ନୃସିଂହ ଚତୁର୍ଦ୍ଦଶୀ //ଆଜି ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ବା ନୃସିଂହ ଚତୁର୍ଦ୍ଦଶୀ। ଲୋକ ବିଶ୍ୱାସ ଅନୁସାରେ ବିଷ୍ଣୁଙ୍କର ଦଶାବତାର ମଧ୍ୟରେ ନୃସିଂହ ଚତୁର୍ଥ ଅବତାର ଅଟନ୍ତି । ନର (ମଣିଷ) ଓ ସିଂହର ମିଶ୍ରଣକୁ ନୃସିଂହ କୁହାଯାଏ । ସିଂହର ମସ୍ତକ ଓ ମନୁଷ୍ୟ ଶରୀର ଧାରଣ କରି ନୃସିଂହ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆବିର୍ଭାବ ହୋଇଥିଲେ

Spread the love

⚫❗⚫
-: ନୃସିଂହ ଚତୁର୍ଦ୍ଦଶୀ :

ବ୍ରହ୍ମାଙ୍କ ମୁଖରୁ ଉଚ୍ଚାରିତ ମହାଶକ୍ତିଶାଳୀ ନୃସିଂହମନ୍ତ୍ର :-

ଓଁ ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବୋତୋମୁଖଂ ।
ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋ ମୃତ୍ୟୋଂ ନମାମ୍ୟହମ୍ । ।

ନରସିଂହଙ୍କ ପ୍ରଥମ ଉଗ୍ରରୂପ ଅମୃତର ପ୍ରତୀକ, ଦ୍ୱିତୀୟରେ ସେ ବୀର, ତୃତୀୟରେ ସେ ମହାବିଷ୍ଣୁ, ଚତୁର୍ଥରେ ଜ୍ୱଳନ୍ତ, ପଞ୍ଚମରେ ସେ ସର୍ବତୋମୁଖ, ଷଷ୍ଠରେ ନୃସିଂହ, ସପ୍ତମରେ ଭୀଷଣ, ଅଷ୍ଟମରେ ଭଦ୍ର, ନବମରେ ମୃତ୍ୟୁ-ମୃତ୍ୟୁ ଦଶମତଃ ସେ ନମାମି ଏବଂ ଏକାଦଶରେ ଅହମ୍ । ଆଧାରତତ୍ତ୍ୱ ଦୃଷ୍ଟିରୁ ନୃସିଂହ ରୁଦ୍ର, ଭୀମ, ଜ୍ୱଳନ୍ତ ସର୍ବତୋମୁଖ, ଭୀଷଣ ଓ ଭଦ୍ର ମଧ୍ୟ । ସମସ୍ତ ଅନିଷ୍ଟତର ଧ୍ୱଂସକାରୀ ଶ୍ରୀବିଷ୍ଣୁ ବା ମହାବିଷ୍ଣୁ ଅଟନ୍ତି ।

ନାରାୟଣଂ ନିରାକାରଂ ନରବୀରଂ ନରୋତ୍ତମଂ।
ନୃସିଂହଂନାଗନାଥଂଚ ତ୍ୱଂ ବନ୍ଦେ ନରକାନ୍ତକଂ।

              ଆଜି  ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ବା ନୃସିଂହ   ଚତୁର୍ଦ୍ଦଶୀ। ଲୋକ ବିଶ୍ୱାସ ଅନୁସାରେ ବିଷ୍ଣୁଙ୍କର  ଦଶାବତାର  ମଧ୍ୟରେ ନୃସିଂହ  ଚତୁର୍ଥ ଅବତାର ଅଟନ୍ତି । ନର (ମଣିଷ) ଓ ସିଂହର ମିଶ୍ରଣକୁ ନୃସିଂହ କୁହାଯାଏ । ସିଂହର ମସ୍ତକ ଓ ମନୁଷ୍ୟ ଶରୀର ଧାରଣ କରି ନୃସିଂହ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆବିର୍ଭାବ ହୋଇଥିଲେ । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାଜା ହିରଣ୍ୟକଶିପୁଙ୍କୁ ବିଦାରଣ କରିଥିବାର ବର୍ଣ୍ଣନା ରହିଛି ।

  ଏକାଦଶୀ ବ୍ରତ ଉପବାସ ବିଧି ଭଳି ନୃସିଂହ ଜୟନ୍ତୀ ପାଳନ କରାଯାଏ । ନୃସିଂହ ଜୟନ୍ତୀର ଦିନକ ପୂର୍ବରୁ ବ୍ରତଧାରୀମାନେ ଦିନରେ ମାତ୍ର ଥରେ ଖାଦ୍ୟ ଗ୍ରହଣ କରନ୍ତି । ସମସ୍ତ ପ୍ରକାର ଶସ୍ୟ ସେବନକୁ ଏହି ବ୍ରତରେ ବାରଣ କରାଯାଇଛି । ନୃସିଂହ ଜୟନ୍ତୀରେ ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧିବିଧାନ ଅନୁସାରେ ଶ୍ରୀନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି । ବିଶ୍ୱାସ ରହିଛି, ପ୍ରଭୁ ଶ୍ରୀନୃସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ । ରାତିରେ ଉଜାଗର ରହି ସକାଳ ପର୍ଯ୍ୟନ୍ତ ପୂଜା କରିବାର ବିଧି ରହିଛି। ଜୟନ୍ତୀ ପରଦିନ ଅର୍ଥାତ ଚତୁର୍ଦ୍ଦଶୀ ତିଥି ସମାପ୍ତ ହେବା ପରେ (ବିସର୍ଜନ ପୂଜା ପରେ) ଉପବାସ ଭଙ୍ଗ କରିବା ସହିତ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ ।

ପୌରାଣିକ କିମ୍ବଦନ୍ତୀ :-

      ନୃସିଂହ ପୁରାଣରେ ନୃସିଂହ ବ୍ରତ ଓ ପୂଜାର ଫଳକଥା ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରହ୍ଲାଦର ଭକ୍ତି ବିଷୟରେ ନୃସିଂହ କହିଛନ୍ତି – ପୂର୍ବଜନ୍ମରେ ଜ୍ଞାନୀ ବ୍ରାହ୍ମଣ ଅବନ୍ତୀ ନଗରରେ ବାସକରୁଥିବା ବସୁ ଶର୍ମାଙ୍କର ପୁତ୍ର ଥିଲେ ପ୍ରହ୍ଲାଦ । ବିଦ୍ୟାଧ୍ୟୟନ ଛାଡି ସେ ସୁରାପାନ ଓ ଗଣିକାଳୟ ଗମନ ଆଦି କୁକର୍ମରେ ଲିପ୍ତ ରହିଥିଲେ । ଏକଦା ଗଣିକା ସହ କଳହ କରି ସେ ସେହିଦିନ ଉପବାସ ଓ ରାତି ଉଜାଗର ରହିଲେ । ଉକ୍ତ ଗଣିକା ମଧ୍ୟ ତାଙ୍କ ସହ ଉଜାଗର ରହିଲା । ଭାଗ୍ୟକୁ ସେଦିନ ଥିଲା ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ । ଅଜ୍ଞାତରେ ହେଲେ ବି ସେଦୁହେଁ ଉପବାସ ରହି ସେଦିନ ବ୍ରତ ପାଳନ କରିଥିବାରୁ ସମସ୍ତ ପାପରୁ ମୁକ୍ତହେଲେ । ପୁଣ୍ୟ ଅର୍ଜନ କରିଥିବାରୁ ଉକ୍ତ ଗଣିକା ବ୍ରତ ଫଳରୁ ଅପ୍‌ସରା ହୋଇ ସ୍ୱର୍ଗକୁ ଫେରିଗଲା ଏବଂ ଭକ୍ତ ପ୍ରହ୍ଲାଦ ରାଜା ହିରଣ୍ୟକଶିପୁଙ୍କ ପୁତ୍ର ରୂପେ ଜନ୍ମ ହୋଇ ବିଷ୍ଣୁଙ୍କର ପରମ ଭକ୍ତ ହେଲେ । ନୃସିଂହ ବ୍ରତ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ଏବଂ ମହିଳାମାନଙ୍କୁ ସ୍ୱାମୀ-ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଉକ୍ତଦିବସରେ ପୁରୀ ଜଗନ୍ନାଥ ମନ୍ଦିରରେ ନୃସିଂହ ଜନ୍ମୋତ୍ସୋବ ପାଳନ କରାଯାଏ ।

