ହନୁମାନ ଓ ସୂର୍ଯ୍ୟପୁତ୍ର ଶନି
================
ଶ୍ରୀହନୁମାନଜୀଙ୍କ ଜନ୍ମ ଶିବଙ୍କ ଅଂଶରେ l ତେଣୁ ତାଙ୍କୁ ରୁଦ୍ରଅବତାର ବୋଲି ଅଭିହିତ କରାଯାଏ l ସୂର୍ଯ୍ୟ ସଂହିତା ତଥ୍ୟ ଅନୁଯାୟୀ ଶ୍ରୀହନୁମାନଜୀ ଶନିବାରଦିନ ଜନ୍ମ ହୋଇଥିଲେ l ଶାସ୍ତ୍ରରେ ତାଙ୍କ ଶରୀରର ବର୍ଣ୍ଣ ଶନିଙ୍କବର୍ଣ୍ଣ ସଦୃଶ ବୋଲି ବର୍ଣ୍ଣନା କରାଯାଇଛି l ଶନିଙ୍କ ପିତା ସୂର୍ଯ୍ୟ ହନୁମାନଙ୍କର ଗୁରୁ l ଶନିଦେବ ଅଗ୍ନି ସମ୍ଭୁତ ହୋଇଥିଲା ବେଳେ ହନୁମାନ ବାୟୁ ସମ୍ଭୁତ l ଏଣୁ ଅଗ୍ନି ପ୍ରାୟ ସ୍ଵଭାଵ ଶନି କ୍ରୁର ସ୍ଵଭାଵର ଥିବା ବେଳେ, ଶ୍ରୀହନୁମାନ ହେଉଛନ୍ତି ଅତ୍ୟନ୍ତ ଦାୟାର୍ଦ ଓ କ୍ଷମାଶୀଳ l
ଶାସ୍ତ୍ରମାନଙ୍କରେ ହନୁମାନ ଏବଂ ଗଣେଶ ଶନିଙ୍କ ପ୍ରଭାବରେ ପ୍ରଭାବିତ ହୋଇ ନଥାନ୍ତି ବୋଲି କୁହା ଯାଇଛି l ଆହୁରି କୁହାଯାଏ ସମସ୍ତ ଗ୍ରହନକ୍ଷତ୍ରଙ୍କୁ ହନୁମାନଙ୍କ ଲାଙ୍ଗୁଳ ନିୟନ୍ତ୍ରଣ କରିଥାଏ l
ଆମ ଶାସ୍ତ୍ର ମାନଙ୍କରେ ହନୁମାନ ଏବଂ ଶନିଙ୍କୁ ଏକତ୍ର ପୂଜା କରିବା ଵିଧି ରହିଛି l ଏହା ପଛରେ ଏକ ପୌରାଣିକ କିମ୍ବଦନ୍ତି ରହିଛି lଏହା ସର୍ବଜନ ବିଦିତ ଯେ ଲଙ୍କପତି ରାବଣ ଶଙ୍କର ଓ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତିନି ଲୋକ ଜୟ କରି ଥିଲା l ସେ ଛପନଗଣ୍ଡା ଯୁଗକୁ ଅମରବର ପାଇ ଥିଲା l ଏଣୁ ନଅଟି ଯାକ ଗ୍ରହ ତାର ବଶ ହୋଇ ରହିଥିଲେ l ସେ ଏହି ନବଗ୍ରହଙ୍କୁ ବାନ୍ଧିନେଇ ତା ସିଂହାସନର ପାବଛ କରି ରଖିଥିଲା ଏବଂ ତାଙ୍କ ଉପରେ ଚଢ଼ି ସିଂହାସନ ଆରୋହଣ କରୁଥିଲା l
