଦଙ୍କୁ ପ୍ରସ୍ତାବ ଦେବା ସମୟରେ ସାବିତ୍ରୀ ଶୁଣିଲେ ଓ ପିତାଙ୍କୁ କହିଲେ–

ମୁଁ ଯାହାକୁ ସ୍ଵ ଇଛାରେ ବରଣ କରିଛି,ତାଙ୍କ ବିନା ମୋର ଆଉ କାହାକୁ ମନ ନାହିଁ ।ସାବିତ୍ରୀ କହିଲା …………..
ଭାଇ ଭାଗ କନ୍ୟାଦାନ ପ୍ରତିଜ୍ଞା ବଚ଼ନ, ଥରେ ମାତ୍ର କରାଯାଏ ଏ ତିନି ବିଧାନ ।

ସତ୍ୟବାନ ବିନା ମୁଁ କାହାର ହାତ ଧରିବି ନାହିଁ। ଏହା ମୋର ସଙ୍କଳ୍ପ।
ଫଳରେ ଅଶ୍ଵପତି ସତ୍ୟବାନଙ୍କ ସହ ନିଜର କନ୍ୟା ସାବିତ୍ରୀଙ୍କର ପରିଣୟ କରାଇଥିଲେ । ନିଜର ସ୍ଵଳ୍ପାୟୁ କଥା ସତ୍ୟବାନ୍ ଜାଣନ୍ତି ନାହିଁ । ପ୍ରତିଦିନ ସେ ଅରଣ୍ୟକୁ ଯାଇ ଜାଳେଣି କାଠ ସଂଗ୍ରହ କରି ପିତାମାତାଙ୍କୁ ପୋଷନ୍ତି । ଯେଉଁଦିନ ବିବାହର ଏକ ବର୍ଷ ପୂରଣ ହେଲା ଅର୍ଥାତ ମୃତ୍ୟୁ ଦିନ ସାବିତ୍ରୀ ସତ୍ୟବାନ୍‌ଙ୍କ ସହ ଅରଣ୍ୟ ଗମନ କଲେ । ସେଦିନ ସେ କାଠ କାଟୁଥିବା ସମୟରେ ତାଙ୍କର ମୃତ୍ୟୁ ହେଲା ।
ଏହି ସମୟରେ ଯମଦେବତା ସତ୍ୟବାନଙ୍କ ନିକଟରେ ପହଞ୍ଚି ତାଙ୍କର ଆତ୍ମାକୁ ନେଇ ଯାଉଥିବା ବେଳେ ସାବିତ୍ରୀ ତାଙ୍କ ପଶ୍ଚାତ୍ ଧାବନ (ପିଛା) କଲେ; ମାତ୍ର ଯମରାଜା ପଛକୁ ଲେଉଟି ସାବିତ୍ରୀଙ୍କୁ ପଚାରିଲେ:– କଷ୍ଟ କରି ମୋ ପଛରେ ଆସ ନାହିଁ | ସ୍ଵାମୀଙ୍କର ଶୁଦ୍ଧକାର୍ଯ୍ୟରେ ଧ୍ୟାନ ଦିଅ ।’’
ଉତ୍ତରରେ ସାବିତ୍ରୀ ଧର୍ମରାଜଙ୍କୁ କହିଲେ :– “ ଆପଣ ମୋ’ ପତିଙ୍କୁ ଯେଉଁଠିକି ନେବେ ମୁଁ ତାଙ୍କ ସହିତ ସେହିଠିକୁ ଯିବି । ମୋର ସ୍ଵାମୀଙ୍କଠାରେ ଭକ୍ତିଥିବାରୁ ସେ ଯେଉଁଠିକି ଗଲେ ମଧ୍ୟ ମୁଁ ତାଙ୍କ ସହିତ ଗଲେ ମୋର କିଛି କ୍ଷତି ହେବ ନାହିଁ । ସାବିତ୍ରୀଙ୍କର ଏ କଥା ଶୁଣି ଯମ କହିଲେ- “ତୁମ ସ୍ଵାମୀଙ୍କ ବିନା ଯେ କୌଣସି ବର ମୋ ଠାରୁ ମାଗିନିଅ ।” ଯମ ସାବିତ୍ରୀଙ୍କୁ ବର ମାଗିବାକୁ କହିବାରୁ ପତିପରାୟଣା ସାବିତ୍ରୀ ନିଜର ପାତିବ୍ରତ୍ୟ ପ୍ରଭାବରେ ଯମରାଜାଙ୍କ ହୃଦୟ ଆକର୍ଷଣ କରି ତାଙ୍କୁ ତିନୋଟି ବର ମାଗିଲେ ।
ତେଣୁ ସାବିତ୍ରୀ ଯମ ରାଜାଙ୍କୁ ପ୍ରଥମ ବର ମାଗିବାକୁ ଯାଇ କହିଲେ;–
ମୋର ଚକ୍ଷୁହୀନ ଶାଶୁ ଶ୍ଵଶୁର ବନରେ ପଡ଼ିଛନ୍ତି ତେଣୁ ସେମାନେ ନିଜ ରାଜ୍ୟ ଫେରି ପାଇବା ଘଟଣା ସ୍ବଚକ୍ଷୁରେ ଦେଖନ୍ତୁ ।’’ ଯଦି ସନ୍ତୁଷ୍ଟ ତେବେ ଅନୁଗ୍ରହ କରି ଏହି ବର ଦିଅନ୍ତୁ, |
ଯମରାଜ ଅସ୍ତୁ କହି ଯମାଳୟ ଅଭିମୁଖେ ଯିବାକୁ ଉଦ୍ୟତ ହେବା ସମୟରେ ସାବିତ୍ରୀ ପୁନରାୟ ତାଙ୍କ ପଛେ ପଛେ ଗଲେ । ପୁନରାୟ ମୋ ପଛରେ କାହିଁକି ଆସୁଛ ବୋଲି ଧର୍ମରାଜ ସାବିତ୍ରୀଙ୍କୁ ପଚାରିବାରୁ ସାବିତ୍ରୀ କହିଲେ:–
ଆପଣ ଯେଉଁଠାରେ ମୋ ସ୍ଵାମୀଙ୍କୁ ରଖିବେ , ମୁଁ ସେଠାରେ ରହିବି |
ଧର୍ମରାଜ ସାବିତ୍ରୀଙ୍କୁ ଧନ୍ୟବାଦ ଦେଇ ସତ୍ୟବାନଙ୍କ ଜୀବନ ଛଡ଼ା ଆଉ ଏକ ବର ମାଗିବାକୁ କହିବାରୁ ସାବିତ୍ରୀ ଦ୍ଵିତୀୟ ବର ମାଗିଲେ :–
ଏହାଶୁଣି ସାବିତ୍ରୀ ମୋ ପିତା ପୁତ୍ର ହୀନ ଅଟନ୍ତି ତାହାଙ୍କର ଶତଗୋଟି ପୁତ୍ର ଜାତ ହେଉ ଏହି ବର ଦିଅନ୍ତୁ |
ଜନ୍ତୁପତି ଏହି ବର ସାବିତ୍ରୀଙ୍କୁ ପ୍ରଦାନ କରି ତାଙ୍କ ସଙ୍ଗରେ ଯିବାକୁ ବାରଣ କରିଥିଲେ; ମାତ୍ର ସାବିତ୍ରୀ ଯମଙ୍କୁ କହିଲେ ପରର ଉପକାର କରିବା ସାଧୁଙ୍କର କାମ । ପ୍ରାଣୀଙ୍କଠାରେ ଦୟା କରିବା ଓ ବିପନ୍ନଙ୍କୁ ବିପଦରୁ ଉଦ୍ଧାର କରିବା ମଧ୍ୟ ତାଙ୍କର କାର୍ଯ୍ୟ । ସାବିତ୍ରୀଙ୍କ ଏତାଦୃଶ ବାକ୍ୟରେ ଜନ୍ତୁନାଥ ସନ୍ତୁଷ୍ଟହୋଇ ସତ୍ୟବାନଙ୍କ ଜୀବନ ବିନା ଆଉ ଏକ ବର ମାଗିବାକୁ କହିଲେ |ତାହା ହେଉ ବୋଲି କହି ତାଙ୍କ ସଙ୍ଗରେ ଆଉ ନ ଗୋଡ଼ାଇ ଫେରିଯିବା ଲାଗି ସାବିତ୍ରୀଙ୍କୁ ଯମ ପରାମର୍ଶ ଦେବାରୁ ସାବିତ୍ରୀ ବିନୟର ସହ ଯମଙ୍କୁ ସ୍ତୁତି କଲେ:-

