Spread the love

ପରମ କଲ୍ୟାଣ ନିମନ୍ତେ ଭଗବାନ ଅଚ୍ୟୁତଙ୍କ ଚରଣରେ ଶରଣ ନେଇଯିବା ହିଁ ଶାଶ୍ବତରୂପରେ ସର୍ବୋତ୍କୃଷ୍ଟ ଭୟରହିତ ସାଧନା; କାରଣ ସାଂସାରିକ ପଦାର୍ଥରେ ଆତ୍ମବୁଦ୍ଧି ଓ ସୁଖବୁଦ୍ଧି ରଖିଥିବା ଲୋକେ ବି ଯଦି ଭଗବାନଙ୍କର ଅନନ୍ୟ ଶରଣାଗତ ହୋଇଯାଆନ୍ତି, ତେବେ ତାର ଫଳସ୍ୱରୂପ ସେମାନଙ୍କର ଅଜ୍ଞାନ ଦୂର ହୋଇଯାଏ ଓ ସେମାନଙ୍କୁ ଆଧ୍ୟାତ୍ମିକ ଆନନ୍ଦ ମିଳିଯାଏ ଓ ସେମାନଙ୍କର ଭୟ ସମ୍ପୂର୍ଣ୍ଣରୂପେ ଦୂର ହୋଇଯାଏ । ଅତି ସହଜରେ ଭଗବତ୍ ସାକ୍ଷାତକାର ପାଇବା ନିମନ୍ତେ ସରଳହୃଦୟ ଅଜ୍ଞାନୀ ଲୋକଙ୍କୁ ଭଗବାନ ନିଜ ଶ୍ରୀମୁଖରେ ଯେଉଁ ଉପାୟ କହିଦେଇଛନ୍ତି,ତାହାକୁ ହିଁ ଭାଗବତଧର୍ମ କୁହାଯାଏ । ସେହି ଭାଗବତଧର୍ମ ଅବଲମ୍ବନ କଲେ ମନୁଷ୍ୟର କେବେବି ବିଘ୍ନ ଘଟେ ନାହିଁ । ମନୁଷ୍ୟ ନିଜର ଶରୀର, ବାଣୀ, ମନ,ଇନ୍ଦ୍ରିୟ, ବୁଦ୍ଧି ଓ ଅହଂକାରଦ୍ବାରା ଅଥବା ନିଜର ସ୍ବଭାବ ଅନୁସାରେ ଯାହା କିଛି କର୍ମ କରେ,ସେହି ସବୁକୁ ଭଗବାନଙ୍କ ପାଖରେ ସମର୍ପଣ କରିଦେବା ହିଁ ଭାଗବତଧର୍ମ ପାଳନର ସବୁଠାରୁ ସରଳ ଉପାୟ ।

  ନିର୍ଭର କରିବ ବୋଲି କହିଦେଲାକ୍ଷଣି ନିର୍ଭରତା ଆସେ ନାହିଁ । ନିଶ୍ଚୟାତ୍ମିକା ବୁଦ୍ଧି ନେଇ ନିର୍ଭର କରିବାକୁ ହୁଏ । ଚାରିଆଡେ ଧାଁଦୌଡ କଲେ ଶାନ୍ତି ମିଳେ ନାହିଁ । ଭଗବାନଙ୍କ ଇଚ୍ଛା ହେଲେ ଅଶାନ୍ତିମଧ୍ୟରେ ସୁଦ୍ଧା ଶାନ୍ତି ମିଳେ - ଏ ବିଶ୍ୱାସ ହରାଅ ନାହିଁ । ତାଙ୍କରି ଚରଣରେ ସବୁ ସମର୍ପଣ କରି , ତାଙ୍କରି ଇଚ୍ଛା ଉପରେ ସମ୍ପୂର୍ଣ୍ଣ ନିର୍ଭର କରି , ଯେପରି ଅଛ , ସେହିପରି ଭାବରେ କର୍ତ୍ତବ୍ୟ ପାଳନ କରିଯାଅ । ଏପରି କଲେ ତୁମ ସୁଖଶାନ୍ତି ନିମିତ୍ତ ଭଗବାନ୍ ନିଜେ ବ୍ୟସ୍ତ ହୋଇପଡିବେ ; ଅନ୍ୟଥା ଆତ୍ମବୁଦ୍ଧିଦ୍ୱାରା ପରିଚାଳିତ ହେଲେ ପଦେ ପଦେ ବିଡମ୍ବିତ ହେବ.

 ଶ୍ରୀ ଶ୍ରୀଠାକୁର ନିଗମାନନ୍ଦ
       

Related Post

Leave a Reply

Your email address will not be published. Required fields are marked *

You Missed