ଶ୍ରୀ ଶ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ
≠===========================≠
ଯେତେବେଳେ ସମଗ୍ର ଭାରତବର୍ଷରେ ଆଦି ସନାତନ ଧର୍ମ ଅବକ୍ଷୟ ଆଡ଼କୁ ଅଗ୍ରସର ହେଉଥିଲା ଠିକ୍ ସେତିକିବେଳେ ଶିବାବତାର ଆଦି ଶଙ୍କରାଚାର୍ଯ୍ୟ ସନାତନ ଧର୍ମର ପୁନରୁତ୍ଥାନ କରିବାକୁ ଏ ଧରାଧାମରେ ଅବତରଣ କରିଥିଲେ।ସିଏ ଏଭଳି ଜଣେ ଯୁଗପୁରୁଷ ଥିଲେ ଯିଏକି ମାତ୍ର ଅଳ୍ପବର୍ଷର ଜୀବନକାଳ ମଧ୍ୟରେ ସନାତନ ଧର୍ମର ପୁନଃସ୍ଥାପନା କରିବାରେ ସକ୍ଷମ ହୋଇଥିଲେ।ତାଙ୍କ ଜୀବନ ଯେତିକି ଅସାଧାରଣ ଥିଲା ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ମଧ୍ୟ ସେତିକି ଉତ୍ସର୍ଗୀକୃତ ଥିଲା।ଭାରତୀୟ ଦର୍ଶନ ମାନବ କଲ୍ୟାଣ ବିଷୟରେ କୁହେ ଏବଂ ଜୀବନକୁ ଏକ ସାମଗ୍ରିକ ଦୃଷ୍ଟିରେ ଦେଖେ।ଏହି ସତ୍ୟ ବିଷୟରେ ସମାଜକୁ ଅବଗତ କରାଇବା ପାଇଁ ଆଦି ଶଙ୍କରାଚାର୍ଯ୍ୟ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ସମର୍ପିତ କରିଥିଲେ।ସେ ଏକାଧାରରେ ଥିଲେ ଜଣେ ଧର୍ମଗୁରୁ,ଦାର୍ଶନିକ,ସମାଜ ସଂସ୍କାରକ ଓ ବେଦାନ୍ତର ମୁଖ୍ୟ ପ୍ରବକ୍ତା।ସେ ଥିଲେ ଜଣେ ଅତୁଳନୀୟ ଜ୍ଞାନୀ,ବିରାଟ ଭାଷାବିତ୍ ଏବଂ ସର୍ବୋପରି ଆଧ୍ୟାତ୍ମ୍ୟର ଏକ ଉଜ୍ଜ୍ବଳ ଜ୍ୟୋତି ତଥା ଭାରତବର୍ଷର ଗୌରବ।ସ୍ୱଳ୍ପ ଆୟୁରେ ସେ ଦର୍ଶାଇଥିବା ପ୍ରଜ୍ଞା ଓ ଜ୍ଞାନର ପରାକାଷ୍ଠା ସମଗ୍ର ମାନବ ଜାତି ପାଇଁ ଆଜି ମଧ୍ୟ ଅଦ୍ଵିତୀୟ ଆଲୋକବର୍ତ୍ତିକା ସଦୃଶ।ତାଙ୍କ ଅଳ୍ପାୟୁଷ ମଧ୍ୟରେ ସେ ବିଚରଣ କରିଥିଲେ ଏ ଦେଶର ସମଗ୍ର ଦୈର୍ଘ୍ୟ ଓ ପ୍ରସ୍ଥ ଓ ତାଙ୍କ ପୂତ ଚରଣ ସ୍ପର୍ଶରେ ପବିତ୍ର ହୋଇଥିଲା ସମଗ୍ର ଭାରତବର୍ଷ।