ନୂଆଦିଲ୍ଲୀ: ଭୋପାଳର ପିପଲାନି ଅଞ୍ଚଳରେ ବ୍ୟାଙ୍କ ଲୁଟର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଲୁଟ ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ କାବୁ କରିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯୁବକ ଅନଲାଇନ ଗେମିଂ ଦ୍ବାରା ଲକ୍ଷାଧିକ ଟଙ୍କା ହରାଇ ଦେଇଥିଲେ। ଏହାର ଭରଣ ପାଇଁ ସେ କ’ଣ କରିବେ କିଛି ବୁଝି ପାରି ନଥିଲେ। ତେଣୁ ସେ ବ୍ୟାଙ୍କ ଲୁଟ ପାଇଁ ଯୋଜନା କରିଥିଲେ। ଗିରଫ ଜଣକ ଆୟୁର୍ବେଦିକ ଚିକିତ୍ସା ଏବଂ ଶଲ୍ୟ ଚିକିତ୍ସାରେ ସ୍ନାତକ ଛାତ୍ର ଥିବା ଜଣାପଡ଼ିଛି।
ଅଭିଯୁକ୍ତ ଯୁବକ ଜଣକ ହାତରେ ଲଙ୍କାଗୁଣ୍ଡ ଧରି ପିପଲାନିସ୍ଥିତ ଏକ ଘରୋଇ ବ୍ୟାଙ୍କ ଲୁଟ କରିବା ପାଇଁ ଯୋଜନା କରିଥିଲେ। ଏହାପରେ ସେ ବ୍ୟାଙ୍କରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ସିନେମା ଶୈଳୀରେ ଭୟଭୀତ କରିଥିଲେ। କର୍ମଚାରୀମାନେ ସାହାସର ସହ ଲୁଟେରାକୁ ଘେରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଏହି ଲୁଟ ଘଟଣା ସମ୍ପର୍କରେ ଖବର ପାଇବା ପରେ ପିପଲାନି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ସିସିଟିଭି ମାଧ୍ୟମରେ ଲୁଟେରାର ବାଇକ ନମ୍ବରରୁ ତାର ପରିଚୟ ବାହାର କରି ପୁଲିସ ଗିରଫ କରିଥିଲା।