Spread the love

ହସ ହସ ରହନ୍ତୁ

ମନୁଷ୍ୟ ଜୀବନରେ ମୃଦୁହାସର ବିଶେଷ ମହତ୍ତ୍ବ ଅଛି । ମୃଦୁହାସ ଯୁକ୍ତ ମୁଖ ଅନ୍ୟମାନଙ୍କ ମୁଖରେ ମଧ୍ୟ ମୃଦୁହାସ ଖେଳାଇ ଦିଏ, ସେଥିପାଇଁ ସମ-ବିଷମ ଉଭୟ ପରିସ୍ଥିତିରେ ସର୍ବଦା ମୃଦୁହାସ ଜାରି ରଖ । ମୃଦୁହାସ ଦ୍ବାରା କେବଳ ଆମେ ନିଜେ ଆନନ୍ଦିତ ହୋଇ ନ ଥାଉ, ବରଂ ଏହି କାରଣରୁ ସମ୍ପର୍କରେ ଆସୁଥିବା ଅନ୍ୟ ବ୍ୟକ୍ତି ମଧ୍ୟ ଆନନ୍ଦ ଅନୁଭବ କରନ୍ତି

ମୃଦୁହାସ ଆମ ଜୀବନରେ ଏକ ଜୀବନଦାୟିନୀ ଓଷଧ ପରି, ସେଥିପାଇଁ ମନୁଷ୍ୟ ପ୍ରତ୍ୟେକ ପରିସ୍ଥିତିରେ ସ୍ମିତ ପ୍ରକଟ କରି ଆନନ୍ଦ ବିକ୍ଷେପଣର ପ୍ରଯନ୍ କରୁଥିବା ଦରକାର । ମୃଦୁହାସ ଏକ ଯୌଗିକ କ୍ରିୟା ମଧ୍ୟ, ଯଦ୍ବାରା ଆମର ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ଓ ପ୍ରସନ୍ନ ରହି ଥାଏ । ଏହା ଏକ ଭାବବ୍ୟଞ୍ଜନା, ସମ୍ବେଦନଶୀଳତା ଓ ଅନୁଭୂତିର ବିଷୟ । ସ୍ମିତାନନ ସମସ୍ତଙ୍କୁ ଭଲ ଲାଗିଥାଏ, ଯାହାର ଅଭିବ୍ୟକ୍ତି ଚାରିଆଡ଼େ ସକାରାତ୍ମକତା ଓ ପ୍ରସନ୍ନତାର ପ୍ରସାର କରିଥାଏ । ଏହା ଗୋଟିଏ କ୍ଷଣରେ ଉତ୍ପନ୍ନ ହୋଇଥାଏ, କିନ୍ତୁ ଏହାର ମଧୁର ସ୍ମୃତି ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ ଜୀବନରେ ଲାଗି ରହିଥାଏ ।

ଜୀବନରେ ମୃଦୁହାସକୁ ବୟସ ବର୍ଗ ଅନୁସାରେ ବର୍ଗୀକରଣ କରାଯାଇପାରେ । ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କ ମୃଦୁହାସକୁ ବିଭିନ୍ନ ପ୍ରକାରେ ଅଲଗା ଅଲଗା ସମ୍ବୋଧନ ଦ୍ଵାରା ଅଭିବ୍ୟକ୍ତ କରାଯାଇପାରେ । ବୟସ ବର୍ଗ ଅନୁସାରେ ବାଲ୍ୟକାଳରେ ପିଲାମାନଙ୍କ ମୃଦୁହାସ ସମସ୍ତଙ୍କୁ ଆନନ୍ଦିତ କରିଥାଏ, କାରଣ ଏହା ନିଶ୍ଚଳ ଓ ନିଃସ୍ୱାର୍ଥ ଭାବରେ ଓତପ୍ରୋତ ହୋଇଥାଏ । ପିଲାମାନେ ବିନା କୌଣସି କାରଣରେ ହସୁଥାନ୍ତି-ସ୍ମିତ ପ୍ରକଟ କରୁଥାନ୍ତି ଏବଂ ନିଜର ଏହି ସ୍ମିତ କାରଣରୁ ସେମାନେ ସମସ୍ତଙ୍କୁ ପ୍ରସନ୍ନତା ତ ପ୍ରଦାନ କରନ୍ତି,ତା ସହିତ ସେମାନେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ ମଧ୍ୟ କରନ୍ତି lଯୁବାବସ୍ଥାରେ ଯୁବାମାନଙ୍କ ମୃଦୁହାସରେ ସକାମତା ଓ ପ୍ରେମଭାବନା ଥିବାର ସମ୍ଭାବନା ରହିପାରେ । ସେମାନଙ୍କ ମୃଦୁହାସ ବ୍ୟଙ୍ଗାତ୍ମକ ଓ ଅଭିବାଦନୀୟ ଗୁଣରେ ଅଭିପୂରିତ ହୋଇପାରେ । ଏହା ବ୍ୟତୀତ ସୌନ୍ଦର୍ଯ୍ୟର ପ୍ରଶଂସାର ସ୍ୱୀକାର୍ଯ୍ୟତାର ଅଭିବ୍ୟକ୍ତିରେ ମଧ୍ୟ ମୃଦୁହାସ ନିହିତ ଥାଏ । ବୃଦ୍ଧାବସ୍ଥାରେ ବୃଦ୍ଧ ଜନଙ୍କ ମୃଦୁହାସ ଅଧିକାଂଶତଃ ମଙ୍ଗଳମୟଓ ଶୁଭକାମନାରେ ଓତପ୍ରୋତ ହୋଇଥାଏ, ଯେଉଁଥିରେ ଆଶୀର୍ବାଦ ଓ କଲ୍ୟାଣମୟ ଭାବନାର ସମ୍ପଦ ଲୁଚି ରହିଥାଏ | ଏହା ସହିତ ଉତ୍ତମ କାର୍ଯ୍ୟର ପରିଣତିରେ ମୃଦୁହାସ ସନ୍ତୋଷ ପ୍ରଦାନକାରୀ ଓ ଖୁସିର କ୍ଷଣରେ ଖୁସି ବିଛୁରଣକାରୀ ହୋଇଥାଏ l

