ଶୂନ ର ମୂଲ୍ୟ
କେତେକ ପର୍ଯ୍ୟବେକ୍ଷକ ଚଟୁଳତାର ସହିତ କହୁଛନ୍ତି ଯେ ରୁଷିଆର ଜରିମାନା ରାଶିରେ ‘୨’ର ଡାହାଣ ପଟେ ୩୬ଟି ‘ଶୂନ’ର ଧାଡ଼ି ହେତୁ କେବଳ ଏକ ନଭଶ୍ଚୁମ୍ବୀ ସଂଖ୍ୟାର ଧାରଣା ସୃଷ୍ଟି ହୋଇଛି ସିନା, ବସ୍ତୁତଃ କାର୍ଯ୍ୟରେ ନ ଆସି ବା ଉେଦ୍ଦଶ୍ୟ ସାଧନ କରି ନ ପାରି ମୂଲ୍ୟହୀନ ହିଁ ହୋଇଛି! କିନ୍ତୁ ତାହା ମଧ୍ୟ ପୂରାପୂରି ଠିକ୍ ନୁହେଁ।
‘ଶୂନ’ର ପ୍ରାବଲ୍ୟ ହେତୁ ଖବରଟି ଅନ୍ତତଃ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି, ତାହାକୁ ମଧ୍ୟ ତର୍କ ଛଳରେ ଶୂନର ମୂଲ୍ୟ ବୋଲି କୁହାଯାଇପାରେ!
ନିକଟରେ ରୁଷିଆ ପକ୍ଷରୁ ଆମେରିକା ଉପରେ ହୋଇଥିବା ଏକ ପରୋକ୍ଷ ଓ ତିର୍ଯ୍ୟକ୍ ଆକ୍ରମଣ ଅଜସ୍ର କୌତୂହଳ ସୃଷ୍ଟି କରିବା ସହିତ ଅନେକଙ୍କ ମୁହଁରେ ହସ ଉକୁଟାଇଛି ଏବଂ କେତେକଙ୍କୁ ହତଭମ୍ବ ମଧ୍ୟ କରି ପକାଇଛି! ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କେତେକ ରୁଷୀୟ ଅଦାଲତଙ୍କ ଦ୍ବାରା ଆମେରିକୀୟ ଟେକ୍ କଂପାନି ‘ଗୁଗଲ୍’ ଉପରେ ଲଗାଯାଇଥିବା ଉଦ୍ଭଟ ରୂପେ ଅତିକାୟ ଜରିମାନା ରାଶିର ପରିମାଣ ହେଉଛି ଜୀବଦ୍ଦଶାରେ କେବେ ହେଲେ କର୍ଣ୍ଣଗୋଚର ହୋଇ ନ ଥିବା ୨ ‘ଅନ୍ଡେସିଲିଅନ୍’ ରୁବଲ; ଅର୍ଥାତ୍ ୨ରେ ‘୩୬’ଟି ଶୂନର ଧାଡ଼ି! ଆମେରିକୀୟ ଡଲାରରେ ତାହାର ପରିମାଣ ହେଉଛି ୨୦ ‘ଡେସିଲିଅନ୍’ ଅର୍ଥାତ୍ ୨ରେ ୩୪ଟି ଶୂନ! ଏହି ସଂଖ୍ୟା ଏଭଳି ବିଶାଳ ଯେ ତାକୁ କଳ୍ପନା କରିବା ସାଧାରଣ ମନୁଷ୍ୟର ମସ୍ତିଷ୍କ ଅନତିକ୍ରମ୍ୟ ହୋଇଥାଏ, କଳନା କରିବା ଏକ ଅସମ୍ଭବ ବ୍ୟାପାର। ତେବେ ଏହାର ବିଶାଳତାକୁ ବୁଝିବା ଲାଗି କେବଳ ଏତିକି କୁହାଯାଇପାରେ ଯେ ସମଗ୍ର ପୃଥିବୀର ସର୍ବମୋଟ ଆୟ ବା ଜି.ଡି.