ଶଙ୍କରାଚାର୍ଯ୍ୟଙ୍କୁ ସନାତନ ଧର୍ମର ପ୍ରଥମ ଧାର୍ମିକ ସଂସ୍କାରକ ବୋଲି କୁହାଯାଏ କାରଣ ୩୨ ବର୍ଷର ସାଂସାରିକ ଜୀବନରେ ଆଦି ଶଙ୍କରାଚାର୍ଯ୍ୟ ଦକ୍ଷିଣରୁ ଉତ୍ତର,ପୂର୍ବରୁ ପଶ୍ଚିମ ଶହ ଶହ ଧାର୍ମିକ ସଭାକରି ବେଦର ଜ୍ଞାନକୁ ପ୍ରଚାର କରିଥିଲେ। ତାଙ୍କର ଏହି କାର୍ଯ୍ୟ ହେତୁ ବୌଦ୍ଧଧର୍ମର ପ୍ରଭାବ ହ୍ରାସ ହୋଇ ପୁନଃ ସନାତନ ଧର୍ମ ପ୍ରତିଷ୍ଠିତ ହୋଇଥିଲା।
ଭଗବାନଙ୍କ ଅଂଶ ବୋଲି ବିଶ୍ୱାସ କରାଯାଉଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ୭୮୮ଖ୍ରୀ. ବୈଶାଖ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କେରଳର କାଲଡି ଗ୍ରାମରେ ହୋଇଥିଲା।ଶିବଙ୍କ ଭକ୍ତ ଭଟ୍ଟ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ଆଦି ଶଙ୍କରାଚାର୍ଯ୍ୟ।ତାଙ୍କ ପିତା ଶିବଗୁରୁ ନାମପୁଦ୍ରି ଏବଂ ମାତା ବିଶିଷ୍ଟାଦେବୀ ଆର୍ଯ୍ୟମ୍ବା ଶିବଙ୍କ ପରମ ଭକ୍ତ ଥିଲେ।ବିବାହର ଅନେକ ବର୍ଷ ପରେ ମଧ୍ୟ ସନ୍ତାନ ପ୍ରାପ୍ତି ନ ହେବାରୁ ଉଭୟ ସ୍ୱାମୀ-ସ୍ତ୍ରୀ କଠୋର ତପସ୍ୟା କରି ମହାଦେବଙ୍କୁ ପ୍ରସନ୍ନ କରିଥିଲେ।ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ମହାଦେବ ଶିବଗୁରୁଙ୍କୁ ସ୍ୱପ୍ନରେ ଦେଖା ଦେଇଥିଲେ ଏବଂ ବର ମାଗିବାକୁ କହିଥିଲେ।ଶିଵଗୁରୁ ମହାଦେବଙ୍କୁ ସର୍ବଜ୍ଞ ପୁତ୍ର ପ୍ରାପ୍ତିର ବର ମାଗିଥିଲେ।ଭଗବାନ ଶିବ କହିଥିଲେ ସର୍ବଜ୍ଞ ପୁତ୍ର ହେଲେ ଦୀର୍ଘାୟୁ ହେବ ନାହିଁ ଏବଂ ଯିଏ ଦୀର୍ଘାୟୁ ହେବ ସେ ସର୍ବଜ୍ଞ ହେବ ନାହିଁ।ମହାଦେବଙ୍କ କଥା ଶୁଣିବା ପରେ ଶିବଗୁରୁ ସର୍ବଜ୍ଞ ପୁତ୍ରର କାମନା କରିଥିଲେ।ଶିବଗୁରୁଙ୍କ କଥା ଶୁଣି ଶିବ ଅତି ପ୍ରସନ୍ନ ହୋଇ କହିଥିଲେ ମୁଁ ନିଜେ ତୁମର ପୁତ୍ର ହୋଇ ଜନ୍ମ ନେବି।ବୈଶାଖ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ମଧ୍ୟକାଳରେ ବିଶିଷ୍ଟାଦେବୀ ପରମ ପ୍ରକାଶ ରୂପ,ଅତି ସୁନ୍ଦର,ଦିବ୍ୟ କାନ୍ତିଯୁକ୍ତ ତେଜସ୍ୱୀ ପୁତ୍ରକୁ ଜନ୍ମ ଦେଇଥିଲେ।ତତ୍କାଳୀନ ପ୍ରସିଦ୍ଧ ଜ୍ୟୋତିଷ ବିଦ୍ୱାନ ଶିଶୁର ମସ୍ତକରେ ନେତ୍ର ଓ ତ୍ରିଶୂଳ ଚିହ୍ନ ଦେଖି ତାଙ୍କୁ ଭଗବାନ ଶିବଙ୍କ ଅବତାର ମାନି ତାଙ୍କ ନାଁ ରଖିଥିଲେ ଶଙ୍କର ।
ଶଙ୍କରାଚାର୍ଯ୍ୟଙ୍କୁ ୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା।ଏହାପରେ ତାଙ୍କ ମାତା ତାଙ୍କର ଲାଳନପାଳନ କରିଥିଲେ।ଶଙ୍କରଙ୍କର ୬ ବର୍ଷ ବୟସରେ ଉପନୟନ କାର୍ଯ୍ୟ ସମାପନ ପରେ ଗୁରୁକୁଳକୁ ଶିକ୍ଷାଗ୍ରହଣ ସକାଶେ ଯାଇଥିଲେ ମାତ୍ର ଦୁଇବର୍ଷରେ ସେ ତାଙ୍କର ଗୁରୁକୁଳ ଶିକ୍ଷା ସମାପ୍ତ କରିଥିଲେ ଏବଂ ୮ ବର୍ଷ ବୟସରେ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ।ତାଙ୍କର ସନ୍ୟାସ ଧର୍ମ ଗ୍ରହଣ କରିବା ସମୟରେ ଏକ ଅଲୌକିକ ଘଟଣା ଘଟିଥିଲା।ଏକମାତ୍ର ପୁତ୍ର ଥିବା ଯୋଗୁଁ ମାତା ବିଶିଷ୍ଟାଦେବୀ ତାଙ୍କୁ ସନ୍ୟାସୀ ହେବା ପାଇଁ ଅନୁମତି ଦେଉନଥିଲେ।ଦିନେ ନଦୀକୂଳରେ ସ୍ନାନ କଲାବେଳେ ଶଙ୍କରାଚାର୍ଯ୍ୟ ଏକ ମାୟା ରଚନା କରିଥିଲେ ଯେଉଁଥିରେ ଏକ କୁମ୍ଭୀର ଶଙ୍କରାଚାର୍ଯ୍ୟଙ୍କ ଗୋଡ କାମୁଡି ଧରିଥିଲା।କୁମ୍ଭୀର ଶଙ୍କରାଚାର୍ଯ୍ୟଙ୍କ ଗୋଡ ଧରିବା ପରେ ସେ ପାଟି କରି ମା’ଙ୍କୁ କହିଥିଲେ ମା ମୋତେ ସନ୍ୟାସ ନେବା ପାଇଁ ଅନୁମତି ଦିଅନ୍ତୁ ନଚେତ କୁମ୍ଭୀର ମୋତେ ଖାଇଦେବ।ଏହା ଦେଖି ମାତା ବିଶିଷ୍ଟାଦେବୀ ଭୟଭୀତ ହୋଇ ଶଙ୍କରାଚାର୍ଯ୍ୟଙ୍କୁ ସନ୍ୟାସ ନେବା ପାଇଁ ଅନୁମତି ଦେଇଥିଲେ।ଏହା ଶୁଣିବା ମାତ୍ରେ କୁମ୍ଭୀରଟି ତାଙ୍କୁ ଛାଡ଼ି ଚାଲିଯାଇଥିଲା।
୧୨ ବର୍ଷ ବୟସରେ ଶଙ୍କର ଗୃହତ୍ୟାଗ କରି ସମଗ୍ର ଭାରତ ଭ୍ରମଣ କରି ବିଭିନ୍ନ ଗୁରୁମାନଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ।ଯଦିଓ ସେ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ କିନ୍ତୁ ତାଙ୍କ ମାତାଙ୍କର ଶେଷ ସମୟରେ ସେ ଗୃହକୁ ଫେରି ରୋଗିଣା ମାଆଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ।ମାତାଙ୍କର ପରଲୋକ ଘଟିବା ପରେ ସେ ଗୃହତ୍ୟାଗ କରି ପୁଣି ଧର୍ମ ପ୍ରଚାରାର୍ଥେ ଭାରତ ଭ୍ରମଣରେ ବାହାରି ଯାଇଥିଲେ।ଶଙ୍କରଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପରମହଂସତ୍ୱ ଲାଭ କରିଥିଲେ।ସେ ସମୟରେ ଭାରତରେ ସନାତନ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ପ୍ରବଳ ହୋଇ ଉଠିଥିଲା ଜେକିନ୍ତୁ ଶଙ୍କର ବୌଦ୍ଧ ପଣ୍ଡିତମାନଙ୍କୁ ଯୁକ୍ତିଦ୍ୱାରା ପରାସ୍ତ କରି ଅଦ୍ୱୈତ ବ୍ରାହ୍ମଣ୍ୟ ଧର୍ମର ପୁନଃ ସଂସ୍ଥାପନ କରିଥିଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସ୍ଥାନମାନଙ୍କୁ ହିନ୍ଦୁଧର୍ମର ତଥା ହିନ୍ଦୁ ଶାସ୍ତ୍ରାଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ ।
ଶଙ୍କରାଚାର୍ଯ୍ୟ କହୁଥିଲେ “ଵ୍ରହ୍ମ ସତ୍ୟ ଜଗତ ମିଥ୍ୟା” ଅର୍ଥାତ୍ ସବୁକିଛି ଏଠି ମାୟା।ଅନେକ ଏହାକୁ ଏଭଳି ତର୍ଜମା କରନ୍ତି ଯେ ମାୟା ଅର୍ଥାତ୍ ଯାହାର ଅସ୍ତିତ୍ବ ନାହିଁ।ପ୍ରକୃତରେ ମାୟାର ଅର୍ଥ ଅସ୍ତିତ୍ୱହୀନତା ନୁହେଁ।ମାୟା ଅର୍ଥାତ୍ ଏକ ପ୍ରହେଳିକା ଅର୍ଥାତ୍ ଆମେ କୌଣସି ବିଷୟ ଅଥବା ବସ୍ତୁକୁ ତାର ପ୍ରକୃତ ସ୍ୱରୂପରେ ନ ଦେଖିବା।ଉଦାହରଣ ସ୍ୱରୂପ ଆମ ପଞ୍ଚଇନ୍ଦ୍ରିୟ ଅନୁଭବ ଆଧାରରେ ଯେଉଁଭଳି ଭାବେ ବୁଝେ ତାହା ବାସ୍ତବତା ଠାରୁ ଢେର ଭିନ୍ନ ଏହା ହିଁ ମାୟା।ଏଇ ଯେମିତି ପ୍ରବଳ ଖରାରେ ଯିବା ବେଳେ ଖୁବ ଦୂରରେ ପାଣି ଥିବା ଭଳି ଦେଖାଯାଏ କିନ୍ତୁ ସେଠାରେ ଯାଇ ପହଞ୍ଚିବା ପରେ ପ୍ରକୃତରେ ସେଠାରେ ପାଣି ନଥାଏ।ତା ମାନେ ନୁହେଁ ସେଠାରେ କିଛି ନାହିଁ।ଆଲୋକର ପ୍ରତିସରଣ ଏଭଳି ପ୍ରହେଳିକା ସୃଷ୍ଟି କରିଥାଏ ଯେ ଯାହା ପ୍ରକୃତରେ ଗୋଟିଏ ପ୍ରକାର କିନ୍ତୁ ତାହା ଆମକୁ ଭିନ୍ନ ପ୍ରକାରର ଦୃଶ୍ୟ ହୋଇଥାଏ।
ଯଦିଓ ଶଙ୍କରାଚାର୍ଯ୍ୟଙ୍କୁ ସନାତନ ଧର୍ମର ପୁନଃ ସଂସ୍ଥାପକ ବୋଲି ଗ୍ରହଣ କରାଯାଏ କିନ୍ତୁ କେତେକଙ୍କ ମତରେ ସେ ଶୈବ ଧର୍ମର ମଧ୍ୟ ପ୍ରଚାର କରିଥିଲେ ଏବଂ ତାଙ୍କୁ ଭଗବାନ ଶିବ ମଧ୍ୟ ଦର୍ଶନ ଦେଇଥିଲେ ବୋଲି ଲୋକକଥାରେ ପ୍ରଚଳିତ ଅଛି।ତାଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ୍ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ ଶଙ୍କରଃ ଶଙ୍କରଃ ସାକ୍ଷାତ୍ ”।ଶଙ୍କରାଚାର୍ଯ୍ୟ ଖାଲି ଭାରତ ନୁହେଁ ଭାରତ ବାହାରେ ସନାତନ ଧର୍ମର ପୁନଃ ପ୍ରତିଷ୍ଠା ପାଇଁ ଭ୍ରମଣ କରିଥିଲେ ନେପାଳ ଆଦି ଅନେକ ଦେଶ।ତାଙ୍କର ଏହି ଧର୍ମପ୍ରଚାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ହିନ୍ଦୁ ଧର୍ମ କ୍ରମେ ସକ୍ରିୟ ହୋଇଉଠିଥିଲା।ଗୋକର୍ଣ୍ଣ,ମୁକାମ୍ବିକା,ଶୃଙ୍ଗାଗିରି,କଲାଡି,ଦ୍ୱାରକା ଆଦି ଦେଶର କୋଣ ଅନୁକୋଣକୁ ଯାତ୍ରା କରି ଶେଷରେ ୩୨ ବର୍ଷ ବୟସରେ କେଦାରନାଥ ଗୁମ୍ଫାରେ ପ୍ରବେଶ କରିବା ପରେ ତାଙ୍କୁ କେବେ ଆଉ ଦେଖିବାକୁ ମିଳିନଥିଲା।ବିଶ୍ୱାସ କରାଯାଏ ସେହି ଗୁମ୍ଫା ଭିତରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା ବୋଲି। ତାଙ୍କ ବିଚରିତ ବ୍ରହ୍ମସୁତ୍ର,ଭଗବତ୍ ଗୀତା ଭାଷ୍ୟ,ବିବେକ ଚୁଡ଼ାମଣି,ଗଣେଶ ପଞ୍ଚରତ୍ନମ୍,ଗଣେଶ ଭୁଜଙ୍ଗମ୍,ଅଚ୍ୟୁତ ଅଷ୍ଟକମ୍,କୃଷ୍ଣ ଅଷ୍ଟକମ୍,ଗୋବିନ୍ଦ ଅଷ୍ଟକମ୍,ପାଣ୍ଡୁରଙ୍ଗ ଅଷ୍ଟକମ୍,ଶ୍ରୀଜଗନ୍ନାଥ ଅଷ୍ଟକମ୍,ଅନ୍ନପୂର୍ଣ୍ଣା ଅଷ୍ଟକମ୍,କାଳଭୈରବ ଅଷ୍ଟକମ୍,ଗୁର୍ବା ଅଷ୍ଟକମ୍,ଗଙ୍ଗା ଅଷ୍ଟକମ୍,ଯମୁନା ଅଷ୍ଟକମ୍,ନର୍ମଦା ଅଷ୍ଟକମ୍ ,ମଣିକର୍ଣ୍ଣିକା ଅଷ୍ଟକମ୍,ଭ୍ରମରାମ୍ବ ଅଷ୍ଟକମ୍,ଶାରଦା ଭୁଜଙ୍ଗପ୍ରୟାତା ଅଷ୍ଟକମ୍ ଓ ମୋହମୁଦ୍ଗର ଆଦି ଆଜି ସାରା ଭାରତରେ ସର୍ବତ୍ର ଆଦୃତ।
ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ହୋଇଥିଲା ସେତେବେଳେ ଭାରତରେ ବୈଦିକ ଧର୍ମ ଦୁର୍ବଳ ହେବାକୁ ଲାଗିଥିଲା ଏବଂ ବୌଦ୍ଧ ଧର୍ମର ମହତ୍ୱ ବଢ଼ିବାରେ ଲାଗିଥିଲା।ଏତିକିବେଳେ ଶଙ୍କରାଚାର୍ଯ୍ୟ ପ୍ରକାଶ ସ୍ତମ୍ଭ ହୋଇ ପ୍ରକଟ ହୋଇଥିଲେ। ଭାରତରେ ପ୍ରାଚୀନ ସନାତନ ପରମ୍ପରା ଏବଂ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର କରିବାରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ଅବଦାନ ଅତୁଳନୀୟ।ଭାରତୀୟ ସନାତନ ପରମ୍ପରାକୁ ପୁରା ଦେଶରେ ପ୍ରଚାର କରିବା ପାଇଁ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ଭାରତର ଚାରି କୋଣରେ ୪ଟି ଶଙ୍କରାଚାର୍ଯ୍ୟ ମଠ ସ୍ଥାପନା କରିଥିଲେ।ଯାହା ହିନ୍ଦୁମାନଙ୍କ ପାଇଁ ଏକ ବତୀଘର ସଦୃଶ।ବର୍ତ୍ତମାନ ତାଙ୍କ ପ୍ରତିଷ୍ଠିତ ଚାରିଧାମର ଚାରି ମଠ ଶଙ୍କରାଚାର୍ଯ୍ୟଙ୍କ ନେତୃତ୍ୱରେ ସନାତନ ପରମ୍ପରାର ଅନବରତ ପ୍ରଚାର ପ୍ରସାର କରି ଚାଲିଛନ୍ତି।
(୧) ଶୃଙ୍ଗେରୀ ମଠ:–
ଶୃଙ୍ଗେରୀ ଶାରଦା ପୀଠ ଦକ୍ଷିଣ ଭାରତର ରାମେଶ୍ବରମରେ ଅବସ୍ଥିତ।ଶୃଙ୍ଗେରୀ ମଠ ତାମିଲନାଡୁର ସବୁଠାରୁ ପ୍ରସିଦ୍ଧ ମଠ ମଧ୍ୟରେ ଅନ୍ୟତମ।ଏଥିରେ ଦୀକ୍ଷା ନେଉଥିବା ସନ୍ନ୍ୟାସୀମାନଙ୍କ ନାମରେ ସରସ୍ବତୀ,ଭାରତୀ ଆଦି ନାମ ବିଶେଷଣ ଲଗାଯାଇଥାଏ।