Spread the love

ଇତିହାସରୁ ଗୋଟେ ଘଟଣା

ଶ୍ରୀ ଜଗନ୍ନାଥଙ୍କ ପାଇଁ 120 ଟି ସେବା ଲାଗି ହୁଏ l କୌଣସି ସେବା କାହା ଠାରୁ ନ୍ୟୁନ କିମ୍ବା ଅଧିକ ନୁହେଁ l ଠାକୁରଙ୍କ ପାଇଁ ସବୁ ସେବା ମହତ୍ୱପୂର୍ଣ୍ଣ l ଏପରିକି ଭୋଇସେବକଙ୍କ ଚାରମାଳ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ l ସେହିପରି ଦଇତାପତି ସେବା ଓ ରଥଯାତ୍ରାରେ ଛେରାପହଁରା ସେବାଵି ତତ୍ପର୍ଯ୍ୟପୂର୍ଣ୍ଣ l

   ସେଦିନ ଥିଲା 1972 ମସିହାର ରଥଯାତ୍ରା l ପ୍ରଭୁ ଶ୍ରୀଜଗନ୍ନାଥ ଦଇତାପତିଙ୍କ ସାଥୀରେ ଏଵଂ ତାଙ୍କ ଦ୍ୱାରା ଆସୁଛନ୍ତି ରଥ ଉପରକୁ l ଭୋଇ ସେବକମାନଙ୍କ ଦ୍ୱାରା ଚାରମାଳ ବିଛା ଯାଇଥିଲା l ତା ଉପରେ ଆସୁଛନ୍ତି କାଳିଆସୁନା l ସମସ୍ତିଙ୍କ ଆଖି ସେଇ ଗୋଟିଏ ଦେବତା ଉପରେ ଅଟକି ରହିଛି l ନନ୍ଦିଘୋଷ ରଥରୁ  ଭକ୍ତ ପ୍ରଭୁଙ୍କୁ ଦର୍ଶନl କରିବେ ଓ ରଥ ଦଉଡି ଟାଣିବେ l

     କିନ୍ତୁ ଏ କଣ ହେଲା !!! ପ୍ରଭୁ ଜଗନ୍ନାଥ ଚାରମାଳ ମଝିରେ ରହି ଯାଇଛନ୍ତି l ଆଉ ଘୁଞ୍ଚୁ ନାହାନ୍ତି ଇଞ୍ଚେଵି l ସମସ୍ତେ ହାଲିଆ ହୋଇଗଲେଣି l ତତ୍କାଳୀନ ମନ୍ଦିର ପ୍ରଶାସକ ସେହି ସମୟର ମୁଖ୍ୟମନ୍ତ୍ରୀଙ୍କୁ ବଚନ ଦେଇଛନ୍ତି, ଠିକ  ସମୟରେ ରଥ ଟଣାଯିବ l  କିନ୍ତୁ ଶତ ଚେଷ୍ଟା କଲେଵି ପ୍ରଭୁ ଇଞ୍ଚେ ଘୁଞ୍ଚୁ ନାହାନ୍ତି l ସମସ୍ତିଙ୍କ ଭାଳେଣି.... କେମିତି ଏଵଂ କେବେ ରଥାରୁଢ଼ ହେବେ ପ୍ରଭୁ l

 ସମସ୍ତେ ନିର୍ବାକ l ପାଟି ଫିଟୁନି କାହାର l ହଠାତ ଜନତାଙ୍କ ମଧ୍ୟରୁ କେହି ଜଣେ ଭକ୍ତ କହିଲେ... ଗଜପତି ଠାକୁରଙ୍କ ଆଦ୍ୟ ସେବକ l ତାଙ୍କୁ ଡକାଯାଉ l ସେ ଆସିବେ ଏଵଂ ସେ ଗୁହାରୀ କରିବେ... ମିନତୀ କରିବେ l  କଥା ରାଜାଙ୍କ କାନକୁ ଗଲା l କିନ୍ତୁ ଗଜପତି ମଧ୍ୟ ନିୟମରେ ବନ୍ଧା l ସେ ପର୍ବ ପର୍ବାଣୀ ସମୟରେ .. ରଥଯାତ୍ରାର ଛେରାପହଁରା ଦେବାକୁ ରାଜକୀୟ ପରିପାଟୀରେ ଆସନ୍ତି l କିନ୍ତୁ ବର୍ତ୍ତମାନ ସେ ଆସିବେ ଖଣ୍ଡେ ଲୁଗା ପିନ୍ଧି ଓ ଖଣ୍ଡିଏ ଚାଦର ପିନ୍ଧି l ରାଜା ଆସିଲେ ସେମିତି  ବିନା ବେଶରେ ସାଧାରଣ ଲୋକ ପରି l

