ଯେମିତି ବରକୁ ସେମିତି ବରାତ୍ବି//ବାହ କରିବାକୁ ବାହାରିବାରୁ ଶିବଙ୍କ ବରବେଶ ଶୃଙ୍ଗାର ଆରମ୍ଭ ହେଲା l ଶିବ ଗଣ ମାନେ ଆସି ତାଙ୍କୁ ଏହି ଶୃଙ୍ଗାର କଲେ lବର ଯାତ୍ରୀ ହୋଇ ଯାଉଥିବା ବେଳେ, ଭଗବାନ ବିଷ୍ଣୁ ଟିକିଏ ରହସ୍ୟ କରି କହିଲେ, ଆରେ ଭାଇ ବରଭଳି ଏ ବରାତଟା ହେଲାନାହିଁ

Spread the love

ଯେମିତି ବରକୁ ସେମିତି ବରାତ୍
=================
ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ଦିନ ଶିବ ପାର୍ବତୀଙ୍କ ବିବାହ ଦିନ ସ୍ଥିର ହୋଇଗଲା l ତାଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ସ୍ଵର୍ଗରୁ ଦେଵତା ମାନେ ଆସି ନିଜ ନିଜ ବିମାନ ଆରୋହଣ କରି ପହଞ୍ଚିଗଲେ l
ବିବାହ କରିବାକୁ ବାହାରିବାରୁ ଶିବଙ୍କ ବରବେଶ ଶୃଙ୍ଗାର ଆରମ୍ଭ ହେଲା l ଶିବ ଗଣ ମାନେ ଆସି ତାଙ୍କୁ ଏହି ଶୃଙ୍ଗାର କଲେ l ତାଙ୍କ ଜଟାକୁ ମୁକୁଟ ଭଳି ସଜକରି ସେଥିରେ ଗୋଟିଏ ଉତ୍ଫଣ ସର୍ପକୁ ଖଞ୍ଜି ଦିଆଗଲା, ସାପକୁ ତାଙ୍କର କୁଣ୍ଡଳ କଙ୍କଣ କରି ପିନ୍ଧାଇ ଦିଆଗଲା l ଶରୀରରେ ଭଷ୍ମ ବୋଳି ହୋଇ ସେ ବସ୍ତ୍ରରୂପେ ବ୍ୟାଘ୍ରଚର୍ମ ପିନ୍ଧିଲେ, ତାଙ୍କ ମସ୍ତକରେ ଚନ୍ଦ୍ର ଓ ଗଙ୍ଗା ଶୋଭା ପାଇଲେ l ସେ ସର୍ପକୁ ଉପବୀତ କରି, ସ୍କନ୍ଧରେ ଧାରଣ କଲେ l ତ୍ରିନୟନ ସାଙ୍ଗକୁ କଣ୍ଠରେ ଗରଳ, ଗଳାରେ ନର ମୁଣ୍ଡ ମାଳା ଶୋଭା ପାଇଲା l ଗୋଟିଏ ହାତରେ ଡମ୍ବରୁ ଏବଂ ଅନ୍ୟ ହସ୍ତରେ ସେ ତ୍ରିଶୁଳ ଧାରଣ କଲେ l ଏହି ଭଳି ବିଚିତ୍ର ବେଶରେ ଭୋଳାନାଥ ବୃଷଭ ଆରୋହଣ କରି ବିବାହ କରିବାକୁ ଗମନ କରିବାରୁ ବିବିଧ ବାଦ୍ୟ ନିନାଦିତ ହେଲା l ଶିବଙ୍କ ବର ବେଶ ଦେଖି ସ୍ୱର୍ଗ ଅପ୍ସରୀ ମାନେ ହସା ହସି ହୋଇ କହୁଥାନ୍ତି,” ଆରେ ଏଭଳି ବରକୁ ତ ଏହି ସଂସାରରେ ଯୋଗ୍ୟାକନ୍ୟା ମିଳିବା ଦୁଷ୍କର” l
