ବାଲ୍ୟ ବିବାହ ବିରୋଧୀ ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍’ ଅଭିଯାନକୁ ଜାତିସଂଘର ଐତିହାସିକ ସ୍ୱୀକୃତି

Spread the love

ବାଲ୍ୟ ବିବାହ ବିରୋଧୀ ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍’ ଅଭିଯାନକୁ ଜାତିସଂଘର ଐତିହାସିକ ସ୍ୱୀକୃତି
ଅନୁଗୋଳ /୫ ସେପ୍ଟେମ୍ବର ୨୦୨୬ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହ ବିରୋଧରେ ତୃଣମୂଳସ୍ତରରେ ଅଭିଯାନ ଚଳାଇଆସୁଥିବା ବିଶ୍ୱ ଯୁବ କେନ୍ଦ୍ର, ଢେଙ୍କାନାଳ ଜାତିସଂଘର ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଛି। ଜାତିସଂଘ ନଭେମ୍ବର ୨୭କୁ ‘ବାଲ୍ୟ ବିବାହ, ଅପ୍ରାପ୍ତ ବୟସରେ ବିବାହ ଓ ବାଧ୍ୟତାମୂଳକ ବିବାହର ଉଚ୍ଛେଦ ପାଇଁ ଆନ୍ତର୍ଜାତୀୟ ଦିବସ’ ଭାବେ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଗୁରୁ ଦିବସ ଅବସରରେ ୫ ସେପ୍ଟେମ୍ବର ୨୦୨୬ ଶନିବାର ଦିନ ଓଡାପଡା ବ୍ଲକ ଅଫିସ କନ୍ଫରେନ୍ସ ହଲ , ବ୍ଲକ୍ ଅଧକ୍ଷା ଶ୍ରୀମତୀ ସସ୍ମିତା ମହାନ୍ତି,ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅମିତାଭ ସ୍ୱାଇଁ,ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀଯୁକ୍ତ ଦିଲୀପ କୁମାର ଷଡ଼ଙ୍ଗୀ , ଏ ବି ଓ, ପୋଲୋସ୍ତ୍ୟ ସାହୁ,ALO ଭବାନୀ ଶଙ୍କର,SI ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ଶିଶୁ ବସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ, ଶିଶୁ ସହାୟକ ରୋସନ କୁମାର ନନ୍ଦ, ଶିଶୁ ବିକାଶ ଅଧିକାରୀ ନିବେଦିତା ତ୍ରିପାଠୀ, ଅଙ୍ଗନବାଡି କର୍ମୀ, ଅଙ୍ଗନବାଡି ସୁପର୍ଭାଇଯର, ସରପଞ୍ଚ ସମିତିସଭ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ, ବିଶ୍ଵ ଯୁବ କେନ୍ଦ୍ରର କର୍ମୀ ମନସ୍ମିତା ନାୟକ, ସୁମିତ୍ରା ସ୍ଵାଇଁ, କୁମୁଦିନୀ ସ୍ଵାଇଁ, ବିଦୁଲତା ଭଞ୍ଜ ଯୋଗ ଦେଇଥିଲେ ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଓ ଅନିୟମିତ ଓ ପାଠପଢ଼ା ଛାଡ଼ିଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁନଃ ନାମଲେଖା କରାଇବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଶିଶୁ ମାନଙ୍କର ହେଉଥିବା ସମସ୍ୟା ଯେପରି ବାଲ୍ୟ ବିବାହ ,ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଛେଣ୍ଡିପଦା ଥାନା ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଅତିରିକ୍ତ ଥାନା ଅଧିକାରୀ ଜଣାଇବା ସହ କିଶୋରୀ ବାଳିକା ମାନଙ୍କୁ ସାଇବର୍ ସୁରକ୍ଷା ବିଷୟରେ ମଧ୍ୟ ଅବଗତ କରାଇଥିଲେ।

ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଏହି ଘୋଷଣା ଭାରତର ସରକାର ଓ ପ୍ରଶାସନ ସହିତ ମିଶି ସାରା ଦେଶରେ ଶିଶୁ ବିବାହ ବିରୋଧରେ କାର୍ଯ୍ୟ କରୁଥିବା ଭାରତର ସର୍ବବୃହତ୍ ଏନଜିଓ ନେଟୱର୍କ ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍’ (JRC)ର ଅସାଧାରଣ ପ୍ରୟାସକୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିଛି। ବିଶ୍ୱ ଯୁବ କେନ୍ଦ୍ର, ଜେଆରସିର ଜଣେ ସହଯୋଗୀ ସଂଗଠନ ଭାବେ ଦୀର୍ଘଦିନ ଧରି ଶିଶୁ ବିବାହ ବିରୋଧରେ ଏକ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ଦିବସ ଘୋଷଣା ପାଇଁ ଦାବି ଓ ଅଭିଯାନରେ ସାମିଲ ହୋଇଆସିଛି।

ଶିକ୍ଷକ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର କହିଥିଲେ, “ଭାରତରୁ ଉଠିଥିବା ସ୍ୱର ଆଜି ବିଶ୍ୱସ୍ତରୀୟ ସଂକଳ୍ପରେ ପରିଣତ ହୋଇଛି। ଆମର ପ୍ରୟାସ ବିଶ୍ୱସ୍ତରରେ ସ୍ୱୀକୃତି ପାଇଥିବାରୁ ଏହା ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଭାରତ ପାଇଁ ମଧ୍ୟ ଏହା ଗର୍ବର ବିଷୟ ଯେ, ଶିଶୁ ବିବାହ ଉଚ୍ଛେଦ ପାଇଁ ଉତ୍ସର୍ଗୀକୃତ ବିଶ୍ୱ ଦିବସ ନିମନ୍ତେ ଜାତିସଂଘ ନଭେମ୍ବର ୨୭ ତାରିଖକୁ ଚୟନ କରିଛି। ଏହି ଦିନ ୨୦୨୪ ମସିହାରେ ଭାରତ ସରକାର ଜେଆରସିର ସହଯୋଗୀ ସଂଗଠନଗୁଡ଼ିକ ସହ ମିଶି ‘ବାଲ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଏହା କେବଳ ଉତ୍ସବ ପାଳନ କରି ଅଟକିଯିବାର ସମୟ ନୁହେଁ।”

ସେ ଆହୁରି କହିଥିଲେ ଯେ, ଏବେ ପ୍ରକୃତ ଚ୍ୟାଲେଞ୍ଜ ହେଉଛି ଏହି ବିଶ୍ୱସ୍ତରୀୟ ପ୍ରତିବଦ୍ଧତାକୁ ତୃଣମୂଳସ୍ତରରେ କାର୍ଯ୍ୟରେ ପରିଣତ କରିବା। “ଆମ ଜିଲ୍ଲାର କୌଣସି ଗାଁରେ ଯେପର୍ଯ୍ୟନ୍ତ ଜଣେ ଶିଶୁ ମଧ୍ୟ ଶିଶୁ ବିବାହର ଭୟରେ ରହିଛି, ସେପର୍ଯ୍ୟନ୍ତ ଆମର ଲଢ଼େଇ ଅସମ୍ପୂର୍ଣ୍ଣ ରହିବ। କେବଳ ଆଇନ ଦ୍ୱାରା ଶିଶୁ ବିବାହକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ ନାହିଁ ବୋଲି ଆମେ ଜାଣୁ। ତେଣୁ ସ୍କୁଲ, ପଞ୍ଚାୟତ ଓ ଗାଁଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ ଚଳାଇଛୁ। ଲୋକମାନଙ୍କୁ ଶିଶୁ ବିବାହ ବିରୋଧରେ ଶପଥ ନେବାକୁ ପ୍ରୋତ୍ସାହିତ କରିଛୁ। ଶିଶୁ ବିବାହର ଆଶଙ୍କା ଥିବା ଆର୍ଥିକ ଦୁର୍ବଳ ପରିବାରଗୁଡ଼ିକୁ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିଛୁ ଏବଂ ପାଠପଢ଼ା ଛାଡ଼ିଦେଇଥିବା ଶିଶୁମାନଙ୍କୁ ପୁନର୍ବାର ସ୍କୁଲରେ ନାମ ଲେଖାଇବାରେ ସହଯୋଗ କରିଛୁ।”

ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଇନଗତ ହସ୍ତକ୍ଷେପ ଓ ବୁଝାସୁଝା ମାଧ୍ୟମରେ ଅନୁଗୁଳ ଜିଲ୍ଲାରେ ଗତ ୩ବର୍ଷ ଭିତରେ ପ୍ରାୟ ୧୨୦୮ଟି ଶିଶୁ ବିବାହକୁ ରୋକାଯାଇଛି।

ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (JRC)ର ପ୍ରତିଷ୍ଠାତା ଭୁବନ ରିଭୁ ଶିଶୁ ବିବାହ ଉଚ୍ଛେଦ ପାଇଁ ଏକ ସ୍ୱତନ୍ତ୍ର ବିଶ୍ୱ ଦିବସ ଘୋଷଣା କରିବା ନିମନ୍ତେ ଆନ୍ତର୍ଜାତୀୟ ସ୍ତରରେ ଆହ୍ୱାନ ଆରମ୍ଭ କରିଥିଲେ। ୨୦୨୬ ମାର୍ଚ୍ଚରେ ଜାତିସଂଘରେ ନିଜ ଅଭିଭାଷଣ ସମୟରେ ଭୁବନ ରିଭୁ ପୁନର୍ବାର ଏହି ଦାବି ଉଠାଇଥିଲେ। ସେତେବେଳେ ସିଏରା ଲିଓନର ପ୍ରଥମ ମହିଳା ଡ. ଫାତିମା ମାଡା ବାୟୋଙ୍କ ସମେତ ବହୁ ଅନ୍ତର୍ଜାତୀୟ ନେତା ଏହି ପଦକ୍ଷେପକୁ ସମର୍ଥନ କରିଥିଲେ।

ପରବର୍ତ୍ତୀ ସମୟରେ ପ୍ରାୟ ୫୦ଟି ଦେଶର ସମର୍ଥନରେ ସିଏରା ଲିଓନ ଜାତିସଂଘ ସାଧାରଣ ପରିଷଦରେ ଏକ ପ୍ରସ୍ତାବ ଆଗତ କରି ନଭେମ୍ବର ୨୭କୁ ଶିଶୁ ବିବାହ ଉଚ୍ଛେଦ ପାଇଁ ବିଶ୍ୱ ଦିବସ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲା। ଏହି ପ୍ରସ୍ତାବକୁ ଭାରତ ସମେତ ପ୍ରାୟ ୫୦ଟି ଦେଶ ସମର୍ଥନ କରିଥିଲେ। ସେପ୍ଟେମ୍ବର ୪ ତାରିଖରେ ଜାତିସଂଘ ଏହି ପ୍ରସ୍ତାବକୁ ପାରିତ କରିଛି।

ଜେଆରସି ବିଶ୍ୱର ଅନ୍ୟତମ ବୃହତ୍ ଶିଶୁ ସୁରକ୍ଷା ନେଟୱର୍କ। ଏହାର ‘ଚାଇଲ୍ଡ ମ୍ୟାରେଜ୍ ଫ୍ରି ୱାର୍ଲ୍ଡ’ ଅଭିଯାନ ମାଧ୍ୟମରେ ଶିଶୁ ବିବାହ ବିରୋଧରେ ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ଗଢ଼ିବା ପାଇଁ କାର୍ଯ୍ୟ କରାଯାଉଛି।

