Spread the love

ନବୀନଙ୍କ ଭୋଟକ୍ଷୟ ହେଲା କାହିଁକି?

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ବିଧାୟକ ଦଳର ନେତା ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନରୁ ଚଳିତ ଥରକୁ ମିଶାଇ ଲଗାତାର ୬ ଥର ବିଧାୟକ ହୋଇ ସାରିଛନ୍ତି। ଏହା ପୂର୍ବରୁ ସେ ଆସିକା ଲୋକସଭା ଆସନରୁ ଦୁଇ ଥର ବିଜୟଲାଭ କରି ସାଂସଦ ହୋଇଥିଲେ। ନବୀନଙ୍କ ପିତା ତଥା ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୬ରେ ଆସିକା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।

ବିଜୁ ବାବୁଙ୍କର ବିୟୋଗ କାରଣରୁ ସେଠାରେ ଉପନିର୍ବାଚନ ହୋଇଥିଲା, ଯେଉଁଥିରେ ଜୀବନରେ ପ୍ରଥମ ଥର ପାଇଁ ନବୀନ ରାଜନୀତିରେ ପାଦ ରଖି ସଫଳତାର ସ୍ୱାଦ ଚାଖିଥିଲେ। ୨୦୦୦ ମସିହାରୁ ସେ ହିଞ୍ଜିଳି ବିଧାନସଭା ଆସନରୁ ଲଗାତାର ଜିତି ଆସୁଛନ୍ତି।

ଏତେ ସଫଳତା ସତ୍ତ୍ୱେ ଦେଶରେ ସବୁଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନେତାଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିବା ନବୀନ ପଟ୍ଟନାୟକ କିନ୍ତୁ ପ୍ରଥମ ସ୍ଥାନକୁ ଆସି ପାରିଲେନି ଏଥର। ପବନ କୁମାର ଚାମଲିଙ୍ଗଙ୍କ ୨୪ ବର୍ଷ ୧୬୫ ଦିନର ରେକର୍ଡ ଭାଙ୍ଗିବାକୁ ଅସଫଳ ନବୀନ ରହିଗଲେ ଦ୍ୱିତୀୟ ସ୍ଥାନରେ। ସେ କ୍ରମାଗତ ୨୪ ବର୍ଷ ୯୯ ଦିନ ଧରି ନିରବଚ୍ଛିନ୍ନ ଭାବେ ଓଡିଶା ରାଜ୍ୟର ନେତୃତ୍ୱ ନେଇଆସିଥିଲେ ହେଁ ଚଳିତ ନିର୍ବାଚନରେ ତାଙ୍କର ଦଳ ସରକାର ଗଢ଼ିବାକୁ ଅସମର୍ଥ ହେବାରୁ ସେ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗି ପାରିଲେନି। ୨୩ ବର୍ଷ ୧୩୭ ଦିନ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିବା ଜ୍ୟୋତି ବସୁ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।

ହିଞ୍ଜିଳିରୁ ବାରମ୍ବାର ବିଧାୟକ ଭାବେ ନିର୍ବାଚନ ଜିଣି ରାଜ୍ୟର ମୁଖ୍ୟମନ୍ତ୍ରୀ ରହି ଆସିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସତ୍ତା-ବିରୋଧୀ ମତଦାନର ବିଶେଷ ପ୍ରଭାବ ପଡ଼ିନଥିଲା। ନବୀନ ପଟ୍ଟନାୟକଙ୍କ ଅନ୍ୟତମ ବିଶେଷତ୍ୱ ଥିଲା ଯେ, ନରେନ୍ଦ୍ର ମୋଦିଙ୍କ ହିନ୍ଦୁତ୍ୱ ରାଜନୀତି ସମ୍ମୁଖରେ ସେ ଆକ୍ରୋଶବିହୀନ ରାଜନୈତିକ ଭିତ୍ତିଭୂମି ବଜାୟ ରଖିବାରେ ସଫଳ ହୋଇପାରିଲେ। ତାଙ୍କର କଠୋର ସମାଲୋଚକମାନେ ମଧ୍ୟ ସ୍ୱୀକାର କରନ୍ତି ଯେ ତାଙ୍କ ଶାସନ ବ୍ୟବସ୍ଥାରେ ଏଭଳି ଅନେକ ଦିଗ ରହିଛି, ଯେଉଁସବୁ କାରଣରୁ ବ୍ୟକ୍ତିଗତ ଭାବେ ନବୀନଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ଓ କ୍ରୋଧ ଦେଖିବାକୁ ମିଲେନାହିଁ, ଯଦିଓ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅଞ୍ଚଳରେ ଦାଦନ ବା ନିଯୁକ୍ତି ଓ ରୋଜଗାର ପାଇଁ ରାଜ୍ୟ ବାହାରକୁ ଲୋକଙ୍କ ପଳାୟନ ଏକ ବଡ଼ ପ୍ରସଙ୍ଗ ହୋଇ ରହିଆସିଛି। ୨୦୧୯ ମସିହାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ଭୋଟରଙ୍କ ସଂଖ୍ୟା ପ୍ରାୟ ୨୨ ଲକ୍ଷ ଏବଂ ଏଠାକାର ପ୍ରାୟ ଅଧା ଲୋକ ମହାରାଷ୍ଟ୍ର ଓ ଗୁଜରାଟର ସୁରଟକୁ କାମ ଅନ୍ୱେଷଣରେ ଚାଲି ଯାଇଛନ୍ତି।

ବିଜେଡି ଦାବୀ କରି ଆସୁଥିଲା ଯେ, ସମଗ୍ର ଓଡ଼ିଶାରେ, ବିଶେଷ କରି ହିଞ୍ଜିଳିରେ ନବୀନ ପଟ୍ଟନାୟକ ଅପରାଜେୟ ଓ ବିଜେଡି ବ୍ୟତୀତ ଆଉ କୌଣସି ଦଳର ଅସ୍ତିତ୍ୱ ନାହିଁ। ସେଥିପାଇଁ ଗତ ୨୦୧୯ ବିଧାନସଭା ନିର୍ବାଚନରେ ନବୀନ ବାବୁ ୬୦ ହଜାରରୁ ଅଧିକ ଭୋଟରେ ଜିତିଥିବାରୁ ବିଜେଡି ଦୃଢ଼ୋକ୍ତି କରିଥିଲା ଯେ, ୨୦୨୪ରେ ୮୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ।

ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଅବସ୍ଥିତ ହିଞ୍ଜିଳିର ଗୋଟିଏ ପାର୍ଶ୍ୱରେ ରହିଛି ଋଷିକୁଲ୍ୟା ନଦୀ ଓ ଅନ୍ୟପଟେ ଘୋଡାହାଡ଼ ନଦୀ। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଭିତରେ ରହିଛି। ଆସିକା ସଂସଦୀୟ କ୍ଷେତ୍ରରେ ସାଂସଦ ଥିବା ବାପା ବିଜୁ ପଟ୍ଟନାୟକଙ୍କ ୧୯୯୭ ମସିହାରେ ଦେହାନ୍ତ ପରେ ଓଡ଼ିଶାଠାରୁ ଅପହଞ୍ଚ ଦୂରତାରେ ରହି ଆସିଥିବା ନବୀନ ପଟ୍ଟନାୟକ ପ୍ରଥମ ଥର ରାଜନୀତି ପଡ଼ିଆରେ ଆକାଶଛତାରୁ ଓହ୍ଲାଇବା ପରି ରାଜନୀତିରେ ପାଦ ରଖିଥିଲେ। ଓଡ଼ିଆ ଭାଷା କହି ପାରୁନଥିବା ନବୀନ ଆସିକାରୁ ଉପନିର୍ବାଚନ ଲଢ଼ି ଅନୁକମ୍ପା ଭୋଟ୍ ପାଇ ଜିତିଥିଲେ ଏବଂ ପୁଣି ଥରେ ୧୯୯୮ ଲୋକସଭା ନିର୍ବାଚନ ଜିତି ସାଂସଦ ହୋଇଥିଲେ। ୨୦୦୦ ମସିହାରେ ସେ ଏହି ପଦରୁ ଇସ୍ତଫା ଦେଇ ନବଗଠିତ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମେଣ୍ଟର ପ୍ରାର୍ଥୀ ଭାବେ ହିଞ୍ଜିଳିରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଲେ। ୫୪ ବର୍ଷ ବୟସରେ ଏହି ଆସନରୁ ଜିତି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ବୟସ ଏବେ ୭୮ ବର୍ଷ। ତଥାପି, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଦାଦନ ସମସ୍ୟାର ସମାଧାନ ହୋଇପାରି ନାହିଁ; ବରଂ ଏହା ଅଧିକ ଗମ୍ଭୀର ରୂପ ନେଇଛି।