ଏତଦ୍‌ବ୍ୟତୀତ ବିଭିନ୍ନ ପ୍ରକାର ବ୍ୟକ୍ତିଙ୍କ ଗୁଣ, ସ୍ଵଭାବ ଓ ଅଭିରୁଚି ଅନୁସାରେ ସେମାନଙ୍କ ମୃଦୁହାସର ବିଭିନ୍ନ ଅଭିବ୍ୟକ୍ତି ବି ହୋଇପାରେ । ଆଜିର ସଂଘର୍ଷପୂର୍ଣ୍ଣ ଓ ଚାପପୂର୍ଣ୍ଣ ବାତାବରଣରେ ଲୋକେ ମୃଦୁହାସକୁ ଏକ ପ୍ରକାରେ ଭୁଲି ଯାଉଛନ୍ତି । ଯେଉଁ ସବୁ ପରିବାରରେ ଯେତେ ଅଧିକ କାର୍ଯ୍ୟର ଚାପ ରହିଛି, ସେହି ପରିବାର ଗୁଡ଼ିକର ମୁଖମଣ୍ଡଳ ସେତେ ମୃଦୁହାସ ବିହୀନ ହୋଇଥାଏ । ଯେତେବେଳେ ବ୍ୟକ୍ତି ଉଦାସ ହୋଇଥାଏ ତ ନିରାଶା ତାକୁ ଘେରିନିଏ ଏବଂ ସେତେବେଳେ ତା’ ମୁଖମଣ୍ଡଳରୁ ମୃଦୁହାସ ମଧ୍ୟ ଦୂରେଇ ଯାଏ, କିନ୍ତୁ ଯେବେ ବ୍ୟକ୍ତି ଉତ୍ସାହିତ ହୋଇଥାଏ ଓ ଆଶାନ୍ବିତ ହେବା ସହିତ ଉଲ୍ଲାସ – ଉଦ୍ଦୀପନାରେ ଭରି ରହିଥାଏ ତ ତାହାର ଅଭିବ୍ୟକ୍ତିରେ ସର୍ବପ୍ରଥମେ ତା’ ମୁଖମଣ୍ଡଳରେ ମୃଦୁହାସ ଆସିଥାଏ ।

ଜୀବନରେ ସମସ୍ୟାଗୁଡ଼ିକ ଆସିଲେ ବ୍ୟକ୍ତି ଗମ୍ଭୀର ହୋଇଯାଏ, କିନ୍ତୁ ସେହି ସମସ୍ୟାଗୁଡ଼ିକର ସମାଧାନ ମିଳିଗଲେ ବ୍ୟକ୍ତି ମୃଦୁହାସ କରିଥାଏ । ଯେତେବେଳେ ଆମର ମସ୍ତିଷ୍କରେ କୌଣସି ନୂଆ ବିଚାର ଆସେ, କାର୍ଯ୍ୟଯୋଜନା ଆସେ, କୌଣସି ସୁଖଦ କଳ୍ପନା ଉତ୍ପନ୍ନ ହୁଏ, କୌଣସି ପୁରୁଣା ସୁଖଦ ସ୍ମୃତି ମନ ଭିତରେ ଉଙ୍କି ମାରେ ସେତେବେଳେ ଆମ ମୁଖମଣ୍ଡଳରେ ସ୍ଵତଃ ମୃଦୁହାସ ଆସିଯାଏ । ଲକ୍ଷ୍ୟ କଲେ ଜଣାପଡ଼େ ଯେ ମୃଦୁହାସର ଏକ ଅଭିବ୍ୟକ୍ତି ମୁଖମଣ୍ଡଳକୁ ଚାପମୁକ୍ତ ତଥା ବିଷାଦ ମୁକ୍ତ କରିଦିଏ ।ମୃଦୁହାସର ଅଭିବ୍ୟକ୍ତି ସ୍ଵୟଂକୁ ପ୍ରସନ୍ନତା ଦେବା ସଙ୍ଗେ ସଙ୍ଗେ ଅନେକ ମୁଖରେ ସ୍ମିତ ଖେଳାଇ ଦିଏ ଏବଂ ଏହିପରି ମୃଦୁହାସର ଲାଭ କ୍ଷଣିକ ମଧ୍ୟରେ କେତେ ଲୋକଙ୍କୁ ମିଳିଯାଏ । ସର୍ବଦା ମୃଦୁହାସର ଅଭ୍ୟାସ ଯଦି ଆମର ହୋଇଗଲା ତ ଏହା ଆମ ସ୍ବଭାବର ବି ଏକ ଅଙ୍ଗ ହୋଇଯିବ, ଯାହା ଆମକୁ ସୁସ୍ଥ ଓ ପ୍ରସନ୍ନ ରଖିବ ଏବଂ ଆମ ଆଖପାଖରେ “ରହୁଥିବା ଲୋକଙ୍କୁ ମଧ୍ୟ ମୃଦୁହାସର ପ୍ରେରଣା ଦେବ ।

ଅଖଣ୍ଡଜ୍ୟୋତି ଅଗଷ୍ଟ 2021

Related Post

Leave a Reply

Your email address will not be published. Required fields are marked *

You Missed