ଭକ୍ତି କଣ ? :-
ଭକ୍ତି ସମ୍ପର୍କରେ ଶାସ୍ତ୍ର ପୁରାଣ ମାନଙ୍କରେ ଅନେକ କଥା ଲେଖାଅଛି । କିନ୍ତୁ ଭକ୍ତି ଏକ ଏପରି ଅନୁଭବ ତାକୁ ବ୍ୟକ୍ତ କରିବା ସହଜ କଥା ନୁହେଁ । ବହୁ ମୁନିଋଷି ଗଣ ଏହି ଅନୁଭବ କୁ ବିଭିନ୍ନ ଭାବରେ ପ୍ରକାଶ କରିଛନ୍ତି । ସେଥିମଧ୍ୟରୁ ଦେବର୍ଷି ନାରଦ ଙ୍କର ଅନନ୍ୟ ଭକ୍ତି ର ଭକ୍ତି ସୂତ୍ର ଟିକେ ନିଆରା । ଦେବର୍ଷି ନାରଦ ଯିଏ ମାନବତାକୁ ମାର୍ଗଦର୍ଶନ କରାନ୍ତି ,ତାଙ୍କ ମତରେ – ଭକ୍ତି ଆଉ କିଛି ନୁହେଁ ଭକ୍ତି ହେଉଛି ନିଜର ମାଆ ପରି । ନିଜର ସକଳ କର୍ମ ଭଗବାନ ଙ୍କୁ ଅର୍ପଣ କରିଦେବା ହେଉଛି ଭକ୍ତିର ଲକ୍ଷଣ । ଭକ୍ତିର ଭାବର ନାରଦ ତାଙ୍କ ରଚିତ ଭକ୍ତି ସୂତ୍ର ରେ ଉଲ୍ଲେଖ କରିଛନ୍ତି -ଯିଏ ଭକ୍ତ, ତା ଭିତରେ ଜାତି, ବିଦ୍ୟା, ରୂପି,କୁଳ, ଧନ ଏବଂ କ୍ରିୟା ଇତ୍ୟାଦିର ପ୍ରଭେଦ ନଥାଏ ।ନାରଦ ଆହୁରି କୁହନ୍ତି, ଭଗବାନଙ୍କ ଭକ୍ତି ହିଁ ସର୍ବ ଆତ୍ମାଙ୍କ ସେବା ।ଏହି କାରଣ ରୁ ସମଗ୍ର ବିଶ୍ୱକୁ ପରିତୃପ୍ତ କରିବାର ଫଳ ମିଳେ । ଭକ୍ତି ଭିତରେ ସକଳ ସଦଗୁଣ ରହିଥାଏ । ଯାହା ଦ୍ୱାରା ସ୍ଵୟଂ ଭଗବାନ ଭକ୍ତପ୍ରତି ଆକର୍ଷିତ ହୁଅନ୍ତି ।
ଧର୍ମାନୁଷ୍ଠାନ ,ଯୋଗାଭ୍ୟାସ ,ବିଦ୍ୟା ,ତପସ୍ୟା ଓ ତ୍ୟାଗ ରେ ଏତେ ଆକର୍ଷଣ ନାହିଁ ଯାହା ଭକ୍ତିରେ ଅଛି । ଭକ୍ତିରେ ଭଗବାନ ଙ୍କୁ ବଶ କରିବାରେ ସାମର୍ଥ୍ୟ ଅଛି । ଭକ୍ତିର ପ୍ରଥମ ପାହାଚ ହେଉଛି -ଆତ୍ମ ସମର୍ପଣ । ସମର୍ପଣ ର ଆଧାର “ମୁଁ”ର ବିସର୍ଜନ । ଯେଉଁ “ମୁଁ” ରୂପକ ଅହଂକାର କୁ ଜ୍ଞାନି ତପସ୍ୱୀ ମାନେ ଅନ୍ତିମ ପର୍ଯାୟ ରେ ତ୍ୟାଗ କରନ୍ତି । ତାକୁ ଭକ୍ତ ମାନେ ପ୍ରଥମ ରୁ ତ୍ୟାଗ କରନ୍ତି । ଯେଉଁମାନେ ଭାବନ୍ତି ନିଜ “ମୁଁ” କୁ ରକ୍ଷା କରିବେ ଏବଂ ପରମାତ୍ମା ଙ୍କୁ ମଧ୍ୟ ପ୍ରାପ୍ତ କରିବେ ସେମାନେ ଆଉକିଛି ହୋଇପାରନ୍ତି ମାତ୍ର ଭକ୍ତ ନୁହଁନ୍ତି ।
