Spread the love

ଖେଳିବା ଆସ ହୋଲି

ମନରେ ଲାଗୁ ପ୍ରେମର ରଙ୍ଗ
ଦେହରେ ଲାଗୁ ସ୍ନେହ,
ସେହି ସ୍ନେହରେ ରଙ୍ଗେଇ ହେଉ
ଯେତେ ଆପଣା ମୁହଁ।
ପ୍ରେମର ଦାଗ ଲାଗୁ ଦେହରେ
କଳଙ୍କ ଲିଭି ଯାଉ,
ଆପଣା ଭାବେ ଭାବ ସମ୍ପର୍କ
ସର୍ବଦା ସୃଷ୍ଟି ହେଉ।
ଈର୍ଷା କାତର ହେଉ ଅନ୍ତର
ଶତ୍ରୁତା ଯାଉ ଦୂରେ,
ପ୍ରେମ ପରଶ ହୃଦ ହରଷ
ଛୁଉଁ ସବୁରିଠାରେ‌।
ପ୍ରେମର ରଙ୍ଗ ସ୍ନେହ ଅବିର
ମନରେ ଲାଗୁ ଫଗୁ,
ଭାବର ପିଚକାରୀକି ଧରି
ଆନନ୍ଦେ ଖେଳୁଥିବୁ‌।
ହୋଲି ପରବ ଆମ ଗରବ‌
ଆତ୍ମୀୟ ଭାବ ପାଇଁ,
ପର ଆପଣା ଦୂରେଇ ଦେବା
ଯେ କୋଳାକୋଳି‌ ହୋଇ।
ଜାତିଅଜାତି ବାଛବିଚାର
ରଖିବା ନାହିଁ ମନେ,
ଗଣ ପରବ କର ମ‌ଉଜ
ବୁଝି ମାନବ ଧର୍ମେ।
ଲାଗୁ ଯେ ରଙ୍ଗ ନ ଘଟୁ ଦ୍ଵନ୍ଦ
ସୁଖରେ କଟୁ ଦିନ,
ଆସିଛି ହୋଲି ମିଳିବ ବୋଲି
ଆମକୁ ଟିକେ ପ୍ରେମ।
ପ୍ରେମ ପଶରା‌ ଖୋଲିବ ପରା
ସମ୍ପର୍କ ହେବ ଗଢ଼ା,
ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ
ଖେଳିବ ପୃଥ୍ବୀ ସାରା।
ପ୍ରେମ ଅବିର ପଡୁ ଉପର
ପ୍ରଭୁଙ୍କ କୃପା ମିଳୁ,
ରାଗ କପଟ କାମନା ଡୋର
ବାଧା ବନ୍ଧନ ଛିଡ଼ୁ।
ଦେଖ କୋଇଲୀ ସୁର ଲହରୀ
ପଞ୍ଚମ ତାନେ‌ ଗାଏ,
ହୋଲି ପରବ ରାଧାମାଧବ
ବିମାନେ ଝୁଲୁଥାଏ।
କହୁଛି ହୋଲି ଆସିବ ବୋଲି
ପ୍ରତି ବରଷ‌ ଧରା,
ରାଧା ମୋହନ ହେବ ଦର୍ଶନ
ଘୁଞ୍ଚିବ ଦୁଃଖ ପରା।
ନପଡୁ ବାଧା ସୁଖ ଶରଧା‌
ଶାନ୍ତିରେ ଦିନ ଯାଉ,
ଦୋଳ ବିମାନେ ରାଧାକୃଷ୍ଣଙ୍କୁ
ଏ ନେତ୍ର ଦେଖୁ ଥାଉ।

ରଶ୍ମି ରଞ୍ଜନ ନାୟକ……
କେନ୍ଦ୍ରାପଡ଼ା…..
ମୋ – ୮୮୫୫୮୩୦୬୩୧

Leave a Reply

Your email address will not be published. Required fields are marked *