ପି. ଯଦି ବାର୍ଷିକ ୧୧୦ ଟ୍ରିଲିଅନ୍ ଡଲାର, ତେବେ, ଏହି ଜରିମାନା ରାଶିର ପରିମାଣ ହେଉଛି ତା’ଠାରୁ ୧୮୧ କ୍ବିଣ୍ଟିଲିଅନ୍ ଗୁଣ ଅଧିକ; ଏବଂ ଏକ ‘କ୍ବିଣ୍ଟିଲିଅନ୍’ ହେଉଛି ୧ରେ ୧୮ଟି ଶୂନ! ଏଥିରେ ଦ୍ବିଧା ନାହିଁ ଯେ ଏଭଳି ଏକ ଅବାସ୍ତବ ଦଣ୍ଡ ବିଧାନ ପରିହାସର ପାତ୍ର ହେବା ସ୍ବାଭାବିକ, କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେଉଁ ସଂଦର୍ଭକୁ କେନ୍ଦ୍ର କରି ଏହା ହୋଇଛି, ତାହା ଆଦୌ ଏକ ହାଲୁକା ବିଷୟ ନୁହେଁ, ବରଂ ଅତ୍ୟନ୍ତ ଗମ୍ଭୀର। ଏହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପୃଥିବୀର ଅପ୍ରତିଦ୍ବନ୍ଦ୍ବୀ ଟେକ୍ କଂପାନି ‘ଗୁଗଲ୍’ ବିରୋଧରେ ରୁଷିଆର ଅଭିଯୋଗ ହେଲା ‘ଗୁଗଲ୍’ ଅଧୀନସ୍ଥ ‘ୟୁଟ୍ୟୁବ୍’ରେ ପ୍ରାୟ ୧୦୦୦ ସଂଖ୍ୟକ ରୁଷୀୟ ଚ୍ୟାନେଲ୍କୁ ବନ୍ଦ କରି ଦିଆଯିବା ସହିତ ୫.୫ ନିୟୁତ ରୁଷୀୟ ଭିଡିଓକୁ ସେହି ମଞ୍ଚରୁ ଅପସାରଣ ବା ‘ଡିଲିଟ୍’ କରି ଦିଆଯାଇଛି, ଯହିଁରେ ୟୁକ୍ରେନ୍-ରୁଷିଆ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷିଆ ସପକ୍ଷବାଦୀ ମତାମତ ଓ ଚିନ୍ତନ ସ୍ଥାନ ପାଇଥିଲା। ରୁଷିଆର ଧାରଣା ଯେ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଆଭିମୁଖ୍ୟ ଓ ମନୋଭାବକୁ ସମର୍ଥନ ଜଣାଇ ଗୁଗଲ୍ ଏଭଳି ପକ୍ଷପାତିତା ପ୍ରଦର୍ଶନ କରିଛି, ଯାହାର ଏକ ବଳିଷ୍ଠ ପ୍ରମାଣ ହେଲା ଆମେରିକାର ସମର୍ଥନ ଥିବା ହେତୁ ଇସ୍ରାଏଲୀ ଆକ୍ରମଣ ସପକ୍ଷବାଦୀ ମତମାନ ଏଭଳି ପ୍ରତିବନ୍ଧକର ସମ୍ମୁଖୀନ ହୋଇ ନାହାନ୍ତି! ଏଥିରେ ଦ୍ବିଧା ନାହିଁ ଯେ ସଂପ୍ରତି ସମଗ୍ର ପୃଥିବୀରେ ଜୀବନଧାରା, ରୁଚିବୋଧ, ଆଦର୍ଶ, ଔଚିତ୍ୟ, ଚିନ୍ତନ, ମତ ଓ ବ୍ୟାଖ୍ୟାନ ଇତ୍ୟାଦିକୁ ବସ୍ତୁତଃ ନିୟନ୍ତ୍ରଣ କରୁଥିବା ସାମାଜିକ ଗଣମାଧ୍ୟମ ହାତଗଣତି ପାଞ୍ଚ ବା ଛଅଟି ଆମେରିକୀୟ ‘ଟେକ୍-କଂପାନି’ର ଅଧୀନସ୍ଥ; ଯେପରିକି ‘ମେଟା,’ ‘ଗୁଗଲ୍’ ଓ ‘ଏକ୍ସ’ ଏବଂ ସେମାନଙ୍କ ଦ୍ବାରା ପରିଚାଳିତ ହ୍ବାଟ୍ସଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଇତ୍ୟାଦି। ବିଡ଼ମ୍ବନାଟି ହେଲା, ଏଭଳି କଂପାନିଗୁଡ଼ିକ କେବଳ ସଂପୂର୍ଣ୍ଣ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିନାହାନ୍ତି, ନିଜକୁ ପ୍ରତିଦ୍ବନ୍ଦ୍ବିତା-ରହିତ କରିବା ସକାଶେ କୂଟ ଉଦ୍ୟମମାନ ମଧ୍ୟ କରିଥାଆନ୍ତି। ରୁଷିଆ ଦୃଷ୍ଟିରେ ପୃଥିବୀର ଜନମତକୁ ଏଭଳି ଅଭିସନ୍ଧିମୂଳକ ଭାବେ ନିୟନ୍ତ୍ରଣ କରାଯିବା ସର୍ବାଦୌ ଅନୁଚିତ। ଶଂସିତ ଘଟଣାରେ ‘ୟୁଟ୍ୟୁବ୍’ ଦ୍ବାରା ବହିଷ୍କୃତ ୧୭ଟି ରୁଷୀୟ ଚ୍ୟାନେଲ ପକ୍ଷରୁ ରୁଷିଆର ବିଭିନ୍ନ ଅଦାଲତରେ କରାଯାଇଥିବା ମାମଲାରେ ଯେତିକି ପରିମାଣର ଜରିମାନା ଲାଗି ଆଦେଶ ମିଳିଛି, ତା’ର ସମଷ୍ଟି ହେଉଛି ୨ ‘ଅନ୍ଡେସିଲିଅନ୍’ ରୁବଲ, ଯାହା ବାସ୍ତବରେ କୌଣସି ଦଣ୍ଡ ରୂପେ ସ୍ବୀକୃତ ହେବ ନାହିଁ; ବରଂ ରୁଷିଆ ସ୍ବୀକାର କରିଛି ଯେ ଏହା ପ୍ରତୀକାତ୍ମକ ଓ ପ୍ରତିବାଦମୂଳକ।
କିନ୍ତୁ ରୁଷିଆ ଜାଣିବା ଉଚିତ ଯେ ଏହି ସଂଦର୍ଭରେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ଏକ ପ୍ରତିପକ୍ଷ ଭାବେ ନୁହେଁ, ବରଂ ଏକ ସୁହୃଦ୍ ଭାବେ ଉଭା ହୋଇଛି। କାରଣ ଏହି ଟେକ୍ କଂପାନିଗୁଡ଼ିକର ପ୍ରଶ୍ନାତୀତ ଏକାଧିପତ୍ୟ ବ୍ୟବସାୟ କ୍ଷେତ୍ରରେ ଅନୈତିକ ବାତାବରଣ ସୃଷ୍ଟି କରିଛି ବୋଲି ଦର୍ଶାଇ ଆମେରିକା ସରକାରଙ୍କ ‘ଡିପାର୍ଟମେଣ୍ଟ ଅଫ ଜଷ୍ଟିସ୍’ ବା ‘ନ୍ୟାୟ ବିଭାଗ’ ପକ୍ଷରୁ ଆଗତ ଏକ ମକଦ୍ଦମାର ଶୁଣାଣି କରି ବିଚାରପତି ଅମିତ ମେହଟା ଗଲା ଅଗଷ୍ଟ ମାସରେ ‘ଗୁଗଲ୍’କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୋଗ ଅନୁସାରେ କୁଆଡ଼େ ‘ସାମ୍ସଙ୍ଗ’ ଓ ‘ଆପଲ୍’ ଭଳି ସର୍ବାଧିକ ମୋବାଇଲ୍ ଫୋନ ବିକ୍ରୟ କରୁଥିବା କଂପାନିଗୁଡ଼ିକୁ ଗୁଗଲ୍ ପକ୍ଷରୁ କେଇ ବିଲିଅନ୍ ଡଲାରର ଉତ୍କୋଚ ଦିଆଯାଇ ଏଭଳି ବ୍ୟବସ୍ଥା କରାଯାଇଛି ଯେ ଜଣେ କ୍ରେତା ସେହି ବ୍ରାଣ୍ଡ୍ର ଫୋନ୍ କିଣିଲେ ଆପଣା ଛାଏଁ କେବଳ ‘ଗୁଗଲ୍’କୁ ବ୍ୟବହାର କରିବାର ସୁବିଧା ପାଇବେ। ଏହାର ପରିଣାମ ପ୍ରାଂଜଳ ଯେ ‘ଗୁଗଲ୍’ର ପ୍ରତିଦ୍ବନ୍ଦ୍ବୀ ଭାବେ ଅନ୍ୟ କୌଣସି ‘ସର୍ଚ ଇଂଜିନ୍’ ଲୋଡ଼ା ପଡ଼ିବେ ନାହିଁ ଏବଂ ଗୁଗଲ୍ର ପତିଆରା ଅନତିକ୍ରମ୍ୟ ଓ ଅକ୍ଷୁଣ୍ଣ ରହିବ! ଏହା ମଧ୍ୟ ସତ ଯେ ଏଭଳି ପ୍ରଭାବକୁ ଦୁର୍ବଳ କରିବା ସକାଶେ ହୋଇଥିବା କେତେକ ଉଦ୍ୟମ ମଧ୍ୟ ପଣ୍ଡ ହୋଇଛି; ଯେମିତି କି ‘ୟୁଟ୍ୟୁବ୍’ର ବିକଳ୍ପ ଭାବେ ରୁଷିଆର ନିଜସ୍ବ ‘ରୁଟ୍ୟୁବ୍’ ବା ‘ଏକ୍ସ’ ବଦଳରେ ଭାରତର ‘କୁ’; ଏ ସବୁ ଉଦ୍ୟମ ଅକାଳ ମୃତ୍ୟୁ ଲଭିଛନ୍ତି ବା ମୁମୂର୍ଷୁ ସ୍ଥିତିରେ, କାରଣ ମୋବାଇଲ୍ ‘ଆପ୍’ଗୁଡ଼ିକ ଲାଗି ସର୍ବାଧିକ ଜନାରଣ୍ୟ ବଜାର ହେଉଛି ‘ଗୁଗଲ୍’ର ‘ପ୍ଲେ ଷ୍ଟୋର୍’ ବା ‘ଆପଲ୍’ର ‘ଆପ୍ ଷ୍ଟୋର୍’, ଯେଉଁଠି ବିକଳ୍ପ ଆପ୍ଗୁଡ଼ିକୁ ସ୍ଥାନ ମିଳି ନ ଥାଏ। ରୁଷୀୟମାନଙ୍କ ଅସ୍ଥି-ମଜ୍ଜାଗତ ହୋଇ ସାରିଥିବା ‘ୟୁଟ୍ୟୁବ୍’କୁ ଅଗତ୍ୟା ରୁଷିଆ ସଂପୂର୍ଣ୍ଣ ନିଷେଧ କରିପାରିବ ନାହିଁ ଏବଂ ତାହାର କାର୍ଯ୍ୟାନୁଷ୍ଠାନ ମଧ୍ୟ ଆଦୌ ଫଳପ୍ରଦ ହେବ ନାହିଁ। ତେବେ, କେବଳ ଗୋଟିଏ ଆଶ୍ବାସନା ଯେ ଏଭଳି ଉଦ୍ଭଟ ଜରିମାନାର ଖବର ଚର୍ଚ୍ଚାର ବିଷୟ ହୋଇ ଏକ ସଚେତନତା ଜାଗ୍ରତ କରିଦେଇପାରେ ଯେ କିଭଳି ଏ ମାନବ ଜାତି ତା’ ନିଜ ଅଗୋଚରରେ ଏହି ଟେକ୍ କଂପାନିଗୁଡ଼ିକ ଦ୍ବାରା ଦାସତ୍ବର ଶୃଙ୍ଖଳରେ ବନ୍ଧା ହୋଇ ସାରିଲେଣି ଏବଂ କ୍ରମେ ଅଧିକରୁ ଅଧିକ ସ୍ବାଧୀନତା ହରାଇବାରେ ଲାଗିଛନ୍ତି!
