ବାଲେଶ୍ବର:ପରିବାର ଅଛି, ହେଲେ ପର କରି ଦେଇଛି । ପୁଅ-ଝିଅ ଓ ରକ୍ତ ସମ୍ପର୍କୀୟ ପରିଜନ ବି ଅଛନ୍ତି, ହେଲେ ଅଲୋଡା କରିଦେଇଛନ୍ତି । ପରିଣତ ବୟସରେ ଜୀବନର ଠିକଣା ପାଲଟିଛି ବୃଦ୍ଧାଶ୍ରମ । ବୟସରେ ଅପରାହ୍ନରେ ଏ ଏକାନ୍ତ ଜୀବନ ପାଇଁ ଆଖିରେ ଆଖିଏ ଲୁହ, ମନରେ ପୁଳାଏ କୋହ । ହୃଦୟର ବେଦନାକୁ ହୃଦୟରେ ହିଁ ଚାପି ରଖି ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବାର ପ୍ରୟାସରେ ବାକି ଜୀବନ କାଟିଦେବାକୁ ଏମାନେ ଯେମିତି ବାଧ୍ୟ । ନୂଆବର୍ଷ-2025କୁ ନେଇ ସାରା ବିଶ୍ବ ଉତ୍ସବମୁଖର । ଗାଁଠୁ ସହର, କି’ଏ-ଜିରୋ ନାଇଟରେ ଝୁମୁଛି, ତ କି’ଏ ଭୋଜିଭାତରେ ବୁଡିଲାଣି । ହେଲେ ଏହି ବେସାହାରା ମଣିଷମାନଙ୍କ ପାଇଁ କ’ଣ ବା ଏହି ନୂଆବର୍ଷର ଅର୍ଥ ଆଉ ସଂଜ୍ଞା । ଏ କାହାଣୀ ହେଉଛି ବାଲେଶ୍ବର ଜିଲ୍ଲା ସହଦେଵଖୁଣ୍ଟା ଚାନ୍ଦମାରି ଅଞ୍ଚଳରେ ଥିବା ‘ଅମୃତଧାରା’ ବୃଦ୍ଧାଶ୍ରମର ।
- ଆଶ୍ରୟ ନେଇଛନ୍ତି 22 ବୃଦ୍ଧ-ବୃଦ୍ଧା
ଅମୃତଧାରା ବୃଦ୍ଧାଶ୍ରମ ଏବେ 22 ଜଣ ବୃଦ୍ଧ ବୃଦ୍ଧାଙ୍କ ଆଶ୍ରୟସ୍ଥଳୀ । ସେମାନଙ୍କ ମଧ୍ୟରେ 12 ଜଣ ବୃଦ୍ଧା ଥିବା ବେଳେ 8 ଜଣ ବୃଦ୍ଧ ଅନ୍ତେବାସୀ ରହିଛନ୍ତି । କାହାର ରୋଜଗାରିଆ ପୁଅ-ବୋହୂ, ଝିଅ-ଜ୍ବାଇଁ ଅଛନ୍ତି ତ ଆଉ କିଏ ଅଘଟଣ ବଶତଃ ପରିଜନକୁ ହରାଇ ବେସାହାରା ହୋଇ ଏଠି ରାହା ଧରିଛି । ଏମାନେ ପରିବାରଠାରୁ ନିର୍ଯାତିତ ହେବା ପରେ କିଛି ବର୍ଷ ହେବ ଏଠାରେ ରହି ଆସୁଛନ୍ତି । ବର୍ଷ 2018ରେ 25 ଜଣ ସାମାଜସେବୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ଅନୁଷ୍ଠାନ । ଲକ୍ଷ୍ୟ ଥିଲା ନିରାଶ୍ରୟଙ୍କୁ ଆଶ୍ରୟ ଦେବା । ସେବେଠାରୁ ବର୍ତ୍ତମାନ ଯାଏଁ 12 ଜଣ ବୟସାଧିକ ଅନ୍ତେବାସୀଙ୍କ ଦେହାନ୍ତ ମଧ୍ୟ ହୋଇସାରିଲାଣି । ବନ୍ଧୁ ପରିଜନଙ୍କ ପରି ସେମାନଙ୍କ ଅନ୍ତେଷ୍ଟି ମଧ୍ୟ ଏହି ଆଶ୍ରମରେ ହୋଇଛି ।
