Spread the love

ସେବା ଓ ତିତୀକ୍ଷାର ନୂଆ ସୂର୍ଯ୍ଯୋଦୟ ଅପେକ୍ଷାରେ ହିଂଜିଳିରୁ ଓଡ଼ିଶା!.

ସେହି ହିଞ୍ଜିଳି। ସେହି ଛତ୍ରପୁର। ସେହି ନେତା ଅପ୍ରତିଦ୍ବନ୍ଦ୍ବୀ ନବୀନ ପଟ୍ଟନାୟକ। ଏ ସଂପର୍କ ଦୀର୍ଘ ୨୪ ବର୍ଷର। ମଙ୍ଗଳବାର ପୁଣି ତାଜା ହୋଇଯାଇଥିଲା । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଛତ୍ରପୁର ପହଞ୍ଚି ନାମାଙ୍କନ ଭରିଛନ୍ତି । ମୋଟ ୪ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିପାଇଁ ପ୍ରସ୍ତାବକ ଥିଲେ ଶରତ ପାତ୍ର ଓ ସୁରେନ୍ଦ୍ର ପ୍ରଧାନ । ଏହା ପୂର୍ବରୁ ଗଂଜାମର ଇଷ୍ଟଦେବୀ ମାଆ ତାରାତାରିଣୀଙ୍କ ପୀଠରେ ପହଞ୍ଚି ନେଇଥିଲେ ଆଶୀର୍ବାଦ । ସେଠାରୁ ବାହାରି ଦଳର ବରିଷ୍ଠ ନେତାଙ୍କ ସହ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଧାର୍ଯ୍ଯ ସମୟ ଅନୁସାରେ ଦାଖଲ କରିଥିଲେ ପ୍ରାର୍ଥିପତ୍ର ।

ଦୁଇ ହଜାର ମସିହାରୁ ଏହି ଅଭିଯାନ। ଏଥର ଷଷ୍ଠ ପାଳି ପାଇଁ ପଡିଲା ନିଅଁ। ରେକର୍ଡ ଅଭିମୁଖେ ନବୀନଙ୍କ ଯାତ୍ରା। ସେବା ଓ ତିତୀକ୍ଷାର ନୂଆ ସୂର୍ଯ୍ଯୋଦୟ ଅପେକ୍ଷାରେ ହିଂଜିଳିରୁ ଓଡ଼ିଶା। ରାସ୍ତାର ଦୁଇ କଡରେ ଜନତାଙ୍କ ଭିଡ଼। ୪୫ ଡିଗ୍ରୀ ଖରାକୁ ବି ନଥିଲା ଖାତିର।

ନିଜ ନେତାର ଗୋଟିଏ ଝଲକ ଦେଖବାକୁ ଛୁଟି ଆସିଥିଲେ ଆବାଳବୃଦ୍ଧ ବନିତା । ଅବସର ଥିଲା ପାଞ୍ଚ ପାଞ୍ଚ ଥରର ମୁଖ୍ଯମନ୍ତ୍ରୀ ସାଢେ ଚାରି କୋଟି ଓଡିଆଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ଯମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମାଙ୍କନ ଦାଖଲର ଦିନ। ଦଳୀୟ ନେତାଙ୍କ ଗହଣରେ ନବୀନ ପହଞ୍ଚିଥିଲେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ। ୪ ସେଟ ନାମାଙ୍କନପତ୍ର ଦାଖଲ କରିଥିଲେ। ଯେଉଁଥିରେ ପ୍ରସ୍ତାବକ ଥିଲେ ଶରତ ପାତ୍ର ଓ ସୁରେନ୍ଦ୍ର ପ୍ରଧାନ। ଆଇନଗତ କାମ ସୁରୁଖୁରୁରେ ଶେଷ କରିବା ପାଇଁ ସାଙ୍ଗରେ ଥିଲେ ଆଇନଜୀବୀ ବି. ଶ୍ରୀନିବାସ।

ସୁପ୍ରିମୋଙ୍କ ସାଥ ଦେବାକୁ ପାଖେ ପାଖେ ଥିଲେ ବିଜେଡିର ବରିଷ୍ଠ ନେତା ତଥା 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଉପସ୍ଥିତ ଥିଲେ ଗଂଜାମର ବହୁ ହେଭିୱେଟ । ଭଞ୍ଜନଗର ବିଧାନସଭା ପ୍ରାର୍ଥୀ ତଥା ବିକ୍ରମ ଆରୁଖ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ପୋଲସରା ବିଧାନସଭା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ଯନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ, ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ସୋରଡ଼ା ପୂର୍ବତନ ବିଧାୟକ ପୂର୍ଣ୍ଣ ସ୍ବାଇଁ, ଖଲିକୋଟ ବିଧାନସଭା ପ୍ରାର୍ଥୀ ସୂର୍ଯ୍ଯମଣି ବୈଦ୍ଯ, ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ବେହେରା, ସାନଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶା ପାଇଁ ସମର୍ପିତ ମଣିଷ ମୁଖ୍ଯମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ନିଶ୍ଚୟ ପୂରଣ ହେବ । ଏଥର ଦଳର ବୃହତ ବିଜୟ ହେବ। ଓଡିଆ ଅସ୍ମିତାର ବିଜୟ ହେବ ବୋଲି କହିଛନ୍ତି ଦଳୀୟ ନେତା ।

ନବୀନଙ୍କୁ ପାଖରେ ପାଇ ପୂରା ଗଂଜାମ ଖୁସିରେ ଝୁମିଉଠିଥିଲା। ଗଂଜାମ ବିଜେଡିରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା। ନାମାଙ୍କନ ଭରିବା ପୂର୍ବରୁ ମାଆ ତାରାତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ଲୋଡିଥିଲେ ପାଞ୍ଚ ପାଞ୍ଚ ଥର ମୁଖ୍ଯମନ୍ତ୍ରୀ ପଦ ଅଳଂକୃତ କରିଥିବା ନବୀନ। ୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ବିଜୟୀ ହୋଇ ଓଡିଶା ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛନ୍ତି। ୨୪ ବର୍ଷର ଶାସନରେ ଓଡ଼ିଶାକୁ ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ବଚ୍ଛଳ ରାଜ୍ଯ ଭାବେ ଗଢିତୋଳିଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *