ମା’ ତାରିଣୀ
କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ। ମା ତାରିଣୀ ଙ୍କ ପୀଠ ଓଡ଼ିଶା ର ଏକ ପ୍ରସିଦ୍ଧ ପୀଠ। ଏଠାରେ ମା ଶାଳବଣ ମଝିରେ ପୂଜା ପାଆନ୍ତି। ମା’ଙ୍କ ଉପରେ ଭକ୍ତମାନଙ୍କର ବହୁ ବିଶ୍ୱାସ ମନାଯାଏ। ମା’ ଙ୍କୁ କେବଳ ନଡ଼ିଆଟିଏ ମାନସିକ କଲେ ମଧ୍ୟ ମା ସମସ୍ତଙ୍କର ମାନସିକ ପୁରା କରିଦିଅନ୍ତି; ସେଥି ପାଇଁ ତାଙ୍କୁ ‘ନଡ଼ିଆରାଣୀ ‘ ମଧ୍ୟ କୁହାଯାଏ। କାହିଁ କେତେ ଦୂରରୁ ଭକ୍ତମାନେ ମାନସିକ କରି ଗାଡ଼ିରେ ନଡିଆ ପଠାନ୍ତି। ମା ତାରିଣୀ ପ୍ରକୃତରେ ମା ଦୁର୍ଗା ଙ୍କ ଏକ ବିଶିଷ୍ଟ ରୂପ ଅଟନ୍ତି, ଯିଏକି ସଙ୍କଟହାରିଣୀ ତାରିଣୀ ମା’ ଙ୍କ ରୂପରେ ଘଟଗାଁ ପୀଠ ରେ ପୂଜା ପାଉଛନ୍ତି।
୧୪ଶ ଶତାବ୍ଦୀ ସମୟର କଥା। ସେ ସମୟରେ କଳିଙ୍ଗର ରାଜା ପୁରୁଷୋତ୍ତମ ଦେବ ଗଜପତି ରୂପେ ଅଭିଷିକ୍ତ ଥିଲେ। କଳିଙ୍ଗର ରାଜା ଥରେ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ, କାଞ୍ଚି ନାମକ ଏକ ପ୍ରସିଦ୍ଧ ରାଜ୍ୟ ରେ ଯାଇ ପହଞ୍ଚିଲେ । ସେଠାରେ କାଞ୍ଚିର ରାଜକୁମାରୀ ପଦ୍ମାବତୀଙ୍କୁ ଦେଖି ତାଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କଲେ। ଏତେ ବଡ କଳିଙ୍ଗ ରାଜ୍ୟର ରାଜା ବୋଲି ଦେଖି ପ୍ରସ୍ତାବରେ ରାଜି ହୋଇଗଲେ କାଞ୍ଚି ରାଜ୍ୟର ରାଜା। ନିଜ ପୁତ୍ରୀର ବିବାହ ଆୟୋଜନ ନିମନ୍ତେ ତାଙ୍କର ଏକ ବିଶେଷ ମନ୍ତ୍ରୀଙ୍କୁ ନିୟୋଜିତ କଲେ ଏବଂ କଳିଙ୍ଗ ପଠାଇଲେ।
ରଥଯାତ୍ରା ସମୟ। ଓଡ଼ିଆ ପରମ୍ପରା ଅନୁଯାୟୀ ରାଜା ପୁରୁଷୋତ୍ତମ ଦେବ ରଥରେ ଛେରପହଁରା କରୁଥିବା ଦେଖି କାଞ୍ଚିର ମନ୍ତ୍ରୀ ଆଶ୍ଚର୍ୟ୍ଯ ହେଲେ ଏବଂ ଏହି ବାର୍ତ୍ତା କାଞ୍ଚି ମହାରାଜାଙ୍କ ପାଖକୁ ପ୍ରେରିତ କଲେ। ଏହି ବାର୍ତ୍ତା ଶୁଣି, କାଞ୍ଚିର ରାଜକୁମାରୀ କଳିଙ୍ଗର ଜଣେ ସାମାନ୍ୟ ଦାସଙ୍କୁ ବିବାହ କରିବେ ନାହିଁ ବୋଲି ଆଦେଶ ଜାରି କଲେ ରାଜା ଏବଂ ବିବାହକୁ ମନା କରିଦେଇ ଅପମାନିତ କଲେ। ରାଜା ପୁରୁଷୋତ୍ତମ ଦେବ ଏପରି ଅପମାନକୁ ସହ୍ୟ କରିନପାରିବାରୁ କାଞ୍ଚି ସହିତ ଯୁଦ୍ଧ ପାଇଁ ଆଦେଶ ଜାରି କଲେ। କାଞ୍ଚି ଅଭିଯାନ ଆରମ୍ଭ କରିଥିଲେ ଗଜପତି ମହାରାଜା। କିନ୍ତୁ ଏହି ଯୁଦ୍ଧରେ କଳିଙ୍ଗର ରାଜା ପରାସ୍ତ ହୋଇ କଳିଙ୍ଗ ପ୍ରତ୍ୟାଵର୍ତ୍ତନ କଲେ। କିନ୍ତୁ ସେ ନିଜର ଅପମାନକୁ ଭୁଲି ନଥିଲେ। ସେ ପୁରୀ ମନ୍ଦିରରେ ପୂଜ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଧ୍ୟାନ କଲେ। ବହୁ ଧ୍ୟାନ ବଳରେ ଜଗନ୍ନାଥ ତାଙ୍କୁ ସ୍ବପ୍ନରେ କହିଲେ,” ଯୁଦ୍ଧ ଜିତିବାର ଗୋଟିଏ ରାସ୍ତା ଯାହାକି, ସକାଳୁ ଯାଇ ଦେଖ, ଯାହା ଘରର ଛାତ ଉପରେ ମନ୍ଦିରର ନେତ ପଡ଼ିଥିବ, ତାକୁ ଯଦି ତୁମେ ତୁମ ସହିତ ଯୁଦ୍ଧ ରେ ନିଜର ସେନାପତି କରି ନେଇ ଯିବ ତାହାହେଲେ ଯାଇ ଯୁଦ୍ଧ ଜିତି ପାରିବ।” ଏହି ସ୍ବପ୍ନ ପାଇବାର ପର ଦିନ ମନ୍ତ୍ରୀ ମାନେ ଯାଇ ଚାରିଆଡ଼େ ଖୋଜିଲେ। ଖୋଜିବାରୁ ପୁରୀରେ ଜଣକ ଘର ଉପରୁ ମନ୍ଦିରର ନେତ ମିଳିଲା। ସେହି ଲୋକକୁ ଗଜପତିଙ୍କ ନିକଟକୁ ଅଣାଗଲା। ତାଙ୍କର ପରିଚୟ ପଚାରିବାରୁ ଜାଣିବାକୁ ମିଳିଲା ଯେ ସେ ହେଲେ ଗୋବିନ୍ଦ ଭଞ୍ଜ। ସେ ସମୟର କେନ୍ଦୁଝର ରାଜ୍ୟର ରାଜା ତ୍ରିଲୋଚନ ଭଞ୍ଜଙ୍କ ପୁତ୍ର, ଯିଏକି ନିଜ ପାରିବାରିକ କଳହ ପାଇଁ ରାଜଉଆସ ଛାଡି ଆସି ପୁରୀରେ ଏକ ସାଧାରଣ ମଣିଷ ଭଳି ଜୀବନ ଯାପନ କରୁଥିଲେ। ମହାପ୍ରଭୁଙ୍କ ଆଦେଶ ଅନୁଯାୟୀ ଗୋବିନ୍ଦ ଭଞ୍ଜଙ୍କୁ ନିଜର ସେନାପତି କରି ଗଜପତି ପୁରଷୋତ୍ତମ ଦେବ ବାହାରିଲେ ଦ୍ୱିତୀୟ ଥର କାଞ୍ଚି ଅଭିଯାନରେ। ଯୁଦ୍ଧ ପାଇଁ ବିଭିନ୍ନ ସ୍ତରର ସୈନ୍ୟ ସାମନ୍ତ ଏବଂ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ରାଜା ବାହାରି ପଡିଲେ କାଞ୍ଚି ଅଭିମୁଖେ।
କାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ସମୟରେ କାଞ୍ଚି ରାଜ୍ୟର ଜଙ୍ଗଲରେ ଗଜପତିଙ୍କ ସମେତ ସମସ୍ତ ସୈନ୍ୟ ସାମନ୍ତଙ୍କର ଘୋଡ଼ା ଆଉ ଆଗକୁ ବଢିଲା ନାହିଁ। ଘୋଡ଼ା କାହିଁକି ଆଗକୁ ବଢ଼ୁ ନାହିଁର କାରଣ ଖୋଜିବାକୁ ଆରମ୍ଭ କରିଦେଲେ ସେନାପତି ଗୋବିନ୍ଦ ଭଞ୍ଜ। ଜଙ୍ଗଲରେ ଥିବା ଆଖ ପାଖର ଆଦିବାସୀ ଲୋକଙ୍କ ପାଖରୁ ତଥ୍ୟ ସଂଗ୍ରହ ଆରମ୍ଭ କରିଲେ ଏବଂ ଜାଣିବାକୁ ପାଇଲେ ଯେ –
“ତ୍ରତେୟା ଯୁଗରେ ଯେତେବେଳେ ରାବଣ ମା’ ସୀତାଙ୍କୁ ହରଣ କରି ନେଇଥିଲେ, ରାମଚନ୍ଦ୍ର ଏଣେ ତେଣେ ବହୁତ ଖୋଜି ଖୋଜି ଯାଇ ପହଞ୍ଚିଥିଲେ କାଞ୍ଚି ସୀମାରେ। ବହୁ ଖୋଜି ଖୋଜି କେଉଁଠି କିଛି ନ ପାଇ ସମସ୍ୟାର ସମାଧାନ ପାଇଁ ମା ଦୁର୍ଗାଙ୍କୁ ଧ୍ୟାନ କଲେ। ତାଙ୍କ ତପସ୍ୟା ବଳରେ ମା ଦୁର୍ଗା ତାଙ୍କ ସାମ୍ନାରେ ଗୋଟିଏ ସର୍ତ୍ତ ରଖି ସାହାଯ୍ୟ କରିବାକୁ କହିଥିଲେ। ସର୍ତ୍ତଟି ଥିଲା ଯେ, ଯେତେବେଳେ ସେ ତାଙ୍କ ସାମ୍ନା କୁ ଆସିବେ ରାମଚନ୍ଦ୍ର ତାଙ୍କୁ ହେଖିବେ ନାହିଁ, ଯଦି ସେ ମା’ ଙ୍କୁ ଦେଖନ୍ତି, ତାହେଲେ ମା ସେଠାରେ ପାଷାଣ ହୋଇ ଯିବେ। ରାମଚନ୍ଦ୍ର ଏହି ସର୍ତ୍ତରେ ରାଜି ଥିଲେ । ମା ଦୁର୍ଗା ପୃଥିବୀକୁ ଆସି ମାତା ସୀତାଙ୍କୁ ଖୋଜିବାର ମାର୍ଗ ଦର୍ଶନ କରିଲେ, ଶେଷରେ ରାମଚନ୍ଦ୍ର ମା’ ଙ୍କ ପାଦ ସ୍ପର୍ଶ କରିଲେ ଏବଂ ଅତି ଭାବ ବିହୋଳ ହୋଇ ଆଉ ନିଜକୁ ଆଟକାଇ ନପାରି ଆଖି ଖୋଲିଦେବାରୁ ମା ଦୁର୍ଗା ସେଠାରେ ପାଷାଣ ହୋଇ ରହିଗଲେ। ମା ଦୁର୍ଗା ସେଠାରେ ପାଷାଣ ହୋଇ ରହିଯିବାରୁ ପ୍ରତିଦିନ ତାଙ୍କର ପୂଜା ପାଇଁ ସେହି ଜଙ୍ଗଲରେ ଥିବା ଦେହୁରୀ ମାନଙ୍କୁ ଦାୟୀତ୍ୱ ଦେଇ, ରାମଚନ୍ଦ୍ର ସୀତାଙ୍କ ସନ୍ଧାନରେ ବାହାରି ପଡିଲେ। ସେହିଦିନ ଠାରୁ ଦେବୀ ସେଠାରେ ପୂଜା ପାଆନ୍ତି, ଏବଂ ତାଙ୍କ ବିନା ଅନୁମତି ରେ ସେହି ସ୍ଥାନ କେହି ପାର କରି ପାରନ୍ତି ନାହିଁ।”
