ll ଇନ୍ଦିରା ଏକାଦଶୀ ll
ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ଏକାଦଶୀ ଏହାର ନାମ ‘ଇନ୍ଦିରା ଏକାଦଶୀ’। ଏହି ବ୍ରତର ପ୍ରଭାବରେ ବଡ଼ ବଡ଼ ପାପ ନଷ୍ଟ ହୋଇଯାଏ । ଏହି ଏକାଦଶୀ ପିତୃପକ୍ଷରେ ପଡ଼ୁଥିବାରୁ ଏହାର ମହତ୍ତ୍ୱ ସର୍ବାଧିକ। କାରଣ, ଏହି ଏକାଦଶୀ ବ୍ରତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବ୍ରତ ପାଳନ କରି ତାର ପୁଣ୍ୟ ଫଳ ପିତୃପୁରୁଷଙ୍କୁ ଅର୍ପଣ କରିବା। ଏହାଦ୍ବାରା ସେମାନଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ।
ଏ ସଂପର୍କରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି। ସତ୍ୟଯୁଗରେ ମାହିଷ୍ମତିପୁରରେ ଇନ୍ଦ୍ରସେନ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ସେ ଅତ୍ୟନ୍ତ ଧର୍ମଜ୍ଞ ଓ ନ୍ୟାୟବନ୍ତ ଧର୍ମପରାୟଣ ହୋଇଥିବାରୁ ତାଙ୍କର ଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଥିଲା । ରାଜା ଇନ୍ଦ୍ରସେନ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ତଲ୍ଲୀନ ରହି ଗୋବିନ୍ଦଙ୍କର ମୋକ୍ଷଦାୟକ ନାମ ଜପ କରି ସମୟ ଅତିବାହିତ କରୁଥିଲେ । ତେଣୁ ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ ବସବାସ କରୁଥିଲେ। ଦିନେ ରାଜା ରାଜ ଦରବାରରେ ବସିଥିବା ସମୟରେ ଦେବର୍ଷି ନାରଦ ସେଠାରେ ପହଞ୍ଚିଲେ । ତାଙ୍କୁ ଆସିବାର ଦେଖି କରଯୋଡ଼ି ଠିଆହେଲେ ଓ ବିଧିପୂର୍ବକ ପୂଜାକରି ଆସନରେ ବସାଇଲେ । ଆସିବାର କାରଣ ଜିଜ୍ଞାସା କଲେ । ନାରଦ କହିଲେ - ଶୁଣ ରାଜନ୍ ! ମୁଁ ଯମଲୋକକୁ ଯାଇଥିଲି ଓ ସେଠାରେ ତୁମ ପିତାଙ୍କୁ ଦେଖିଲି । ସେ ବ୍ରତଭଙ୍ଗ ଦୋଷରୁ ନର୍କଯନ୍ତ୍ରଣା ଭୋଗକରୁଛନ୍ତି । ସେ ମୋହାତରେ ସନ୍ଦେଶ ପଠାଇଛନ୍ତି, ଏହା ଶୁଣି ଇନ୍ଦ୍ରସେନ ଅତ୍ୟନ୍ତ ଦୁଃଖିତ ହେଲେ। ତେଣୁ ନାରଦ ତାଙ୍କୁ ଉପଦେଶ ଦେଲେ। ତୁମେ ନିଷ୍ଠାର ସହିତ ଆଶ୍ୱିନ କୃଷ୍ଣ ପକ୍ଷର ଇନ୍ଦିରା ଏକାଦଶୀ ବ୍ରତ କରି ତାର ପୁଣ୍ୟ ଫଳ ଯଦି ତୁମର ପିତାଙ୍କୁ ଅର୍ପଣ କରିବ ସେ ପୁନଶ୍ଚ ସ୍ୱର୍ଗଲୋକ ଗମନ କରିବେ। ରାଜା ଇନ୍ଦ୍ରସେନ ନାରଦଙ୍କ କହିବା ଅନୁସାରେ ବ୍ରତ ପାଳନ କଲେ । ବ୍ରତ ପୂର୍ଣ୍ଣ ହେବା ପରେ ଆକାଶରୁ ପୁଷ୍ପ ବୃଷ୍ଟି ହେଲା । ଇନ୍ଦ୍ରସେନଙ୍କ ପିତା ଗରୁଡ଼ରେ ବସି ବିଷ୍ଣୁଧାନକୁ ଚାଲିଗଲେ ଓ ଇନ୍ଦ୍ରସେନ ମଧ୍ୟ ନିଷ୍କଣ୍ଟକ ରାଜ୍ୟ ଭୋଗ କରି ନିଜର ପୁତ୍ରକୁ ରାଜସିଂହାସନରେ ବସାଇ ସ୍ୱର୍ଗକୁ ଚାଲିଗଲେ ।ଏହାକୁ ପଠନ ଓ ଶ୍ରବଣ କରି ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ ।
ll ବ୍ରତ ବିଧି ll :-
ଆଶ୍ୱିନ ମାସ କୃଷ୍ଣପକ୍ଷର ଦଶମୀ ଦିନ ପ୍ରାତଃକାଳରେ ସ୍ନାନ କରିବା ସହିତ ମଧ୍ୟାହ୍ନରେ ପୁଣି ଅବଗାହନ କରି ଭୋଜନ କରିବା ଉଚିତ୍ । ରାତିରେ ଭୂମିରେ ଶୟନ କରିବା ନିୟମ ରହିଛି । ଏକାଦଶୀ ଦିନ ସ୍ନାନ ଶୌଚ ହୋଇ
“ଅଦ୍ୟ ସ୍ଥିତ୍ୱା ନିରାହାରାଃ ସର୍ବଭୋଗ ବିବର୍ଜିତଃ ।
ଶ୍ୱୋ ଭୋକ୍ଷେ ପୁଣ୍ଡରୀକାକ୍ଷ ଶରଣଂ ମେ ଭବାଚ୍ୟୁତ ।।”
ଏହି ମନ୍ତ୍ର ପାଠ କରି ଉପବାସର ନିୟମ ପାଳନ କରିବା ଜରୁରୀ । ଏହିପରି ନିୟମ ଅନୁସରଣ କରି ମଧ୍ୟାହ୍ନ କାଳରେ ପିତରଙ୍କ ପ୍ରସନ୍ନତା ନିମନ୍ତେ ଶାଳଗ୍ରାମ-ଶିଳା ସମ୍ମୁଖରେ ବିଧିପୂର୍ବକ ଶ୍ରାଦ୍ଧ ଦେବା ସହିତ ଦକ୍ଷିଣାଦ୍ୱାରା ବ୍ରାହ୍ମଣଙ୍କୁ ସତ୍କାର କରି ତାଙ୍କୁ ଭୋଜନ ଦେବା ଉଚିତ୍ । ପିତୃପୁରୁଷଙ୍କୁ ଦିଆଯାଇଥିବା ଅନ୍ନପିଣ୍ଡକୁ ଶୁଙ୍ଘି ଗାଈକୁ ଖୁଆଇ ଦିଆଯାଏ । ପୁଣି ଧୂପ ଓ ଗନ୍ଧଦ୍ୱାରା ଭଗବାନ୍ ହୃଷିକେଶଙ୍କ ପୂଜା କରି ରାତିରେ ତାଙ୍କ ପାଖରେ ଉଜାଗର ରହିବ । ସକାଳ ହେଲେ ଦ୍ୱାଦଶୀ ଦିନ ପୁଣି ଭକ୍ତିପୂର୍ବକ ଶ୍ରୀହରିଙ୍କର ପୂଜା କରିବ । ଏହା ପରେ ବ୍ରାହ୍ମଣଙ୍କୁ ଭୋଜନ କରାଇ ଭାଇ-ବନ୍ଧୁ ନାତି ଓ ପୁତ୍ରମାନଙ୍କ ସହିତ ସ୍ୱୟଂ ମୌନପୂର୍ବକ ଭୋଜନ କର । ଏହିଦିନ ରସୁଣ, ପିଆଜ, ବାଇଗଣ, ମାଂସ, ମଦିରା, ପାନ, ଗୁଆ, ତମାଖୁ ଆଦିର ସେବନ ନିଷିଦ୍ଧ। ବ୍ରତ ସମାପ୍ତ ହେବା ପରେ ତାହାର ପୁଣ୍ୟଫଳ ପିତୃପୁରୁଷଙ୍କୁ ସମର୍ପଣ କଲେ ସେମାନଙ୍କର ମୋକ୍ଷପ୍ରାପ୍ତି ହେବ।
ll ଆଶ୍ୱିନ କୃଷ୍ଣ ଇନ୍ଦିରା ଏକାଦଶୀ ବ୍ରତ ମାହାତ୍ମ୍ୟ ll:-
ll ଯୁଧିଷ୍ଠିର ଉବାଚ ll
କହନ୍ତି ପଣ୍ଡୁଙ୍କ ନନ୍ଦନ l ଶୁଣନ୍ତୁ ଶ୍ରୀ ମଧୁସୁଦନ ll
ଆଶ୍ଵିନ କୃଷ୍ଣ ଏକାଦଶୀ l କି ନାମ ବୋଲି ତାକୁ ଭାଷି ll
କି ଅବା ଅଛଇ ବିଶେଷ l କହିବା ପ୍ରଭୁ ପୀତବାସ ll
ll ଶ୍ରୀକୃଷ୍ଣ ଉବାଚ ll
କହନ୍ତି କୃଷ୍ଣ ନୃପ ଶୁଣ l ଇନ୍ଦିରା ନାମ ତାର ଜାଣ ll
ସେ ମହାବ୍ରତର ପ୍ରତାପେ l ନାଶ ଯାଆନ୍ତି ମହାପାପେ ll
ଯେ ଅଧୋଯୋନିଗତ ନର l ଉଦ୍ଧାର ହୁଅନ୍ତି ସତ୍ଵର ll
ଶୁଣ ହେ ସାବଧାନ ତଥା l ଯେ ପାପ ହରଇ ସର୍ବଥା ll
ଏକା ହିଁ ମାହୀଷ୍ମତୀ ଭାଗେ l ନୃପତି ପୂର୍ବେ ସତ୍ୟଯୁଗେ ll
ନାମରେ ଇନ୍ଦ୍ରସେନ ଜାଣ l ଯେ ରିପୁ କୁଳର ଶମନ ll
ଧର୍ମରେ ପାଳିଲାକ ମହୀ l ପୁତ୍ର ପୌତ୍ରରେ ଯୁକ୍ତ ହୋଇ ll
ଯଶସ୍ବୀ ଧନ ଧାନ୍ୟବନ୍ତ l ଯେ ଦାନୀ ମାନୀ ବିଷ୍ଣୁ ଭକ୍ତ ll
ମୁକ୍ତିର ଗୋବିନ୍ଦ ନାମକୁ l ଜପନ୍ତି ପାନ୍ତି ଆଧ୍ୟାତ୍ମ୍ୟକୁ ll
ନେଲେ ସେ ଦାନ ପୁଣ୍ୟ କାଳ l ସର୍ବତ୍ର ଜୟ ଯାର କାଳ ll
ଏକ ଦିନରେ ସଭାଘରେ l ବସିଅଛନ୍ତି ସେ ସୁଖରେ ll
ଅଶ୍ୱରୁ ଓହ୍ଲାଇ ନାରଦ l ପ୍ରବେଶ ହୋଇଲେ ସଂସଦ ll
ଦେଖି ଉଠିଲେ ହସ୍ତ ଯୋଡ଼ି l ବିଧିରେ ନମସ୍କାର କରି ll
ଯୋଗ୍ୟ ଆସନେ ବସାଇଲେ l ପୂଜାର ବିଧି ପଚାରିଲେ ll
ରାଜାଙ୍କ ପୂଜା ଅର୍ଘ୍ୟ ଘେନି l ସୁଖେ ଆସନେ ବସି ମୁନି ll
ହସି କହିଲେ ନୃପବର l ସପ୍ତାଙ୍ଗେ କୁଶଳ ତୁମର ll
ଧନରେ ଅଛି ଟିକି ମନ l ବିଷ୍ଣୁ ଭକ୍ତିରେ କରି ଧ୍ୟାନ ll
ll ରାଜୋବାଚ ll
ତୁମ୍ଭ ପ୍ରସାଦେ ମୁନିଶ୍ରେଷ୍ଠ l ସର୍ବତ୍ର କୁଶଳ ଗରିଷ୍ଠ ll
ଯହିଁରେ ତୁହି ଦାନ ପୁଣ୍ୟ l ସେ ହେଲେ ସୁଫଳ ମୁଁ ଧନ୍ୟ ll
ତୁମ୍ଭେ ସାକ୍ଷାତ ମୁନିଶ୍ବର l ପ୍ରବେଶ ହେଲେ ମୋର ପୁର ll
ବିସ୍ପୃହ ତପସିଦ୍ଧ ତୁମ୍ଭେ l ଆଗମ ହେତୁ କି ସମ୍ଭବେ ll
ତଥାପି ପର ଉପକାରେ l ତୁମ୍ଭେ ବୁଲୁଛ ଏ ସଂସାରେ ll
ଏ ଘେନି ପଚାରୁଛି ମୁହିଁ l କହି ନିଷ୍ପାପ କରି ତୁହି ll
ଆଗମ କାରଣ କହିବ l ଆମ୍ଭଙ୍କୁ ଦୁସ୍ତରୁ ତାରିବ ll
ବିସ୍ମୟପ୍ରଦ ମୋ ବଚନ l ଶୁଣ ହେ ରାଜା ଇନ୍ଦ୍ରସେନ ll
ଏକଇ ଦିନ ଉତ୍ସୁକରେ l ବାହାର ହେଲି ଭ୍ରମଣରେ ll
ମନ ଉତ୍ସାହେ ଏକଦିନେ l ଗଲି ମୁଁ ଯମଙ୍କ ସଦନେ ll
ଦେଖିଲି ସଭାକରି ଯମ l ବସି ଅଛନ୍ତି କିବା ସୋମ ll
କହୁଅଛନ୍ତି ଧର୍ମମାନ l ପ୍ରାୟସ ଯେ ଧର୍ମରାଜନ ll
ଶୁଣୁଅଛନ୍ତି ତତ୍ଵବାଦ l ଋଷିମାନଙ୍କ ଯେ ସମ୍ବାଦ ll
ଦେଖି ଝଟତି ଉଠି ଯମ l କରିଣ ମୋ ପାଦେ ପ୍ରଣାମ ll
ଦେଇ ଉଚିତ ପୀଠ ଆଣି l କଲେ କୁଶଳ ପ୍ରଶ୍ନବାଣୀ ll
ଆଜ ସୁଯୋଗ ଯୋଗୀବର l ପ୍ରବେଶ ହେଲେ ମୋର ପୁର ll
ଶ୍ରୀଗୀତା ଭାଗବତ ଚିନ୍ତା l ଫଳ ଏ ଅନ୍ୟରେ ନୁହଁନ୍ତା ll
କାହିଁ ନାରଦ ଦେବରଷି l କାହିଁ ଏ ଯମପୁର ବାସୀ ll
ଈଶ୍ଵର ଅନୁଗ୍ରହ ବିନା l ଏହା ନୁହଁଇ ଏକା ସିନା ll
