Spread the love

ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ

ଭାଦ୍ରବ ମାସର ଶୁକ୍ଳ ପକ୍ଷ ଏକାଦଶୀକୁ ପାର୍ଶ୍ଵ ପରିବର୍ତ୍ତିନ ଏକାଦଶୀ ବା  ପଦ୍ମା ଏକାଦଶୀ  ରୂପେ ପାଳନ କରାଯାଏ l 
 ବର୍ଷ କୁ ପଡୁଥିବା ଚାରି ଗୋଟି ବଡ଼ ଏକାଦଶୀ ମଧ୍ୟ ରୁ ଏହି ଏକାଦଶୀ ଅନ୍ୟତମ l ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହି ନିଜର ପାର୍ଶ୍ଵ ପରିବର୍ତ୍ତନ କରିଥାନ୍ତି l ଏହା ଫଳରେ ଭଗବାନ ବିଷ୍ଣୁଙ୍କର ସ୍ଥାନ ପରିବର୍ତ୍ତନ ହୋଇଥାଏ l ତେଣୁ ଏହାର ଏହିପରି ନାମକରଣ ହୋଇଥିବାର କୁହଯାଏ l ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ବ୍ରତ, ଉପବାସ ପୂଜା ଆଦି କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳେ ଏବଂ ଗୃହରେ କୌଣସି ପ୍ରକାର ଅଶାନ୍ତି ରହେ ନାହିଁ l

       ଶ୍ରୀଜଗନ୍ନାଥ ମନ୍ଦିର ରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ପାର୍ଶ୍ଵ ପରିବର୍ତ୍ତନ ଯାତ୍ରା ଅନ୍ୟତମ l ଭାଦ୍ରବ ଶୁକ୍ଳ ଏକାଦଶୀ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ l ମହାପ୍ରଭୁଙ୍କ ୪ ମାସ ଶୟନ କାଳରେ ୨ମାସରେ ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି l ଭାଦ୍ର ଶୁକ୍ଳ ଏକାଦଶୀ ଦିନ ଭୋଗମଣ୍ଡପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯାଏ l ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ସେବକ ଘଟୁଆରୀ ଘରୁ ଆସିଥିବା ଚନ୍ଦନ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି l ଏହାପରେ ଶ୍ରୀମଦନମୋହନଙ୍କୁ ମହାଜନ ସେବକ ରତ୍ନସିଂହାସନ ବିଜେ କରାଇଥାନ୍ତି lସେଠାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିକୁ ବିଜେ କରିଥାନ୍ତି l ଏହାପରେ ବିମାନ ବଡୁ ସେବକ ଉକ୍ତ ପାଲିଙ୍କି ଟିକୁ ସ୍କନ୍ଧରେ ବହନ କରି ବଡଦେଉଳର ୧ଥର ପରିକ୍ରମା କରି ପୁଣି ମୁକ୍ତିମଣ୍ଡପ ନିକଟରେ ରଖିଥାନ୍ତି l ଏହାପରେ ଶ୍ରୀମଦନମୋହନ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି ଓ ସେଠାରେ ଏକାଦଶୀ ଭୋଗ ଏବଂ ବନ୍ଦାପନା ହୋଇଥାଏ l ତତ୍ପରେ ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି l 

 ସାନ୍ଧ୍ୟ ଧୂପ ଶେଷ ହେବା ପରେ ଅନନ୍ତ ପୁରୁଷୋତ୍ତମ ମନ୍ଦିର ଭିତରେ ଦେଉଳ ପୁରୋହିତ ପବିତ୍ର ଅଧିବାସ ନିମନ୍ତେ ଆଚାର୍ଯ୍ୟ ବ୍ରହ୍ମା ବରଣ ହୋଇ ହୋମ କରିଥାନ୍ତି l ପ୍ରଥମ ବଡ଼ସିଂହାର ବେଶ ଓ ଭୋଗ ଶେଷ ହେବାପରେ ଖଟ ଶେଜ ଘର ଧୋପଖାଳ ହୋଇ ଦେଉଳ ପୁରୋହିତ ଏହି ଘରେ ପଞ୍ଚ ମୁରୁଜ ରେ ୩ଟି ମଣ୍ଡଳ କାଟିଥାନ୍ତି ଓ ଏହାଉପରେ ପୂର୍ଣ୍ଣ କୁମ୍ଭ ପ୍ରତିଷ୍ଠା କରିଥାନ୍ତି l ଏହାପରେ ଭଣ୍ଡାର ମେକାପ ଏହି ମଣ୍ଡଳ ଉପରେ ୯ମୂର୍ତ୍ତି ପବିତ୍ରା ,କୁର୍ବନ୍ତିମାଳ ୩ମୂର୍ତ୍ତି କୁ ପତନୀ ଘୋଡେଇ ରଖିଥାନ୍ତି l ତତ୍ପରେ ଦେଉଳ ପୁରୋହିତ ବରୁଣ ପୂଜା କରି ଉକ୍ତ ପବିତ୍ରାଟିକୁ ୩ ବାଡ଼ରେ ମନ୍ତ୍ର ଉଚ୍ଚାରଣ କରି ଅଧିବାସ କରାଇବା ପରେ ଖଟ ଶେଜ ଘର ମୁଦ ଦିଆଯାଇଥାଏ l ଭିତର ମଇଲମ ସରି ମହାସ୍ନାନ ସରିବା ପରେ ପାଳିଆ ପୁଷ୍ପାଳକ ନୂଆ ଲୁଗା ଲାଗି କରାଇଥାନ୍ତି l ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଘଣ୍ଟ , ଛତ୍ର , କାହାଳୀ ରେ ୩ଟି ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ତାହା ଶ୍ରୀଅଙ୍ଗ ରେ ସର୍ବାଙ୍ଗ ଲାଗି କରାଇଥାନ୍ତି l ଏହାପରେ ବଲ୍ଲଭ ବଡ଼ସିଂହାର ବେଶ ହୋଇ ୬ମୂର୍ତ୍ତି ଅଳଙ୍କାର ଲାଗି ହେବା ପରେ ଘଣ୍ଟ , ଛତ୍ର , କାହାଳୀ ସହ ତଳୁଚ୍ଛ ମହାପାତ୍ର ଓ ପ୍ରଧାନୀ ସେବକ ପଟୁଆରରେ ବଲ୍ଲଭ ବଡ଼ସିଂହାର ଭୋଗ ଛାମୁକୁ ଆଣିଥାନ୍ତି l ଆଜି ଶ୍ରୀମନ୍ଦିରରେ ୨ଥର ବଡ଼ସିଂହାର ବେଶ ଓ ଭୋଗ ହୋଇଥାଏ l

 ଷୋଡଶ ଉପଚାର ପୂଜା ଶେଷ ହୋଇ କର୍ପୁର ଆଳତି ହେବା ପରେ ପର୍ଶ୍ଵପରିବର୍ତ୍ତନ ନୀତି ଅନୁଷ୍ଠିତ ହୋଇଥାଏ l ମୁଦିରସ୍ତ , ବେହେରା ଖୁଣ୍ଟିଆ , ଗରାବଡୁ , ପାଳିଆ ମେକାପ , ଅଖଣ୍ଡ ମେକାପ ଓ ତଢ଼ାଉ କରଣ ସେବକ ଖଟ ଶେଜ ଉପରକୁ ନିଶୁଣି ମାଧ୍ୟମରେ ଯାଇ ମୁଦ ଭାଙ୍ଗିବା ପରେ ଶୟନ ଠାକୁରଙ୍କୁ ପେଡାକୁ ମୁଦିରସ୍ତ ଖୋଲି ଗରାବଡୁ ଠାରୁ ହାତୁଆଣି ନେଇ ରୂପା ପିଙ୍ଗଣରେ ବେହେରା ଖୁଣ୍ଟିଆ ଦେଇଥିବା ଶୁକ୍ଳ ପୁଷ୍ପ ୩ ଥର ପୁଷ୍ପାଞ୍ଜଳି ଦେବାପରେ ଶୟନ ଦେବତାଙ୍କ କଡ଼ ଲେଉଟା ନୀତି କରାଯାଇଥାଏ l ଏହି ସମୟରେ ମୁଦିରସ୍ତ ବନ୍ଦାପନା କରିଥାନ୍ତି l ଏହାପରେ ପେଡା ବନ୍ଦ କରି ଦୁଆରମାନ ମୁଦ ଦେଇ ତଳକୁ ଓହ୍ଲାଇ ଆସିଥାନ୍ତି l ରତ୍ନସିଂହାସନସ୍ଥ ଶ୍ରୀଜୀଉମାନଙ୍କୁ ଲାଗି ହୋଇଥିବା ୬ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ମଇଲମ କରାଯାଇ ବିଡ଼ିଆ , ଘଷା , ପାଇଡ଼ ମଣୋହି କରାଯାଇ ଖଟସେଜ ବିଜେ ପୂର୍ବକ ପହୁଡ଼ ହୋଇଥାଏ l

          ll ପାର୍ଶ୍ୱପରିବର୍ତ୍ତନ ଏକାଦଶୀ ମାହାତ୍ମ୍ୟ ll

                   ll  ଯୁଧିଷ୍ଠିର ଉବାଚ  ll 

ପଚାରୁଛନ୍ତି ପଣ୍ଡୁ ସୁତ l ହେ ପ୍ରଭୁ ଅନାଦି ଅଚ୍ୟୁତ ll
ଭାଦ୍ରବ ଶୁକ୍ଳ ଏକାଦଶୀ l କହନ୍ତୁ ନାମ ବିଧ ଶିଷି ll
ଏଥିରେ କେଉଁ ଦେବ ପୂଜା l କରି ହେ ଦେବ ଦେବରାଜ ll

                  ll  ଶ୍ରୀକୃଷ୍ଣ ଉବାଚ ll

କୃଷ୍ଣ କହନ୍ତି ନୃପଶୁଣ l କହିବା ଆଶ୍ଚର୍ଯ୍ୟ କଥନ ll
ନାରଦ ପଚାରନ୍ତି ବ୍ରହ୍ମା l କହିଣ ଥିଲେ ଯା ମହିମା ll

                  ll  ନାରଦ ଉବାଚ  ll

ହେ ଚତୁର୍ମୂଖ ପଦ୍ମଯୋନି l ପଚାରେ ଚରଣେ ପ୍ରଣମି ll
ଭାଦ୍ରବ ଶୁକ୍ଳ ଏକାଦଶୀ l ତା ନାମ କହନ୍ତୁ ବିଶେଷି ll
ଜାଣି ଏହାର ବିଧିମାନ l କରିବା ବିଷ୍ଣୁ ଆରାଧନ ll