ଏହି ସବୁ କଥା ଜାଣିବା ପରେ ଗୋବିନ୍ଦ ଭଞ୍ଜ ବୁଝି ଯାଇ ଥିଲେ ଯେ ସେ କାଞ୍ଚିର ଅଭିଯାନରେ ଗଜପତିଙ୍କ ବିଜୟ ନିମନ୍ତେ ଜଙ୍ଗଲରେ ଅବସ୍ଥିତ ଦେବୀଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ। ତାପରେ ସେ କାଞ୍ଚିର ଜଙ୍ଗଲରେ ଦେବୀଙ୍କୁ ପୂଜା କରିବା ଆରମ୍ଭ କରିଦେଲେ। ଘୋର ତପସ୍ୟା ବଳରେ ଦେବୀଙ୍କୁ ସନ୍ତୁଷ୍ଟ କରି କରିଥିଲେ ଏବଂ କାଞ୍ଚି ପ୍ରବେଶ କରିଥିଲେ।
ଏହା ପରେ ଆରମ୍ଭ ହୋଇଥିଲା କାଞ୍ଚିର ସେହି ଐତିହାସିକ ଯୁଦ୍ଧ। କୁହାଯାଏ ଯେ, ଏହି ଯୁଦ୍ଧ ଦେବତାଙ୍କ ଯୁଦ୍ଧ ବୋଲି। ପୁରୁଷୋତ୍ତମ ଦେବଙ୍କ ତରଫରୁ ପ୍ରଭୁ ଜଗନ୍ନାଥ ଏବଂ କାଞ୍ଚି ମହାରାଜଙ୍କ ତରଫରୁ ଶ୍ରୀ ଗଣେଶ ଯୁଦ୍ଧରେ ସାମିଲ୍ ଥିଲେ। ଯେତେବେଳେ ଶ୍ରୀ ଗଣେଶ ଜାଣିଲେ ଯେ, ସେ ସ୍ୱଂୟ ଜଗନ୍ନାଥଙ୍କ ସହିତ ଯୁଦ୍ଧ କରୁଛନ୍ତି, ସେତେବେଳେ ସେ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରି ଯୁଦ୍ଧରୁ ଓହରି ଯାଇଥିଲେ। ଏବଂ, ଶେଷରେ କଳିଙ୍ଗକୁ ବିଜୟ ପ୍ରାପ୍ତି ହେଲା। ରାଜକୁମାରୀ ପଦ୍ମାବତୀଙ୍କୁ ବିବାହ କରି ରାଜା ପୁରୁଷୋତ୍ତମ ଦେବ ପ୍ରତ୍ୟାବର୍ତ୍ତନ କଲେ। ଶେଷ ପର୍ଯ୍ୟନ୍ତ କାଞ୍ଚିର ରାଜା ଏହି ବିବାହରେ ଖୁସି ନଥିଲେ ସେଥି ପାଇଁ କୁହାଯାଏ ଯେ, ରାଣୀ ପଦ୍ମାବତୀଙ୍କ ସୁରକ୍ଷା ନିମନ୍ତେ ତାଙ୍କ ସହିତ କାଞ୍ଚି ଗଣେଶ ଏବଂ ଜଙ୍ଗଲର ଦେବୀଙ୍କୁ ପୁରୀ ଆସିବା ପାଇଁ କାଞ୍ଚିର ରାଜା ଗୁହାରି କରିଥିଲେ। ତାହା ସହିତ ପଦ୍ମାବତୀଙ୍କର ଯେପରି କିଛି ଅସୁବିଧା ନ ହେଉ ବୋଲି ବହୁ ଧନ ସମ୍ପତ୍ତି ଦେଇ ରାଜକୁମାରୀଙ୍କୁ ବିଦାୟ ଦେଇଥିଲେ । ଗଜପତି ମହାରାଜ ପଦ୍ମାବତୀଙ୍କ ଛଡ଼ା ବାକି ସବୁ କିଛି ଦାନ ଦେଇ ଦେଲେ, କାଞ୍ଚି ଗଣେଶ ଏବଂ ବନର ଦେବୀଙ୍କୁ ଯଥା ବିଧି ଅନୁସାରେ ପୁରୀ ମନ୍ଦିରରେ ସ୍ଥାପନା କରାଇଥିଲେ। ଏବେବି ପୁରୀ ମନ୍ଦିରରେ କାଞ୍ଚି ଗଣେଶଙ୍କ ପ୍ରତିମୂର୍ତ୍ତି ପୂଜା ପାଉଥିବାର ଦେଖିବାକୁ ମିଳେ।