ସେ ସମସ୍ତ ଦେବତା ଏବଂ ଲୋକପାଳଙ୍କୁ ପରାସ୍ତ କରି ତାର କିଙ୍କର କରି ରଖି ଥିଲା l ରାବଣ ଶକ୍ତି ଆଗରେ ସେମାନଙ୍କର କିଛି କରିବାର ନ ଥିଲା l ଏକଦା ଶନି ସେମାନଙ୍କୁ କହିଲେ ମୁଁ ତୁମ୍ଭମାନଙ୍କୁ ରାବଣର ଦାସତ୍ୱରୁ ମୁକ୍ତହେବା ନିମନ୍ତେ ସାହାଯ୍ୟ କରିବି l ଯେତେବେଳେ ରାବଣ ପୁତ୍ର ମେଘନାଦ ଜନ୍ମ ହେଲା ସେତେ ବେଳେ ରାବଣ ସମସ୍ତ ଗ୍ରହ ଓ ଦେବତା ମାନଙ୍କୁ ନେଇ ତା’ର ଏକାଦଶ ତମ ପ୍ରାସାଦରେ ବନ୍ଦୀ କରି ରଖିଥିଲା l ଶନି ଦେବଙ୍କ କଥା ଅନୁଯାୟୀ ସମସ୍ତେ ତାଙ୍କର ସାହାଯ୍ୟପାଇଁ ତାଙ୍କ ଆଡ଼କୁ ଚାହିଁଲେ l ଶନି ତାଙ୍କର ଗୋଟିଏ ପାଦକୁ ଟିକିଏ ରାବଣର ଦ୍ୱାଦଶ ପ୍ରାସାଦ ଆଡ଼କୁ ବଢ଼ାଇ ଦେଲେ l ମେଘନାଦ ଉପରେ ଶନି ଦୃଷ୍ଟି ପକାଉଛନ୍ତି ମନେକରି ରାବଣ ତାଙ୍କୁ ନେଇ ଏକ ଅନ୍ଧକାର କୋଠରୀ ଭିତରେ ବନ୍ଦୀକରି ରଖିଲା, ଯେମିତି ଶନିଙ୍କ ମୁଖ କେହି ଦେଖିପାରିବେନାହିଁ l
ଏମିତି କିଛିକାଳ କଟି ଗଲା l ଦିନେ ମହାବୀର ହନୁମାନ ସୀତା ସନ୍ଧାନ ପାଇଁ ରାବଣ ପୁରୀରେ ପହଞ୍ଚିଲେ l ଲଙ୍କାର ରାଜ ପ୍ରାସାଦ ମଧ୍ୟରେ ସେ ଇତସ୍ତତଃ ଖୋଜି ବୁଲୁ ଥାନ୍ତି, ଏକ ଗଭୀର ଅନ୍ଧ କୂପ ମଧ୍ୟରୁ ଶୁଣିବାକୁ ପାଇଲେ ଶନିଙ୍କ ଚିତ୍କାର l
ସେ ଶବ୍ଦ ବାରି ଯାଇ ପହଞ୍ଚି ଦେଖନ୍ତି,ଶନି ସେହି ଅନ୍ଧକାର ଗୃହରେ ବନ୍ଦୀ ହୋଇ ପଡ଼ିଛନ୍ତି l ଶନି ବନ୍ଧନରୁ ମୁକ୍ତି ପାଇଁ ହନୁମାନଙ୍କୁ ପ୍ରାର୍ଥନା କଲାରୁ ହନୁମାନ ତାଙ୍କୁ ମୁକ୍ତକଲେ l କିନ୍ତୁ ମୁକ୍ତହୋଇ ସେ ହନୁମାନଙ୍କ ଉପରେ ଦୃଷ୍ଟି ପକାଇବାରୁ ହନୁମାନ ନିଜ ଶରୀରରେ ପ୍ରବଳ ଜ୍ୱଳନ ଅନୁଭଵ କଲେ l ହନୁମାନ ଶନି ଦେବଙ୍କୁ ଏହା ଜଣାଇଲେ l ତାଙ୍କ ଉପକାରର ପ୍ରତିଦାନ ସ୍ୱରୂପେ ଶନି ଦେବ ତାଙ୍କୁ ବର ଦେଲେ ତୁମର ପୂଜନ ଯିଏ ଶନିବାର ଦିନ କରିବ ସେ ମୋ ପୂଜାର ସମସ୍ତ ଫଳ ପ୍ରାପ୍ତହେବ, ଓ ତା’ଉପରେ ମୋର କୁଦୃଷ୍ଟି ପଡ଼ିବ ନାହିଁ l ଏହି କଥାରୁ ଶନି ଓ ହନୁମାନଙ୍କ ଏକତ୍ର ପୂଜା କରିବା ପରମ୍ପରାର ଉଦ୍ଭବ ହୋଇଛି l
