Spread the love

ସାଧୁଙ୍କର ସ୍ଵଭାବ


ମୋର ପ୍ରିୟ ବନ୍ଧୁ ,
ଅନେକ ଦିନ ପରେ ପତ୍ରଟିଏ ଦେଲି । ବନ୍ଧୁଟିଏ ଭାବି ସମୟ ଦେଇ ଦେଖିବେ ଅନୁରୋଧ ରଖିଲି ।

#

ଥରେ ଜଣେ ସାଧୁ ଗୋଟେ ଆମ୍ବ ଗଛ ମୂଳେ ଯାଇ ବିଶ୍ରାମ ନେଉଥିଲେ । ସେ ଗଛଟିରେ ପାଚିଲା ଆମ୍ବ ଭରପୁର ଥିଲା । ପାଖ ଗ୍ରାମର କିଛି ପିଲାମାନେ ଆସି ଗଛ ମୂଳେ ଏକତ୍ରିତ ହେଲେ । ଚାହୁଁ ଚାହୁଁ ଗଛକୁ ଢେଲା ମାରିବା ଆରମ୍ଭ କଲେ । ଗଛରୁ ପାଚିଲା ଆମ୍ବ ସବୁ ଝାଡୁ ଥିଲେ । ଆମ୍ବ ସଂଗ୍ରହ କରି ଖୁସି ହେଉଥିଲେ । ସାଧୁ ଏସବୁ ଘଟଣାକୁ ମନୋଯୋଗ ପୂର୍ବକ ଦେଖୁଥିଲେ ଓ କିଛି ଚିନ୍ତନ କଲା ପରି ଲାଗୁଥିଲେ ।

ଏହି ସମୟରେ ଜଣେ ପିଲା ଗଛକୁ ପଥର ଫିଙ୍ଗୁ ଫିଙ୍ଗୁ ପଥରଟି ସାଧୁଙ୍କ କପାଳରେ ମାଡ଼ ହେଲା । ରକ୍ତ ସ୍ରାବ ହେଲା । ପିଲାମାନେ ଦେଖି ଭୟରେ ଥରିବାକୁ ଲାଗିଲେ । ସାଧୁଙ୍କ ପାଖକୁ ଯାଇ ନୀରବରେ ଠିଆ ହେଲେ । ସାଧୁ ମହାତ୍ମା ତାଙ୍କ କପାଳରୁ ରକ୍ତ ପୋଛୁ ପୋଚ୍ଛୁ ଏସବୁ ଦେଖୁଥିଲେ ଓ କିଛି ଚିନ୍ତନ କଲା ପରି ଲାଗୁଥିଲେ ।

ଢେଲା ପକାଇଥିବା ପିଲାଟି ସାଧୁଙ୍କ ପାଖକୁ ଯାଇ ଭୟରେ ହାତ ଯୋଡ଼ି ସାଧୁଜୀଙ୍କୁ କହିଲା : ମହାରାଜ ମୋତେ କ୍ଷମା କରନ୍ତୁ । ମୋର ଭୂଲ ହୋଇଯାଇଛି । ମୋର ଏହି ଭୂଲ ହେତୁ ଆପଣ ଏତେ ପୀଡ଼ା ପାଉଛନ୍ତି ।
ସାଧୁ ନିଜ ମସ୍ତକରୁ ରକ୍ତ ପୋଛୁ ପୋଛୁ ପିଲାଟି କଥା ମନେ ଦେଇ ଶୁଣୁ ଥିଲେ ଓ କିଛି ଚିନ୍ତନ କଲା ପରି ଲାଗୁଥିଲେ ।

ପିଲାମାନେ ସମସ୍ତେ କହିଲେ ସାଧୁଜୀ ଆପଣ କିଛି କହୁ ନାହାଁନ୍ତି ? ଆମର ଭୂଲ ଯୋଗୁଁ ଆମକୁ ଭୟ ଲାଗୁଛି । ଆମକୁ ଆପଣ କ୍ଷମା କରି ଦିଅନ୍ତୁ।
ଲାଗୁଥିଲା ସାଧୁ ଜଣଙ୍କ ଦୂରରେ ରହି ଏକ ଦ୍ରଷ୍ଟା ଭଳି ସବୁ କଥାକୁ ଦେଖୁ ଥିଲେ ଏବଂ ଅତି କୋମଳ କଣ୍ଠରେ ଉତ୍ତର ଦେଲେ :-