ଦେଖିଲି ଧର୍ମରାଜା ପାଖେ l ଅଛନ୍ତି ଧର୍ମଶୀଳ ଲୋକେ ll
ଯେ ପୁଣ୍ୟକରି ସତ୍ୟ ଭାଷେ l ସେହି ଯେ ଯମପାଶେ ବସେ ll
ଈଦୃଶ ଯମ ସ୍ଵଭାବତ l ହୋଇଅଛନ୍ତି ତୁମ୍ଭ ତାତ ll
ବ୍ରତ କୈବଲ୍ୟ ଦୋଷ ହେତୁl ଦେଖିଲି ମାହୀଷ୍ମତୀ କେତୁll
ସେ କହିଅଛନ୍ତି ସନ୍ଦେଶ l ଶୁଣ ହୋ ମାହୀଷ୍ମତୀ ଈଶ ll
ଯେ ଇନ୍ଦ୍ରସେନ ହୋଇ ଖ୍ୟାତ l ଅଛନ୍ତି ମାହୀଷ୍ମତୀ ନାଥ ll
ତାଙ୍କ ଆଗରେ କହ ଯାଇ l ତମ ପାଖରେ ଅଛି ମୁହିଁ ll
ପୂରୁବ ଜନ୍ମର ଦୁରିତ l କି ଅବା ହୋଇଲା ଉଦିତ ll
ଇନ୍ଦିରା ବ୍ରତ ପୁଣ୍ୟ ଦେଇ l ନିଅ ସ୍ୱର୍ଗକୁ ମୋତେ ତୁହି ll
ଏମନ୍ତ ତୁମ୍ଭ ପିତା ବାକ୍ୟେ l ଅଇଲି ଜାଣ ସତ୍ୟ ବାକ୍ୟେ। ll
ପିତାଙ୍କ ସ୍ୱର୍ଗ କାମ ହୋଇ l କର ଇନ୍ଦିରା ବ୍ରତ ତୁହି ll
କରିଣ ଅନୁଗ୍ରହ ମୋତେ l କହନ୍ତୁ ଏ ବ୍ରତ କେମନ୍ତେ ll
କେଉଁ ବିଧିରେ ଏ ଇନ୍ଦିରା l ବାର ଏ କିବା ତିଥିବରା ll
ହେ ରାଜା ଇନ୍ଦ୍ର ଶୁଣ ତୁହି l ଏ ବ୍ରତ ଶୁଭ ବିଧି କହି ll
ଆଶ୍ୱିନ କୃଷ୍ଣ ଦଶମୀରେ l କରିବ ପ୍ରାତଃସ୍ନାନ ନରେ ll
ଶ୍ରଦ୍ଧା ରଖିବ ମାନସରେ l ଯେ ରୂପେ ପାପ ମାନସରେ ll
ମଧ୍ୟାହ୍ନ ସମୟକୁ ଜାଣି l ସ୍ନାନ କରିବ ନରେ ପୁଣି ll
କରିବ ଇଷ୍ଟ କର୍ମ ମାନ l ଭକ୍ତିରେ ହବିଷ୍ୟ ଭୋଜନ ll
ଛାଡ଼ିବ ଜାୟା ଶଯ୍ୟା ସଙ୍ଗl ଶୟନ କରିବ ଭୂଭାଗ ll
ରହିବ କାମ କ୍ରୋଧ ଜିଣି l ନେବ ଦଶମୀ ନିଶି ପୁଣି ll
ବିମଳ ପ୍ରାତଃକାଳ ଦିଶି l ଜାଣିବ ହେଲା ଏକାଦଶୀ ll
ଦନ୍ତ ଧାବନ ପୂର୍ବ କରି l ମୁଖରେ ପ୍ରକ୍ଷାଳନ ସାରି ll
ଉପବାସର ସେ ନିୟମ l ସୁମକ୍ତ ଭାବରେ ଘେନିଣ ll
ଆଜି ହୋଇବ ନିରାହାର l ସମସ୍ତ ଭୋଗ କରି ଦୂର ll
କାଲି ଭୁଞ୍ଜିବ ତହିଁ ଅନ୍ତେ l ଶରଣ ପୁଣ୍ଡରିକ ନେତ୍ରେ ll
