ଗୋ ରାଧେ ବଂଶୀଟି ଆମ୍ଭର ଦିଅ
=================
ଭଗବାନ୍ ଶ୍ରୀକୃଷ୍ଣ ଏବଂ ତାଙ୍କ ମୋହନ ମୂରଲୀ ପରସ୍ପରଠାରୁ ଅଭିନ୍ନ l ତାଙ୍କ ମୋହନ ମୂରଲୀର ନାଦ, ତ୍ରିଭୁବନକୁ ମୋହିତ କରି ରଖିଛି l ସମସ୍ତ ଜଗତର ଚେତନାରେ ସେ ନାଦ ଗୁଞ୍ଜରିତ ଏବଂ ଅନୁରଣିତ ହେଉଛି l ପ୍ରତି ପ୍ରାଣର ସ୍ପନ୍ଧନ, ସେହି ମୁରଲୀ ନାଦ l ପୁରାଣକଥା ଅନୁଯାୟୀ ଭଗବାନ୍ ଶ୍ରୀକୃଷ୍ଣଙ୍କ ମୋହନ ବଂଶୀର ନାଦ ଶୁଣିଲେ, କ୍ରମ ଅନୁସାରେ, ଉଚ୍ଚାଟନ, ସ୍ତମ୍ଭନ,ବଶୀ କରଣ ଏବଂ ମୋହନ ଏହି ଚାରିଅବସ୍ଥା ଜାତ ହୁଏ l କୃଷ୍ଣପ୍ରାଣା ଗୋପିମାନେ ବା ଏଥିରୁ ବାଦ ଯାଆନ୍ତେ କିପରି ? ସେ ବଂଶୀର ସ୍ଵନ ଶୁଣିଲେତ ଜଡ଼ବସ୍ତୁ ପ୍ରାଣବନ୍ତ ହୋଇ ଯାଆନ୍ତି l ସେହି ମୋହନ ବଂଶୀ ବଜାଇ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଆକର୍ଷିତ କରୁଥିଲେ l ତାଙ୍କ ବଂଶୀ ସ୍ଵନ ଶୁଣିଲେ ଗୋପୀମାନେ ସମସ୍ତ ଗୃହ ଧନ୍ଦା ଛାଡ଼ି ଧାଇଁ ଆସୁ ଥିଲେ l କେବେ ସେ ବଂଶୀ ରାଧା ତ କେବେ ବିଶାଖା, କେବେ ଲଳିତା ବା ଚନ୍ଦ୍ରାବଳି ବା ବୃନ୍ଦାବତୀ ନାମଧରି ଡାକୁଥିଲା l ସେହି ବଂଶୀ ସ୍ଵନରେ ମଜ୍ଜି, କୃଷ୍ଣ ପ୍ରେମରେ ହଜି ଗୋପୀ ମାନଙ୍କୁ ସାମାଜିକଭାବେ ବହୁ ନିର୍ଯାତନା ଓ ତାଡ଼ନା ସହ୍ୟ କରିବାକୁ ପଡ଼ୁଥିଲା l
ଶ୍ରୀକୃଷ୍ଣ ଓ ତାଙ୍କର ମୋହନ ବଂଶୀ ଅବିଛେଦ୍ୟ l
ସେ ସର୍ବଦା ତାଙ୍କ ବେଣୁଟିକୁ ନିଜ ପାଖରେ ରଖୁ ଥିଲେ l ବ୍ରଜବାଳା ମାନେ ଆଉ କେତେ ସହିବେ l ଦିନେ ସେମାନେ ଚିନ୍ତା କଲେ, ବଂଶୀଟିକୁ ନେଇ ଯମୁନା ସ୍ରୋତରେ ଭସେଇ ଦେବା l ବଂଶୀ ଥିବ ନା କାହ୍ନା ଆମକୁ ଆଉ ଏତେ ହଇରାଣ କରିବ l