ପର କରିଛି ପରିବାର, ବୃଦ୍ଧାଶ୍ରମରେ କଟୁଛି ଜୀବନ, ସେମାନଙ୍କ ପାଇଁ ନୂଆବର୍ଷର ଅର୍ଥ କଣ (ETV Bharat odisha)
- ‘କୋଭିଡରେ ଏକମାତ୍ର ପୁଅ ଚାଲିଗଲା, ବୋହୂ ଖାଇବାକୁ ଦେଲାନି ’
ନିର୍ଯାତନାର ଭିନ୍ନ ଏକ କାହାଣୀ ହେଉଛି ଆଉ ଜଣେ ବୃଦ୍ଧା ଅନ୍ତେବାସୀ ରୁକ୍ମିଣୀ ବେହେରାଙ୍କର । ଜଳେଶ୍ୱର ଅଞ୍ଚଳର ବୃଦ୍ଧା ରୁକ୍ମିଣୀ କୋଭିଡରେ ନିଜର ଏକମାତ୍ର ପୁଅକୁ ହରାଇଛନ୍ତି । ପୁଅ ଅନ୍ତେ ଅବହେଳିତ ହେଲେ ରୁକ୍ମିଣୀ । ବୋହୂ ଖାଇବାକୁ ଦେଲାନାହିଁ, ବୋହୂର ନିର୍ଯାତନା ସହି ନପାରି ଶେଷରେ ବୃଦ୍ଧାଜଣକ ବୃଦ୍ଧାଶ୍ରମରେ ଆଶ୍ରୟ ନେବାକୁ ବାଧ୍ୟ ହେଲେ । ନୂଆବର୍ଷରେ ମା’ ମନ ପୁଅକୁ ତ ଝୁରି ହେଉଛି, ହେଲେ ବୋହୂର ଅକଥନୀୟ ଅତ୍ୟାଚାରଠୁ ଆଶ୍ରମ ଭଲ ବୋଲି କହି ନିଜ ମନକୁ ବୁଝାଇ ଆସିଛନ୍ତି ରୁକ୍ମିଣୀ ।
ପର କଲା ପରିବାର, ବୃଦ୍ଧାଶ୍ରମ ହିଁ ଶେଷ ଠିକଣା, ଏମାନଙ୍କ ପାଇଁ ନୂଆବର୍ଷର ଅର୍ଥ ବା କ’ଣ (ETV Bharat odisha)
ଥର ଥର କଣ୍ଠରେରୁକ୍ମିଣୀକୁହନ୍ତି, ‘‘ଗୋଟାଏ ପୁଅ ଥିଲା ଯିଏ କି କୋଭିଡରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲା । ବୋହୂ ବହୁତ କଷ୍ଟ ଦେଲା, ସେଥିପାଇଁ ଆଉ ଘରେ ରହି ପାରିଲିନି । ଏ ନୂଆବର୍ଷରେ ସମସ୍ତଙ୍କ କଥା ତ ମନେପଡ଼େ । ହେଲେ ଆଉ କଣ କରିବି । ପୁଅ ବଞ୍ଚିଥିଲେ ବୋହୂ ମୋତେ ଆଉ ଅତ୍ୟାଚାର କରିନଥାନ୍ତା । ପୁଅ ନାହିଁ ଯେତେବେଳେ କାହାଠୁ ଆଉ କ’ଣ ଆଶା କରିବି ।’’
- ପରିବାର ପଶ୍ଚିମବଙ୍ଗରେ, କେହି ପଚାରନ୍ତି ନାହିଁ:-