ପିଲାମାନେ ତୁମେ ଗଛକୁ ଢେଲା ମାରୁଥିଲ ମୁଁ ଦେଖିଛି । ବଦଳରେ ଗଛ ତୁମକୁ ପାଚିଲା ଆମ୍ବ ଦେଉଥିଲା । ମୁଁ ଜାଣିଛି । ଗଛ ଢେଲା ପଥର ଖାଉଥିଲା ତା’ ଦେହରୁ ଡାଳ,ପତର ଛିଡ଼ୁ ଥିବାର ମୁଁ ଅନୁଭବ କରିଛି ।
ତୁମେ ଆମ୍ବ ପାଇ ଖୁସି ହେଉଥିଲ । ଏ କଥାକୁ ବୁଝି ପାରିଛି ।
ଅନ୍ୟଅର୍ଥରେ କହିଲେ ଗଛ ଢେଲା ମାଡ ଖାଉ ଥିଲା ଓ ତୁମକୁ ଖୁସି ଦେଉଥିଲା । ଜଣେ ମାଡ ଖାଏ ଓ ଖୁସି ଦିଏ ଏହାକୁ ମୁଁ ହୃଦୟ ସହକାରେ ଅନୁଭବ କରିଛି

ଏବେ ତୁମମାନଙ୍କର ଗୋଟେ ପଥର ମୋ ମୁଣ୍ଡରେ ପଡ଼ିଲା । ତୁମେ ଭୟରେ ଗାଁକୁ ଦୌଡ଼ି ନଯାଇ ମୋ ପାଖକୁ ଆସିଲ,ପଚାରିଲ ଏହା ଏକ ଉତ୍ତମ ଲକ୍ଷଣ । ବଦଳରେ ମୁଁ ତୁମକୁ କଣ ଦେବି ଭାବୁଛି । ଏମିତି ତ ତୁମେମାନେ ଭୟଭୀତ ହୋଇଗଲଣି । ଦୁଃଖୀ ହୋଇ ଗଲଣି । ଆଉ ତୁମମାନଙ୍କୁ ଅଧିକ କଣ ଦେବି।

ସାଧୁ କହିଲେ :- ପାଚିଲା ଆମ୍ବ ତୁମ ପାଇଁ ଗୋଟେ ଆହ୍ବାନ ଥିଲା । ତୁମେ ତାକୁ ଢେଲା ଦ୍ବାରା ଜବାବ ଦେବା ଏକ ସ୍ଵାଭାବିକ କଥା । ଏକ ଚ୍ୟାଲେଞ୍ଜକୁ ଯଥାର୍ଥ ରେସ୍ପନ୍ସ ଜଣାଇବା ତୁମମାନଙ୍କର ଧର୍ମ ।
ଧ୍ୟାନ ଦେବାର ବିଷୟ ପାଚିଲା ଆମ୍ବର ଆକର୍ଷଣରେ ତୁମେ ସମ୍ମୋହିତ ହୋଇଯାଇଥିଲ । ଚତୁଃପାର୍ଶ୍ଵରେ କଣ ଘଟୁଛି ଭୁଲି ଯାଇଥିଲ । ଯାହାର ଏଇ ହେଉଛି ପରିଣାମ ।

ଏବେ ମୋ କଥା ଶୁଣ ।

ଏହି ଗଛଟିର ଯେପରି କିଛି ଭଲ ଗୁଣ ଅଛି ସେହି ପରି ଜଣେ ଭଲ ମଣିଷର ପ୍ରଥମ କାମ ହେଲା ସବୁ ଜିନିଷକୁ, ସମସ୍ତଙ୍କ କଥାକୁ ମନୋଯୋଗ ପୂର୍ବକ ଦେଖିବ, ବୁଝିବ ଓ ଶୁଣିବ । ଜଣେ ଉତ୍ତମ ମଣିଷ ଠାରେ କ୍ଷାନ୍ତି ବା ସହନ କରିବାର ଶକ୍ତି ରହିବା ଅତି ଆବଶ୍ୟକ । ପରିସ୍ଥିତି ଆସିଲେ ବିଚଳିତ ନହୋଇ ଶାନ୍ତ ରହିବା ନିହାତି ଦରକାର । ଜଣେ ଉତ୍ତମ ମଣିଷର ଲକ୍ଷଣ ହେଉଛି ସେ ପ୍ରତିକ୍ରୀୟାଶୀଳ ସ୍ୱଭାବର ନହୋଇ ସବୁ ଘଟଣାକୁ ଯଥାର୍ଥ ପ୍ରତିବେଦନ ଜଣାଇବ । ଗୋଟେ ଭଲ ମଣିଷର ଲକ୍ଷଣ ହେଲା ସେ କ୍ଷମା ପରାୟଣ,ଦୟାବାନ୍ ଓ ପରୋପକାରୀ ହେବ। ସର୍ବଦା ଅନ୍ୟର ଦୋଷ ଦେଖିଲେ ନିଜର ଭଲ ଗୁଣ ବିକଶିତ ହୋଇ ପାରିବ ନାହିଁ,ସେ ଭଲ ରୂପେ ବୁଝି ଥିବ । ସବୁ କଥାକୁ ସବୁ ଦୃଷ୍ଟିରୁ ଦେଖି ବିଚାର କରିବ ।