କୃଷ୍ଣ ହାତୁ ଆଣି କେ ଦ୍ୟନ୍ତା ତୋତେ l
ଭସାଇ ଦିଅନ୍ତୁ ଯମୁନା ସ୍ରୋତେ ll
କିନ୍ତୁ କରିବେ କଅଣ ? ମୁରଲୀ ତ ସବୁ ବେଳେ କୃଷ୍ଣଙ୍କ ପାଖରେ l ତେଣୁ ସେମାନେ ଚିନ୍ତା କଲେ ତାଙ୍କ ବଂଶୀକୁ କୌଣସି ଉପାୟ କରି ଚୋରାଇ ନେବେ l
ଦିନେ ରାସଲୀଳା ସରିବା ପରେ ଶ୍ରୀକୃଷ୍ଣଙ୍କୁ କ୍ଲାନ୍ତ ଦେଖି ଗୋପିମାନେ ତାଙ୍କୁ କିଛିକ୍ଷଣ ବିଶ୍ରାମ ନିଅ ବୋଲି କହିଲେ l ଅନ୍ତର୍ଯ୍ୟାମୀ ପ୍ରଭୁଙ୍କୁ କେଉଁକଥା ବା ଅଜଣା l ଗୋପୀ ମାନଙ୍କ ଉଦ୍ଦେଶ୍ୟ ସେ ବୁଝି ଗଲେ l ପ୍ରଭୁ ଗୋପୀମାନଙ୍କୁ ଡାକି କହିଲେ, ହଉ ତୁମେ ସବୁ ଯଦି କହୁଛ ମୁଁ ଟିକେ ଶୋଇ ପଡୁଛି l ସେ ମିଛରେ ଶୋଇବା ବାହାନା କରି ବଂଶୀଟିକୁ ତାଙ୍କ ମୁଣ୍ଡ ପାଖରେ ରଖିଦେଇ ଶୋଇ ପଡ଼ିଲେ l ଗୋପୀ ମାନଙ୍କୁ ଅପୂର୍ଵ ସୁଯୋଗଟିଏ ମିଳିଗଲା l ଶ୍ରୀରାଧା ତାଙ୍କ ସଖୀ ଲଳିତା, ବିଶାଖା ପ୍ରଭୃତିଙ୍କ ସାହାଯ୍ୟରେ, ବଂଶୀଟିକୁ ଚୁପ କରି ନେଇ ଯାଇ ଏକ ଗଛ ତଳେ ଲୁଚେଇ ଦେଲେ l କୃଷ୍ଣ ନିଦରୁ ଉଠି ଦେଖନ୍ତି ତ, ତାଙ୍କ ବଂଶୀ ନାହିଁ l କୃଷ୍ଣ ମୃଦୁ ମୃଦୁ ହସି ସମସ୍ତ ଗୋପୀଙ୍କୁ ପଚାରିଲେ, ଆରେ ! ତୁମେମାନେ ଥାଉଁଥାଉଁ ମୋ ମୁରଲୀଟି କୁଆଡ଼େ ଗଲା l ବ୍ରଜାଙ୍ଗନାମାନେ ସମସ୍ତେ ନିଜର ଅଜ୍ଞତା ପ୍ରକଟ କଲେ l କିଛିକ୍ଷଣ ପରେ କୃଷ୍ଣ ଦେଖିଲେ, ରାଧା ସେଠାରେ ନାହାଁନ୍ତି l ଏଣୁ ସେ ପଚାରିଲେ ରାଧା କେଉଁଠି ଅଛନ୍ତି ? ଗୋପୀମାନେ କହିଲେ, “ଆମେ ଜାଣି ନାହୁଁ “l
