ଭୁବନେଶ୍ୱର: ରୂପାୟନ ର 2026 ନିମନ୍ତେ ପ୍ରଥମ ଓଡ଼ିଶାର ସଂସ୍କୃତି ଓ ସୃଜନଶୀଳତାର ବିଭିନ୍ନ କ୍ଷେତ୍ରରେ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଓ ସାଧନା ବଳରେ ରାଜ୍ୟର ଗୌରବ ବୃଦ୍ଧି କରିଥିବା ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ପ୍ରଥମ ଓଡ଼ିଶା ପୌରୁଷ ସମ୍ମାନ–୨୦୨୬’ ଆସନ୍ତା ନଭେମ୍ବର ୧୯ ତାରିଖରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହେବ।
ଭୁବନେଶ୍ୱର ରଜତ କୁମାର ମହାପାତ୍ର (ଦର୍ଶନ ସମୀକ୍ଷା)
ଏହି ସମ୍ମାନ ସମାରୋହରେ ଜୀବନବ୍ୟାପୀ ସାଧନା ସମ୍ମାନ ଓ ସୃଜନଶୀଳ କୃତିତ୍ୱ ପାଇଁ ପ୍ରତିଭାଧରମାନଙ୍କୁ ସମ୍ମାନିତ କରାଯିବ। ଚଳଚ୍ଚିତ୍ର ନିର୍ଦ୍ଦେଶନା, ସଙ୍ଗୀତ ନିର୍ଦ୍ଦେଶନା, ଅଭିନୟ, ଚିତ୍ରଗ୍ରହଣ ସମେତ ଆଧୁନିକ ଚିତ୍ରକଳା, ଭାସ୍କର୍ଯ୍ୟ କଳା, ପଟ୍ଟଚିତ୍ର, ପଥର ଶିଳ୍ପ, କ୍ଷୁଦ୍ରଗଳ୍ପ, କବିତା, ଗୀତ, ନାଟକ , କଣ୍ଠ ସଙ୍ଗୀତ, ବାଦ୍ୟ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ମଞ୍ଚନାଟ୍ୟ , କ୍ରୀଡ଼ା, ସମାଜ ସେବା , ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମ୍ବାଦିକତା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିତ୍ୱମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ଓଡ଼ିଶାର ସମୃଦ୍ଧ କଳା ଓ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇବା ସହ ନିଜ ନିଜ କ୍ଷେତ୍ରରେ ନିରନ୍ତର ସାଧନାରତ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଏହି ସମ୍ମାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଆୟୋଜନ ମାଧ୍ୟମରେ ଓଡ଼ିଶାର ସୃଜନଶୀଳ ପ୍ରତିଭା ଓ ସାଂସ୍କୃତିକ ଐତିହ୍ୟକୁ ଅଧିକ ବ୍ୟାପକ ଭାବେ ଲୋକଲୋଚନକୁ ଆଣିବା ସହ ଆଗାମୀ ପିଢ଼ିକୁ କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ଅନୁପ୍ରାଣିତ କରିବାର ଲକ୍ଷ୍ୟ ରଖାଯାଇଛି।
ସମ୍ମାନ ମଝିରେ ୭ ଜଣ ବିଖ୍ୟାତ କଣ୍ଠଶିଳ୍ପୀ କଣ୍ଠ ସଙ୍ଗୀତ ପରିବେଷଣ କରିବେ।
ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱ, ସଂସ୍କୃତିପ୍ରେମୀ ଓ ଆମନ୍ତ୍ରିତ ଅତିଥିମାନେ ଯୋଗଦେବେ ବୋଲି , ଏହି ଉତ୍ସବ ର ଆୟୋଜିକା ତଥା ରୂପାୟନ ଟ୍ରଷ୍ଟ ସଂସ୍ଥାପିକା ଡ. ଶ୍ରଦ୍ଧାଂଜଳି ରାୟ ଜଣାଇଛନ୍ତି।