ସାଧୁଜୀ ନିଜ କପାଳରୁ ରକ୍ତ ପୋଛୁ ପୋଛୁ କହିଲେ – ଆଚ୍ଛା ପିଲାମାନେ କହିଲ ଦେଖି ଗଛଟିଏ ତା’ର ଧର୍ମ ରଖି ପାରିଲା ମୁଁ କଣ ମଣିଷଟିଏ ହୋଇ ମୋ କର୍ମ କରି ପାରିବି ନାହିଁ ? ମୁଁ ତୁମକୁ ଓ ମୋ ନିଜକୁ ବୁଝି ପାରିଛି । ତୁମମାନଙ୍କ ପ୍ରତି ମୋ ମନରେ କୌଣସି ଦ୍ୱେଷ ଭାବନା ନାହିଁ। ଦୋଷ ଦେଖିଲେ ସିନା କ୍ଷମା କରିବି । ସାଧୁ ଅତି ଖୁସିରେ ପିଲାମାନଙ୍କୁ ପାଖକୁ ଡାକିଲେ ଆଦରରେ ପିଲାମାନଙ୍କ ପିଠିକୁ ଆଉଁସି ଦେଲେ ।

ଢେଲା ପକାଇ ଥିବା ପିଲାଟି ପିନ୍ଧି ଥିବା ସାର୍ଟଟିକୁ ଖୋଲି ଦେଲା ଓ ସାଧୁଙ୍କର କପାଳରୁ ବୋହୁଥିବା ରକ୍ତକୁ ସେଥିରେ ପୋଛି ସଫା କରି ଦେଉଥିଲା ।

ସାଧୁ ବହୁତ୍ ଆଶ୍ୱସ୍ତି ଅନୁଭବ କରି ଶେଷରେ କହିଲେ ମଣିଷଠାରେ ଶିଖିବାର ଇଚ୍ଛା ଥିଲେ ସେ ସବୁ ଘଟଣାରୁ ଶିଖି ପାରିବ । ଗଛଟିଏ ମଧ୍ୟ ତା’ର ଗୁରୁ ରୂପେ କାମ କରିବ । ତେଣୁ ଆମ ଠାରେ ଶିଖିବା ପାଇଁ ଶ୍ରଦ୍ଧା ଥିବା ନିହାତି ଦରକାର ।

ପିଲାମାନେ ସାଧୁଙ୍କର ଏପରି ସ୍ଵଭାବ ଦେଖି ଭାବ ବିହ୍ବଳ ହୋଇଯାଇଥିଲେ । ସେମାନେ ଯାହା ଭାବି ନଥିଲେ, ତାହା ଦେଖି ନେଲେ । ତାଙ୍କୁ ଏସବୁ ଆଶ୍ଚର୍ୟ୍ଯ ଲାଗୁଥିଲା ।
ସାଧୁଙ୍କର ଦୃଷ୍ଟିକୋଣକୁ ଦେଖି ବିଶ୍ୱାସ କରି ପାରୁ ନଥିଲେ । ସାଧୁଙ୍କର ମହନୀୟ ଗୁଣକୁ ଦେଖି ସମସ୍ତେ ଶାନ୍ତ ହୋଇ ଯାଇଥିଲେ ।

ସମସ୍ତେ ସାଧୁଙ୍କ ସମ୍ମୁଖରେ ହାତ ଯୋଡ଼ି ତାଙ୍କର ବହୁତ ପ୍ରଶଂସା କଲେ । ସାଧୁବାଦ ଜଣାଇଲେ । ଶେଷରେ ସାଧୁଙ୍କୁ ପ୍ରଣାମ କରି କହିଲେ କି ମହାରାଜ ଆମେ ଏଥର ବାହାରର ଆକର୍ଷଣରେ ପ୍ରଭାବିତ ନ ହୋଇ ନିଜ ପ୍ରତି ସଜାଗ ରହିବୁ ଭୁଲିବୁ ନାହିଁ । ଏହା କହି ନିଜ ନିଜ
ଘରକୁ ଫେରିଗଲେ ।

ସାଧୁଙ୍କର ଏପରି ସ୍ଵଭାବ ଯଦି କୋମଳ ପିଲାମାନଙ୍କ ମନରେ କିଛି ଅଂଶରେ ରେଖାପାତ କରିଥିବ,ତେବେ ସେମାନଙ୍କର ନିଶ୍ଚିତ କଲ୍ୟାଣ ହେବ । ଭବିଷ୍ୟତ ଜୀବନରେ ଏକ ଉତ୍ତମ ଦିଗ ଦେଖାଇ ଦେବ । ଭଲ ମଣିଷଟିଏ ହୋଇ ନିଜକୁ ଗଢି ତୋଳିବାରେ ସହଯୋଗ କରିବ ।

ସାଧୁମାନେ କାଳେ କାଳେ ମଣିଷ ଜାତି ପାଇଁ ଏପରି କଲ୍ୟାଣ କାରୀ ହୋଇ ଆସିଛନ୍ତି । ତେଣୁ ସେମାନଙ୍କୁ ଶତ କୋଟି ପ୍ରଣାମ । ସାଧୁତା ଭାରତୀୟ ସଂସ୍କୃତିର ଏକ ମହନୀୟତା ।

Leave a Reply

Your email address will not be published. Required fields are marked *