ହିଞ୍ଜିଳିରେ ଗମନାଗମନ ପାଇଁ ଭଲ ରାସ୍ତା ଅଛି। ସ୍କୁଲ, କଲେଜ ଓ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ବେଳେ ସବୁକିଛି ଦେଖିବାକୁ ପରିଷ୍କାର ପରିଛନ୍ନ ବି ରହିଛି। ଏଠାରେ ଏକ ଚକ୍ଷୁ ଚିକିତ୍ସାଳୟ ଓ ବ୍ୟାୟାମଶାଳା ମଧ୍ୟ ରହିଛି। ଏଠାରେ ପ୍ରଚୁର ପରିବାପତ୍ର ଚାଷ ହୁଏ ଏବଂ ଏଠାରୁ ସମଗ୍ର ରାଜ୍ୟକୁ ପନିପରିବା ଯୋଗାଣ ମଧ୍ୟ ହୋଇଥାଏ। କିନ୍ତୁ ଏଠାରେ ଶୀତଳ ଭଣ୍ଡାର ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ଏହାର ପରିଣାମ ଚାଷୀଙ୍କୁ ଭୋଗିବାକୁ ପଡ଼ୁଛି। ଏଥିସହିତ ଅନ୍ୟାନ୍ୟ ବିକଳ୍ପ ଚାଷର ଅଭାବ ମଧ୍ୟ ଏଠାରେ ଏକ ବଡ଼ ସମସ୍ୟା। ସରକାରୀ ବିଦ୍ୟାଳୟରେ ପିଲାମାନେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି; କିନ୍ତୁ ଏହା ପରେ ସେମାନଙ୍କୁ ପାଠପଢ଼ା ଛାଡ଼ି ରୋଜଗାର ଖୋଜିବାକୁ ପଡ଼ୁଛି। ସ୍କୁଲ୍ ପଢ଼ା ସରିଲା ପରେ ପିଲାଙ୍କୁ ପଢ଼ାଇବା ପାଇଁ ଲୋକଙ୍କର ଆର୍ଥିକ ସ୍ୱଚ୍ଛଳତା ନାହିଁ। ତେଣୁ ପିଲାମାନେ ମଧ୍ୟ କାମ ଖୋଜିବାକୁ ବାହାରକୁ ଯାଆନ୍ତି। ଫଳରେ ଗଞ୍ଜାମ ଜିଲ୍ଲାରେ ଯେତିକି ଲୋକ ଅଛନ୍ତି, କେବଳ ସୁରଟରେ ସେତିକି ଲୋକ ଅଛନ୍ତି I

୨୦୧୪ ମସିହାରୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାରକୁ ବିଜେଡି ଅକୁଣ୍ଠ ସମର୍ଥନ ଦାନ କରି ଆସିଛି। ପ୍ରତିଦାନରେ ନବୀନ ପଟ୍ଟନାୟକ ସରକାରକୁ ବିଜେପି ମଧ୍ୟ ସମର୍ଥନ ଦେଇଛି। କିନ୍ତୁ ଗତ ସାଧାରଣ ନିର୍ବାଚନ ବେଳେ ଦେଖିବାକୁ ମିଳିଲା ଯେ କ୍ଷମତାରେ ରହିବା ପାଇଁ ଦୁଇଟିଯାକ ଦଳ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଅବତୀର୍ଣ୍ଣ ହେଲେ।