ଏ ରୂପେ କରିଣ ନିୟମ l ମଧ୍ୟାହ୍ନେ ପୁଣ କରି ସ୍ନାନ ll
ବସାଇ ଆଗେ ଶାଳଗ୍ରାମ l କରିବ ଯେ ବିଧି ନିୟମ ll
ପିତୃ ମାତୃଙ୍କ ଶ୍ରଦ୍ଧା ପାଇ l କରିବ ଶ୍ରାଦ୍ଧ ଶ୍ରଦ୍ଧା ବହି ll
ଗୋଧୂମ ମାସ ଯବଧାନ l ଚଣକ ବ୍ରୀହି ତିଳ ଘେନ ll
ଏହିମାନଙ୍କେ ଶ୍ରାଦ୍ଧ କର l ଏ ପିତୃଲୋକ ଶ୍ରଦ୍ଧାକର ll
ନିତ୍ୟ ଏ ଉପବାସ ଜାଣ l ଶ୍ରଦ୍ଧାକୁ ନୈମିତ୍ତିକ ଗଣ ll
ଆଘ୍ରାଣ କରି ପିତୃ ଦତ୍ତ l କରିଣ ଉପବାସ ବ୍ରତ ll
ଏ ଶ୍ରାଦ୍ଧ କରି ପିତୃ ଦିନେ l ଯେବେ ନ ଭୁଞ୍ଜି ବିପ୍ରଜନେ ll
ଦେବତା ହବ୍ୟ ନ ଘେନନ୍ତି l କବ୍ୟକୁ ପିତାଏ ତେଜନ୍ତି ll
ଯେ ଅଛି ଶାସ୍ତ୍ରମାନଙ୍କରେ l ଆଘ୍ରାଣେ ଅଧ ଭୋଜନରେ ll
ଯେ ଏକାଦଶୀ ପର ନୋହେ l ଯେଣୁ ଏ ଦିନ ପାପରହେ ll
ରହନ୍ତି ଅନ୍ନ ଆଶ୍ରେ କରି l ଏଣୁ ଏ ଦିନେ ଅନ୍ନ ଛାଡ଼ି ll
ଆଘ୍ରାଣ କରି ପିତୃ ଅନ୍ନ l ସାର ଯେ ଶ୍ରାଦ୍ଧ ବିଧିମାନ ll
ବ୍ରାହ୍ମଣେ ଦେବ ସୁଭୋଜନ l ଦକ୍ଷିଣା ଦାନେ ତୋଷି ମନ ll
ସୁଗନ୍ଧ ଧୂପ ଦୀପ ବାସ l ଦେଇ ପୂଜିବ ହୃଷୀକେଶ ll
ରାତ୍ରରେ ଜାଗରଣ କରି l ଥିବ କେଶବ ଅନୁସରି ll
ଶର୍ବରୀ ଯାଇ ପ୍ରାତଃ କାଳେ l ପ୍ରବେଶ ଦ୍ୱାଦଶୀର ବେଳେ ll
ଯାଇଣ ସ୍ନାନ ବିଧି ସାରି l ଭକ୍ତିରେ ପୂଜ ନରହରି ll
ସାରିବ ମଧ୍ୟାହ୍ନିକ ବିଧି l ପୂଜା କରିବ କୃପାନିଧି ll
ହବିଷ୍ୟ ଅନ୍ନକୁ ଭୁଞ୍ଜିବ l ଏ କାଳେ କଥା ନ କହିବ ll
ଯେ ମହାରାଜା ଏ ବିଧିରେ l କରିବ ବ୍ରତକୁ ଆଦରେ ll
ତୁମ୍ଭର ପିତୃ ଲୋକମାନେ l ବିଷ୍ଣୁ ଲୋକକୁ ଯିବେ ଏଣେ ll
କୃଷ୍ଣ କହିଲେ ଯୁଧିଷ୍ଠିର l ଏମନ୍ତ କହି ଋଷିବର ll
ଗଲେ ସେ ଅନ୍ତର୍ଦ୍ଧାନ ହୋଇ l ଇନ୍ଦ୍ରସେନକୁ ଚିନ୍ତା ଦେଇ ll
ଇନ୍ଦିରା ବ୍ରତ ନିକଟରେ l ଡିଣ୍ଡିମ ଦେଲେ କଟକରେ ll