ଯାହାଦ୍ବାରା ତାଙ୍କୁ ସେହି ସର୍ମ୍ପଦାୟର ସନ୍ନ୍ୟାସୀ କୁହାଯାଇଥାଏ।ଏହି ମଠର ମହାବାକ୍ୟ ହେଉଛି ‘ଅହଂ ବ୍ରହ୍ମାସ୍ମି’ ଏବଂ ଏଠାରେ ‘ଯଜୁ଼ଃ ବେଦ’ ସ୍ଥାପନା କରାଯାଇଅଛି।ଏହି ମଠର ମଠାଧୀଶ “ଆଚାର୍ଯ୍ଯ ସୁରଦେବ” ଥିଲେ।
(୨) ଗୋବର୍ଦ୍ଦନ ମଠ:–
ଗୋବର୍ଦ୍ଦନ ମଠ ଓଡ଼ିଶାର ପୁରୀରେ ଅବସ୍ଥିତ।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହିତ ଗୋବର୍ଦ୍ଦନ ମଠର ଘନିଷ୍ଠ ସମ୍ବନ୍ଧ ରହିଛି।ବିହାରଠାରୁ ରାଜମୁନ୍ଦ୍ରି ପର୍ଯ୍ଯନ୍ତ ଏବଂ ଓଡ଼ିଶା ଠାରୁ ଅରୁଣାଞ୍ଚଳ ପ୍ରଦେଶ ଏହି ମଠ ଅର୍ନ୍ତଗତରେ ଆସିଥାଏ।ଗୋବର୍ଦ୍ଦନ ମଠରେ ଦୀକ୍ଷା ନେଉଥିବା ସନ୍ନ୍ୟାସୀମାନଙ୍କ ନାମରେ ‘ଆରଣ୍ୟ’ ନାମ ବିଶେଷଣ ଯୋଗ କରାଯାଇଥାଏ ଯାହାଦ୍ବାରା ତାଙ୍କୁ ସେହି ସମ୍ପ୍ରଦାୟର ସନ୍ନ୍ୟାସୀ କୁହାଯାଇଥାଏ।ଏହି ମଠର ମହାବାକ୍ୟ ହେଉଛି ‘ପ୍ରଜ୍ଞାନଂ ବ୍ରହ୍ମା’ ଏବଂ ଏହି ମଠରେ ‘ଋକ୍ ବେଦ’ ସ୍ଥାପନା କରାଯାଇଅଛି।ଏହି ମଠର ମଠାଧିଶ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୂର୍ବରୁ “ଶିଷ୍ୟ ପଦ୍ମନାଭ” ରହିଥିଲେ।
(୩) ଶାରଦା ମଠ:–
ଦ୍ବାରକା ମଠ ଶାରଦା ମଠ ନାମରେ ପରିଚିତ।ଏହି ମଠ ଗୁଜୁରାଟର ଦ୍ବାରକା ଧାମରେ ଅବସ୍ଥିତ।ଏହି ମଠରେ ଦୀକ୍ଷା ନେଉଥିବା ସନ୍ନ୍ୟାସୀମାନଙ୍କ ନାମରେ ‘ତୀର୍ଥ’ ଏବଂ ‘ଆଶ୍ରମ’ ସମ୍ପ୍ରଦାୟର ନାମ ବିଶେଷଣ ଲଗାଯାଇଥାଏ।ଏହି ମଠର ମହାବାକ୍ୟ ହେଉଛି ‘ତତ୍ତ୍ୱମସି’ ଏବଂ ଏଠାରେ ‘ସାମ ବେଦ’ ରଖାଯାଇଅଛି।ପ୍ରଥମେ ଶାରଦା ମଠର ମଠାଧିଶ ‘ହସ୍ତାମଲକ’ ଥିଲେ।ହସ୍ତାମଲକ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରମୁଖ ୪ଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲେ।
