ରାକ୍ଷୀ ଓ ଜଗନ୍ନାଥ
ସୁନ୍ଦର କାହାଣୀ ଟିଏ ପଢ଼ିବେ ନିଶ୍ଚୟ , ଆଖିରେ ଲୁହ ଆସିଯିବ ।
ଆପଣ ମାନେ ପ୍ରାୟ ସମସ୍ତେ ପୁରୀ ଯାଇଥିବେ ଜଗନ୍ନାଥ ଦର୍ଶନ ପାଇଁ । ପୁରୀ ଯିବା ବେଳେ ବାଟରେ ଏକ ଗ୍ରାମ ପଡେ ଯାହାର ନାଁ “ମାଳତୀ ପାଟପୁର” । ପୂର୍ବରୁ ସେ ଗାଁର ନାଁ ଥିଲା ପାଟପୁର , ସମୟକ୍ରମେ ଏହାର ନାମ ପରିବର୍ତ୍ତନ କରାଗଲା ମାଳତୀ ପାଟପୁର ।
ଏହାର ନାମ ପରିବର୍ତ୍ତନ ହେବା ପଛରେ ଏକ ସୁନ୍ଦର କୋହଭରା କାହାଣୀ ଅଛି , ଆସନ୍ତୁ ପଢ଼ିବା ସେ କାହାଣୀ ।
ପାଟପୁର ଗ୍ରାମର ଏକ ଗରିବ ପରିବାର ।ଯେଉଁ ପରିବାରରେ ଥିଲେ ସ୍ଵାମୀ ,ସ୍ତ୍ରୀ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଛୋଟ ଝିଅ ନାଁ ତାର ମାଳତୀ । ପର ବିଲରେ ମୂଲ ଲାଗି ପୁରୁଷ ଲୋକଟି ଯେତିକି କମାଏ ଚାରି ପ୍ରାଣୀ କୁଟୁମ୍ବ ବିନା କୌଣସି ଅଭିଯୋଗରେ ଖୁସିରେ ଖୁସିରେ ଚଳି ଯାଉଥିଲେ ।
ବିଧାତା ର ନିଷ୍ଠୁରତା ଆଗରେ କେତେ ରଥୀ ମହାରଥୀ ମାନେ ମଧ୍ୟ ହାର୍ ମାନନ୍ତି ମଣିଷ ତ ଛାର ।
ହଠାତ୍ ଦିନେ ସନ୍ଧ୍ୟା ରେ ବିଲରୁ କାମ ସାରି ଫେରିବା ବେଳକୁ ଏକ ନାଗ ସାପ ଦଂଶନରେ ସ୍ଵାମୀ ର ମୃତ୍ୟୁ ହୋଇଗଲା , ଭାଙ୍ଗି ପଡ଼ିଲା ବିଚରା ସ୍ତ୍ରୀ ଜଣକ ।
ପୁଅକୁ ସେତେବେଳେ ୫ ବର୍ଷ ଆଉ ଝିଅ ମାଳତୀ କୁ ୩ ।
କର୍ପୂର ସିନା ଉଡିଗଲା ହେଲେ କନା ଖଣ୍ଡକ ତ ଅଛି । କୁନି ପୁଅର ଦୋରଣ୍ଡି କଥା ଓ କୁନି ଝିଅ ମାଳତୀ ର ଗୁରୁଣ୍ଡି ଚାଲିରେ ସ୍ଵାମୀ କୁ ହରେଇବାର ଦୁଃଖକୁ ଆସ୍ତେ ଆସ୍ତେ ମନରୁ ପାସୋରିବାକୁ ଚେଷ୍ଟା କରୁଥିଲା ସ୍ତ୍ରୀ ଜଣକ ।
ବିଧିର ବିଧାନ କେ କରିବ ଆନ ? ବୋଝ ଉପରେ ନଳିତା ବିଡା ପରି ସ୍ଵାମୀ ର ମୃତ୍ୟୁ କୁ ମନରୁ ନ ଭୁଲୁଣୁ ସେମିତି ସର୍ପାଘାତରେ ପୁଅର ମୃତ୍ୟୁ ହେଲା ।
ଶରୀରରେ ମେରୁଦଣ୍ଡ ଭାଙ୍ଗିବା ପରେ ଶରୀରର ଅବସ୍ଥା ଯେମିତି ହୁଏ ସେମିତି ସ୍ତ୍ରୀ ଲୋକଟିର ମାନସିକ ଅବସ୍ଥା ହୋଇ ପଡ଼ିଲା ।
ଚାହୁଁ ଚାହୁଁ ଦୁଇ ବର୍ଷ ବିତିଗଲା । ସ୍ତ୍ରୀ ଲୋକ ଜଣକ କାହା ଘରେ ବାସନ ମାଜି, କାହା ଘରେ ଝାଡୁ କରି ଯାହା କିଛି ରୋଜଗାର କରେ ସେଥିରେ ଓଳିଏ ଖାଇ ଓଳିଏ ଓପାସ ରହି ଚଳି ଯାଆନ୍ତି ଉଭୟ ମା ଓ ୫ ବର୍ଷର ଝିଅ ମାଳତୀ ।
ଖୁବ୍ ଜାକଜମକରେ ରେ ବାର ମାସରେ ତେର ପର୍ବ ପାଳନ ହେଉଥିବା ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମଧ୍ୟ ବାଦ୍ ପଡେ ନାହିଁ । ରାକ୍ଷୀ ପୂର୍ଣ୍ଣିମା ର ଦୁଇ ଦିନ ଆଗରୁ ମାଳତୀ ର ସାଙ୍ଗ ମାନେ ରାକ୍ଷୀ କିଣୁଥିଲେ ।
ଛୋଟ ପିଲା ମାଳତୀ ଏହା ଦେଖି ମା ପାଖରେ ଯାଇ ଅଳି କରିଲା ” ଏ ମା , ମା ଲୋ ମୋତେ ବି ପଇସା ଦେ ! ମୁଁ ବି ରାକ୍ଷୀ କିଣିବି ” ।
ମା ମାଳତୀ ମୁଣ୍ଡକୁ ଆଉଁସି କାହା ଘରୁ କାମ କରି ଆଣି କାନିରେ ବାନ୍ଧି ରଖିଥିବା ଦଶ ପଇସି ଟେ ଧରେଇ ଦେଲା ମାଳତୀ ହାତକୁ ।
ପର ଦିନ ସକାଳୁ ମାଳତୀ ଦୋକାନ ଯାଇ ରାକ୍ଷୀ ଟିଏ କିଣିଲା , ସାଙ୍ଗ ମାନଙ୍କ ଠାରୁ ବୁଝିଲା ଯେ ଏଇଟା ଭାଇ ମାନଙ୍କ ହାତରେ ବନ୍ଧା ଯାଏ ।
ସନ୍ଧ୍ୟା ରେ ଖେଳା ଖେଳି ସାରି ଘରକୁ ଫେରିଲା ମାଳତୀ , ଦିନ ସାରା କାମରେ କ୍ଳାନ୍ତ ହୋଇ ଚିରା ସପ ଟିଏ ବିଛେଇ ତଳେ ଶୋଇଥାଏ ମା । ମା ପାଖରେ ବସି ମାଳତୀ ପଚାରିଲା “ମା ମୋ ଭାଇ କାହିଁ ? ମୋ ସବୁ ସାଙ୍ଗ ମାନେ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ଦୁଇ ଦିନ ରାକ୍ଷୀ ପୂର୍ଣ୍ଣିମା , ମୋ ଭାଇ କଉଠି ଅଛି କହ ମୁଁ ବି ରାକ୍ଷୀ ବାନ୍ଧିବି ମୋ ଭାଇ ହାତରେ” ।
କାନ୍ଦି ପକେଇଲା ମା ଜଣକ ।