                  ll  ବ୍ରହ୍ମା ଉବାଚ  ll

ତୁମ୍ଭେ ବୈଷ୍ଣବ ମୁନିଶ୍ରେଷ୍ଠ l ଏ ପ୍ରଶ୍ନ ଉତ୍ତର ଗରିଷ୍ଠ ll
ହରି ବାସରୁ ବଡ଼ ହୋଇ l ତିନିଲୋକରେ ବ୍ରତ ନାହିଁ ll
ପଦ୍ମ ନାମରେ ଏ ବିଖ୍ୟାତ l ଭାଦ୍ରବ ଏକାଦଶୀ ଶୀତ ll
ପୂଜା ଏଥିରେ ହୃଷୀକେଶ l ବ୍ରତେ ଏ ଉତ୍ତମ ବିଶେଷ ll
କହିବା ପୌରାଣିକ କଥା l ଶୁଣିଲେ ଯିବ ଭବ ବ୍ୟଥା ll
ଏହାକୁ ଶୁଣିଲେ ଜୀବର l ହୁଅଇ ମହାପାପ ଦୂର ll
ମାନ୍ଧାତା ନାମେ ରାଜ ଋଷି l ଅଟନ୍ତି ସେହି ସୂର୍ଯ୍ୟବଂଶୀ ll
ସେ ସତ୍ୟସନ୍ଧ ଚକ୍ରବର୍ତ୍ତୀ l ପ୍ରତାପବନ୍ତ ଧର୍ମମତି ll
ଔରସ ପୁତ୍ର ପରି ପ୍ରଜା l ପାଳନ କଲେ ଧର୍ମ ରାଜା ll
ହେଲେ ଏ ରାଜ୍ୟେ ସୁଖୀ ଲୋକ l ନୋହିଲା ଦୁର୍ଭିକ୍ଷ ନରକ ll
ଯହିଁରେ ଆଦି ବ୍ୟାଧି ନାହିଁ l ଚୋରମାନଙ୍କ ଭୟ ନାହିଁ ll
ଧନ ଧାନ୍ୟରେ ସମୁନ୍ନତ l ହେଲେ ସମସ୍ତେ ପୁଣ୍ୟବନ୍ତ ll
ନ୍ୟାୟେ ଅର୍ଜିତ ଯେତେ ଧନ l ଭଣ୍ଡାରେ ରଖିଲେ ରାଜନ ll
ଯେ ଯାହା ଆଶ୍ରମର ଧର୍ମେ l ରହିଲେ ପ୍ରଜା ନିଜ କର୍ମେ ll
ମାନ୍ଧତା ପାଳନରେ ମହୀ l କାମଧେନୁର ସମ ହୋଇ ll
ଅଭୀଷ୍ଟ ସୁଖମାନ ହେଲେ l ପ୍ରଜାଏ ଆନନ୍ଦ ରହିଲେ ll
ପୁଣି ପ୍ରାକ୍ତେନ କର୍ମ ଏକ l ଘଟିଲା ଆସିଣ ବିପାକ ll
ହେଲା ଯେ ଦେଶେ ଅନାବୃଷ୍ଟି l ତିନି ବରଷ ଶସ୍ୟ ନଷ୍ଟି ll
ଶସ୍ୟ ନ ପାଇ ପ୍ରଜାକୁଳ l କ୍ଷୁଧାରେ ହୋଇଲେ ଆକୁଳ ll
ସ୍ୱ ହସ୍ୱଧାଦି ବଷଟ୍ କାର l ବେଦାଧ୍ୟୟନ ଯେବା ଦୂର ll
ଏଥି ଅଭାବ ପୀଡ଼ା ପାଇ l ପ୍ରଜାଏ ରାଜା ଆଗେ କହିି ll
ହେ ନୃପ ଆମ୍ଭ ବାକ୍ୟ ଶୁଣ l କ୍ଷୁଧାରେ ହେଲା ପୀଡ଼ା ଜାଣ ll
ଆପକୁ ବିଜ୍ଞଜନମାନେ l ନାରଦେ ବୋଲନ୍ତି ପୁରାଣେ ll
ତହିଁରେ କରନ୍ତି ଆୟନ l ତେଣୁ ଏ ଜାଣ ନାରାୟଣ ll
ପର୍ଜନ୍ୟରୂପୀ ଭଗବାନ l ସର୍ବଗ ସର୍ବସ୍ଥିତ ଜାଣ ll
ସେହି ସେ ବୃଷ୍ଟିକି କରନ୍ତି l ବୃଷ୍ଟିରୁ ଅନ୍ନର ସମ୍ଭୁତି ll
ଅନ୍ନରୁ ପ୍ରାଣୀମାନେ ଜାତ l ଏତ ସମସ୍ତ ଶାସ୍ତ୍ରମତ ll
ସେ ଜଳ ଅଭାବରେ ପୁଣ l କ୍ଷୟ ହୋଇବେ ପ୍ରଜାଗଣ ll
ଯେ ରୂପେ ହେବ ବରଷଣ l ସେ ରୂପେ ବିଚାର ରାଜନ ll