ଶ୍ରୀକ୍ଷେତ୍ରେ ନୃସିଂହ ଉପାସନା :-

” ଆଦ୍ୟମୂର୍ତ୍ତି ଭଗବତା ନରସିଂହାକୃତିନୃପ “

ଅର୍ଥାତ- ଭଗବାନଙ୍କର ଆଦ୍ୟ ରୂପ ହେଉଛି ନରସିଂହ ରୂପ।

  ଯେଉଁ ସମୟରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଭୁ ନୀଳମାଧବ ସ୍ୱରୂପ ରେ ବିଦ୍ୟମାନ ହୋଇଥିଲେ ସେ ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନଙ୍କ ଦର୍ଶନାକାଂକ୍ଷା ନେଇ ନୀଳାଚଳ ଅଭିମୁଖେ ଯାତ୍ରା କରୁଥିବା ସମୟ ରେ କ୍ଷେତ୍ର ମଧ୍ୟରେ ପ୍ରବେଶ କରି  ରାଜା ସର୍ବ ପ୍ରଥମେ କୃଷ୍ଣାଗୁରୁ ତରୁ ମୂଳ ରେ ଆଦ୍ୟମୂର୍ତ୍ତି ଭଗବାନ ଶ୍ରୀ ମହାବିଷ୍ଣୁ ଆଦିନୃସିଂହ ଙ୍କୁ ଦର୍ଶନ କରିଥିଲେ।ଏହି କାରଣରୁ ଅନେକ ସ୍ଥାନରେ ଶ୍ରୀକ୍ଷେତ୍ର କୁ ଶ୍ରୀ ପୁରୁଷୋତ୍ତମ ନୃସିଂହ କ୍ଷେତ୍ର ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଛି।ଏତଦ୍ପଶ୍ଚାତ ମହାରାଜ ଇନ୍ଦ୍ରଦ୍ୟୁମ୍ନ ପ୍ରଭୁଙ୍କ ଦର୍ଶନ ପ୍ରାପ୍ତି ନିମନ୍ତେ ଯେଉଁ ଦିବ୍ୟ ଯଜ୍ଞର ଆୟୋଜନ କରିଥିଲେ ସେହି ଯଜ୍ଞାନୁଷ୍ଠାନ ରେ ଶ୍ରୀ ନୃସିଂହ ଙ୍କୁ ଇଷ୍ଟ ବା ଯଜ୍ଞ ଦେବତା ଭାବେ ନିରୂପଣ କରି ଏହି କ୍ଷେତ୍ର କୁ ନୃସିଂହମୟ  କରିଦେଇଛନ୍ତି।ଯଜ୍ଞ ର ପରବର୍ତ୍ତୀ ସମୟରେ ଯେଉଁ ମହାଦାରୁ ଚକ୍ରତୀର୍ଥ ନିକଟରେ ପ୍ରାପ୍ତ ହୋଇଥିଲେ ସେହି ଦାରୁ ମଧ୍ୟରେ ଶ୍ରୀ ଚକ୍ରନୃସିଂହ ବିରାଜିତ ବା ଚିନ୍ହିତ ହୋଇଥିବା ମଧ୍ୟ କିମ୍ବଦନ୍ତୀ ରୁ ଜଣାଯାଏ।ନବକଳେବର ର ପ୍ରାରମ୍ଭିକ ପର୍ଯ୍ୟାୟ ଯାହାକି ବନଯାଗ ଭାବରେ ପରିଚିତ , ଏଥିରେ ମଧ୍ୟ ଶ୍ରୀ ନୃସିଂହ ଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।କେବଳ ବନଯାଗ କାହିଁକି, ସମ୍ପୂର୍ଣ୍ଣ ନବକଳେବର ବିଧାନ ଶ୍ରୀ ନୃସିଂହ ଉପାସନା ର ଧାରା ରେ ହିଁ ସମ୍ପର୍ଣ୍ଣ ହୋଇଥାଏ।ଏହିପରି ଶ୍ରୀମନ୍ଦିର ହେଉ ବା ସମଗ୍ର ଶ୍ରୀକ୍ଷେତ୍ର ହେଉ ଶ୍ରୀ ପୁରୁଷୋତ୍ତମ ନୃସିଂହ ଙ୍କ ଉପାସନା ସର୍ବତ୍ର ପରିବ୍ୟାପ୍ତ।

