ସର୍ବତ୍ର ଈଶ୍ବର ଦର୍ଶନ କରନ୍ତୁ
ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ଈଶ୍ବର ନାହାନ୍ତି। ଈଶ୍ବର ପ୍ରତ୍ଯେକ ପ୍ରାଣୀ ମଧ୍ଯରେ ଜୀବନ ଓ ଚେତନା ରୂପରେ ନିବାସ କରନ୍ତି। ସିଂହର ଗର୍ଜନରେ ରହିଛନ୍ତି ଈଶ୍ବର, ପକ୍ଷୀର କାକଳିରେ , ଶିଶୁର ଦରୋଟି ବଚନରେ, ପ୍ରଜାପତିର ଡେଣାରେ, ନିର୍ଝରିଣୀର କୁଳୁକୁଳୁ ନାଦରେ, ଘଣ୍ଟାର ନିନାଦରେ ଈଶ୍ବର ବିଦ୍ଯମାନ।
ଉତ୍ତାଳ ତରଙ୍ଗାୟିତ ମହାସାଗର, ତୁଙ୍ଗଶିଖରଧାରୀ ତୁଷରାବୃତ ହିମାଳୟ, ବିସ୍ତୀର୍ଣ୍ଣ ଆକାଶର ଉଜ୍ଜ୍ବଳ ସୂର୍ଯ୍ଯ ଓ ନକ୍ଷତ୍ରଗଣ, ଶାଖାପ୍ରଶାଖାରେ ବିମଣ୍ଡିତ ମହାଦ୍ରୁମ, ଗିରିକାନ୍ତରରେ ପ୍ରବାହିତ ନିର୍ଝରିଣୀ – ସବୁରି ମୁଖରେ ପ୍ରଚାରିତ ହୁଏ ସର୍ବଶକ୍ତିମାନ ପରମେଶ୍ବରଙ୍କ ଅପାର ମହିମା।
ସକଳ ବସ୍ତୁ, ସକଳ ବିଷୟ ଈଶ୍ବର ଶିବ ଈଶ୍ବର, ଅଶିବ ଈଶ୍ବର। ସକଳ ବସ୍ତୁରେ, ସର୍ବସ୍ଥାନରେ ଈଶ୍ବରଙ୍କୁ ସମ୍ବର୍ଦ୍ଧନା ଜଣାଇ ପ୍ରଶାନ୍ତି ଓ ଦିବ୍ଯାନନ୍ଦ ଉପଭୋଗ କରନ୍ତୁ।
ସେ ହିଁ ଭିକ୍ଷୁକ ରୂପ ଧରି ପଥପାର୍ଶ୍ବରେ ଚାଲନ୍ତି। ସେ ହିଁ ରୁଗ୍ଣ ରୂପରେ ବେଦନାରେ ଆର୍ତ୍ତନାଦ କରନ୍ତି। ସେ ଜୀର୍ଣ୍ଣ ବସନ ପିନ୍ଧି ବନପଥରେ ବୁଲନ୍ତି। ଆଖି ଖୋଲନ୍ତୁ। ସବୁରିଠାରେ ତାଙ୍କୁ ଦର୍ଶନ କରନ୍ତୁ। ସମସ୍ତଙ୍କର ସେବା କରନ୍ତୁ। ସକଳଙ୍କୁ ପ୍ରେମ କରନ୍ତୁ।
ସକଳ ରୂପରେ, ସକଳ ଚିନ୍ତାରେ, ସମସ୍ତ ଅନୁଭୂତିରେ, ସମସ୍ତ ଭାବପ୍ରବଣତାରେ, ସକଳ ପ୍ରକାର ଗତିବିଧିରେ ଓ ସମସ୍ତ ପ୍ରକାର ଆବେଗ ଉଚ୍ଛ୍ବାସରେ ସର୍ବତ୍ର ପରମେଶ୍ବରଙ୍କ ଦିବ୍ଯ ଉପସ୍ଥିତି ଅନୁଭବ କରନ୍ତୁ।