କବିତା —–ଘନ କାଳିଆ ସେ ଚକା ଡୋଳିଆ
ପାରଦ କୁମାର ପାଢୀ ,ଅବସରପ୍ରାପ୍ର ଶିକ୍ଷକ,
ହିଞ୍ଜିଳିକାଟୁ ,ଗଞ୍ଜାମ ।
ନୀଳାଚଳିଆ ସେ ଜଗତର ନାଥ
ବିଶାଳ ଦୁନିଆ ଦେଖ ,
ଦିନୁଦିନାନୀତି ପ୍ରତିଷ୍ଠା ଲଭଇ
ବିଷ କହେ ମତେ ରଖ ।
କଥାରେ ଖାଦ୍ଯରେ ସଭିଏଁ ଭରନ୍ତି
ଆଖିବୁଜା ମିଥ୍ଯା,ଓଷ ,
ନିଜ ଲୋକେ ମଧ୍ଯ ଲାଗନ୍ତି ଯେପରି
ପରିହିତ ଅରି ବେଶ ।
ଗୁରୁ ପଦ ପ୍ରତି କାହାରି ଦିଶେନି ଟିକିଏ ମଧ୍ଯ ଭକତି ,
ଚତୁର ପଣରେ ଚୁଗୁଲି ଶୁଭଇ
ଶୂନ୍ୟରେ ହଲେ ନିକିତି ।
ଘରେ ଘରେ କଳି ଶାନ୍ତି ଖୋଜା ପଡେ
ସହନ ଶକ୍ତି ଅଭାବେ ,
ଅଳପ କଥାରେ କ୍ରୋଧ ପରକାଶ
ପଣକିଆ ଘୋଷା ରବେ ।
ପୁଅ ଝିଅ ମାନେ ବାଟରେ ଘାଟରେ
ଲାଜ-ବସ୍ତ୍ର ଚିରିଲେଣି ,
ବ୍ଯଭିଚାର ଆଜି ସ୍ବାଦିଷ୍ଟ ଲାଗଇ
ମର୍ଯ୍ଯାଦା ରଡି କଲାଣି ।
ପରିବାରେ ପତି ସାଜଇ କଂସେଇ
ନିପଟ ମଦୁଆ ହେଇ ,
ସମାଜ ତାହାର ମହତ ଲିଭାଏ
ନିନ୍ଦା-ଅଙ୍ଗୁଳି ଦେଖାଇ ।
ଆପଣା ସନ୍ତାନେ ମୁହଁ ମୋଡିଲେଣି
ଆସକ୍ତି କଲାଣି ବାମ ,
ବୁଢା ବୟସରେ ପିତାମାତା ଏବେ ଖୋଜିଲେଣି ବୃଦ୍ଧାଶ୍ରମ ।
ଏତେଟା ଅନ୍ଯାୟ କାହିଁ ବରଦାସ୍ତ
କର ହେ ଚକାଡୋଳିଆ,
ଏଥର ତବ ହେ ପ୍ରତିକ୍ରିୟା ରୂପ
ଦେଖାଅ ଘନ କାଳିଆ।