‘‘କହନ୍ତି ସାବିତ୍ରୀ ପୁଣି ଯୋଡ଼ି ବେନିକର,
ଜଗତ ପାଳନ କର୍ତ୍ତା ଯେଉଁ ଦିନକର ।
ତାହାଙ୍କର ପ୍ରିୟସୁତ ଅଟ ଯେ ଆପଣ,
ଏଣୁ ବହିଅଛ ଲୋକେ ବୈବସ୍ବତ ନାମ ।
ଧର୍ମେ ପ୍ରଜା ପାଳିବାରୁ ଧର୍ମରାଜା ନାମେ,
ଖ୍ୟାତି ହୋଇଅଛ ମଧ୍ୟ ଏ ତିନି ଭୁବନେ ।
ଆହେ ଦେବ ସାଧୁଙ୍କର ଅଟେ ଏହି ରୀତି,
ଆପଣା ପରକୁ ସେହି ସମାନ ଦେଖନ୍ତି ।
ଦୟା କ୍ଷମା ଗୁଣେ ପୂର୍ଣ୍ଣ ତାହାଙ୍କ ହୃଦୟ,
ଅସହାୟ ଲୋକଙ୍କର ସେହିଟି ଆଶ୍ରୟ ।’’

  ସାବିତ୍ରୀଙ୍କର ଏପରି ସ୍ତୁତିରେ ଜନ୍ତୁରାଣ ସନ୍ତୁଷ୍ଟହୋଇ କହିଲେ– “ ପତି ପ୍ରାଣ ବ୍ୟତୀତ ଅନ୍ୟ ଏକ ବର ମାଗ ମୁଁ ଦେବାକୁ ଅଙ୍ଗୀକୃତ ହେଉଛି ।” ତାପରେ ଯମରାଜାଙ୍କ ପ୍ରତିଜ୍ଞା ଶୁଣି ସାବିତ୍ରୀ ଅତି କୌଶଳକ୍ରମେ ତୃତୀୟ ବର  ମାଗିଲେ...

ମୋ ଗର୍ଭରୁ ଶତ ପୁତ୍ର ଜନ୍ମ ହୁଅନ୍ତୁ କିନ୍ତୁ ପତିବ୍ରତା ଧର୍ମ ଯେପରକି ଖଣ୍ଡିତ ହେବ ନାହିଁ।

ଏହା ଶୁଣି ଧର୍ମରାଜ ତଥାସ୍ତୁ କହି ମୋ’ କଥା କଦାପି ଅନ୍ୟଥା ହେବନି ବୋଲି ଦୃଢେ଼ାକ୍ତି ଜଣାଇଲେ । ତାପରେ ଯମ ପୁନଃ ସତ୍ୟବାନ୍‍ଙ୍କ ଆତ୍ମା ଧରି ଆଗକୁ ବଢ଼ିବାରେ ଲାଗିଲେ। ଯମ ପଛକୁ ଦେଖନ୍ତି ତ ସାବିତ୍ରୀ ପୁଣି ପଛରେ ଆସୁଛନ୍ତି। ତେଣୁ ପଚାରିଲେ…
ତୁମେ ବାରମ୍ବାର ମୋ ପଛରେ ଧାଇଁ ଧାଇଁ କ୍ଳାନ୍ତ ହେଲଣି। ତେଣୁ ଏ ସବୁ ବର ପ୍ରାପ୍ତିହୋଇ ଆନନ୍ଦ ମନରେ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କର; ” ମାତ୍ର ସାବିତ୍ରୀ ଯମଙ୍କୁ ଛାଡ଼ିଲେ ନାହିଁ । ତାଙ୍କୁ ପ୍ରାର୍ଥନା କରି କହିଲେ;-

‘ ‘ ସାବିତ୍ରୀ ବୋଇଲେ ପ୍ରଭୁ ଧର୍ମମୟ ଦେବ,
ଆପଣଙ୍କ ପ୍ରସାଦରେ ପାଇଲି ମୁଁ ସର୍ବ ।
ବଜ୍ରପରି ଦୃଢ଼ ଅଟେ ଆପଣଙ୍କ ବାକ୍ୟ,
ଭିନ୍ନ କରିବାକୁ ତାହା ନୁହଇ କେ ଶକ୍ୟ ।
ପତିବ୍ରତା ଧର୍ମେ ଥାଇ ଶତେ ପୁତ୍ର ମୋର,
ହେବାକୁ ଆପଣ ନିଜେ ଦେଇଛନ୍ତି ବର ।
ଏବେ ତ ପତିଙ୍କୁ ସଙ୍ଗେ ନେଇ ଯାଉଛନ୍ତି,
ଆପଣଙ୍କ ସତ୍ୟରକ୍ଷା ହୋଇବ କେମିତି ।’’ ??