ନଟ ନାଗର ଶ୍ରୀକୃଷ୍ଣ ଗୀତ ଗାଇ ଗାଇ ଶ୍ରୀରାଧା ରାଣୀଙ୍କୁ ଖୋଜିବାରେ ଲାଗିଲେ l ଖୋଜି ଖୋଜି ସେ ଯାଇ ଦେଖିଲେ, ରାଧା ରାଣୀ କୁସୁମିତ ଏକ ବୃକ୍ଷର ଛାୟାତଳେ ବସିଛନ୍ତି l କୃଷ୍ଣ ଟିକିଏ ଚାଟୁ ବାକ୍ୟରେ କହିଲେ, ହେ ପ୍ରିୟେ ! ମୁଁ ଟିକେ କ୍ଳାନ୍ତି ଅପନୋଦନ କରିବାକୁ ଚାହୁଁଥିଲି l ତୁମେ ନିଜକୁ ହଠାତ୍ ଅଦୃଶ୍ୟ କରାଇ ଦେଇ, ମୋତେ ଆହୁରି କ୍ଲାନ୍ତ କରାଇ ଦେଇଛ l
ରାଧା କହିଲେ, ମୁଁ ତ ସ୍ଵ ଇଛାରେ ବିହାର କରେ, ମୋତେ କାହିଁକି ଏ ପ୍ରଶ୍ନ କରୁଛନ୍ତି l କୃଷ୍ଣ ଉତ୍ତର ଦେଲେ, କିନ୍ତୁ, ହେ ରାଧେ ! ତୁମେ ଯେ ମୋତେ ନିୟନ୍ତ୍ରିତ କର l ରାଧା କହିଲେ,”ଏ ଚାଟୁକ୍ତି ବନ୍ଦ କର l ମୁଁ ଜାଣେ ତୁମର ଏ ଚାଟୁକ୍ତି ପଛରେ କିଛି ନା କିଛି ପ୍ରଚ୍ଛନ୍ନ ଅଭିପ୍ରାୟ ଅଛି l କିଛି ଅଭିପ୍ରାୟ ନଥାଇ ତୁମେ ଏପରିକଥା କୁହ ନାହିଁ l କୁହ କଣ ଚାହଁ ତୁମେ?”
କୃଷ୍ଣ କହିଲେ,” ହେ ରାଧେ ! କହିଦିଅ ବଂଶୀଟି ମୋର କେଉଁଠି ଅଛି l ମୁଁ ଜାଣେ,କେବଳ ତୁମେ ହିଁ ଜାଣ ମୋ ବଂଶୀ କେଉଁଠି ଅଛି l ତୁମେ ମୋ ହସ୍ତର କଙ୍କଣ, ଗଳାର ରତ୍ନ ହାର ଯାହା ଚାହୁଁଛ ତାହା ନିଅ l କିନ୍ତୁ, ମୋର ବଂଶୀଟି ଦେଇ ଦିଅ l ଏହା ମୋର ପ୍ରାଣ l ଅତି ଯତ୍ନରେ ସୁବର୍ଣ୍ଣ ବେଣ୍ଟ ଲଗାଇ, ଏ ବଂଶୀକୁ ତିଆରିକରି ମାଆ ମୋତେ କେଡ଼େ ଶ୍ରଦ୍ଧାରେ ଧରେଇ ଦିଅନ୍ତି l ତୁମେ, ତାକୁ ଚୋରାଇ ନେଲ ! ମୁଁ ଏବେ ମାତାଙ୍କୁ ଯାଇ କ’ଣ କହିବି, କଅଣ କହି ବୁଝାଇବି !!