ଏବେ ଆଲୋଚନାର ମୂଳ ସଂଦର୍ଭରୁ ଟିକିଏ ହୁଡ଼ି ଯାଇ ଜରିମାନା ରାଶିର ସଂଖ୍ୟାରେ ବିଦ୍ୟମାନ ‘ଶୂନ’ର ମାଳା ଉପରେ ଦୃଷ୍ଟି ପକାଇବା, ଯାହା ଏହି ସମ୍ବାଦକୁ କୌତୂହଳପ୍ରଦ କରି ଗଣମାଧ୍ୟମର ଶିରୋନାମାକୁ ଘେନି ଆଣିଛି। ଗଣିତରେ (ସାଧାରଣ ଜୀବନରେ ମଧ୍ୟ) ‘ଶୂନ’କୁ ଆପାତତଃ ମୂଲ୍ୟହୀନ ବୋଲି ବିଚାର କରାଯାଉଥିଲେ ହେଁ ତାହା କୌଣସି ରୂପେ ‘ବିଚରା’ ହୋଇ ନ ଥାଏ, ବରଂ ତାହା ଯେ ସମସ୍ତ ଗାଣିତିକ ଅଙ୍କ ଠାରୁ ଅଧିକ ରହସ୍ୟମୟ ଓ ଜଟିଳ, ତାହା ଗଣିତ ବା ବିଜ୍ଞାନ ମଧ୍ୟକୁ ପ୍ରବେଶ କରିବା ସହିତ ହୃଦ୍େବାଧ ହୋଇ ଯାଇଥାଏ। ଶୂନ ଓ ଶୂନ୍ୟତାର ରହସ୍ୟ ଭେଦ କରିବା ଲାଗି ଗାଣିତିକ, ଦାର୍ଶନିକ ଓ ବୈଜ୍ଞାନିକ ଗଣ ଯୁଗପତ୍ ଚିନ୍ତନ ନିମଗ୍ନ ହୋଇ ରହି ଆସିଛନ୍ତି। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ମହାନ ଚୀନା ଦାର୍ଶନିକ ଲାଓତ ସୁ ‘ଶୂନ୍ୟତା’କୁ ଆକାର ପରିକଳ୍ପନାର ମୂଳାଧାର ଭାବେ ଗ୍ରହଣ କରିଥିଲେ; ଅର୍ଥାତ୍ ସହଜରେ ବୁଝାଇ କହିଲେ ଯେମିତିି ଏକ ପ୍ରସ୍ତରକୁ କାଟି କିଛି ଅଂଶ ଶୂନ୍ୟ ନ କଲା ପର୍ଯ୍ୟନ୍ତ ମୂର୍ତ୍ତିଟିଏ ସାକାର ହୋଇ ନ ଥାଏ। କିନ୍ତୁ ଏଭଳି କ୍ଳିଷ୍ଟ ଦାର୍ଶନିକ ତତ୍ତ୍ବ ବ୍ୟତୀତ ‘ଶୂନ’ ମଧ୍ୟ ଏଭଳି ଏକ ଚରିତ୍ର, ଯାହାକୁ ଶିଶୁମାନେ ଗଣିତ ସହିତ ପ୍ରଥମ ପରିଚୟ ପରେ ସେମାନଙ୍କ କୋମଳ ଜ୍ଞାନରେ ବୁଝି ତାହାର ପ୍ରୟୋଗ ମଧ୍ୟ କରନ୍ତି। ପ୍ରାଥମିକ ସ୍ତରରେ ସେମାନେ ଶିଖନ୍ତି ଯେ ଶୂନ ମୂଲ୍ୟହୀନ ହୋଇଥିଲେ ହେଁ, କୌଣସି ଅଙ୍କର ଡାହାଣ ପଟେ ଅବତୀର୍ଣ୍ଣ ହେଲେ ପ୍ରତିଟି ଶୂନ ସହିତ ସଂଖ୍ୟାର ମୂଲ୍ୟ ଦଶ ଗୁଣ ଲେଖାଏ ବୃଦ୍ଧି ପାଇ ଚାଲିଥାଏ। କିନ୍ତୁ, କେତେକ ପର୍ଯ୍ୟବେକ୍ଷକ ଚଟୁଳତାର ସହିତ କହୁଛନ୍ତି ଯେ ରୁଷିଆର ଜରିମାନା ରାଶିରେ ‘୨’ର ଡାହାଣ ପଟେ ୩୬ଟି ‘ଶୂନ’ର ଧାଡ଼ି ହେତୁ କେବଳ ଏକ ନଭଶ୍ଚୁମ୍ବୀ ସଂଖ୍ୟାର ଧାରଣା ସୃଷ୍ଟି ହୋଇଛି ସିନା, ବସ୍ତୁତଃ କାର୍ଯ୍ୟରେ ନ ଆସି ବା ଉେଦ୍ଦଶ୍ୟ ସାଧନ କରି ନ ପାରି ମୂଲ୍ୟହୀନ ହିଁ ହୋଇଛି! କିନ୍ତୁ ତାହା ମଧ୍ୟ ପୂରାପୂରି ଠିକ୍ ନୁହେଁ। ‘ଶୂନ’ର ପ୍ରାବଲ୍ୟ ହେତୁ ଖବରଟି ଅନ୍ତତଃ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି, ତାହାକୁ ମଧ୍ୟ ତର୍କ ଛଳରେ ଶୂନର ମୂଲ୍ୟ ବୋଲି କୁହାଯାଇପାରେ!