କଟକ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଆଜି ମଙ୍ଗଳବାର ଦିନ ଖାନନଗର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର୍ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କଳା ଉତ୍ସବରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଛଅ ଗୋଟି ଭିନ୍ନ ଭିନ୍ନ ବିଭାଗରେ ସେମାନଙ୍କର କଳା ପରିବେଷଣ କରିଥିଲେ।
ନୃତ୍ୟ, ସଙ୍ଗୀତ, ବାଦ୍ୟ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରୁ ଛାତ୍ର ଛାତ୍ରୀ ମାନଙ୍କୁ ଜୋନ ସ୍ତରୀୟ କଳା ଉତ୍ସବ ପାଇଁ ମନୋନୀତ କରାଯାଇଛି। ଏହି ଛାତ୍ର ଛାତ୍ରୀ ମାନେ ଚଳିତ ମାସ 8 ତାରିଖ ଦିନ କଟକରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚ ଗୋଟି ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ପ୍ରତିନିଧିତ୍ଵ କରିବେ।
ଆଜି ଏହି ଜିଲ୍ଲା ସ୍ତରୀୟ ଉତ୍ସବ କୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ସମଗ୍ର ଶିକ୍ଷା ର ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଶିକ୍ଷା ସଂଯୋଜିକା ଡକ୍ଟର ସୁଚିଶ୍ମିତା ମହାନ୍ତି, ପ୍ରଧାନ ଶିକ୍ଷକ ପ୍ରମଥ ନାଥ ଦେ, ପୂର୍ବତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର୍ ଷଡଙ୍ଗୀ ପ୍ରମୁଖ କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ। ଶିଶୁ କଳାକାର ମାନଙ୍କର ପ୍ରଦର୍ଶନକୁ ବିଚାର କରି ଯୋଗ୍ୟ ପ୍ରତିଯୋଗୀଙ୍କୁ ଜୋନ ସ୍ତରକୁ ମନୋନୀତ କରିବାପାଇଁ ରାଜ୍ୟର ସୁନାମଧନ୍ୟ ଲବ୍ଧ ପ୍ରତିଷ୍ଠ କଳାକାର ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଖାନନଗର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟଭାବେ ସହଯୋଗ କରି ସଫଳତାର ସହ ପରିଚାଳନା କରିଥିଲେ।