               ll  ରାଜୋବାଚ  ll 

ସତ୍ୟ କହିଲି ମିଥ୍ୟା ନାହିଁ l ଅନ୍ନ ବର୍ଜିବ ବ୍ରତ କହି ll
ଅନ୍ନୁ ହୁଅନ୍ତି ପ୍ରାଣୀମାନେ l ଏମାନେ ଜୀଅନ୍ତି ସେ ଅନ୍ନେ ll
ଶାସ୍ତ୍ରରେ ବଚନ ଏମନ୍ତ l ପୁରାଣେ ହୋଇଛି କଥିତ ll
ନୃପମାନଙ୍କ ଅପଚାର l ପ୍ରଜାଏ ବୁଦ୍ଧିରେ ବିଚାର ll
ତଥାପି ତୁମ୍ଭ ପ୍ରିୟ ପାଇଁ l କରିବି ବ୍ୟବସାୟ ମୁହିଁ ll
ଏମନ୍ତ କହି ନରପତି l ଧାତାକୁ କରିଣ ବିନତି ll
ସଙ୍ଗେ ନେଇଣ ଅଳ୍ପ ଜନ l ଋଷି ଆଶ୍ରମେ ଗଲେ ପୁଣ ll
ତାପସମାନଙ୍କ ଆଶ୍ରିତ l ଭ୍ରମିଲେ ଆଶ୍ରମେ ସତତ ll
ଦେଖିଲେ ଅଙ୍ଗିରସ ମୁନି l ଯେ ଜାତ ବ୍ରହ୍ମତେଜ ଘେନି ll
ତେଜେ ବିରାଜେ ତପୋଧନୀ l କିବା ଦ୍ବିତୀୟ ପଦ୍ମଯୋନି ll
ହୋଇ ଆନନ୍ଦ ନରପତି l ବାହାନୁ ଓହ୍ଲାଇ ଝଟତି ll
ଅଞ୍ଜଳି କରି ନୃପବର l ମୁନିଙ୍କି କଲେ ନମସ୍କାର ll
ସ୍ବସ୍ତିବାଚନ ପୂର୍ବ ପରି l ଆନନ୍ଦ ହୋଇଣ ପଚାରି ll
ନୃପକୁ ସପ୍ତଅଙ୍ଗୀ ହେଲେ l ରାଜା କୁଶଳ ପଚାରିଲେ ll
କର କୁଶଳ ନିବେଦନ l କହିଲେ ଅନାମୟ ଜାଣ ll
ଆସନ ଅର୍ଘ୍ୟ ପାଇ ନୃପ l ବସିଲେ ମୁନିଙ୍କ ସମୀପ ll
କହିଲେ ମୁନି ପଚାରନ୍ତେ l ଏଥି ଆସିଲେ ଯେ ନିମନ୍ତେ ll

                     ll  ରାଜୋବାଚ  ll 

ହେ ମୁନି ଧର୍ମବିଧି ଚାହିଁ l ପାଳନ କରିଅଛି ମୁହିଁ ll
ପୃଥ୍ୱୀରେ ଅନାବୃଷ୍ଟି ହେଲା l କି ହେତୁ ବିଦିତ ନୋହିଲା ll
ହେତୁ ଜାଣିଲେ ପ୍ରତିକାର l କରନ୍ତି କହ ମୁନୀଶ୍ଵର ll
ସନ୍ଦେହ ଛେଦ ମୋର ସାଇଁ l ତୁମ୍ଭ ସମୀପେ ଅଇଲଇଁ ll
ଯୋଗବଳରେ କହ ଯତି l ପ୍ରଜାଙ୍କୁ ରଖି କରେ ସ୍ତୁତି ll

                   ll   ଋଷିରୁବାଚ  ll

ଏ ସତ୍ୟଯୁଗ ହେ ରାଜନ l ଯୁଗମାନଙ୍କେ ଏ ଉତ୍ତମ ll
ଏ ଯୁଗ ସର୍ବେ ବ୍ରହ୍ମବାଦୀ l ଧାର୍ମିକ ପୁଣି ସତ୍ୟବାଦୀ ll
ଏହି ଯୁଗରେ ଦ୍ୱିଜ ଜାତି l ଦୁଷ୍କର ତପସ୍ୟା କରନ୍ତି ll
ତୁମ୍ଭ ଦେଶରେ ନରପାଳ l ତପସ୍ୱୀ ଏକହିଁ ବୃଷାଳ ll
ତାର ଅବଧି ବିଧି ପାକ l ବରଷୁ ନାହିଁ ବଳାହକ ll
ତାର ମାରଣେ ଯତ୍ନ କର l ବର୍ଷିବ ଦେଶେ ଜଳଧର ll