ମାଳତୀ କୁ କୋଳେଇ ନେଇ କହିଲା ତୋ ଭାଇ ର ନାଁ ହେଉଛି ଜଗା ଭାଇ ଆଉ ସିଏ ଶ୍ରୀମନ୍ଦିର ରେ ରହେ ତୁ ତା ହାତରେ ରାକ୍ଷୀ ବାନ୍ଧିବୁ ।
ଛୋଟ ପାଞ୍ଚ ବର୍ଷ ର କୁନି ଝିଅ ମାଳତୀ ,କଣ ବା ଜାଣେ ସଂସାର ବାବଦରେ , କଣ ବା ଜାଣେ ମୋହ,ମାୟା । ରାତି ୪ରୁ ଉଠି ହାତରେ ରାକ୍ଷୀ ଧରି ଚାଲିଲା ମାଳତୀ ଶ୍ରୀମନ୍ଦିର ଆଡ଼କୁ ତା ମା କହିଥିବା ଜଗା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ।
ବାଟ ସାରା ଲୋକଙ୍କୁ ରାସ୍ତା ପଚାରି ପଚାରି କୁନି କୁନି ଖାଲି ପାଦରେ ମାଳତୀ ଯାଇ ପହଞ୍ଚିଲା ଗାଁ ଠାରୁ ଦଶ କିଲୋମିଟର ଦୂର ଶ୍ରୀମନ୍ଦିର ରେ ।
ମନ୍ଦିର ର ସବୁ ପଣ୍ଡା ,ସେବାୟତ, ସୁଆର ଯାହାକୁ ଦେଖିଲା ପଚାରିଲା ମୋ ଜଗା ଭାଇକୁ କେହି ଦେଖିଛ କି ସିଏ ଏ ମନ୍ଦିର ରେ ରହେ । କିଏ ବା କାହିଁ ଜାଣିବ କିଏ ତା ଜଗା ଭାଇ , ସମସ୍ତଙ୍କର ସେହି ଗୋଟିଏ ଉତ୍ତର ନା ଆମେ ଜାଣିନାହୁଁ ।
ମନ୍ଦିର ର ସବୁ ପୂଜାର୍ଚ୍ଚନା , ନୀତିକାନ୍ତି ସରିଲା , ପହଡ଼ ପଡ଼ିଲା ମାଳତୀ ସେମିତି ଖୋଜୁଥାଏ ଜଗା ଭାଇକୁ ।
୫ ବର୍ଷର ପିଲାଟିଏ ଦିନ ସାରା ଅଖିଆ ଅପିଆ , ସେଥିରେ ପୁଣି ଦୀର୍ଘ ଦଶ କିଲୋମିଟର ଖାଲି ପାଦରେ ଚାଲି ଚାଲି ପାଦ ସାରା ଫୋଟକାମୟ ହୋଇ ଯାଇଥାଏ , ଦିନ ସାରାର ଥକ୍କା ମେଣ୍ଟାଇବା ପାଇଁ ପହଡ଼ ପଡିବା ପରେ ଭାଇକୁ ନପାଇ କାନ୍ଦି କାନ୍ଦି ଶୋଇ ପଡ଼ିଲା ସିଂହ ଦ୍ଵାରା ର ଏକ କୋଣରେ ଜୀର୍ଣ୍ଣ ଶୀର୍ଣ୍ଣ ଏକ ମଣିଷ ପରି ମାଳତୀ ।
ମଧ୍ୟ ରାତ୍ରିର କେଉଁ ଏକ ପ୍ରହରରେ ସାରା ସହର ନିସ୍ତବ୍ଧ , କେହି ଜଣେ ଆସି ମାଳତୀ ମୁଣ୍ଡରେ ହାତ ବୁଲେଇ ଡାକିଲା ” ମାଳତୀ ଏ ମାଳତୀ ଉଠ ଏବେ ! ମୁଁ ପରା ତୋ ଜଗା ଭାଇ , ଆସେ ଶୀଘ୍ର ରାକ୍ଷୀ ବାନ୍ଧି ଘରକୁ ଯା ତୋ ବୋଉ ତତେ ଦିନ ସାରା ଖୋଜୁଛି “।
ଦିନ ସାରାର କ୍ଳାନ୍ତି ସତେ ଯେମିତି କ୍ଷଣକରେ ଉଭେଇ ଗଲା ମାଳତୀ ଦେହରୁ । ଖୁସିରେ ରାକ୍ଷୀ ବାନ୍ଧି ବାହାରିଲା ଘରକୁ । ଯାଉ ଯାଉ ଅଟକି ଗଲା ପଛକୁ ଫେରି ଜଗା ଭାଇକୁ କହିଲା ଭାଇ ତୁ ବି ଚାଲ ମୋ ସାଙ୍ଗରେ ମୋତେ ଡ଼ର ଲାଗିବ ବାଟରେ ଏକା ।
ମାଳତୀ ମୁହଁକୁ ଚାହିଁ ଜଗା ଭାଇ କହିଲା ମୋର କାମ ଅଛି ମୁଁ ପରେ ଯିବି , ତୁ ଏକା ଯା ମୁଁ ତୋ ପଛେ ପଛେ ଯାଉଛି ଯେତେବେଳେ ଡ଼ର ଲାଗିବ ତୁ ଖାଲି ପଦେ କହିବୁ – ଜଗା ଭାଇ ତୁ କଉଠି , ମୋତେ ଡ଼ର ଲାଗୁଛି ।
ଆଉ ମୁଁ ଆସି ପହଞ୍ଚି ଯିବି ତୋ ପାଖରେ ।
ମାଳତୀ ଖୁସିରେ ଖୁସିରେ ଚାଲିଲା ଆଉ ଘରେ ଆସି ପହଞ୍ଚିଲା । ମା ମାଳତୀ କୁ ପଚାରି ବୁଝିଲା ଯେ ସେ ମନ୍ଦିର ଯାଇଥିଲା ଆଉ ତା ଜଗା ଭାଇ ହାତରେ ରାକ୍ଷୀ ବାନ୍ଧି ଆସିଲା । ମା ବୁଝି ପାରିଲା ନାହିଁ ଝିଅର କଥା ଭାବିଲା ଛୋଟ ପିଲାଟା ଯାହା ମନକୁ ଆସୁଛି କହୁଛି ।
ଦିନ ସାରା ମାଳତୀ କୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିବା ମାଳତୀ ର ମା ମାଳତୀ କୁ ପାଖରେ ପାଇ ଖୁସିରେ ଅନ୍ୟ କୌଣସି କଥା ମନକୁ ପୂରେଇଲା ନାହିଁ ।
ପର ଦିନ ଭୋରୁ ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନ ବିଶ୍ଵକର୍ତ୍ତା , ମହାବାହୁ ଜଗତର ନାଥ ଜଗନ୍ନାଥଙ୍କ ପହଡ଼ ଫିଟାଗଲା , ସମସ୍ତେ ଆଚମ୍ଵିତ , ସମସ୍ତେ ଆଶ୍ଚର୍ଯ୍ୟ ! ରାକ୍ଷୀ ପୂର୍ଣ୍ଣିମା ନ ହେଉଣୁ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଲା କିଏ ?
ଖବର ପହଞ୍ଚିଲା ଗଜପତି ମହାରାଜାଙ୍କ ପାଖରେ । ସଙ୍ଗେ ସଙ୍ଗେ ଆସି ମନ୍ଦିର ରେ ପହଞ୍ଚିଲେ ମହାରାଜ ।
ସବୁ ସେବାୟତ ମାନଙ୍କୁ ପଚରା ଗଲା ପହଡ଼ ପଡ଼ିବା ପରେ କିଏ ଆସିଥିଲା କାଲି ମନ୍ଦିର କୁ ?
ସମସ୍ତଙ୍କର ଗୋଟିଏ ଉତ୍ତର ଆମେ ଜାଣିନାହୁଁ !