ରାଧିକା କହିଲେ, କିକଥା, ତୁମ ବଂଶୀ କଥା ମୁଁ କିପରି ଜାଣିବି, ତୁମେ ସାମାନ୍ୟ ବାଉଁଶ ଖଣ୍ଡକ ପାଇଁ ଏତେ ବ୍ୟଥିତ ହେଉଛ କାହିଁକି ! ଦେଖୁନା ଆଗରେ ବାଉଁଶ ବଣ l ସେଇଠୁ ବାଉଁଶ ଖଣ୍ଡେ କାଟି ଆଣି ନୂଆ ବଂଶୀଟିଏ ତିଆରି କରି ଦିଅ l ମୋତେ ଏତେ ଜଳାଉଛ କାହିଁକି? ସେ ଯେତେ ରାଣ, ନିୟମ ପକାଇଲେ ସୁଦ୍ଧା କୃଷ୍ଣଙ୍କର ସେହି ଗୋଟିଏ ମାତ୍ର କଥା, ତୁମେ ହିଁ, ମୋ’ ବଂଶୀକୁ ଚୋରାଇ ନେଇଛ l
କୃଷ୍ଣ ରାଧାଙ୍କୁ କହିଲେ, ରାଧିକେ ! ସେହି ବଂଶୀ ସାମାନ୍ୟ ଏକ ବାଉଁଶ ଖଣ୍ଡ ନୁହଁ l ସେହି ଅପୂର୍ଵ ବଂଶୀଦ୍ବାରା ମୁଁ ନାନା ବିଧ କ୍ରିୟା କରେ l ବଂଶୀ ଦ୍ବାରା ମୁଁ ଗୋଗୋଷ୍ଠକୁ ଏକତ୍ରିତ କରେ l ମୋର ବଂଶୀ ସ୍ଵନ ବ୍ରଜବାସୀଙ୍କୁ ଏବଂ ଗୋପୀ ମାନଙ୍କୁ ଆହ୍ଳାଦିତ କରେ l ସେମାନଙ୍କ ହୃଦରେ ପ୍ରେମର ନିର୍ଝରିଣୀ ପ୍ରବାହିତକରେ ଓ ଜଡ଼ ଚେତନ ସବୁ ପ୍ରାଣୀମାନଙ୍କ ହୃଦୟକୁ ଦ୍ରବୀଭୂତ କରେ l ଗାଈ ମାନଙ୍କୁ ଏକତ୍ର କରିବାପରି ମୋ ମୋହନ ବେଣୁ ସ୍ଵନ, କୁଣ୍ଠିତ ଭକ୍ତମାନଙ୍କୁ ଏକତ୍ରିତ କରାଏ ତଥା ସେମାନଙ୍କୁ ତାଙ୍କ କର୍ମର ପ୍ରେରଣା ଦେଇ, ଊଚିତ ଫଳ ପ୍ରାପ୍ତ କରାଏ l ଏଇ ବଂଶୀ ଦ୍ବାରା, ମୁଁ ଏହି ସଚରାଚର ଜଗତକୁ ନିୟନ୍ତ୍ରଣ କରେ l
ଯଦି କେହି ମୋ ଅଧର ଅମୃତକୁ ପାନ କରିବାକୁ ଆଗ୍ରହୀ, ତେବେ ତାକୁ ନିଜର ଅହଂକାର ତ୍ୟାଗ କରି ହୃଦୟକୁ ମୁକ୍ତକରିବାକୁ ହେବ, ଯେପରି କି ମୋ ବଂଶୀ ନିଜକୁ ଶୁନ୍ୟ କରିଦିଏ l ଏହା ଦ୍ବାରା ମୁଁ ତାକୁ ସଦାସର୍ବଦା ନିଜ ଅଧରକୁ ସ୍ପର୍ଶ କରାଇ ପାରିବି l ଆଉ ତୁମ କଥା ତ ତୁମକୁ ଜଣା l
ଏମିତି କଥୋପକଥନ ହେଉଥିଲା ବେଳେ କୃଷ୍ଣ ଟିକିଏ ଦୃଷ୍ଟି ଆଢୁଆଳକୁ ଚାଲି ଯାଆନ୍ତେ, ରାଧା ଏବଂ ଅନ୍ୟ ଗୋପିମାନେ ମିଶି ବଂଶୀଟିକୁ ଭାଙ୍ଗି ଦେଲେ l ମାତ୍ର ଆଶ୍ଚର୍ଯ୍ୟ ଜନକ ଭାବେ ବଂଶୀର ଭଗ୍ନଅଂଶ ଗୁଡ଼ିକ ସୁନ୍ଦର ଗୀତ ଗାନ କରି ନୃତ୍ୟ କରିବାକୁ ଲାଗିଲେ ଓ ସେଠାରେ ବଂଶୀମାନଙ୍କ ଗୋଟିଏ ବଗିଚା ତିଆରି ହୋଇଗଲା l ହତବାକ୍ ଗୋପୀମାନେ ପରସ୍ପରକୁ ଚାହିଁ ରହିଥାନ୍ତି l ତାଙ୍କ ମୁଖରୁ ବାକ୍ୟ ସ୍ଫୁରୁ ନଥାଏ l ସେମାନେ ସମସ୍ତେ ନୃତ୍ୟରତ ବଂଶୀଗୁଡିକୁ ଧରିବାକୁ ଚେଷ୍ଟା କଲେ l ମାତ୍ର ସେଥିରେ ମଧ୍ୟ ବିଫଳ ହେଲେ l
ଆଉ କୌଣସି ଉପାୟ ନଥିଲା l ଏଥର ରାଧିକା ତଥା ସବୁ ଗୋପୀ ମାନେ ସେମାନଙ୍କ ପରାଜୟ ମାନିନେଲେ l ଅନନ୍ୟୋପାୟ ହୋଇ ସେମାନେ କୃଷ୍ଣଙ୍କୁ ଡାକିଲେ l ରାଧାରାଣୀ ତାଙ୍କୁ ଭଗ୍ନ ବଂଶୀ ଖଣ୍ଡେ ଆଣି ଦେଲେ l କୃଷ୍ଣ ସେ ବଂଶୀକୁ ଗ୍ରହଣ କରନ୍ତେ, ତାହା ନିଜର ପୂର୍ଵ ସ୍ୱରୂପ ଧାରଣ କଲା ଏବଂ ନୃତ୍ୟ ରତ ବଂଶୀମାନେ ଅପସରି ଗଲେ l ବୈଷ୍ଣବ ଶାସ୍ତ୍ର ମାନଙ୍କରେ ଏହି ଲୀଳା ରାଧାଙ୍କ ବଂଶୀଚୋରୀ ଲୀଳା ଭାବେ ବର୍ଣ୍ଣିତ l
ରାସେଶ୍ୱରୀ ଶ୍ରୀମତୀ ରାଧାରାଣୀଙ୍କ ଏହି ବଂଶୀ ଚୋରି ଲୀଳାର ସ୍ମୃତି ସ୍ୱରୂପେ ବୃନ୍ଦାବନର ରାସ କୁଞ୍ଜ ନିଧିବନରେ ବିଜେ କରୁଛନ୍ତି, ବଂଶୀଚୋରି ଶ୍ରୀରାଧା ଓ ତାଙ୍କ ଦୁଇପାର୍ଶ୍ଵରେ ଅଛନ୍ତି ସଖିଦ୍ବୟ ବିଶାଖା ଓ ଲଳିତା l ବଂଶୀ ହସ୍ତରେ ଶ୍ରୀରାଧାଙ୍କ ବିଗ୍ରହ ଅତୀବ କମନୀୟ ଏବଂ ଆକର୍ଷଣୀୟ l ରାଧାରାଣୀଙ୍କ ଏହି ବଂଶୀ ଚୋରି ଲୀଳାକୁ ସନ୍ଥ ଅରକ୍ଷିତ ଦାସ ଅତି ମନୋରମ ପଦ୍ୟାବଳୀରେ ବର୍ଣ୍ଣନା କରି ଲେଖିଛନ୍ତି :-
କଦମ୍ବର ତଳେ ଶୟନର ବେଳେ
ବଂଶୀ ସମ ସ୍ଥାନେ ଦେଇ l
ସର୍ବ ଗୋପୀମାନେ ନୀର ଆଣି ଗଲେ
ବଂଶୀ ମୋ ନେଲ ଚୋରାଇ l
ଗୋ ରାଧେ ବଂଶୀଟି ଆମ୍ଭର ଦିଅ ll
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971
ଗୋ ରାଧେ ବଂଶୀଟି ଆମ୍ଭର ଦିଅ//ଭଗବାନ୍ ଶ୍ରୀକୃଷ୍ଣ ଏବଂ ତାଙ୍କ ମୋହନ ମୂରଲୀ ପରସ୍ପରଠାରୁ ଅଭିନ୍ନ l ତାଙ୍କ ମୋହନ ମୂରଲୀର ନାଦ, ତ୍ରିଭୁବନକୁ ମୋହିତ କରି ରଖିଛି l ସମସ୍ତ ଜଗତର ଚେତନାରେ ସେ ନାଦ ଗୁଞ୍ଜରିତ ଏବଂ ଅନୁରଣିତ ହେଉଛି-ଅର୍ଜୁନୀ

Leave a Reply