ଦେଖି ଶିୱହିଁ ସୁରତ୍ରିୟ ମୁସୁକାହିଁ l
ବର ଲାୟକ ଦୁଲହିନି ଜଗ ନାହିଁ ll
ତାଙ୍କର ବରାତରେ ସମସ୍ତ ଦେଵ ଗଣ ନିଜ ନିଜ ବାହାନ ଆରୋହଣ କରି ଚାଲିଲେ l ବର ଯାତ୍ରୀ ହୋଇ ଯାଉଥିବା ବେଳେ, ଭଗବାନ ବିଷ୍ଣୁ ଟିକିଏ ରହସ୍ୟ କରି କହିଲେ, ଆରେ ଭାଇ ବରଭଳି ଏ ବରାତଟା ହେଲାନାହିଁ l ବିଷ୍ଣୁଙ୍କ କଥାଶୁଣି ମୁରୁକି ହସି ଶିବ କହିଲେ, ଆରେ ଭାଇ ! ଯୁଗେ ଯୁଗେ ଏ ବିଷ୍ଣୁଙ୍କ ବ୍ୟଙ୍ଗ କଥା ଗଲାନାହିଁ l
ମନ ହିଁ ମନ ମହେଶୁ ମୁସୁକାଇ l
ହରି କେ ବିଂଜ୍ଞ ବଚନ ନହିଁ ଜାହିଁ ll
ବରାତରେ ଯିବାପାଇଁ ଶଙ୍କର ଭ୍ରୁଙ୍ଗିଙ୍କ ମାଧ୍ୟମରେ ତାଙ୍କର ସମସ୍ତଗଣଙ୍କୁ ପ୍ରସ୍ତୁତ ହେବାକୁ କହିଲେ l
ଶିବଙ୍କ ଆଜ୍ଞା ପାଇ, ତାଙ୍କର ସବୁ ଅନୁଚର ଭୁତ ପିଶାଚଗଣ ଆସି ସେ ବରାତରେ ଯୋଗଦେଲେ l ତାଙ୍କ ଭିତରେ କାହାର ହାତ ନାହିଁ ତ ପୁଣି କାହା ପାଦନାହିଁ l କାହାର ମୁଣ୍ଡ ନାହିଁତ କାହାର ଵିପୁଳ କାୟ ମୁଖ l ବର ଯେମିତି ବରାତ ସେମିତି l
ଏହି ଭଳି ବିଚିତ୍ର ବେଶ ଓ ବର ଯାତ୍ରୀ ଧରି ଶିବ ଯାଇ ହିମାଳୟ ଭବନରେ ପହଞ୍ଚିଲେ l ହିମାଳୟ ଗଜ, ବାଜି ସହ, ପାରିଷଦ ମାନଙ୍କୁ ଜ୍ୱାଇଁ ଓ ବର ଯାତ୍ରୀ ମାନଙ୍କ ସ୍ୱାଗତ ପାଇଁ ପଠାଇଲେ l ହାତୀ, ଘୋଡ଼ା ଓ ପାରିଷଦମାନେ ଜ୍ୱାଇଁ ଏବଂ ତାର ଭୁତ ପ୍ରେତ ବରଯାତ୍ରୀମାନଙ୍କୁ ଦେଖି ଭୟଭୀତ ହୋଇ ଇତସ୍ତତଃ ଦୌଡ଼ିବାରେ ଲାଗିଲେ l ଅତି କଷ୍ଟରେ ପରିସ୍ଥିତିକୁ ଆୟତ୍ତ କରା ହେଲାରୁ ହିମାଳୟଙ୍କ ପତ୍ନୀ ମେନା, ପୁରନାରୀଙ୍କ ସହିତ ଜ୍ୱାଇଁ ଶିବଙ୍କୁ ବନ୍ଦାପନା ପାଇଁ ଆସିଲେ l ବିଲକ୍ଷଣଯୁକ୍ତ କୁରୂପ ଅର୍ଦ୍ଧ ଲଙ୍ଗଳା ଜ୍ୱାଇଁଙ୍କୁ ଦେଖି ତାଙ୍କ ମନ କେମିତି କେମିତି ହୋଇଗଲା l ବିଳାପକରି ସେ କହିବାକୁ ଲାଗିଲେ,” ଆହା !!! ସୁକୁମାରୀ ଉମା ଭାଗ୍ୟରେ କ’ଣ ଶେଷକୁ ଏହି ବର ଥିଲା l ଇଏ ସବୁ ସେହି