🪷ବୈଦିକ ଶାନ୍ତିପାଠ🪷
…………………………………….
ଓଁ ସହନାବବତୁ । ସହ ନୌ ଭୁନକ୍ତୁ । ସହବୀର୍ୟଂ କରବାବହୈ । ତେଜସ୍ଵୀ ନାବଧୀତମସ୍ତୁ । ମା ବିଦ୍ଵିଷାବହୈ । ଓଁ ଶାନ୍ତିଃ ,ଶାନ୍ତିଃ , ଶାନ୍ତିଃ ।
ହେ ପରମାତ୍ମା ! ଆପଣ ଆମ୍ଭ ଗୁରୁ ଶିଷ୍ୟ ଦୁଇ ଜଣଙ୍କୁ ସମସ୍ତ ପ୍ରକାର ରକ୍ଷା କରନ୍ତୁ । ଆପଣ ଆମ୍ଭ ଦୁଇଜଣଙ୍କୁ ସମୁଚିତ ଭାବରେ ପାଳନ ପୋଷଣ କରନ୍ତୁ । ଆମ୍ଭଙ୍କୁ ସମସ୍ତ ପ୍ରକାର ବଳ ପ୍ରାପ୍ତି ହେଉ । ଆମ୍ଭମାନଙ୍କ ଦ୍ୱାରା ଅଧ୍ୟୟନ କରାଯାଇଥିବା ବିଦ୍ୟା ଅତ୍ୟନ୍ତ ତେଜଶାଳୀ ହେଉ । ଆମେ କାହାଠାରୁ ପରାସ୍ତ ନ ହେଉ । ଆମ୍ଭେ ଗୁରୁ ଶିଷ୍ୟ ଆଜୀବନ ପରସ୍ପର ସ୍ନେହସୂତ୍ରରେ ବାନ୍ଧି ହୋଇ ରହୁ । ଆମ୍ଭ ଭିତରେ କେବେ ଦ୍ଵେଷ ଭାବ ଜାଗ୍ରତ ନ ହେଉ । ହେ ପରମାତ୍ମନ୍ ! ଆମ୍ଭେ ତ୍ରି ତାପରୁ ନିବୃତ୍ତ ହେଉ ।
ଏହି ବୈଦିକ ଶାନ୍ତି ପାଠରୁ ବୈଦିକ ଯୁଗର ଗୁରୁ ଶିଷ୍ୟ ପରମ୍ପରା କେତେ ସୁନ୍ଦର ଥିଲା । ତାହା ସ୍ପଷ୍ଟ ଅନୁମେୟ । ଗୁରୁ ଶିଷ୍ୟ ଭିତରେ ଏଭଳି ନିବିଡ଼ ସମ୍ପର୍କ ସ୍ଥାପନ ନ ହେଲେ ବ୍ରହ୍ମବିଦ୍ୟା କେବେବି ଫଳପ୍ରଦ ହୋଇ ପାରିବ ନାହିଁ ।ଗୁରୁଙ୍କୁ ଶିଷ୍ୟ ପିତୃ ସମ ସମ୍ମାନ ପ୍ରଦର୍ଶନ କରୁଥିଲେ ଓ ଶିଷ୍ୟକୁ ଗୁରୁ ପୁତ୍ର ସମ ପାଳନ କରୁଥିଲେ । ଆମ ଧର୍ମ ଶାସ୍ତ୍ରରେ ଦୁଇ ପ୍ରକାର ପୁତ୍ର ବିଷୟରେ ଉଲ୍ଲେଖ ଅଛି । ଗୋଟିଏ ବିନ୍ଦୁ ପୁତ୍ର । ଅନ୍ୟଟି ନାଦ ପୁତ୍ର । ବିନ୍ଦୁ ପୁତ୍ର କହିଲେ ସାଂସାରିକ ପ୍ରକ୍ରିୟାରେ ଯେଉଁ ପୁତ୍ର ଜନ୍ମ ହୁଏ ; ମାତ୍ର ନାଦ ପୁତ୍ର କହିଲେ ,ଉପନୟନ ସଂସ୍କାର ପୂର୍ବକ ପରମାତ୍ମାଙ୍କର ପବିତ୍ର ମନ୍ତ୍ର ଗ୍ରହଣ ଦ୍ଵାରା ହୋଇଥାଏ । ତେଣୁ ଦୁଇ ଥର ଜନ୍ମ ହେତୁ ଦ୍ଵିଜ କୁହାଯାଏ । ସଂସାରର ମାତାପିତା ମଣିଷକୁ ଜନ୍ମ ଦେଇ ସଂସାରର ପ୍ରକ୍ରିୟା ରେ ବାନ୍ଧି ରଖିଥାନ୍ତି ; ଅନ୍ୟପକ୍ଷରେ ବେଦବିଦ୍ୟା ବା ବ୍ରହ୍ମ ବିଦ୍ୟା ପ୍ରଦାନ କରି ଗୁରୁ ସଂସାର ବନ୍ଧନରୁ ମୁକ୍ତ କରିଥାନ୍ତି । ଜୟ ଜଗନ୍ନାଥ !
🕉️🙏ଜୟ ଜଗନ୍ନାଥ 🙏🕉️