(୪) ଜ୍ୟୋର୍ତି ମଠ:–
ଜ୍ୟୋର୍ତି ମଠ ଉତ୍ତରାଖଣ୍ଡର ବଦ୍ରିକା ଆଶ୍ରମରେ ଅବସ୍ଥିତ।ଐତିହାସିକ ତଥ୍ୟ ଅନୁଯାୟୀ ଜ୍ୟୋର୍ତି ମଠ ବୈଦିକ ଶିକ୍ଷା ଏବଂ ଜ୍ଞାନର ଏକ କେନ୍ଦ୍ର ସ୍ଥଳ ଯାହାକୁ ଆଦି ଶଙ୍କରାଚାର୍ଯ୍ୟ ନିଜେ ୮ମ ଶତାଦ୍ଦୀରେ ସ୍ଥାପନା କରିଥିଲେ।ଜ୍ୟୋର୍ତି ମଠରେ ଦୀକ୍ଷା ନେଉଥିବା ସନ୍ନ୍ୟାସୀମାନଙ୍କ ନାମରେ ‘ଗିରି’ ‘ପର୍ବତ’ ଏବଂ ‘ସାଗର’ ଆଦି ନାମ ବିଶେଷଣ ଯୋଗ କରାଯାଇଥାଏ।ଏହି ମଠର ମହାବାକ୍ୟ ହେଉଛି ‘ଅୟମାତ୍ମା ବ୍ରହ୍ମ’ ଏବଂ ଏହି ମଠରେ ‘ଅଥର୍ବ ବେଦ’ ସ୍ଥାପନ କରାଯାଇଅଛି।ପୂର୍ବରୁ ଏହି ମଠର ମଠାଧୀଶ “ଆଚାର୍ଯ୍ଯ ତୋଟକ” ରହିଥିଲେ।
ଆଦି ଶଙ୍କରାଚାର୍ଯ୍ୟ ‘ଅଦ୍ବୈତ ବେଦାନ୍ତ’ର ପ୍ରଣେତା।ତାଙ୍କ ଦର୍ଶନ ଆତ୍ମା ଓ ପରମାତ୍ମାର ଏକ ରୂପ ଉପରେ ଆଧାରିତ।ପରମାତ୍ମାଙ୍କର ସ୍ବରୂପ ଏକ ସଙ୍ଗେ ସଗୁଣ ଓ ନିର୍ଗୁଣ।ବ୍ରହ୍ମ ଓ ଜୀବ ମୂଳତଃ ଓ ତତ୍ତ୍ବତଃ ଏକ ଏବଂ ଅଭିନ୍ନ।କେବଳ ଅଜ୍ଞାନତା ଯୋଗୁଁ ପାର୍ଥକ୍ୟ ଦୃଷ୍ଟିକୁ ଆସେ ତେଣୁ ଜୀବର ମୁକ୍ତି ପାଇଁ ଜ୍ଞାନ ଆବଶ୍ୟକ।ସେ କହିଥିଲେ ଯେ ମଣିଷର ଅନ୍ତରତତ୍ତ୍ୱକୁ ବୁଝିପାରିଲେ ଜଣେ ସମଗ୍ର ବ୍ରହ୍ମାଣ୍ଡକୁ ବୁଝିପାରିବ।ଆଧୁନିକ ପଦାର୍ଥ ବିଜ୍ଞାନ ମଧ୍ୟ କହେ ଯେ ସମଗ୍ର ବ୍ରହ୍ମାଣ୍ଡ ହେଉଛି ମୂଳତଃ ଏକ ଅଦ୍ଵିତୀୟ ଉର୍ଜା।ସେହି ସମାନ ଭାବରେ ଶଙ୍କରାଚାର୍ଯ୍ୟ କହିଥିଲେ ସ୍ରଷ୍ଟା ଓ ସୃଷ୍ଟି ହେଉଛନ୍ତି ଏକ ଯାହାକୁ ଆମେ ଅଦ୍ଵୈତ ମତ ବୋଲି କହୁ।ଅନେକ ତର୍ଜମା ଓ ବିଶ୍ଳେଷଣ ପରେ ଆଧୁନିକ ବିଜ୍ଞାନ ଏବେ ଏହି ମତବାଦ ସହିତ ପ୍ରାୟ ସମାନ୍ତରାଳ ସ୍ଥିତିରେ ପହଞ୍ଚି ଗଲାଣି।ଏହି ଦିବ୍ୟଜ୍ଞାନ ଆଦି ଶଙ୍କର ଓ ଅନ୍ୟ ଭାରତୀୟ ସନ୍ଥ ମାନେ ବହୁ ଆଗରୁ ଖୁବ ସ୍ପଷ୍ଟ ଭାବରେ ବିବେଚନା କରିଯାଇଛନ୍ତି।