କ୍ଷୀର ସରୋବର
ଭାରତୀୟ ମୁନିଋଷି ପରମ୍ପରାରେ ମହର୍ଷି ମୁଦ୍ଗଲ ସୁପ୍ରସିଦ୍ଧ। ରାମାୟଣ, ମହାଭାରତ, ପଦ୍ମପୁରାଣ ଓ ସ୍କନ୍ଦପୁରାଣ ଆଦିରେ ତାଙ୍କର ବହୁମୁଖୀ କାର୍ଯ୍ୟାବଳୀର ବିକ୍ଷିପ୍ତ ବର୍ଣ୍ଣନା ମିଳେ। ମହର୍ଷି ମୁଦ୍ଗଲଙ୍କର ଜୀବନଧାରା ଥିଲା ବିଚିତ୍ର। କୃଷିକ୍ଷେତ୍ରରୁ କୃଷକ ଶସ୍ୟ ଅମଳ କରି ନେଇଗଲା ପରେ ଯେଉଁ ଉଦ୍ବୃତ୍ତ ଶସ୍ୟ ଭୂମିରେ ପଡ଼ିରହୁଥିଲା, ମୁଦ୍ଗଲ ତାକୁ ସଂଗ୍ରହ କରି ପ୍ରତି ପନ୍ଦରଦିନରେ ଥରେ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରୁଥିଲେ ଏବଂ ପ୍ରଥମେ ତାକୁ ଅତିଥିଙ୍କୁ ପ୍ରଦାନ କଲା ପରେ ନିଜେ ଗ୍ରହଣ କରୁଥିଲେ।
ଏହା ଜାଣି ଦୁର୍ବାସା ପ୍ରତି ପନ୍ଦର ଦିନରେ ଥରେ ମୁଦ୍ଗଲଙ୍କ ଆଶ୍ରମକୁ ଆସି ସମସ୍ତ ଅନ୍ନ ଭୋଜନ କରି ଚାଲିଯାଆନ୍ତି। ଫଳରେ ମୁଦ୍ଗଲଙ୍କ ପରିବାର ଉପବାସରେ ରହନ୍ତି। କିନ୍ତୁ ସେମାନେ କେବେ ଏହାର ପ୍ରତିରୋଧ କରନ୍ତି ନାହିଁ କି ମନରେ କ୍ଷୋଭ ରଖନ୍ତି ନାହିଁ। ଏହିପରି ଛଅମାସ ବିତିଯିବା ପରେ, ଦୁର୍ବାସା ମୁଦ୍ଗଲଙ୍କର ମହନୀୟତା ଅନୁଭବ କରି ତାଙ୍କୁ ସ୍ୱର୍ଗଲାଭ କରିବାପାଇଁ ଆଶୀର୍ବାଦ କରି ଚାଲିଗଲେ। ସ୍ୱର୍ଗରୁ ଦେବଦୂତମାନେ ଆସି ପହଞ୍ଚିଲେ। ମହର୍ଷି ମୁଦ୍ଗଲ ସ୍ୱର୍ଗର ମହତ୍ତ୍ୱ ସଂପର୍କରେ ପଚାରିବାରୁ ସେମାନେ ଉତ୍ତର ଦେଲେ- ସ୍ୱର୍ଗଲୋକରେ ଜରା, ମୃତ୍ୟୁ, ରୋଗ, ଶୋକ କିଛି ନାହିଁ। କିଛି ବି କର୍ମ କରିବାକୁ ପଡ଼େ ନାହିଁ। ମର୍ତ୍ତ୍ୟରେ ଅର୍ଜିତ ପୁଣ୍ୟ ବଦଳରେ ପ୍ରାଣୀମାନେ ସେଠାରେ କେବଳ ଆନନ୍ଦ ହିଁ ଉପଭୋଗ କରନ୍ତି। ପୁଣ୍ୟ ସରିଗଲେ ପ୍ରାଣୀମାନେ ପୁଣି ମର୍ତ୍ତ୍ୟରେ ଜନ୍ମ ଗ୍ରହଣ କରନ୍ତି। କାରଣ ସ୍ୱର୍ଗରେ ପୁଣ୍ୟ ଅର୍ଜନ କରିବାର କୌଣସି ବ୍ୟବସ୍ଥା ନାହିଁ। ଏହା ଜାଣିବା ପରେ, ସ୍ୱର୍ଗଯାତ୍ରା ଏକ ତୁଚ୍ଛ ପ୍ରକ୍ରିୟା ଭାବି ମୁଦ୍ଗଲ ଅନନ୍ତ ବିଷ୍ଣୁପ୍ରେମ ପ୍ରାପ୍ତି ନିମିତ୍ତ ମର୍ତ୍ତ୍ୟରେ ରହି ତପସ୍ୟା କରିବାକୁ ଶ୍ରେଷ୍ଠ ମଣିଲେ। ତାହାର ଫଳ ହେଉଛି କ୍ଷୀରସରୋବରର ଉତ୍ପତ୍ତି।
ଭଗବାନ ବିଷ୍ଣୁଙ୍କ ଇଚ୍ଛା ଅନୁସାରେ ବିଶ୍ୱକର୍ମା ଏକ ସୁସଜ୍ଜିତ ସରୋବର ନିର୍ମାଣ କରିଦେଲେ ଏବଂ ସୁରଭି ତାହାକୁ ନିଜର ଦୁଗ୍ଧରେ ପରିପୂର୍ଣ୍ଣ କଲେ। ସେହି ସ୍ଥାନ କ୍ଷୀରସରୋବର ନାମରେ ପ୍ରସିଦ୍ଧ ହେଲା। ଯେ ସେହି ସରୋବରରେ ସ୍ନାନ କରେ ତାର ସମସ୍ତ ପାପ ବିନଷ୍ଟ ହୁଏ ଏବଂ ସେ ବିଷ୍ଣୁଲୋକ ଲାଭ କରେ।
‘ସ୍କନ୍ଦପୁରାଣ’ର ବର୍ଣ୍ଣନା ଅନୁସାରେ, ସ୍ୱର୍ଗଲୋକକୁ ତୁଚ୍ଛ ମଣି ମହର୍ଷି ମୁଦ୍ଗଲ ଦକ୍ଷିଣସମୁଦ୍ର ତଟରେ ଅବସ୍ଥିତ ଫୁଲଗ୍ରାମ ନାମକ ଏକ ପରମପାବନ ସ୍ଥଳରେ ଶ୍ରୀବିଷ୍ଣୁଙ୍କୁ ପ୍ରସନ୍ନ କରିବା ନିମିତ୍ତ ଯଜ୍ଞ ଅନୁଷ୍ଠାନ ଆରମ୍ଭ କଲେ। ତାଙ୍କର ଯଜ୍ଞରେ ସନ୍ତୁଷ୍ଟହୋଇ ଶ୍ରୀବିଷ୍ଣୁ ତାଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ। ତାଙ୍କୁ ଦର୍ଶନ କରି ମୁଦ୍ଗଲ ଆନନ୍ଦରେ ରୋମାଞ୍ଚିତ ହୋଇଉଠିଲେ। ଶ୍ରୀବିଷ୍ଣୁ ବର ଯାଚନା କରିବା ପାଇଁ କହିବାରୁ ମୁଦ୍ଗଲ କହିଲେ, “ପ୍ରଭୁ, ଆପଣଙ୍କୁ ଦର୍ଶନ କରି ମୁଁ କୁତାର୍ଥ, ମୋର ଆଉ କୌଣସି ବରର ଆବଶ୍ୟକତା ନାହିଁ। ତଥାପି ଆପଣ ଯଦି ଚାହୁଁଛନ୍ତି ମୋତେ ଏହି ବର ଦିଅନ୍ତୁ, ଯାହା ଦ୍ୱାରା ଆପଣଙ୍କଠାରେ ମୋର ନିଶ୍ଚଳ ଓ ନିଷ୍କପଟ ଭକ୍ତି ରହୁ। ହେ ମାଧବ! ମୁଁ ପ୍ରତିଦିନ ପ୍ରଭାତ ଓ ସଂଧ୍ୟାରେ ଆପଣଙ୍କର ସ୍ୱରୂପଭୂତ ଅଗ୍ନିଙ୍କ ତୃପ୍ତି ନିମିତ୍ତ ଶୁଦ୍ଧ ଗୋଦୁଗ୍ଧରେ ହବନ କରିବାକୁ ଇଚ୍ଛୁକ। ଆପଣ ମୋର ଏ ଇଚ୍ଛା ପୂରଣ କରନ୍ତୁ।
ମୁଦ୍ଗଲ ଏହା କହିବାରୁ, ଭଗବାନ ଶ୍ରୀବିଷ୍ଣୁ ବିଶ୍ୱକର୍ମାକୁ ଡକାଇ ଏକ ସୁନ୍ଦର ସରୋବର ନିର୍ମାଣ କଲେ ଏବଂ ସେହି ସରୋବରକୁ ସକାଳ ଓ ସନ୍ଧ୍ୟାରେ ଆସି ଦୁଗ୍ଧରେ ପରିପୂର୍ଣ୍ଣ କରିବାକୁ ସୁରଭିଙ୍କୁ ନିର୍ଦ୍ଦେଶ ଦେଲେ। ଭଗବାନ ବିଷ୍ଣୁଙ୍କ ଇଚ୍ଛା ଅନୁସାରେ ବିଶ୍ୱକର୍ମା ଏକ ସୁସଜ୍ଜିତ ସରୋବର ନିର୍ମାଣ କରିଦେଲେ ଏବଂ ସୁରଭି ତାହାକୁ ନିଜର ଦୁଗ୍ଧରେ ପରିପୂର୍ଣ୍ଣ କଲେ। ସେହି ସ୍ଥାନ କ୍ଷୀରସରୋବର ନାମରେ ପ୍ରସିଦ୍ଧ ହେଲା। ଯେ ସେହି ସରୋବରରେ ସ୍ନାନ କରେ ତାର ସମସ୍ତ ପାପ ବିନଷ୍ଟ ହୁଏ ଏବଂ ସେ ବିଷ୍ଣୁଲୋକ ଲାଭ କରେ।