ହନୁମାନ ଯେତେବେଳେ ଲଙ୍କାଦହନ କରୁଥିଲେ ସେ ଦେଖିଲେ ସେଥିରେ କିଛି ବ୍ୟାଘାତ ଘଟୁଛି l ସେ ଶନିଦେବଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲେ l ଦରକାର ବେଳେ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ବଦ୍ଧ ଶନି ଲଙ୍କା ଉପରେ ଦୃଷ୍ଟି ପକାଇ କ୍ଷଣିକ ମଧ୍ୟରେ ସ୍ବର୍ଣ୍ଣଲଙ୍କାକୁ ଭଷ୍ମରେ ପରିଣତ କରି ଦେଲେ l
ଶନି ହନୁମାନଙ୍କୁ କହିଲେ ମୁଁ ତୁମକୁ ସଦାସର୍ବଦା ସହାୟ ହେବା ପାଇଁ ତୁମ ଶିରରେ ବାସ କରିବି l କିନ୍ତୁ ଏଥିରେ ତୁମର ଗୋଟିଏ କ୍ଷତିହେବ l ତୁମେ ସର୍ବଦା ସଂସାରବିରାଗୀ ହୋଇ ରହିବ l ଏଥିରେ ହନୁମାନ କହିଲେ ମୁଁ ତ ଚିର ସଂସାର ବୈରାଗୀl
ପ୍ରଭୁ ଶ୍ରୀରାମଙ୍କ ଚରଣ କମଳ ମୋର ଏକ ମାତ୍ର ଆଶ୍ରୟ l ଏଣୁ ଏଥିରେ ମୋର କିଛି କ୍ଷତିହେବାର ନାହିଁ l ମୋର ସହାୟତା ନିମନ୍ତେ ଆପଣ ମୋର ମସ୍ତକରେ ଅବସ୍ଥାନ କରି ପାରନ୍ତି ଏଥିରେ ମୋର କିଛି ଆପତ୍ତି ନାହିଁ l ଏହାପରେ ଶନି ହନୁମାନଙ୍କ ମସ୍ତକରେ ଯାଇ ନିବାସ କଲେ l
ଲଙ୍କାରେ ରାମ ରାବଣଙ୍କ ମଧ୍ୟରେ ପ୍ରବଳ ସମର ଲାଗିଥାଏ l ହନୁମାନ ମସ୍ତକରେ ବଡ଼ ବଡ଼ ଗଛ, ପଥର,ଏମିତିକି ପର୍ବତ ମାନ ବୋହିଆଣି ଅସୁର ମାନଙ୍କ ଉପରେ ନିକ୍ଷେପ କରୁଥାନ୍ତି l ମୁଣ୍ଡକୁ ପିଟି ବଡ଼ ବଡ଼ ପାହାଡ଼ ଓ ପଥର ଖଣ୍ଡକୁ ଭାଙ୍ଗୁ ଥାନ୍ତି l ଶନି ତାଙ୍କ ମସ୍ତକରେ ରହି ତୀବ୍ର ଆଘାତ ପ୍ରାପ୍ତ ହେଲେ l ସେ ଅସ୍ତ ବ୍ୟସ୍ତ ହୋଇ ପଳାଇ ଯିବାକୁ ବାହାରିଲେ ଓ ହନୁମାନଙ୍କୁ କହିଲେ ବର୍ତ୍ତମାନ ମୁଁ ଯାଉଛି, କିନ୍ତୁ ମୋର ଆଶୀର୍ବାଦ ତୁମ ଉପରେ ସର୍ବଦା ଲାଗିରହିଥିବ l ବର୍ତ୍ତମାନ ତୁମେ ମୋତେ କୌଣସି ବର ମାଗିପାର l ହନୁମାନ ପ୍ରାର୍ଥନାକରି କହିଲେ ତା’ ହେଲେ ଆପଣ ମୋତେ ଏହି ବର ଦିଅନ୍ତୁ, ମୋର ଭକ୍ତମାନଙ୍କୁ ଆପଣଙ୍କର କୁଦୃଷ୍ଟି କେବେ ବି ନଲାଗୁ l ଶନି ‘ତଥାସ୍ତୁ’ କହି ଯିବାକୁ ପ୍ରସ୍ତୁତ ହେଲେ l ଆଘାତ ପ୍ରାପ୍ତ ତାଙ୍କର ଶରୀର ସେତେବେଳେ ବହୁ ପୀଡ଼ାହେଉଥାଏ,ତେଣୁ ସେ ହନୁମାନଙ୍କୁ କହିଲେ, ମୋ ଦେହ ଭୀଷଣ ପୀଡ଼ା ହେଉଛି l କିଛି ତୈଳ ଦିଅ,ମାଲିସ କଲେ ପୀଡ଼ା ଉପଶମ ହେବ l ଶନିଙ୍କ କଥାରେ ହନୁମାନ କିଛି ସୋରିଷ ତେଲ କୁଆଡ଼ୁ ଯୋଗାଡ଼ କରି ଦେଲେ l ସେହି ସୋରିଷ ତେଲ ମାଲିସ ହୋଇ ଶନି ପୀଡ଼ା ମୁକ୍ତ ହେଲେ l
ଆଉ ଗୋଟିଏ କିମ୍ବଦନ୍ତୀରୁ ଜଣାଯାଏ ଏକଦା ହନୁମାନଙ୍କୁ ବିବଶ କରିବା ପାଇଁ ଶନି ଆସି ତାଙ୍କ କାନ୍ଧରେ ବସିପଡ଼ିଲେ l ଏଥିରେ ହନୁମାନ ତାଙ୍କ ଶରୀରକୁ ଏକ ବିଶାଳ ପର୍ବତ ଆକାରକୁ ବିସ୍ତାର କରିଦେଲେ l ଶନି ହନୁମାନଙ୍କର କାନ୍ଧ ଓ ଘରର ଛାତ ମଧ୍ୟରେ ଚାପି ହୋଇ ରହି ଚିତ୍କାର କଲେ l ଶନି ଦେବଙ୍କ ଅନୁରୋଧ ରକ୍ଷା ପୂର୍ବକ ହନୁମାନ ତାଙ୍କୁ ଛାଡ଼ିଦେଲେ l ହନୁମାନଙ୍କୁ ଶନି ଯାଉଥିବା ବେଳେ ଗୋଟିଏ ବର ଦେଇଗଲେ, ହନୁମାନଙ୍କୁ ଯିଏ ପୂଜା କରିବ ମୋ’ର ତା ଉପରେ କୌଣସି ବକ୍ର ଦୃଷ୍ଟି ପଡ଼ିବ ନାହିଁ l
ଏହି ପୌରାଣିକ ଉପାଖ୍ୟାନରୁ ଜଣା ପଡ଼ିଥାଏ ହନୁମାନ ଏବଂ ଶନିଙ୍କ ଏକତ୍ର ପୂଜାହେବା ଏବଂ ଶନିଙ୍କୁ ନୈବେଦ୍ୟ ଆକାରରେ ସୋରିଷ ତେଲ ଦିଆଯାଉ ଥିବା ରହସ୍ୟ l
ଜୟ ଶ୍ରୀ ଶନିଦେବ ! ଜୟ ଶ୍ରୀ ହନୁମାନ !!!
🙏🙏🙏
ଅର୍ଜୁନୀ