ଜଟିଆ ନାରଦର ଚକ୍ରାନ୍ତ”l ଠିକ ଏହି ସମୟରେ ଦେବର୍ଷି ନାରଦ ଆସି ପହଞ୍ଚି ଗଲେ l ସେ ମେନା ଦେବୀଙ୍କୁ ବୁଝାଇ କହିଲେ, ମା’ ମେନା ମୋ କଥା ଶୁଣ l ତୁମର ଏହି ଝିଅଟା ହେଉଛି ଜଗଜ୍ଜନନୀ, ଭବାନୀ l ଇଏ ଅଜନ୍ମା, ଅବିନାଶି, ଶକ୍ତି l ସର୍ବଦା ଶିବଙ୍କ ଅର୍ଦ୍ଧାଙ୍ଗରେ ସେ ବାସ କରନ୍ତି l ସିଏ ଏହି ଜଗତର ଉତ୍ପତ୍ତି,ପାଳନ ଓ ସଂହାର ପାଇଁ ଲୀଳା ଶରୀର ଧାରଣ କରନ୍ତି l ପୂର୍ବେ ଏ ଦକ୍ଷଙ୍କ କନ୍ୟା ସତୀ ଥିଲେ l ସେ ସେତେବେଳେ ମଧ୍ୟ ଶଙ୍କରଙ୍କୁ ବିବାହ କରିଥିଲେ l ଶିବପାର୍ବତୀ ହେଉଛନ୍ତି ଜନ୍ମ ଜନ୍ମାନ୍ତରର ସାଥି,ଏଣୁ ସକଳ ସନ୍ଦେହ ପରିହାର କରି ବିବାହ ଅନୁଷ୍ଠାନ ସମାପ୍ତ କର l
ନାରଦଙ୍କ କଥନରେ ହିମାଳୟ ଓ ମେନା ଦେବୀ ସବୁକଥା ବୁଝିପାରିଲେ l ମୁନି ମାନଙ୍କ ଦ୍ୱାରା ସେ ଶଙ୍କର ପାର୍ବତୀଙ୍କ ବିବାହ ଅନୁଷ୍ଠାନ କରାଇଲେ l ମୁନି ମାନେ ବିଧି ମତେ ଉଚ୍ଚ ସ୍ୱରରେ ବେଦ ମନ୍ତ୍ର ପାଠକରି ବିବାହ ସମ୍ପୂର୍ଣ୍ଣକଲେ l ହର ପାର୍ବତୀଙ୍କ ପାଣି ଗ୍ରହଣକୁ ସର୍ବ ଦେବଗଣ ଅତି ଆନନ୍ଦତାର ସହିତ ସନ୍ଦର୍ଶନ କରୁଥାନ୍ତି l
ବେଦମନ୍ତ୍ର ଧ୍ଵନୀ ମଧ୍ୟରେ ଯେତେବେଳେ ଶିବ ଓ ପାର୍ବତୀଙ୍କର ହସ୍ତଗଣ୍ଠି ପଡ଼ିଥାଏ, ସେତେବେଳେ ସମଗ୍ର ବିଶ୍ୱରେ ହର୍ଷ ଉଲ୍ଲାସ ଖେଳିଗଲା l ବିବିଧ ବାଦ୍ୟ ବାଜିବାରେ ଲାଗିଲା l ସ୍ୱର୍ଗରୁ ସୁମନ ବୃଷ୍ଟି ହେବାରେ ଲାଗିଲା l ଚତୁଃର୍ଦିଗ ପ୍ରକମ୍ପିତ ହୋଇ ଉଠିଲା,” ଜୟ ଶିବ ଶମ୍ଭୁ, ଜୟ ଶଙ୍କର ଭବାନୀ, ଜୟ ଶଙ୍କରଭବାନୀ” ଧ୍ୱନୀରେ l ଶିବ ପାର୍ବତୀଙ୍କ ବିବାହ ଦର୍ଶନ କରି, ଦେବଗଣ ସ୍ୱ ସ୍ୱ ବିମାନରେ ସ୍ୱର୍ଗ ଲୋକ ପ୍ରସ୍ଥାନ କଲେ l
!!! ଓଁ ନମଃ ଶିବାୟଃ !!!
🙏🙏🙏

Leave a Reply

Your email address will not be published. Required fields are marked *