ଭାଗ୍ୟର ବିଡମ୍ବନା। କିଛି ଦିନ ପରେ ସେହି ବର୍ଷ କେନ୍ଦୁଝରର ରାଜା ତ୍ରିଲୋଚନ ଭଞ୍ଜ ଙ୍କ ଦେହାନ୍ତ ହୋଇଯିବାରୁ ଗୋବିନ୍ଦ ଭଞ୍ଜଙ୍କୁ କେନ୍ଦୁଝର ଫେରିବାକୁ ପଡ଼ିଲା। ଗଜପତି ଚାହୁଥିଲେ ଗୋବିନ୍ଦ ଭଞ୍ଜ ତାଙ୍କ ସହିତ ପୁରୀରେ ରୁହନ୍ତୁ ବୋଲି କିନ୍ତୁ କାଳର ବିଡମ୍ବନା ହେତୁ ତାଙ୍କୁ ବିଦାୟ ଦେଇଥିଲେ। ଯେଉଁ ଗୋବିନ୍ଦ ଭଞ୍ଜଙ୍କ ଅପାର ସହାସିକତା ହେତୁ ରାଜା ନିଜର ଅପମାନର ପ୍ରତିଶୋଧ ନେଇ ପାରିଥିଲେ, ତାଙ୍କୁ ଖାଲି ହାତରେ ବିଦାୟ ଦେଇ ପାରିଲେ ନାହିଁ। ତାଙ୍କ ବିଦାୟକୁ ଏକ ଉତ୍ସବ ପାଳନ କରିଲା ପରି ଆୟୋଜନ କରାଯାଇଥିଲା କିନ୍ତୁ ଗୋବିନ୍ଦ ଭଞ୍ଜଙ୍କୁ ସେ ସବୁ କିଛି ବି ଆବଶ୍ୟକ ନଥିଲା ଏବଂ ସେ ରାଜାଙ୍କ ନିକଟରେ କାଞ୍ଚି ରୁ ଆସିଥିବା ଦେବୀ ମାଙ୍କୁ ନିଜ ସହିତ ନେଇ ଯିବା ପାଇଁ ଇଚ୍ଛା ପ୍ରକାଶ କଲେ। ଗଜପତି ତାଙ୍କ ଇଚ୍ଛାର ସମ୍ମାନ ଜଣାଇଲେ । କିନ୍ତୁ ଦେବୀ ମା’ଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ନେଇହେବ ନାହିଁ ବୋଲି ଗୋବିନ୍ଦ ଭଞ୍ଜ ଜାଣି ଥିଲେ, ସେଥି ପାଇଁ ସେ ପୁଣି ଥରେ ଦେବୀ ମା ଙ୍କୁ ନିଜ ସହିତ କେନ୍ଦୁଝର ନେଇ ଯିବା ପାଇଁ କଠୋର ତପସ୍ୟା କରିଥିଲେ। ଶେଷରେ ଦେବୀ ମା ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଏକ ସର୍ତ୍ତ ରଖି, ଯିବା ପାଇଁ ହଁ କଲେ। ସର୍ତ୍ତଟି ଥିଲା ଯେ ସେ ଗୋବିନ୍ଦ ଭଞ୍ଜ ଙ୍କ ପଛେ ପଛେ ଯିବେ କିନ୍ତୁ ସେ ଯେପରି ଦେବୀ ମା ଙ୍କୁ ନଦେଖନ୍ତି, ଯଦି ସେ ତାଙ୍କୁ ଥରେ ବି ପଛକୁ ବୁଲି ଦେଖିବେ ତାହେଲେ ସେ ସେଠାରେ ପାଷାଣ ହୋଇ ରହି ଯିବେ। ଗୋବିନ୍ଦ ଭଞ୍ଜଙ୍କ ମନର ଦ୍ଵନ୍ଦକୁ ଜାଣି ମା କହିଥିଲେ ଯେ ତାଙ୍କ ଗୋଡ଼ର ଘୁଙ୍ଗୁର ଶଦ୍ଦରୁ ସେ ଜାଣି ପାରିବେ ଯେ ମା ତାଙ୍କ ପଛେ ପଛେ ଆସୁଛନ୍ତି ବୋଲି।