  ଶ୍ରୀକ୍ଷେତ୍ର ର ପ୍ରତିଟି ସାହି, ଗଳି କନ୍ଦି ରେ ଯେକୌଣସି ସ୍ଥାନ ରେ ହେଉ ନା କାହିଁକି ସେଠାରେ ନୃସିଂହ ଉପାସନା ର ଦୃଷ୍ଟାନ୍ତ ଅନନ୍ୟ ଭାବରେ ମିଳେ।କେଉଁଠାରେ ଦ୍ୱାର ନିକଟରେ ଚିତ୍ର ମୂର୍ତ୍ତି ଆକାରରେ  ତ କେଉଁଠି ଠଣା ମଧ୍ୟରେ ପଟ୍ଟଚିତ୍ର ମୂର୍ତ୍ତି ଆକାରରେ ଦେଖିବାକୁ ମିଳେ।ଅନେକ ସ୍ଥାନ ରେ ବିଗ୍ରହ ଆକାରରେ ମଧ୍ୟ ଶ୍ରୀ ମହାବିଷ୍ଣୁ ନୃସିଂହ ପୂଜିତ।ଶ୍ରୀକ୍ଷେତ୍ର ରେ ନୃସିଂହ ଉପାସନା କେତେ ପ୍ରାଚୀନ ତାହା ସଂଖ୍ୟାଧିକ ଗୃହରେ ଶ୍ରୀ ନୃସିଂହ ଙ୍କର ଗୃହ ଇଷ୍ଟ ଭାବରେ ବା ଯେ କୌଣସି ଭାବରେ ପୂଜିତ ହେଉଥିବା ପରମ୍ପରା ରୁ ସ୍ପଷ୍ଟ ହୁଏ।

ଏହା ଛଡା ଶ୍ରୀକ୍ଷେତ୍ର ର ବିଭିନ୍ନ ଯାଗାଆଖଡା ରେ ମଧ୍ୟ ନୃସିଂହ ଉପାସନା ର ଦୃଶ୍ୟ ଦେଖିବାକୁ ମିଳେ।ଉଦାହର ସ୍ୱରୂପ ବାଲିସାହି ର ହିଞ୍ଜଳ ଯାଗା, ହରଚଣ୍ଡୀ ସାହି ର ତାପଙ୍ଗ ଯାଗା, ବାରବାଟୀ ଯାଗା,ଅଡ଼ଙ୍ଗ ତିଆଡି ଯାଗା ,ଜମିଖୁଣ୍ଟିଆ ଯାଗା, କୁଶୁନ ଖୁଣ୍ଟିଆ ଯାଗା ଏପରି ଅନେକ ସ୍ଥାନରେ,ପ୍ରାୟ ଅଧିକାଂଶ ଯାଗା ଇତ୍ୟାଦି ରେ ଶ୍ରୀ ନୃସିଂହ ଉପାସିତ ହୁଅନ୍ତି।

 ଏହାଛଡା ଶ୍ରୀକ୍ଷେତ୍ର ର ସହିଯାତ ପରମ୍ପରା ରେ ଅନେକ ସମୟରେ ନୃସିଂହ ମେଢ ଆକାରରେ ମଧ୍ୟ ନୃସିଂହ ଉପାସନା ର କ୍ରମ ପରିଲକ୍ଷିତ ହୁଏ। ଏଣୁ ଶ୍ରୀକ୍ଷେତ୍ର ର ଇଷ୍ଟ ମହାବିଷ୍ଣୁ ଶ୍ରୀନୃସିଂହ ଏବଂ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମଧ୍ୟ ଶ୍ରୀ ନୃସିଂହ କ୍ଷେତ୍ର ର ଏକ ପରିବର୍ତ୍ତିତ ନାମ ଏଥିରେ କୌଣସି ସନ୍ଦେହ ନାହିଁ।