ଅଧିଆ ପଡ଼ିଲେ ମହାରାଜ ଛାମୁ ଙ୍କ ପାଖରେ । ସ୍ଵପ୍ନାଦେଶ ରେ ମହାପ୍ରଭୁ ଜଣେଇଲେ ” ପାଟପୁର ଗ୍ରାମର ମାଳତୀ ମୋ ଭଉଣୀ , ସେ ଆସିଥିଲା କାଲି ମୋ ହାତରେ ରାକ୍ଷୀ ବାନ୍ଧିବା ପାଇଁ । ହେଲେ ତମେ ମାନେ କେହି ବି ତାର ଦେଖା କରେଇଲ ନାହିଁ ମୋ ସହ । ରାତିରେ ସେ ସିଂହ ଦ୍ଵାର ପାଖରେ ଶୋଇଥିଲା , ମୁଁ ବାଧ୍ୟ ହୋଇ ନିଜେ ଯାଇ ପିନ୍ଧିଲି ତା ହାତରୁ ରାକ୍ଷୀ ” । ରାଜା ବଡ଼ପଣ୍ଡା ଙ୍କ ଠାରୁ ପଚାରି ବୁଝି ଜାଣିବାକୁ ପାଇଲେ ଯେ କାଲି ଜଣେ ୫ ବର୍ଷର ଝିଅ ଆସିଥିଲା , ଖୋଜୁଥିଲା ତା ଜଗା ଭାଇକୁ ।
ସମସ୍ତ ପଣ୍ଡା ପଢିଆରୀଙ୍କୁ ଧରି ରାଜା ପହଞ୍ଚିଲେ ପାଟପୁର ଗ୍ରାମର ମାଳତୀ ଘରେ ।
ମାଳତୀର ମା ରାଜାଙ୍କୁ ଦେଖି ଆଶ୍ଚର୍ଯ୍ୟ , ଆଉ କୁନି ଝିଅ ମାଳତୀ ରାଜାଙ୍କୁ ଦେଖି ଭୟଭୀତ ହୋଇ ମା କୁ ଜାବୁଡି ଧରିଲା । ଗତକାଲି ମାଳତୀ ମନ୍ଦିର ଯାଇଥିଲା ବୋଲି ମା ଜାଣିଥିଲେ ।
ମାଳତୀ ର ମା ସଙ୍ଗେ ସଙ୍ଗେ ଯାଇ ରାଜାଙ୍କ ପାଦ ଧରି ଭୁଲ ମାଗି କହିଲା ” ଛାମୁ ମୋ ଝିଅ କାଲି ମୋତେ ନ ଜଣେଇ ମନ୍ଦିର ଯାଇଥିଲା । ଛୋଟ ପିଲାଟା ସେ ଯାହା ବି ଭୂଲ କରିଛି କ୍ଷମା କରନ୍ତୁ ପ୍ରଭୁ । ଯାହା ଦଣ୍ଡ ଦେବା କଥା ମୋତେ ଦିଅନ୍ତୁ ହେଲେ ମାଳତୀ କୁ କ୍ଷମା କରନ୍ତୁ ମହାରାଜ ” ।
ମହାରାଜାଙ୍କ ସହିତ ସମସ୍ତ ପଣ୍ଡା ପଢିଆରୀ ଦୌଡି ଆସିଲେ ମାଳତୀ ପାଖକୁ ,ପଡିଗଲେ ମାଳତୀ ର ପାଦ ତଳେ । ” ମା ଲୋ ଆମକୁ କ୍ଷମା କରିଦେ ଆମେ ତୋତେ ଚିହ୍ନି ପାରିଲୁ ନାହିଁ । ସ୍ଵୟଂ ନାରାୟଣ ତୋ ପାଇଁ ରତ୍ନ ସିଂହାସନ ଛାଡ଼ି ପଳେଇ ଆସିଲେ ବାହାରକୁ ହେଲେ ଆମେ ଅଧମ ତୋତେ ମନ୍ଦିର ଭିତରକୁ ଛାଡିଲୁ ନାହିଁ । ମା ଲୋ ତୁ ଆମ କୋଟି ଓଡ଼ିଆ ଙ୍କ ମଉଡ଼ ମଣୀର ଭଉଣୀ ଆମେ ତୋ ଦାସାନୁଦାସ ର ଦାସ ଆମକୁ କଣ କ୍ଷମା ଦେବୁନାହିଁ” ।
ମାଳତୀ ଠାରୁ କ୍ଷମା ପ୍ରାର୍ଥନା ମାଗି ସମସ୍ତେ ଫେରିଗଲେ ଶ୍ରୀମନ୍ଦିର କୁ ଆଉ ସେଦିନ ଠାରୁ ମହାରାଜା ପାଟପୁରର ନାମ ପରିବର୍ତ୍ତନ କରି ମାଳତୀ ପାଟପୁର ରଖିଲେ ।