ସକାଳର ଭକ୍ତି ଅର୍ଘ୍ୟ
♾️⭕⭕♾️
ଆତ୍ମାର ଗୁଣ କର୍ମ ଅର୍ଥେ। କହନ୍ତି ନନ୍ଦର ଅଗ୍ରତେ।
ଶୁଣ ହେ ବ୍ରଜ ମହୀପତି। ଯେ ତୋର ପୁତ୍ର ନାମ ଗତି।
ରୋହିଣୀ ସୁତ ଏ ସୁନ୍ଦର। ଗୁଣେ ରଞ୍ଜିବ ସୁରନର।
ଏହାର ନାମ ରାମ ହେଉ। ଦେଖ ଆଜାନୁ ବେନି ବାହୁ।
ବଳ ଅଧିକୁ ବଳ ନାମ। ବେନି ସଂଯୋଗେ ବଳରାମ।
ଗୋବିନ୍ଦ ଆଜ୍ଞା ଘେନି ପୂର୍ବେ। ଦୁର୍ଗା ଆକର୍ଷି ଥିଲେ ଗର୍ଭେ।
ତେଣୁ ତା ନାମ ସଙ୍କର୍ଷଣ। ଦେଖ ସ୍ଵରୂପ ବିଚକ୍ଷଣ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ନବମ ଅଧ୍ୟାୟ )
ପ୍ରସଙ୍ଗ – ଭଗବାନ ବଳରାମଙ୍କ ନାମକରଣ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ମହାମୁନି ଗର୍ଗ ଭଗବାନଙ୍କୁ ମନ ମଧ୍ୟରେ ସ୍ତୁତି କରି ସାରିବା ପରେ ନନ୍ଦରାଜାଙ୍କ ପ୍ରାର୍ଥନା ସ୍ଵୀକାର କରି ଯଦୁବଂଶର କୁଳପୁରୋହିତ ହିସାବରେ ପୁତ୍ରମାନଙ୍କର ସଂସ୍କାର ଓ ନାମକରଣ କର୍ମ ସମ୍ପାଦନ କରିବାକୁ ଯାଇ ନନ୍ଦରାଜାଙ୍କୁ କହିଲେ , ହେ ବ୍ରଜପୁରର ରାଜା ନନ୍ଦ ! ତୁମ୍ଭର ଏହି ପୁତ୍ରମାନଙ୍କର ଯାହା ନାମ ରହିବ ତାହା ମୁଁ ତୁମ୍ଭଙ୍କୁ କହୁଛି ତୁମ୍ଭେ ଶୁଣ। ଭଗବାନ ବଳରାମଙ୍କୁ ଲକ୍ଷ୍ୟ କରି ଗର୍ଗମୁନି କହିଲେ , ରୋହିଣୀଙ୍କର ଅତ୍ୟନ୍ତ ସୁନ୍ଦର ଏହି ପୁତ୍ରଟି ନିଜର ଦିବ୍ୟଗୁଣ ଦ୍ଵାରା ଦେବତା ଓ ମାନବ ସମସ୍ତଙ୍କ ମନକୁ ଆନନ୍ଦ ପ୍ରଦାନ କରିବ। ସେଥିପାଇଁ ଏହି ପୁତ୍ରର ନାମ ରାମ ହେବ। ହେ ନନ୍ଦରାଜା ! ଏହାର ବାହୁ ଦୁଇଟି କିପରି ଜାନୁ ପର୍ଯ୍ୟନ୍ତ ଲମ୍ବିଅଛି ଦେଖ। ଏହି ପୁତ୍ରଟି ଅଧିକ ବଳଶାଳୀ ହେବ। ଏହାର ଅଧିକ ବଳ ହେତୁ ଏହାର ନାମ ବଳ ହେବ। ବଳ ଓ ରାମ ଏହି ଦୁଇ ନାମର ସଂଯୋଗରେ ଏହି ପୁତ୍ରର ନାମ ବଳରାମ ମଧ୍ୟ ହେବ।ପୂର୍ବେ ଭଗବାନ ଶ୍ରୀହରିଙ୍କ ଆଜ୍ଞାରେ ଯୋଗମାୟା ଦୁର୍ଗା ଏହାକୁ ଦେବକୀଙ୍କ ଗର୍ଭରୁ ଆକର୍ଷି ନେଇ ରୋହିଣୀଙ୍କ ଗର୍ଭରେ ସ୍ଥାନିତ କରିଥିଲେ। ଯୋଗମାୟା ଦୁର୍ଗା ଏହି ଦିବ୍ୟ ସୁନ୍ଦର ପୁତ୍ରକୁ ଦେବକୀଙ୍କ ଗର୍ଭରୁ ଆକର୍ଷଣ କରି ନେଇ ରୋହିଣୀଙ୍କ ଗର୍ଭରେ ସ୍ଥାନିତ କରିଥିବାରୁ ଏହାର ନାମ ସଙ୍କର୍ଷଣ ମଧ୍ୟ ହେବ।
ଭାବାର୍ଥ – ରୋହିଣୀଙ୍କ ପୁତ୍ରର ନାମ ରାମ , ବଳ , ବଳରାମ ଓ ସଙ୍କର୍ଷଣ ରହିବ ବୋଲି ମହାମୁନି ଗର୍ଗ ନନ୍ଦରାଜାଙ୍କୁ କହିଲେ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୮୬୨
ଜୟ ଜଗନ୍ନାଥ