Spread the love

ବ୍ରହ୍ମା କହୁଛନ୍ତି– ସୃଷ୍ଟି ରକ୍ଷାର ସମୟ ଆସିଗଲେ ଭଗବାନ ଧର୍ମ, ବିଷ୍ଣୁ, ମନୁ,ଦେବତା ଓ ରାଜାରୂପରେ ଏବଂ ସୃଷ୍ଟି ପ୍ରଳୟର ସମୟ ଆସିଗଲେ ଅଧର୍ମ, ରୁଦ୍ର ତଥା କ୍ରୋଧବଶ ନାମକ ସର୍ପ ଓ ଦୈତ୍ୟ ଆଦିଙ୍କ ରୂପରେ ନିଜ ମାୟାର ବିଭୂତିମାନଙ୍କୁ ହିଁ ପ୍ରକଟ କରନ୍ତି । ନିଜର ପ୍ରତିଭାବଳରେ କେହି ହୁଏତ ପୃଥିବୀର ଧୁଳିକଣାଗୁଡିକୁ ଗୋଟି ଗୋଟି କରି ଗଣିଦେଇ ପାରନ୍ତି, କିନ୍ତୁ ଜଗତରେ ଏମିତି କେହି ପ୍ରତିଭାବାନ ପୁରୁଷ ନାହାନ୍ତି, ଭଗବାନଙ୍କର ବିଭିନ୍ନ ପରାକ୍ରମ ଓ ଲୀଳାମାନଙ୍କୁ ଗଣିପାରିବେ । ଯେଉଁମାନେ ଅତ୍ୟନ୍ତ ନିଷ୍କପଟଭାବରେ ନିଜର ସର୍ବସ୍ବକୁ ତଥା ସ୍ବୟଂ ନିଜକୁ ତାହାଙ୍କର ଚରଣକମଳରେ ସମର୍ପଣ କରିଦିଅନ୍ତି, ସେମାନଙ୍କ ଉପରେ ସେହି ଅନନ୍ତ ଭଗବାନ୍ ନିଜ ପକ୍ଷରୁ ଦୟା ବର୍ଷଣ କରନ୍ତି ଏବଂ ପ୍ରଭୁଙ୍କର ଦୟାର ପାତ୍ର ହୋଇ ସେମାନେ ତାହାଙ୍କର ଦୁସ୍ତର ମାୟାର ସ୍ବରୁପ ଜାଣିପାରନ୍ତି ତଥା ସେହି ମାୟାକୁ ପାରି ହୋଇପାରନ୍ତି । ସେଭଳି ଲୋକେ କୁକୁର-ଶିଆଳଙ୍କର ଖାଦ୍ୟରୂପୀ ଏହି ଦେହ ପ୍ରତି “ମୁଁ ଓ ମୋର” ଭାବନା ରଖନ୍ତି ନାହିଁ।

ଲଭନ୍ତେ ବ୍ରହ୍ମନିର୍ବାଣମୃଷୟଃ କ୍ଷୀଣକଳ୍ମଷାଃ।
ଛିନ୍ନଦ୍ୱୈଧା ଯତାତ୍ମାନଃ ସର୍ବଭୂତହିତେ ରତାଃ।

ଯେଉଁ ସାଧୁ ପୁରୁଷମାନଙ୍କର ପାପ କ୍ଷୟ ହୋଇଯାଇ ଥାଏ, ସଂଶୟ ଛିନ୍ନ ଏବଂ ମନ ଶୃଙ୍ଖଳିତ ହୋଇଯାଇ ଥାଏ ଏବଂ ଯେଉଁମାନେ ସମସ୍ତ ପ୍ରାଣୀଙ୍କର ମଙ୍ଗଳ ନିମନ୍ତେ ସମର୍ପିତ, ସେମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ ସଂସାରରୁ ମୁକ୍ତ ହୋଇଯାଆନ୍ତି।

ଯଦୃଚ୍ଛାଲାଭସନ୍ତୁଷ୍ଟୋ ଦ୍ୱନ୍ଦ୍ୱାତୀତୋ ବିମତ୍ସରଃ ।
ସମଃ ସିଦ୍ଧାବସିଦ୍ଧୌ ଚ କୃତ୍ୱାପି ନ ନିବଧ୍ୟତେ।

ଯଦୃଚ୍ଛା -ସ୍ୱତଃ; ଲାଭ -ଲାଭ; ସନ୍ତୁଷ୍ଟଃ -ସନ୍ତୁଷ୍ଟ; ଦ୍ୱନ୍ଦ୍ୱ -ଦ୍ୱନ୍ଦ୍ୱଭାବ; ଅତୀତଃ -ଅତୀତ; ବିମତ୍ସରଃ -ଈର୍ଷାଶୂନ୍ୟ; ସମଃ-ସ୍ଥିର; ସିଦ୍ଧୌ- ବିଜୟରେ; ଅସିଦ୍ଧୌ -ପରାଜୟରେ; ଚ- ଏବଂ; କୃତ୍ୱା- କରି; ଅପି – ଯଦିଓ; ନ-ନୁହେଁ; ନିବଧ୍ୟତେ- ବାନ୍ଧି ହୁଏ।