ଗୋବିନ୍ଦ ଭଞ୍ଜ ଏହି ସର୍ତ୍ତରେ ରାଜି ହୋଇ କେନ୍ଦୁଝର ପ୍ରତ୍ୟାବର୍ତ୍ତନ କଲେ। ଫେରିଲା ବେଳେ ଦେବୀ ମା’ ଙ୍କ ଘୁଙ୍ଗୁରର ଶବ୍ଦରୁ ସେ ସୁନିଶ୍ଚିତ ହେଉଥିଲେ ଏବଂ ଆଗକୁ ଆଗକୁ ଆଗକୁ ବଢ଼ି ଚାଲିଥିଲେ। କେନ୍ଦୁଝର ଯିବା ରାସ୍ତାରେ ଏକ ଶାଳବଣ ପଡ଼ିଲା। ସେ ବଣ ଦେଇ ଆସିବା ସମୟରେ ହଟାତ୍ କିଛି ବାଲି ମା’ଙ୍କ ଘୁଙ୍ଗୁରରେ ପଶିଯିବାରୁ ଘୁଙ୍ଗୁର ଶଦ୍ଦ ଆଉ ହେଲା ନାହିଁ, ଏପଟେ ବାଲିରେ ମାଙ୍କ ଘୋଡ଼ା ଟାପୁର ମଧ୍ୟ ଶଦ୍ଦ ହେଲାନି, ଗୋବିନ୍ଦ ଭଞ୍ଜଙ୍କୁ ଲାଗିଲା ଯେ ମା’ ବୋଧେ କେଉଁ ଦୂରରେ ରହିଗଲେ ବା ମତେ ଛାଡ଼ି ଚାଲିଗଲେ। ସେ କଣ କରିବେ ଜାଣି ପାରିଲେ ନାହିଁ, ବ୍ୟତି ବ୍ୟସ୍ତ ହୋଇ ପଛକୁ ଚାହିଦେଲେ। ପଛକୁ ବୁଲିବାରୁ ସେ ସ୍ଵୟଂ ଦେବୀ ମାଁଙ୍କୁ ଦେଖିଲେ ଯିଏକି ତାଙ୍କ ସହିତ ତାଙ୍କ ପଛେ ପଛେ ଆସୁଥିଲେ । କିନ୍ତୁ, ପୂର୍ବ ସର୍ତ୍ତ ଅନୁଯାୟୀ ଦେବୀ ମା ସେହି ଶାଳବଣରେ ପଥର ପାଲଟି ଗଲେ। ଗୋବିନ୍ଦ ଭଞ୍ଜ ନିଜ ଭୁଲ ଜାଣି ପାରି ଦେବୀ ମା’ଙ୍କୁ କ୍ଷମା ପ୍ରାର୍ଥନା କଲେ ଏବଂ ମା’ ଙ୍କୁ ଆରାଧନା କଲେ କେନ୍ଦୁଝର ନେଇ ଯିବା ପାଇଁ। ଦେବୀ ମା’ ତାଙ୍କୁ ତାଙ୍କ କର୍ମ, ଯାହାକି କେନ୍ଦୁଝର ଯାଇ ରାଜ୍ୟ ଶାସନ କରିବାକୁ ଆଦେଶ ଦେଲେ ଏବଂ ନିଜେ ସେ ଶାଳବଣରେ ଅବସ୍ଥିତ ହୋଇ ମା’ ତାରିଣୀଙ୍କ ନାମରେ ପୂଜା ପାଇବେ। ରାଜା ଗୋବିନ୍ଦ ଭଞ୍ଜ ମା’ ଙ୍କ ଆଦେଶ ଅନୁଯାୟୀ କେନ୍ଦୁଝର ଗଲେ ଏବଂ ସେହିଠାରୁ ରାଜ୍ୟ ଶାସନ କଲେ। ମା’ ତାରିଣୀଙ୍କ ପୂଜାରେ ଯେପରି କିଛି ଅସୁବିଧା ହେବ ନାହିଁ ବୋଲି କେନ୍ଦୁଝର ଅଞ୍ଚଳର ଅଧିବାସୀ ଦେହୁରୀ ମାନଙ୍କୁ ନିଯୋଜିତ କରାଇଲେ। ସେହି ଦିନ ଠାରୁ ସେହି ଶାଳବଣ( ଏବେ ର ଘଟଗାଁ) ରେ ମା’ ତାରିଣୀଙ୍କ ରୂପେ ରହି ଦେବୀ ପୂଜା ପାଉଛନ୍ତି।