ଗଞ୍ଜାମ ଜିଲ୍ଲା ଏକଦା କଂଗ୍ରେସର ଗଡ଼ ଥିଲା। ୧୯୯୬ ମସିହାରେ ପିଭି ନରସିଂହ ରାଓ ମଧ୍ୟ ବ୍ରହ୍ମପୁରରୁ ଲୋକସଭା ନିର୍ବାଚନ ଜିତିଥିଲେ। ହିଞ୍ଜିଳିରେ ୨୦୦୦ ନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ ୩୬.୬୫ ଥିବା ବେଳେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଏହା ୫ ପ୍ରତିଶତ ଓ ୨୦୨୪ରେ ୩.୭୯ ପ୍ରତିଶତକୁ ଖସି ଆସିଛି। ଓଡ଼ିଶାବାସୀ ଜାତୀୟ ଦଳ ଅପେକ୍ଷା ରାଜ୍ୟର ଆଞ୍ଚଳିକ ଦଳକୁ ଅଧିକ ପସନ୍ଦ କରୁଥିବାରୁ ଏଠାକାର ଲୋକେ ନବୀନଙ୍କୁ ୨୪ ବର୍ଷ ଧରି ନିର୍ବାଚିତ କରି ଆସୁଛନ୍ତି। ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ସ୍ୱଚ୍ଛ ଏବଂ ତାଙ୍କର ନିଜସ୍ୱ ପରିବାର ନଥିବାରୁ ସେ ନିସ୍ୱାର୍ଥପର ଭାବରେ ରାଜ୍ୟର ସେବା କରୁଛନ୍ତି। ଏଣୁ ସେ ଜଣେ ଭଲ ନେତା। ଏପରି ନୁହେଁ ଯେ ତାଙ୍କ ଦଳକୁ ରାଜନୈତିକ ପାଣ୍ଠି ମିଳୁନାହିଁ, ଦଳୀୟ ନେତା ଓ ମନ୍ତ୍ରୀମାନେ ଦୁର୍ନୀତି ମୁକ୍ତ। ତଥାପି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ସ୍ୱଚ୍ଛ ବୋଲି ଲୋକେ ବିଶ୍ୱାସ କରି ଚାଲିଛନ୍ତି।

ସମଗ୍ର ଓଡ଼ିଶା ଭଳି ହିଞ୍ଜିଳିରେ ନବୀନଙ୍କ ଲୋକପ୍ରିୟତାର ଆଉ ଏକ ବଡ଼ କାରଣ ହେଉଛି ମହିଳା ଭୋଟର। ମହିଳାମାନଙ୍କ ପାଇଁ ମିଶନ ଶକ୍ତି ଯୋଜନା ଆରମ୍ଭ କରାଯାଇଛି, ଯେଉଁଥିରେ ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ କାମ କରିବା ପାଇଁ ବିନା ସୁଧରେ ଋଣ ପ୍ରଦାନ କରାଯାଉଛି। ଗାଁରେ କରାଯାଉଥିବା କିଛି କାମ ପାଇଁ ସେମାନଙ୍କୁ ଠିକା ମଧ୍ୟ ଦିଆ ଯାଉଥିଲା। ଏପରିକି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜିଲ୍ଲା ସଂଯୋଜିକା ପ୍ରମିଳା ବିଶୋୟୀଙ୍କୁ ୨୦୧୯ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ କରା ଯାଇଥିଲା। ଏହା ଦ୍ୱାରା ଦଳକୁ ଫାଇଦା ମଧ୍ୟ ମିଳୁଛି।

ନବୀନ ଲୋକଙ୍କୁ ନଭେଟୁ ଥିଲେ ବି, ସେମାନଙ୍କ ସହ କଥାବାର୍ତ୍ତା କରୁ ନଥିଲେ ବି ସେ ଲୋକପ୍ରିୟତା ବଜାୟ ରଖିବାର କାରଣ ହୁଏତ ହିଞ୍ଜିଳିର ଅଦ୍ଭୁତ ଇତିହାସ। ୧୯୫୨ରୁ ୧୯୮୦ ପର୍ଯ୍ୟନ୍ତ କଂଗ୍ରେସର ବୃନ୍ଦାବନ ନାୟକ ଏଠାରୁ ବିଜୟୀ ହେଉଥିଲେ। ଏଠାରେ ନିର୍ବାଚନ ସବୁବେଳେ ଏକତରଫା ହୋଇଆସିଛି। ପରିବର୍ତ୍ତନ ସପକ୍ଷରେ ହିଞ୍ଜିଳିର ଜନସାଧାରଣ ରହୁଥିବାର ଦେଖା ଯାଏନା। ତଥାପି, ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ନବୀନ ବାବୁ ଆଶ୍ଚର୍ଯ୍ୟଜନକ ଫଳାଫଳ ପ୍ରଦର୍ଶନ କଲେ। ୨୦୧୯ ନିର୍ବାଚନରେ ୬୦,୧୬୦ ଭୋଟ ବ୍ୟବଧାନରେ ବିଜୟୀ ନବୀନ ଏଥର ଅବଶ୍ୟ ଜିଣିଲେ; କିନ୍ତୁ ତାଙ୍କର ଭୋଟ ବ୍ୟବଧାନ ଖସିଆସିଲା ମାତ୍ର ୪,୬୩୬ ଖଣ୍ଡକୁ। ବିଜେଡିର ଖର୍ଚ୍ଚ ବହୁଳ ପ୍ରଚାର, ଦୃଢ଼ ସଙ୍ଗଠନ ସତ୍ତ୍ୱେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଭାଜପାର ନୂଆ ପ୍ରାର୍ଥୀ ଶିଶିର ମିଶ୍ର ନିଜ ଦଳ ସପକ୍ଷରେ ୧୯.୬୮ ପ୍ରତିଶତ ସମର୍ଥନ ବଢ଼ାଇ ପାରିବା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। ନବୀନ ପଟ୍ଟନାୟକଙ୍କ ବୟସ ତାଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ଥିଲା। ତାଙ୍କର ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟାକୁ ପାଥେୟ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଇଥିଲା; ଯେପରିକି ରାଜ୍ୟବାସୀ ତାଙ୍କୁ ଶେଷ ଥର ପାଇଁ ସୁଯୋଗ ଦେବେ। ସମସ୍ୟାକୁ ସୁଯୋଗରେ ପରିଣତ କରିବାରେ ଧୂରୀଣ ନବୀନ ପଟ୍ଟନାୟକଙ୍କ ଚାଲ ହିଞ୍ଜିଳିରେ କାମ ଦେଇଥିଲା ବେଳେ କଣ୍ଟାବାଞ୍ଝିର ମତଦାତା ନବୀନଙ୍କୁ ପ୍ରତ୍ୟାଖ୍ୟାନ କଲେ।