ସାଧାରଣ ଲୋକ “ଭାବାବେଗ ” କୁ ଭକ୍ତି ବୋଲି ଭାବନ୍ତି । ମୁଣ୍ଡ ହଲୁଥିବ, ତୁଣ୍ଡ ବୋଲୁଥିବ ,ଏହାକୁ କିଛି ଲୋକ ଭକ୍ତି ବୋଲି ଭାବନ୍ତି ।ନାଚିବା ,କୁଦିବା ,ବୋଲିବା ,ହରିନାମ ଗାଇ ପରସ୍ପର କୁ ଜାବୁଡି ଧରିବା, ଆଖିରୁ ଲୁହ ବୁହାଇବା ,ଗଞ୍ଜେଇ ଖାଇ ଭାବ ବିହ୍ଵଳିତ ହୋଇ କାନ୍ଦିବା ଏସବୁ ଭକ୍ତି ନୁହେଁ , ଭକ୍ତି ଅଭିନୟ ର ତାମସା । ଏସବୁ ସହିତ ଭକ୍ତିର ସମ୍ପର୍କ କିଛି ନାହିଁ । ଏହା ହେଉଛି କ୍ଷଣିକ ଆବେଶ । ସେହି ପରିସର ବାହାରକୁ ଆସିଲେ ସେପରି ଆବେଶ ଆଉ ରୁହେ ନାହିଁ । କାରଣ ଏପରି ଭାବାବେଶ ସ୍ଥାୟୀ ନୁହେଁ । ଏହି ଭାବାବେଶ କୁ ଯେବେ ଭକ୍ତି ବୋଲି ବୁଝୁଥାନ୍ତି ତେବେ ତାହା ସମ୍ପୂର୍ଣ ଭୁଲ ।
ଈଶ୍ୱରଙ୍କର ଭକ୍ତିର ଅର୍ଥ ହେଲା :-
ପ୍ରଥମେ ଈଶ୍ୱର ଙ୍କୁ ଜାଣିବା , ମାନିବା ଓ ତାଙ୍କ ଅନୁଶାସନ ରେ ଚାଲିବା । ଏବଂ ସମସ୍ତ ଲୌକିକ ଓ ପରଲୌକିକ କର୍ମ ତାଙ୍କୁ ଯୁକ୍ତ କରି କରିବା ଯାହା ହନୁମାନ କରୁଥିଲେ ଓ କହୁଥିଲେ ଶ୍ରୀରାମ ଙ୍କର କାଯ୍ୟ ବିନା ମୋର ବିଶ୍ରାମ ନାହିଁ । ଭକ୍ତିର ଅନ୍ୟ ଭାବ ପ୍ରେମ । ଯେଉଁଥିରେ କେବଳ ଦିଆଯାଏ ,ସେଥିରେ ପାଇବାର କାମନା ନଥାଏ । ନିରନ୍ତର ଦେଉଥିବା ର ନାମ ପ୍ରେମ । ବାସନା ,ତୃଷ୍ଣା ,ଅହଂକାର ରୁ ମୁକ୍ତ ଭବନା ର ନାମ ପ୍ରେମ । ଯିଏ ଏହି ପ୍ରେମ କୁ ହୃଦୟଙ୍ଗମ କରିଥାଏ ସେ ହିଁ ଭକ୍ତି କୁ ଠିକ ଭାବରେ ଜାଣିଥାଏ । ଏହି ପ୍ରେମ ର ଅନ୍ୟ ନାମ ଭକ୍ତି । ଯେତେବେଳେ ସେବା ନମ୍ରତା ର ସହ ଅହଂଶୁନ୍ୟ ଭାବରେ କରାଯାଏ ତାହା ହୋଇଯାଏ ଭକ୍ତି ।