ଭାରତରେ ଜେଆରସିର ସହଯୋଗୀ ସଂଗଠନଗୁଡ଼ିକ ଏକାଧିକ ରାଜ୍ୟର ୭୮୨ଟି ଜିଲ୍ଲାରେ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି। ଏହି ଅଭିଯାନକୁ ସମୁଦାୟ ଓ ବିପଦସଙ୍କୁଳ ପରିବାରଗୁଡ଼ିକ ନିକଟରେ ପହଞ୍ଚାଇବା ପାଇଁ ସ୍କୁଲ, ପଞ୍ଚାୟତ, ଆଦିବାସୀ ଓ ଅବହେଳିତ ସମୁଦାୟ, ମହିଳା, ପୋଲିସ କର୍ମଚାରୀ, ଧର୍ମଗୁରୁ ଏବଂ ରାଜନୈତିକ ପ୍ରତିନିଧିମାନଙ୍କୁ ସାମିଲ କରାଯାଉଛି।

ଜେଆରସିର ସୂଚନା ଅନୁସାରେ, ଏହି ସାମୂହିକ ପ୍ରୟାସ ଫଳରେ ଭାରତରେ ୫ ଲକ୍ଷ ୫୦ ହଜାରରୁ ଅଧିକ ଶିଶୁ ବିବାହକୁ ରୋକାଯାଇଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ଶିଶୁ ବିବାହ ବିରୋଧରେ ଶପଥ ଦିଆଯାଇଛି।

ଦେଶର ସଦ୍ୟତମ ଜାତୀୟ ତଥ୍ୟରେ ମଧ୍ୟ ଶିଶୁ ବିବାହ ହାରରେ ହ୍ରାସ ପ୍ରତିଫଳିତ ହୋଇଛି। ୨୦୧୯-୨୧ ମସିହାର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5) ଅନୁସାରେ, ୨୦ରୁ ୨୪ ବର୍ଷ ବୟସର ମହିଳାମାନଙ୍କ ମଧ୍ୟରୁ ୨୩.୩ ପ୍ରତିଶତଙ୍କ ବିବାହ ୧୮ ବର୍ଷ ବୟସ ପୂର୍ବରୁ ହୋଇଥିଲା। ଏହି ହାର NFHS-6 (୨୦୨୩-୨୪)ରେ ୨୦.୧ ପ୍ରତିଶତକୁ ହ୍ରାସ ପାଇଛି।

ଭାରତ ସରକାର ୨୦୨୬ ସୁଦ୍ଧା ଦେଶରେ ଶିଶୁ ବିବାହର ପ୍ରଚଳନ ହାରକୁ ୧୦ ପ୍ରତିଶତ କମାଇବାର ଲକ୍ଷ୍ୟ ରଖିଛନ୍ତି। ଜାତୀୟ ଓ ରାଜ୍ୟସ୍ତରରେ ନିରନ୍ତର ପ୍ରୟାସ ଜାରି ରହିଲେ, ୨୦୨୬ ଶେଷ ସୁଦ୍ଧା ଭାରତରେ ଶିଶୁ ବିବାହର ପ୍ରଚଳନ ହାର ୧୫ ପ୍ରତିଶତରୁ କମ୍ ହେବ ବୋଲି ଆଶା କରାଯାଉଛି।

୨୦୩୦ ସୁଦ୍ଧା ବିଶ୍ୱରୁ ଶିଶୁ ବିବାହ ଉଚ୍ଛେଦ କରିବା ପାଇଁ ରହିଥିବା ଆନ୍ତର୍ଜାତୀୟ ପ୍ରତିବଦ୍ଧତା ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ୫—‘ଲିଙ୍ଗ ସମାନତା’ର ଲକ୍ଷ୍ୟ ୫.୩ ସହ ସମନ୍ୱିତ। ଏହି ଲକ୍ଷ୍ୟ ଶିଶୁ ବିବାହ, ଅପ୍ରାପ୍ତ ବୟସରେ ବିବାହ ଓ ବାଧ୍ୟତାମୂଳକ ବିବାହ ସମେତ ସମସ୍ତ ପ୍ରକାରର କ୍ଷତିକାରକ ପ୍ରଥାର ଉଚ୍ଛେଦ ଉପରେ ଗୁରୁତ୍ୱ ଦେଇଥାଏ।