ବିଜୁ ଜନତା ଦଳମଧ୍ୟରେ ଦ୍ୱିତୀୟ ଧାଡ଼ିର ନେତୃତ୍ୱ ସୃଷ୍ଟି କରିବାରେ ନବୀନଙ୍କ ବିଫଳତା ତାଙ୍କୁ ମହାଙ୍ଗା ପଡ଼ିଲା। ଏହା ଥିଲା ତାଙ୍କ ଆଗରେ ଦ୍ୱିତୀୟ ଆହ୍ୱାନ। ତାଙ୍କ ଉତ୍ତରାଧିକାରୀ ପ୍ରଶ୍ନରେ ନବୀନ ପଟ୍ଟନାୟକ କହି ଆସିଛନ୍ତି ଯେ, ଓଡ଼ିଶାବାସୀ ତାଙ୍କର ଉତ୍ତରାଧିକାରୀ ଚୟନ କରିବେ। କିନ୍ତୁ ଲୋକମାନେ ପ୍ରଶାସକରୁ ରାଜନେତା ପାଲଟିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ରାଲି ଓ ରୋଡ଼ ସୋ ଦେଖିଲେ। ଲୋକମାନେ ଏଥିରୁ ପାଉଥିବା ସଙ୍କେତଗୁଡ଼ିକୁ ପଢ଼ିଲେ ଏବଂ ଦେଖିଲେ ଯେ ଜଣେ ତାମିଲନାଡ଼ୁ ଜନ୍ମିତ ଲୋକ ଦଳର ସବୁଠାରୁ ଶକ୍ତିଶାଳୀ ନେତା ଭାବେ ନବୀନଙ୍କ ଆଶୀର୍ବାଦ ପାଇ ଭବିଷ୍ୟତ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରସ୍ତୁତ କରୁଛି! ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟ ପ୍ରଶ୍ନ ହେଲା, “ନବୀନ ପଟ୍ଟନାୟକଙ୍କ ସ୍ଥାନରେ ଲୋକେ ପାଣ୍ଡିଆନଙ୍କୁ ଦେଖିବାକୁ ଚାହିଁବେ ନା ଆଉ କାହାକୁ ଦେଖିବାକୁ ଚାହୁଁଛନ୍ତି?” ଏହି ପ୍ରଶ୍ନର ଉତ୍ତର ଭିତରେ ଛପି ରହିଥିଲା ବିଜୁ ଜନତା ଦଳର ଭବିଷ୍ୟତ ରାଜନୀତି। ସେଇଥିରୁ ଯେଉଁ ପ୍ରସଙ୍ଗ ସୃଷ୍ଟିହୋଇ ବିଜୁ ଜନତା ଦଳ ପାଇଁ ବିପର୍ଯ୍ୟୟ ସୃଷ୍ଟି କଲା, ତାହାର ନାଁ ‘ଓଡ଼ିଆ ଅସ୍ମିତା’I

ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତିରେ ବିଶ୍ୱାସ କରିବା ପରିବର୍ତ୍ତେ ଏଠାକାର ଯୁବପିଢ଼ି ପରିବର୍ତ୍ତନ ଉପରେ ଆଶା ରଖିଲେ। ମହିଳାମାନେ, ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ପ୍ରତିଶ୍ରୁତିରେ ବିଶ୍ୱାସ କରିବାକୁ ଆରମ୍ଭ କଲେ। ନିର୍ବାଚନରେ ରାଜନୈତିକ ଦଳମାନେ ଏଠାରେ ଦାଦନ ସମସ୍ୟାକୁ ଏକ ପ୍ରସଙ୍ଗ କରି ଲୋକଙ୍କୁ ଆଲୋଡିତ କରିବାରେ ସକ୍ଷମ ହେଲେ। ସବୁଠୁ ବଡ଼କଥା ଯେ, ହିଞ୍ଜିଳିବାସୀଙ୍କ ମୋହଭଙ୍ଗ ହେଲା। ଆସ୍କା ଚିନିକଳ ରୁଗ୍ଣ ହୋଇଯାଇ ଥିବାରୁ ଆଖୁଚାଷ କମିଯାଇଥିଲା। ତାହା ସହିତ, ଜିଲ୍ଲାରେ ଗୋଟିଏ ବି ଶିଳ୍ପସଂସ୍ଥା ନଥିବାରୁ ଲୋକମାନେ ଅସନ୍ତୁଷ୍ଟ ରହିଥିଲେ। ଜଳସେଚନ ଓ ପାନୀୟ ଜଳ ବ୍ୟବସ୍ଥିତ ନଥିବାରୁ ଚାଷୀମାନେ ଅସନ୍ତୁଷ୍ଟ ଥିଲେ, କୃଷିଭିତ୍ତିକ ଶିଳ୍ପ ପ୍ରାୟ ନଥିଲା। ଯାହାସବୁ ବିକାଶ ହୋଇଥିବାର ଦାବି ହେଉଥିଲା, ସେସବୁ ରୋଜଗାର ଓ ନିଯୁକ୍ତି ସୁଯୋଗ ଦେଇନି ବୋଲି ଲୋକମାନେ ଅନୁଭବ କଲେ। ତାହା ଉପରେ, ନବୀନଙ୍କୁ ଭୋଟ୍ ଦେଲେ, ଓଡ଼ିଆ ଅସ୍ମିତା ନଷ୍ଟ ହେବ, ନବୀନରାଜ ବଦଳରେ, ପାଣ୍ଡିଆନରାଜ ଚାଲିବ ବୋଲି ଲୋକମାନେ ଆଶଙ୍କା କଲେ। ସେଥିପାଇଁ, ଲୋକମାନେ , ପୂର୍ବଭଳି ସମର୍ଥନ ଦେବାରୁ ଓହରି ଯାଇଛନ୍ତି। ଫଳ ଯାହା ହେଲା, ତାହା ଆମ ସମ୍ମୁଖରେ। ଲୋକଙ୍କ ସହ ପ୍ରତାରଣା ଯେ ଏଭଳି ପରିଣତି ଆଡ଼କୁ ସୁଅ ଭଳି ମାଡ଼ିଯିବ, ତାହା ସମସ୍ତଙ୍କୁ ଆଚମ୍ବିତ କରିଛି। ବିଜେଡି କ୍ଷମତାରୁ ବାହାରି ଯାଇଛି, ନବୀନ ବାବୁ ହିଞ୍ଜିଳିରେ ଅଳ୍ପକେ ଜିତି ଯାଇଥିଲେ ହେଁ କଣ୍ଟାବାଞ୍ଝିରେ ଜୀବନରେ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିଛନ୍ତି।

ଏହା ହିଁ ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ଅହଙ୍କାର ତଥା ଧର୍ମ ଓ ଜାତି ଆଧାରିତ ରାଜନୀତି ନୁହେଁ, ଲୋକମାନେ ଅନୁଭବ କରିହେଉଥିବା ଆର୍ଥିକ ବିକାଶ ଚାହୁଁଛନ୍ତି; ଏହା ନେତାମାନେ ଯେତେ ଶୀଘ୍ର ବୁଝି ପାରିବେ, ସେତେ ଭଲ।

Related Post

Leave a Reply

Your email address will not be published. Required fields are marked *