    ଯାତ ଭୋଗ ସରିବା ପରେ ଠାକୁର ଚନ୍ଦନକୁ ଯାଇଥାନ୍ତି। ଏହାପରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହୋଇଥାଏ। ଚନ୍ଦନରୁ ଠାକୁର ଫେରିବା ପରେ ହୋମପାଳିଆ ପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ସିଂହଦ୍ୱାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ର ନାରାୟଣ ମନ୍ଦିରକୁ ଯାଇଥାନ୍ତି । ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗି କରି ଫେରିଥାନ୍ତି। ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ବଢିଥାଏ। ପରେ ତିନି ବାଡରେ ଠାକୁରଙ୍କ ପଞ୍ଚାମୃତ ମହାସ୍ନାନ ହୋଇଥାଏ। ସର୍ବାଙ୍ଗ ବଢିବା ପରେ ଠାକୁର ନୂଆ ଲୁଗା ଲାଗି ହୋଇ ୬ ମୂର୍ତ୍ତିି ଅଳଙ୍କାର ଓ ଆଜ୍ଞାମାଳ ମଧ୍ୟ ଲାଗି ହୋଇଥାନ୍ତି। ପାଣି ପଡ଼ି ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାଜନ ସେବକ ନୃସିଂହଙ୍କୁ ଦକ୍ଷିଣୀ ଘରୁ ରତ୍ନସିଂହାସନକୁ ବିଜେ କରାଇଥାନ୍ତି। ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଦେବା ପରେ ମହାଜନ ସେବକ ମୁକ୍ତି ମଣ୍ଡପ ଉପରକୁ ନୃସିଂହଙ୍କୁ ଖଟୁଲିରେ ବିଜେ କରାଇଥାନ୍ତି। ନୃସିଂହ ମନ୍ଦିର ଭିତରେ ପତି ମହାପାତ୍ରେ ଏବଂ ମଣ୍ଡପ ଉପରେ ବିଜେ ନୃସିଂହଙ୍କ ପାଖରେ ପଣ୍ଡା ମହାସ୍ନାନ ପୂଜା କରିଥାନ୍ତି। ଶୀତଳଭୋଗ ପଞ୍ଚୋପଚାରରେ ପୂଜା ବଢି ବନ୍ଦାପନା ହୋଇଥାଏ। ମହାଜନେ ନୃସିଂହଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥାନ୍ତି। ବିମାନ ବଡୁମାନେ ନୃସିଂହଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭକୁ ବିଜେ କରାଇଥାନ୍ତି । ସେଠାରେ ଭୋଗ ବନ୍ଦପନା ସରିବା ପରେ ଠାକୁର ବାହୁଡା ବିଜେ କରିଥାନ୍ତି। ନୃସିଂହ ବିଜେ କରିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଲଟ ଲାଗି ହୋଇ ଅନ୍ୟାନ୍ୟ ନୀତି ବଢିଥାଏ ।

     ଶ୍ରୀମନ୍ଦିର ପରିସରରେ ନିଶା ନୃସିଂହ ବା ହିରଣାକ୍ଷ ନୃସିଂହ, ଅଭୟ ନୃସିଂହ, ଉତ୍ତରାଭିମୁଖୀ ନୃସିଂହ, ଚଣ୍ଡ ନୃସିଂହ, ଉଭୟମୁଖୀ ନୃସିଂହ, ଗରୁଡ଼ ତୋଷଣ ନୃସିଂହ, ବାରବାଟୀ ନୃସିଂହ ଭାବେ ପୂଜିତ ହୋଇଥାଆନ୍ତି ।ଯୁଗେ ଯୁଗେ ଦୁଷ୍ଟ ନିବାରଣ ନିମିତ୍ତ ଅବତାର ହୋଇଥିବା ସର୍ବଶକ୍ତିମାନ ଓ ନିଖିଳ ଦେବଗଣଙ୍କ ମଧ୍ୟରେ ସିଂହବତ୍ ପ୍ରଧାନ ଅଧିଦେବ ଶ୍ରୀନୃସିଂହଙ୍କ ପ୍ରଶସ୍ତିରେ ବିଭିନ୍ନ ପୁରାଣଶାସ୍ତ୍ର ଓ ଭକ୍ତମୁଖେ ଉଚ୍ଚାରିତ ଓ ପ୍ରଚାରିତ । ଯାହାଙ୍କ ପାଇଁ ଭଗବାନ ନୃସିଂହ ରୂପରେ ମହିମାନ୍ୱିତ ହେଲେ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଶ୍ରୀନୃସିଂହ ଉପାସନା ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶ୍ରୀମନ୍ଦିରର ପ୍ରତ୍ୟେକ ପ୍ରତିଷ୍ଠାକର୍ମ ନୃସିଂହ ମନ୍ତ୍ରରେ ଅନୁଷ୍ଠିତ ହୋଇଥାଏ ।

” ମମ ଦୁଃଖ ହରଂ ଦେବ ଦୟାଳୁ ଦିନନାୟକ।
ସର୍ବ ଭୟ ହରଂ ସ୍ୱାମୀ ନରସିଂହ ନମୋସ୍ତୁତେ।।”

ଶ୍ରୀମନ୍ନୃସିଂହାର୍ପଣ ମସ୍ତୁ।।

Leave a Reply

Your email address will not be published. Required fields are marked *