ଆଜ ହବିଷ ସର୍ବେ କର l ଆଜ ଇନ୍ଦିରା ବ୍ରତ କର ll
ଶୁଣି ଏ ଡିଣ୍ଡିମର ଧ୍ୱନି l ବ୍ରତେ ସମସ୍ତେ ସାବଧାନି ll
ବ୍ରାହ୍ମଣମାନଙ୍କୁ ବିଚାରି l କଲେ ଯେ ବିଧାନ ପ୍ରଚାରି ll
ଆଶ୍ୱିନ କୃଷ୍ଣ ଏକାଦଶୀ l ଯାହାକୁ ଇନ୍ଦିରା ଆଭାଷି ll
ଏ ବ୍ରତ କରିବ ସମସ୍ତେ l ଇନ୍ଦ୍ରସେନର ଆଜ୍ଞା ମତେ ll
ପ୍ରାତଃ କାଳରୁ ସ୍ନାନ ସାରି l ସେ ମାହୀଷ୍ମତୀ ଦଣ୍ଡଧାରୀ ll
ଦଶମୀ ବିଧି ଆଚରିଲେ l ଯେ ଅବା ଅନ୍ତପୁରେ ଥିଲେ ll
ଜାୟା ଆତ୍ମଜ ଘେନି ରାଜା l ବିଷ୍ଣୁଙ୍କୁ ଅନ୍ନ କରି ପୂଜା ll
ହବିଷ୍ୟ କରି ତଳେ ଶୋଇ l କଲେ ଦଶମୀ ବ୍ରତ ସେହି ll
ଦଶମୀ ହେଲା ଅବଶେଷ l ଦିଶିଲା ଦିଶେ ରବି ତ୍ରାସ ll
ନୃପତି ଅବକାଶ ହେଲେ l ସ୍ନାନ କରିଣ ବିଜେ କଲେ ll
ସଂକଳ୍ପ ଏକାଦଶୀ କଲେ l ଯେ ରୂପେ ନାରଦ କହିଲେ ll
ସ୍ନାନ ଶ୍ରବଣ ଉପବାସ l ଜାଗର ବିଷ୍ଣୁ ପୂଜା ରସ ll
ଭାବି ନାରଦ ଉପଦେଶ l କଲେ ସେ ବ୍ରତଙ୍କର ଈଶ ll
ଯଥା ବିଧିରେ କରି ବ୍ରତ l ଦ୍ୱାଦଶୀ ପ୍ରବେଶେ ନୃନାଥ ll
ସ୍ନାନାଦି ସର୍ବେ କର୍ମ ସାରି l ହବିଷ୍ୟ କଲେ ଦଣ୍ଡଧାରୀ ll
ବ୍ରତ କରିଣ ଇନ୍ଦ୍ରସେନ l ପିତାଙ୍କୁ କଲେ ସମର୍ପଣ ll
ସ୍ୱର୍ଗରୁ ହେଲା ପୁଷ୍ପ ବୃଷ୍ଟି l ନୃପ ମନରେ ହେଲା ତୁଷ୍ଟି ll
ପିତା ଆରୋହି ପକ୍ଷବର l ଗଲେ ସେ ବଇକୁଣ୍ଠ ପୁର ll
ରାଜ୍ୟକୁ ଅକଣ୍ଟକ କରି l ବହୁତ କାଳ ଭୋଗ କରି ll
ରାଜ୍ୟେ ପୁତ୍ରକୁ ରାଜା କରି l ଗଲେ ସେ ଆପେ ସ୍ୱର୍ଗପୁରୀ ll
ମାହାତ୍ମ୍ୟ ଇନ୍ଦିରା ବ୍ରତର l କହିଲି ଆଗରେ ତୁମ୍ଭର ll
ଯାହାକୁ ପଢି଼ ଅବା ଶୁଣି l ପାପରୁ ମୁକ୍ତ ହୁଏ ପ୍ରାଣୀ ll
ଇତି ଶ୍ରୀ ବ୍ରହ୍ମବୈବର୍ତ୍ତ ପୁରାଣେ ଆଶ୍ୱିନ କୃଷ୍ଣ ଇନ୍ଦ୍ରିରୈକାଦଶୀ ମାହାତ୍ମ୍ୟେ ନାମ ଏକବିଂଶୋଧ୍ୟାୟଃ
Leave a Reply