Spread the love

ଭୁବନେଶ୍ୱର: ରାଜ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ । ୨୪ ବର୍ଷର ବିଜେଡି ସରକାର ହାତରୁ ଖସି ଯାଇଛି ଶାସନ ଭାର । ଏହା ସହ ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ବୃହତ ଦଳ ଭାବେ ଉଭା ହେବା ସହ ସରକାର ଗଢିଛି ବିଜେପି ।

ଅପରପକ୍ଷରେ ଲୋକସଭା ନିର୍ବାଚନରେ ମଧ୍ୟଏ ଏନଡିଏ ତୃତୀୟ ଥର ପାଇଁ ଲଗାତାର ସରକାର ହାତେଇବାରେ ସଫଳ ହୋଇଛି । କିନ୍ତୁ ଗତ ୨୦୧୪ ଏବଂ ୨୦୧୯ ଭଳି ଏନଡିଏକୁ ସେତେଟା ସଫଳତା ମିଳିପାରିନାହିଁ ।
ଏହା ସହ ଦକ୍ଷିଣ ରାଜ୍ୟ ଆନ୍ଧ୍ରପ୍ରଦେଶରେ ମଧ୍ୟ ୱାଇଏସ୍‌ଆର କଂଗ୍ରେସକୁ ହରାଇ ବିଜେପି, ଟିଡିପି ଏବଂ ଜନସେନା ମେଣ୍ଟ ସରକାର କରିଛି । ବିଜେଡ଼ି ଓ ୱାଇଏସ୍‌ଆର କଂଗ୍ରେସର ପ୍ରଦର୍ଶନ ନିରାଶାଜନକ ରହିଛି ।

ଏହି ଦୁଇ ଦଳ ହାତରୁ ରାଜ୍ୟରେ କ୍ଷମତା ଚାଲିଯାଇଛି ସତ, କିନ୍ତୁ ଏବେବି ସରକାରଙ୍କ ନିକଟରେ ଦୁଇ ଦଳ ବେଶ୍ ଗୁରୁତ୍ୱ ବହନ କରୁଛନ୍ତି । ବିଜେପିକୁ ବିରୋଧ କରିବା ଏବଂ କୌଣସି ବିଲ୍‌ ପାସ୍‌ କରାଇନଦେବା ଭଳି କ୍ଷମତା ରଖିଛନ୍ତି ଏହି ଦୁଇ ଆଞ୍ଚଳିକ ଦଳ । ରାଜ୍ୟରେ ଏହି ଦୁଇ ଦଳ ବିରୋଧରେ ଶାସକ ଦଳ ଆକ୍ରମଣାତ୍ମକ ହେବା ପୂର୍ବରୁ ଦିଲ୍ଲୀରେ ରାଜ୍ୟସଭାର ସମୀକରଣ ଦେଖିଲେ ବିଜେପି ପାଇଁ ଏହି ଦୁଇ ଦଳ ଜରୁରୀ ।

କାହିଁକି ଜରୁରୀ ବିଜେଡି ଏବଂ ୱାଇଏସ୍ଆର୍ କଂଗ୍ରେସ

ରାଜ୍ୟସଭାରେ ବର୍ତ୍ତମାନ ୱାଇଏସ୍‌ଆର କଂଗ୍ରେସର ୧୧ ଜଣ ସାଂସଦ ଥିବାବେଳେ ବିଜୁ ଜନତା ଦଳର ୯ ଜଣ ସାଂସଦ ରହିଛନ୍ତି । ଅନ୍ୟପକ୍ଷରେ, ଦଶ ବର୍ଷ ଶାସନ କରିବା ପରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସଂସଦର ଉପର ଗୃହରେ ସଂଖ୍ୟାଗରିଷ୍ଠତା ନାହିଁ । ଯଦି ଏହାର ସହଯୋଗୀ ଏମପିଙ୍କ ସଂଖ୍ୟା ଯୋଡ଼ି ଦିଆଯାଏ ତେବେ ବି ଏହା ବିଲ୍‌ ପାସ୍‌ କରିବାକୁ ସମର୍ଥ ନୁହେଁ ।

ଏବେ ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏନଡିଏର ୧୧୭, ଭାରତୀୟ ଜନତା ପାର୍ଟିର ୮୦ ଏବଂ ଅନ୍ୟ ୩୩ ଜଣ ସାଂସଦ ଅଛନ୍ତି । ନିର୍ବାଚିତ ସଦସ୍ୟଙ୍କ ପାଇଁ ୧୦ଟି ଓ ମନୋନୀତ ସଦସ୍ୟଙ୍କ ପାଇଁ ୫ଟି ପଦବୀ ଖାଲି ପଡ଼ିଛି ।

ନିକଟରେ ନିର୍ବାଚିତ ହୋଇଥିବା ୧୦ ଟି ଆସନ ମଧ୍ୟରୁ ବିଜେପି ୭ଟି, କଂଗ୍ରେସ ୨ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଗୋଟିଏ ଆସନରେ ବିଜୟୀ ହୋଇଛି । ବର୍ତ୍ତମାନ ବିଜେପି ପାଖରେ ଅତି କମରେ ୬ଟି ଆସନ ଜିତିବାର ସାମର୍ଥ୍ୟ ରହିଛି । ଏଭଳି ସ୍ଥିତିରେ ଏନଡିଏକୁ ଆଇନ ପାରିତ କରିବା ପାଇଁ ଅନ୍ୟର ସମର୍ଥନର ଆବଶ୍ୟକତା ପଡିବ ନାହିଁ କିନ୍ତୁ ୱାଇଏସଆରସିପି ଏବଂ ବିଜେଡିର ସମର୍ଥନ ଏହାକୁ ଆରାମଦାୟକ ସ୍ଥିତିରେ ରଖିବ ।

ଯଦିଓ ବିଜେଡି ଏପର୍ଯ୍ୟନ୍ତ ରାଜ୍ୟସଭା ରଣନୀତି ବିଷୟରେ କିଛି କହିନାହିଁ, କିନ୍ତୁ ଗତ କିଛି ବର୍ଷ ଧରି ଦଳ ଉପର ଗୃହରେ ବିଜେପିକୁ ସମର୍ଥନ ଦେଇ ଆସିଛି । ଏପରିକି ନିକଟରେ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ ଦେଇ ରାଜ୍ୟସଭା ପଠାଇଛି ।

Leave a Reply

Your email address will not be published. Required fields are marked *