ସ୍ୱତଃ ମିଳୁଥିବା ଲାଭରେ ସନ୍ତୁଷ୍ଟ ଏବଂ ଈର୍ଷାଶୂନ୍ୟ ହୋଇଥିବା ବ୍ୟକ୍ତିମାନେ ଜୀବନର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି । ସଫଳତା ଓ ଅସଫଳତାରେ ସମଭାବାପନ୍ନ ରହୁଥିବାରୁ ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ।

ମୁଦ୍ରାର ଯେପରି ଦୁଇଟି ପାଶ୍ୱର୍ ଥାଏ, ସେହିପରି ଭଗବାନ ସଂସାରକୁ ଦ୍ୱିବିଧତାରେ ପୂର୍ଣ୍ଣ କରି ରଚନା କରିଛନ୍ତି – ଯେମିତି ଦିନ ଓ ରାତି, ମିଠା ଓ ଖଟା, ଗରମ ଓ ଥଣ୍ଡା, ଅତି ବୃଷ୍ଟି ଓ ଦୁର୍ଭିକ୍ଷ, ଇତ୍ୟାଦି । ଗୋଟିଏ ଗୋଲାପ ଗଛରେ ସୁନ୍ଦର ଫୁଲ ସହିତ ଅସୁନ୍ଦର କଣ୍ଟା ମଧ୍ୟ ଅଛି । ଜୀବନରେ ସେହିପରି ସୁଖ ଓ ଦୁଃଖ, ଜୟ ଓ ପରାଜୟ, ଯଶ ଓ ଅପଯଶ ଆଦି ଦ୍ୱୈତ ରହିଛି । ଭଗବାନ ରାମ ଅଯୋଧ୍ୟାର ରାଜା ହେବାର ଦିନକ ପୂର୍ବରୁ ବନବାସ ଯାଇଥିଲେ।

ସଂସାରରେ ରହି କେହି ମଧ୍ୟ ଏହି ଦ୍ୱୈତର ଉର୍ଦ୍ଧ୍ୱକୁ ଯାଇ କେବଳ ସକାରାତ୍ମକ ଅନୁଭୂତି ଲାଭର ଆଶା କରି ପାରିବେ ନାହିଁ । ତେବେ ଜୀବନରେ ଆସୁଥିବା ଏହି ଦ୍ୱୈତମାନଙ୍କର ସମାଧାନ ଆମେ କିପରି କରିବା? ସେଥିପାଇଁ ଆମେ ସବୁ ଦ୍ୱୈତର ଉର୍ଦ୍ଧ୍ୱକୁ ଉଠି ସମସ୍ତ ପରିସ୍ଥିତିରେ ସମଭାବପୂର୍ଣ୍ଣ ରହିବା ଆବଶ୍ୟକ । ଏହା ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ଆମେ କର୍ମଫଳ ପ୍ରତି ନିରାସକ୍ତ ରହି ଏବଂ କର୍ମଫଳର କୌଣସି ଲାଳସା ନ ରଖି ଜୀବନରେ କେବଳ ନିଜର କର୍ତ୍ତବ୍ୟ ପାଳନ କରିଥାଏ । ଯେତେବେଳେ ଆମେ ଭଗବାନଙ୍କ ସୁଖ ପାଇଁ କର୍ମ କରିଥାଏ, ସେତେବେଳେ ସେହି କର୍ମର ଉଭୟ ସୁଫଳ ଓ କୁଫଳକୁ ଆମେ ଭଗବାନଙ୍କର ଇଚ୍ଛା ଭାବରେ ଅନୁଭବ କରିଥାଏ ଏବଂ ଖୁସିର ସହିତ ତାହାକୁ ଗ୍ରହଣ କରିଥାଏ।

ସନ୍ଦେହ ଏପରି ଏକ ଭୟଙ୍କର ରୋଗ ଯାହାର କୌଣସି ଔଷଧ ନାହିଁ….

ଏହି ସନ୍ଦେହ ପାଇଁ ବେଳେ ବେଳେ କାହାର ସୁନାର ସଂସାର ଭାଙ୍ଗିଯାଏ ତ ଫୁଣି କେତେବେଳେ ଅତି ନିବିଡ଼ ସମ୍ପର୍କ ଭିତରେ ବି ଶତ୍ରୁତା ସୃଷ୍ଟି ହୋଇଥାଏ….

Leave a Reply

Your email address will not be published. Required fields are marked *