  ସମସ୍ତିଙ୍କ ଆଶା ଓ ଭରଷା ସେହି ଗଜପତି l ଆସିଲେ ପ୍ରଭୁ ପାଶକୁ l ବିଷ୍ଣୁ ସହସ୍ରନାମ ବୋଲା ଯାଉଥିଲା l ଏହି ଗହଳି ମଧ୍ୟରେ ଗଜପତି ଆସି ସ୍ପର୍ଶ କଲେ ଜଗନ୍ନାଥଙ୍କୁ ପଛପଟୁ l ଅନୁନୟ ହେଲେ l ବିନତୀ ହେଲେ l ଗଜପତିଙ୍କ ଆଖିରୁ ବୋହି ଯାଉଥିଲା ଅଶ୍ରୁଧାର l ପ୍ରଭୁ ଜାଣିଲେ ତାଙ୍କ ପ୍ରଥମ ସେବକଙ୍କ ଗୁହାରୀ l ହସ୍ତସ୍ପର୍ଶ ଜାଣି ପାରିଲେ ତାଙ୍କର l

ବଡ଼ ଆଶ୍ଚର୍ଯ୍ୟ କଥା… ଜଗନ୍ନାଥ ଯେମିତି ତାଙ୍କ ପ୍ରଥମ ସେବାକାରୀର ସ୍ପର୍ଶକୁ ଚାହିଁ ବସିଥଲେ l ମହାମେରୁ ଭଳି ଓଜନ ମନେ ହେଉଥିବା ପ୍ରଭୁ ତୁଳା ଭଳି କମ ଓଜନର ହୋଇଗଲେ ଏଵଂ ଚାରମାଳ ଉପରୁ ଯାଇ ବସିଲେ ରଥ ଉପରେ ଉଦ୍ଧିଷ୍ଟ ସ୍ଥାନରେ l ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଓ ଗଜପତିଙ୍କ ପ୍ରଶଂସାରେ କମ୍ପି ଉଠୁଥିଲା ଗଗନ ପବନ l ଲୋକେ ଭକ୍ତିରେ କାନ୍ଦି ପକାଉଥିଲେ l କହୁଥିଲେ…. ହେ କାଳିଆ.. ତୋର ସବୁ ଲୀଳା ଖେଳା l ତୋ ନିର୍ଦ୍ଦେଶ ନହେଲେ ଗଛରୁ ପତ୍ରଟିଏ ହଲିବନି l

 ବଡଦାଣ୍ଡରୁ ଆଗରୁ  ଦର୍ପଦଳନ ଓ ତାଳଧ୍ଵଜ ରଥ ବହୁ  ସମୟରୁ ଚାଲି ଯାଇଥିଲା l ଡେରିରେ ଏବଂ ତାଙ୍କ ଇଚ୍ଛାରେ ଘୋର ଘର୍ଘଶବ୍ଦ କରି ଚାଲିଲା ନନ୍ଦିଘୋଷ ରଥ l ସେଦିନ ରଥକୁ ଗାମୁଛା ପିନ୍ଧି ଆସିଥିବା ଗଜପତି ହେଲେ ଏଇ ଚଳନ୍ତି ବିଷ୍ଣୁ ଶ୍ରୀ ଦିବ୍ୟସିଂହ ଦେବ l ସେତେବେଳେ ତାଙ୍କୁ ମାତ୍ର ଅଠର ବର୍ଷ ବୟସ ହୋଇଥିଲା l  ସେ ସତର ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ l

     ସେହି ଗଜପତି ଯୁବକ ଶ୍ରୀ ଦିବ୍ୟସିଂହ ଦେବ...ପ୍ରଭୁଙ୍କର ପ୍ରଥମ ସେବକ l ସେ ନିଜେ ମାନନ୍ତି ନାହିଁ... ସେ ପ୍ରଥମ ସେବକ ବୋଲି l ସେ କହନ୍ତି.... ସମସ୍ତିଙ୍କ ଭଳି ସେଵି ଜଣେ ସେବକ l ଗଜପତି ଅହଂକାର ଶୁନ୍ୟ l ଜଗନ୍ନାଥ ସମୀପରେ ସମର୍ପିତ ତାଙ୍କ ଜୀବନ l ସେ ଲକ୍ଷେ ରାଜାର ମଉଡମଣୀ l ସେ ଶ୍ରେଷ୍ଠ ଜଗନ୍ନାଥ ଭାବନାରେ.... ଜଗନ୍ନାଥ ଭକ୍ତିରେ l

Related Post

Leave a Reply

Your email address will not be published. Required fields are marked *