ସେମିତି ଜଣେ ବୃଦ୍ଧ ଅନ୍ତେବାସୀ ହେଉଛନ୍ତି ବାହାନଗା ଗୋପାଳପୁର ଅଞ୍ଚଳର ପଞ୍ଚାନନ ପଣ୍ଡା । ଏ ନୂଆବର୍ଷରେ ତାଙ୍କ ମନରେ ଥିବା କୋହକୁ ବ୍ୟକ୍ତ କରିବାକୁ ଯାଇ ପଞ୍ଚାନନକହିଛନ୍ତି ଯେ,”ମୁଁ ସାତ ମାସ ହେଲା ଏଠାରେ ରହିଆସୁଛି । ମୋ ପୁଅ ଓ ପରିବାରର ଅନ୍ୟ ସଦସ୍ୟ ପଶ୍ଚିମବଙ୍ଗରେ ରହନ୍ତି । ସେମାନେ ମତେ ଦେଖୁନଥିଲେ । 22 ବର୍ଷ ହେଲା ନିଜେ ହାତେ ରାନ୍ଧି ଖାଉଥିଲା । ଏବେ ଅଚଳ ହେବା ପରେ ଏଠି ମୁଣ୍ଡ ଗଞ୍ଜିଛି । ଏ ନୂଆବର୍ଷ ଓ ପର୍ବ ପର୍ବାଣୀରେ ମନେ ପଡେ ପରିବାରର କଥା । ଭୁଲି ପାରୁନି କିନ୍ତୁ ମନେ ପଡିଲେ ବି କିଛି ଲାଭ ନାହିଁ ତେଣୁ ମନକୁ ଚାପିକି ରହିବାକୁ ପଡ଼େ । ମୋର ତ କେହି ନାହିଁ, କେଉଁଠି କେତେବଳେ ଜୀବନ ଚାଲିଯିବ, କେହି ଜାଣି ପାରିବେନି, କାହା ସାଙ୍ଗରେ ଯୋଗାଯୋଗ ନାହିଁ।’’
ପର କଲା ପରିବାର, ବୃଦ୍ଧାଶ୍ରମ ହିଁ ଶେଷ ଠିକଣା, ଏମାନଙ୍କ ପାଇଁ ନୂଆବର୍ଷର ଅର୍ଥ ବା କ’ଣ (ETV Bharat odisha)
- ସାହାଯ୍ୟର ହାତ ବଢାଉଛନ୍ତି ବଦାନ୍ୟ ବ୍ୟକ୍ତିବିଶେଷ:-
ଅନ୍ୟପଟେ ଆଜି ନୂଆବର୍ଷ ଯୋଗୁଁ ଅନେକ ବଦାନ୍ୟ ବ୍ୟକ୍ତିବିଶେଷ ଏହି ଆଶ୍ରମକୁ ଆସି ଅନ୍ତେବାସୀଙ୍କ ପାଇଁ କିଛି ସାମଗ୍ରୀ, ଶୀତବସ୍ତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଭିତରୁ ଫକୀର ମୋହନ ସରକାରୀ ମେଡିକାଲର ଡାକ୍ତର ବିଜୟଲକ୍ଷ୍ମୀ ସାହୁ ଆଶ୍ରମର ଅନ୍ତେବାସୀଙ୍କ ପାଇଁ ଶୀତବସ୍ତ୍ର ବ୍ୟବସ୍ଥା କରିଥିଲେ । ଡା.ବିଜୟାଲକ୍ଷ୍ମୀ ପ୍ରତିକ୍ରିୟାରେ କହିଛନ୍ତି,‘‘ବାପା-ମା’ ପିଲାଙ୍କୁ ମିଶାଇଲେ ପରିବାର ହୁଏ । ସେମାନେ ପିଲାଙ୍କୁ ମଣିଷ କଲେ, ମାତ୍ର ବୃଦ୍ଧାବସ୍ଥାରେ ସେବା ପାଇବା ବଦଳରେ ଅସହାୟ ହୋଇ ସାହାରା ଖୋଜିଲେ । ସେମାନଙ୍କ ମନରେ ତ ନିଶ୍ଚିତ ଭାବେ କୋହ ଥିବ, ପିଲାମାନଙ୍କୁ ଦେଖିବା ପାଇଁ ।“