ସକାଳର ଭକ୍ତି ଅର୍ଘ୍ୟ
♾️⭕⭕♾️
ଏମନ୍ତ ଭାଳି ନନ୍ଦରାଣୀ। ମନ ବଚନ ଚିତ୍ତେ ଗୁଣି।
ନ ଜାଣି ବାଇ ପ୍ରାୟ ହୋଇ। ଭାଳଇ ଦଶଦିଗ ଚାହିଁ।
ପୁଣି କ୍ଷଣକେ ଅନୁମାନି। ଚିତ୍ତେ ଚିନ୍ତଇ ଭୟ ଘେନି।
ଯାହାର ମାୟା ଘୋର ଭ୍ରମେ। ଜୀବ ଭ୍ରମଇ ପଥଶ୍ରମେ।
ମୁହିଁ ମୋହର ଏ ସଂସାର। ପତି ତନୟ ବନ୍ଧୁ ମୋର।
ସ୍ଵାମୀର ପତ୍ନୀ ମୁହିଁ ସରି। ସର୍ବ ସମ୍ପଦ ମୁଁ ଆବୋରି।
ଏ ଗୋପୀ ଗୋପ ଗୋରୁ ଧନ। ସର୍ବ ଆବୋରି ମୋର ମନ।
ଯାର ମାୟାରେ ଏହି ମତି। ସେ ହରି ମୋତେ କରୁ ଗତି।
ଏତେ ବିଚାରି କଲା ଭୟ। ମାୟା ମୋହିଲେ ଦେବରାୟ।
ତକ୍ଷଣେ କୃଷ୍ଣେ କରି କୋଳ। ନମଇଁ ଦଶଦିଗପାଳ।
ଜୟ ଚଣ୍ଡିକା ଗୋ ମଙ୍ଗଳା। ରଖ ମୋ ଏକଇର ବଳା।
ଗଜବଦନ କ୍ଷେତ୍ରପାଳେ। ପୁତ୍ର ମୋ ରଖ ସର୍ବକାଳେ।
ନମଇଁ ଗୋବିନ୍ଦର ପାୟେ। ରିଷ୍ଟ ଖଣ୍ଡିବେ ମୋ ତନୟେ।
ଏମନ୍ତ ବୋଲି କୃଷ୍ଣେ ଘେନି। ଘରେ ମିଳିଲା ନନ୍ଦରାଣୀ।
ଗୋରଜ କୃଷ୍ଣ ଦେହେ ବୋଳି। ଅନେକ କଲା ନିଉଛାଳି।
ପୁତ୍ରକୁ କରାଇ ସ୍ନାହାନ। ବ୍ରାହ୍ମଣେ ଦେଲା ମିଷ୍ଟଅନ୍ନ।
ସ୍ତନ୍ୟ ପିଆଇ କୋଳେ ଧରି। ନିଦ୍ରା କରାଇଲା ମୁରାରି।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ନବମ ଅଧ୍ୟାୟ )
ପ୍ରସଙ୍ଗ – ଭଗବାନ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ପୁତ୍ର ରୂପୀ ଭଗବାନ ଶ୍ରୀକୃଷ୍ଣଙ୍କର ଗର୍ଭ ଭିତରେ ସମଗ୍ର ବ୍ରହ୍ମାଣ୍ତ ଦେଖିବା ପରେ ଏହା ଭଲ ଲକ୍ଷଣ ନୁହେଁ ବୋଲି ଆଶଙ୍କା କରି ନନ୍ଦରାଣୀ ଯଶୋଦା ମନ ମଧ୍ୟରେ ଚିନ୍ତିତ ହୋଇ ପଡ଼ିଲେ ମଧ୍ୟ ଯେତେବେଳେ ଏହାର କିଛି କାରଣ ଜାଣି ନ ପାରିଲେ ସେତେବେଳେ ସେ ବିଚଳିତ ହୋଇ ଚାରି ଆଡକୁ ଚାହିଁଲେ। କିଛି କ୍ଷଣ ପରେ ଭୟଭୀତ ଚିତ୍ତରେ ଭାବିଲେ , ଯେଉଁ ଭଗବାନ ଶ୍ରୀହରିଙ୍କ ଘୋର ମାୟାରେ ଭ୍ରମିତ ହେବା କାରଣରୁ ଜୀବ ଜନ୍ମମୃତ୍ୟୁ ଚକ୍ରରେ ପଡ଼ି ବୃଥାରେ ଏହି ସଂସାରରେ ଭ୍ରମିଥାଏ , ଯେଉଁ ପ୍ରଭୁଙ୍କ ମାୟାରେ ମୋର ବୁଦ୍ଧି ଭ୍ରମିତ ହେବାରୁ ମୁଁ ଭାବୁଛି ଯେ ମୁଁ ଯଶୋଦା , ଏହି ଘର ସଂସାର ମୋର , ପତି ମୋର , ପୁତ୍ର ମୋର , ବନ୍ଧୁବାନ୍ଧବ ମୋର , ଗୋପପୁରର ରାଜା ନନ୍ଦଙ୍କର ପତ୍ନୀ ହିସାବରେ ଏ ସକଳ ସମ୍ପଦ ମୋର ଓ ଏ ଗୋପପୁରର ଗୋପୀ , ଗୋପାଳ ଏବଂ ଗୋଧନ ଏସବୁ ମୋର ଅଧୀନ , ମୁଁ ସେହି ଭଗବାନ ଶ୍ରୀହରିଙ୍କର ଶରଣାପନ୍ନ ହେଉଛି। ସେହି ଭଗବାନ ଶ୍ରୀହରି ତାଙ୍କ ଚରଣରେ ଆଶ୍ରୟ ଦେଇ ମୋତେ ଉତ୍ତମ ଗତି ପ୍ରଦାନ କରନ୍ତୁ। ଏହିପରି ଭାବରେ ମାତା ଯଶୋଦାଙ୍କର ମନ ଯେତେବେଳେ ଭଗବାନଙ୍କ ଠାରେ କେନ୍ଦ୍ରୀଭୂତ ହୋଇଗଲା ଭଗବାନ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କର ମନକୁ ମାୟାରେ ଏପରି ମୋହିତ କରିଦେଲେ ଯେ ଯଶୋଦା ସବୁ ଭୁଲିଯାଇ ବାତ୍ସଲ୍ୟପ୍ରେମରେ ପୁଣି ଭଗବାନ ଶ୍ରୀକୃଷ୍ଣଙ୍କୁ କୋଳ କରି ନେଲେ। ତାପରେ ଯଶୋଦା ଦଶଦିଗପାଳଙ୍କୁ ପ୍ରଣାମ କଲେ। ସେ କହିଲେ , ହେ ମା ଚଣ୍ଡୀକା ! ହେ ମା ମଙ୍ଗଳା ! ତୁମ୍ଭେ ମୋର ଏକଇର ବଳା କହ୍ନେଇକୁ ସବୁ ବିପଦରୁ ରକ୍ଷା କର। ହେ ପ୍ରଭୁ କ୍ଷେତ୍ରପାଳ ! ତୁମ୍ଭେ ମୋ ପୁତ୍ରକୁ ସର୍ବଦା ସଙ୍କଟରୁ ରକ୍ଷା କରିବ। ମୁଁ ଭଗବାନ ଶ୍ରୀହରିଙ୍କ ପାଦପଦ୍ମରେ ପ୍ରଣିପାତ କରି ଏତିକି ପ୍ରାର୍ଥନା କରୁଛି କି ସେ ମୋର ପୁତ୍ରର ସକଳ ରିଷ୍ଟ ଖଣ୍ଡନ କରନ୍ତୁ। ଏହିପରି କହି କହି ନନ୍ଦରାଣୀ ଯଶୋଦା ଭଗବାନ ଶ୍ରୀକୃଷ୍ଣଙ୍କୁ କୋଳରେ ଧରି ନିଜ ଘରକୁ ଗଲେ। ଘରେ ପୁତ୍ରର ରିଷ୍ଟ ଖଣ୍ଡନ ନିମନ୍ତେ ଯଶୋଦା ପୁତ୍ର ଦେହରେ ଗୋରଜ ବୋଳି ପୁତ୍ରକୁ ବନ୍ଦାପନା କଲେ ଓ ପୁତ୍ରକୁ ସ୍ନାନ କରାଇଲେ। ପୁତ୍ରର ରିଷ୍ଟ ଶାନ୍ତି ପାଇଁ ମଧ୍ୟ ମାତା ଯଶୋଦା ବ୍ରାହ୍ମଣମାନଙ୍କୁ ମିଷ୍ଟଅନ୍ନ ଭୋଜନ ଦେଲେ। ତାପରେ ପୁତ୍ର ରୂପୀ ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଆଇ ମାତା ଯଶୋଦା କୋଳରେ ଶୁଆଇ ପକାଇଲେ।
ଭାବାର୍ଥ – ପୁତ୍ରର ରିଷ୍ଟ ଖଣ୍ଡନ ନିମନ୍ତେ ମାତା ଯଶୋଦା ଭଗବାନଙ୍କୁ ପ୍ରାର୍ଥନା କଲେ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୮୭୪
ଜୟ ଜଗନ୍ନାଥ