                    ll  ରାଜୋବାଚ  ll

ନିରପରାଧ ତପଚାରୀ l ତାହାକୁ ମାରିବ କିପରି ll
କହନ୍ତୁ ଅନ୍ୟ ଉପଦେଶ l ଯହିଁ ନ ଥିବ ଜୀବ ନାଶ ll

                    ll  ଋଷିରୁବାଚ  ll

ଆବଦ୍ଧ ଯବେ ଏ ବୃଷାଳ l ସମସ୍ତେ ପଦ୍ମ ବ୍ରତ କର ll
ଭାଦ୍ରବ ଶୁକ୍ଳ ଏକାଦଶୀ l ନାମରେ ପଦ୍ମା କରି ଭାଷି ll
ଏ ବ୍ରତ ପ୍ରଭାତୁ ନିୟତ l ସୁବୃଷ୍ଟି କରିବ ଜୀମୂତ ll
ଏ ପଦ୍ମା ସର୍ବ ସିଦ୍ଧି ଦେଇ l ସର୍ବୋପଦ୍ରବ ବିନାଶଇ ll
ପୁର ନଗରେ ହୋଇ ଯୁତ l କର ହେ ନୃପ ପଦ୍ମାବ୍ରତ ll
ଏମନ୍ତେ ମୁନି ବାକ୍ୟ ଶୁଣି l କରି ପ୍ରଣାମ ନୃପମଣି ll
ଗଲେ ପୁରକୁ ପ୍ରୀତ ହୋଇ l କଲେ ସେ ବ୍ରତ ଯୋଗ ପାଇ ll
ହୋଇଣ ପୁରଜନ ଯୁତ l ସମସ୍ତ ପ୍ରକାର ସହିତ ll
କଲେ ନୃପତି ପଦ୍ମାବ୍ରତ l ସୁବୃଷ୍ଟି ହେବେ ଦେଶେ ଜାତ ll
ଜଳରେ ଭୂମି ଅପ୍ଳାବିତ l ଶସ୍ୟରେ ହେଲା ସୁସଂବ୍ରତ ll
ସୁଖ ପାଇଲେ ସବୁ ନରେ l ଋଷି ଈଶ୍ୱର ପ୍ରସାଦରେ ll
ଏଣୁ ଏ ବ୍ରତ ନରେ କର l ସମସ୍ତେ ଦୂସ୍ତରୁ ନିସ୍ତର ll
ଦଧି ଓଦନେ କରିୟତ l ଜଳରେ କରିଣ ଫୁରିତ ll
ବସ୍ତ୍ରରେ ସଂବେଷ୍ଟିତ କରି l ଦ୍ୱିଜେ ଅର୍ପିବ ହସ୍ତେ ଧରି ll
ଛତ୍ର ସହିତେ ଉପାନହ l ଦେବ ବ୍ରାହ୍ମଣେ ପ୍ରୀତି ସହ ll
ଭକ୍ତବତ୍ସଳ ଦାମୋଦର l ଗୋବିନ୍ଦ ତୋତେ ନମସ୍କାର ll
ପାପମାନଙ୍କୁ କ୍ଷୟ କରି l ସବୁ ସୁଖକୁ ଦିଅ ହରି ll
ଏମନ୍ତ ବୋଲିଣ ତୋଷରେ l ଦକ୍ଷିଣା ଦେବ ଦ୍ୱିଜବରେ ll
କରିବ ତାଙ୍କୁ ନମସ୍କାର l ଆଚରି ଉଚିତ ସତ୍କାର ll
ଏ ବ୍ରତ ଭକ୍ତି ମୁକ୍ତି ଦାୟୀ l ଇନ୍ଦ୍ରିୟ ସୁଖ ଯେ ମିଳଇ ll
ଏହାକୁ ପଢନ୍ତେ ଶୁଣନ୍ତେ l ନାଶ ଯାଆନ୍ତି ପାପ ଯେତେ ll

    ଇତି ଶ୍ରୀ ବ୍ରହ୍ମବୈବର୍ତ୍ତ ପୁରାଣେ ଭାଦ୍ର ଶୁକ୍ଳ ପଦ୍ମୈକାଦଶୀ ମାହାତ୍ମ୍ୟେ ବିଂଶୋଽଧ୍ୟାୟଃ ll

ଜୟ ମା ଦୁର୍ଗା

ଭଗବତକଥା

ଓଁ ନମୋ ଭଗବତେ ବାସୁଦେବାୟ

Leave a Reply

Your email address will not be published. Required fields are marked *