  ଧର୍ମରାଜ ସାବିତ୍ରୀଙ୍କ ଯୁକ୍ତିରେ ସ୍ତମ୍ଭୀଭୂତ ହୋଇଗଲେ । ତାଙ୍କୁ କୌଣସି ବୁଦ୍ଧି ଦେଖାଗଲା ନାହିଁ , ପତିବ୍ରତା ନାରୀର ଚତୁରପଣିଆ ଆଗରେ ସେ ହାର ମାନିଲେ। ସତ୍ୟବାନଙ୍କ ଆତ୍ମାଙ୍କୁ ତାଙ୍କର ଶରୀରରେ ପ୍ରବେଶ କରାଇ କହିଲେ

“ପତିଠାରେ ଯେଉଁ ରୂପେ ଭକତି ତୁମର,
ପାଇଲ ତା ଅନୁରୂପ ଯୋଗ୍ୟ ପୁରସ୍କାର ।”

  ସତ୍ୟବାନ ନିଜର ଜୀବନ ଫେରି ପାଇଲେ । ସାବିତ୍ରୀଙ୍କ ଶାଶୁ ଓ ଶ୍ଵଶୁର ଦୃଷ୍ଟିଶକ୍ତି ପ୍ରାପ୍ତହୋଇ ଅପହୃତ ରାଜ୍ୟର ରାଜା ଓ ରାଣୀ ହେଲେ । ଅଶ୍ଵପତି (ସାବିତ୍ରୀଙ୍କ ପିତା) ଶତ ପୁତ୍ରର ହେବାର ସୌଭାଗ୍ୟ ଲାଭ କଲେ ।ଏହିବର ପ୍ରଭାବରେ ସେ ନିଜ ସ୍ଵାମୀଙ୍କ ଜୀବନ ଫେରାଇ ଆଣିବାକୁ ସମର୍ଥା ହେଲେ ଓ ସାବିତ୍ରୀ ସତ୍ୟବାନଙ୍କ ସହ ଆନନ୍ଦରେ କଟାଇ ଶତ ପୁତ୍ରର ଜନନୀ ହେଲେ ଓ ସ୍ଵାମୀଙ୍କ ସହ କାଳଯାପନ କଲେ ।
 ସାବିତ୍ରୀ ନିଜର ଅତୁଟ ବିଶ୍ୱାସ ଓ ନିଜ ପତିଙ୍କ ପ୍ରତି ଥିବା ପତିବ୍ରତା ଧର୍ମ ହିଁ ଜିତିବାର ବାଟକୁ ଉନ୍ମୁକ୍ତ କରିଥିଲା।
   ସେଥିପାଇଁ କୁହାଯାଏ "ସ୍ତ୍ରୀ ପାଇଁ ସ୍ଵାମୀ ହେଉଛି ସବୁକିଛି" । ଉଭୟେ ଉଭୟଙ୍କ ମଧ୍ୟରେ ବିଶ୍ଵାସ, ଭରସା ରହିଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ , ସ୍ଵର୍ଗ ପରି ଅନୁଭବ ହୁଏ।

 ଏଭଳି ଶିକ୍ଷା ଅଶୀନବେ ଦଶକରେ ଆମ ପାଠ୍ୟକ୍ରମରେ ପଢ଼ା ଯାଉଥିଲା, କିନ୍ତୁ ତାହାକୁ ଧିରେ ଧିରେ ଷଡ଼ଯନ୍ତ୍ର ପୂର୍ବକ କୌଶଳ କ୍ରମେ ପାଠ୍ୟପୁସ୍ତକରୁ ହଟେଇ ଦିଆଗଲା।

( ନିଜ ସମ୍ପର୍କିୟ ଓ ଆତ୍ମୀୟ ସୋଜନଙ୍କ ପାଖକୁ ଏହି ଲେଖାଟି ପହଞ୍ଚାଇବା ଦାୟିତ୍ୱ ଆପଣଙ୍କର କାରଣ ଏହାଦ୍ବାରା ସଂସ୍କୃତି ଓ ପରମ୍ପରା ବଞ୍ଚିରହିବ )

ମାଁ ମାଉସୀ ଭଉଣୀ ଓ ଆତ୍ମୀୟ ସୋଜନ ମାନଙ୍କର ସିନ୍ଦୁର ବଜର ହେଉ ଦୀର୍ଘସ୍ଥାୟୀ ହେଉ ଏତିକି ଜଗତରଠାକୁର ବଡ଼ ଠାକୁର ଜଗନ୍ନାଥଙ୍କ ଠାରେ ମୋର ବିନତୀ।

ଓଁ ନମୋ ଭଗବତେ ବାସୁଦେବାୟ

Leave a Reply

Your email address will not be published. Required fields are marked *