ଦେହ ବହିଲେ ନିଶ୍ଚେ ମରି
ମରଣ ଛାରେ କିମ୍ପା ଡରି
ଆଜିର ଭାଗବତ ବାଣୀ
ଦେହର ଜନ୍ମ ହେବା ସଙ୍ଗେ ମୃତ୍ୟୁ ମଧ୍ୟ ତା ସହିତ ଉତ୍ପନ୍ନ ହୋଇଥାଏ । ଯେ ପ୍ରାଣୀ ଜନ୍ମିଛି ସେ ଆଜି ନ ହେଲେ ବି ଶହେ ବର୍ଷ ପରେ ତ ନିଶ୍ଚୟ ମରିବ ।
ଶରୀରର ଅନ୍ତକାଳ ଆସିଗଲେ ଜୀବ କର୍ମ ଅନୁସାରେ ଅନ୍ୟ ଶରୀର ଗ୍ରହଣ କରି ପୂର୍ବଶରୀରକୁ ଛାଡ଼ିଦିଏ । ଏପରି କରିବାକୁ ସିଏ ବାଧ୍ୟ । ଚାଲିଲାବେଳେ ମନୁଷ୍ୟ ଯେପରି ଗୋଟିଏ ପାଦ ଦୃଢ଼ଭାବରେ ରଖି ଅନ୍ୟ ପାଦଟିକୁ ଆଗକୁ ବଢ଼ାଏ ଜୀବ ସେହିପରି ଅନ୍ୟ ଶରୀରଟିଏ ପାଇବାପରେ, ପୂର୍ବଶରୀରଟି ଛାଡ଼ି ଦିଏ । ଜୀବ କର୍ମ ହେତୁକ କାମନାର ଓ କାମନା ହେତୁକ କର୍ମର ଅଧୀନ ହୋଇ ଅନ୍ୟ ଶରୀର ପାଇଯାଏ ଏବଂ ନିଜର ପୂର୍ବ ଶରୀର କଥା ଭୁଲିଯାଏ । ଜୀବର ମନ ହେଉଛି ନାନାପ୍ରକାର ସଂକଳ୍ପର ଏକ ଭଣ୍ଡାର । ମୃତ୍ୟୁସମୟରେ ସେ ବହୁ ଜନ୍ମର ସଞ୍ଚିତ ବାସନା ତଥା ପ୍ରାରବ୍ଧ କର୍ମର ବାସନାର ଅଧୀନ ହୋଇଯାଏ । ସେତେବେଳେ ସେ ମାୟାଦ୍ବାରା ରଚିତ ଅନେକ ପାଞ୍ଚଭୌତିକ ଶରୀର ମଧ୍ୟରୁ ଯେଉଁ ଶରୀରର ଚିନ୍ତନରେ ମଜ୍ଜିଯାଏ ଓ ନିଜକୁ ଯେଉଁ ଶରୀର ବୋଲି ଧରିନିଏ, ତାକୁ ସେହି ଶରୀର ଧରି ଜନ୍ମ ହେବାକୁ ପଡେ । ତେଣୁ ଯେ ନିଜର ମଙ୍ଗଳ ଚାହାନ୍ତି, ସେ କାହାରି ପ୍ରତି ଦ୍ରୋହ କରିବା ଉଚିତ ନୁହେଁ, କାରଣ ଜୀବ କର୍ମର ଅଧୀନ । ସେ କାହା ପ୍ରତି ଦ୍ରୋହ କଲେ, ତାକୁ ଇହଲୋକରେ ଶତ୍ରୁ ପ୍ରତି ଓ ପରଲୋକରେ ଦୈବବିଧାନ ପ୍ରତି ଭୟଭୀତ ହେବାକୁ ପଡେ ।
ଶ୍ରୀ ଜଗନ୍ନାଥ ଶରଣଂ