Spread the love

ଯୋଗସମୂହ ବିପଦରୁ ଉଦ୍ଧାର ପାଇବାର ଏକମାତ୍ର ମାଧ୍ୟମ ହେଉଛି ଯୋଗ। ପାତଞ୍ଜଳିଙ୍କ ରଚିତ ‘ଯୋଗଃ ସ୍ଥିତ ଇତିଃ’ରୁ ଆରମ୍ଭ କରି ଯୋଗଗୁରୁ ଗୋରଖନାଥଙ୍କ ଭାଷାରେ ‘ଆତ୍ମନଃ, ପରତ୍ମାନଃ, ସଂଯୋଗ, ଯୋଗ ଉଚ୍ୟତେ’ ପର୍ଯ୍ୟନ୍ତ ଜୀବନକୁ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ଯୋଗ ହିଁ ସୁରକ୍ଷା କବଚ ହୋଇପାରିବ। ସଂସ୍କୃତ ‘ଯୁଜ୍‌‌’ ଧାତୁରୁ ‘ଯୋଗ’ ଶବ୍ଦର ଉତ୍ପନ୍ନ। ଏହାର ଅର୍ଥ ହେଉଛି ମିଳାଇବା ବା ମିଶାଇବା ବା ଯୋଡ଼ିବା। ଜୀବାତ୍ମାର ପରମାତ୍ମା ସହିତ ମିଳନକୁ ଯୋଗ କୁହାଯାଏ। ଗୀତାରେ କୁହାଯାଇଛି ‘ଯୋଗଃ କର୍ମଷୁ କୌଶଳଂ’। ଅର୍ଥାତ୍‌‌ କୌଣସି କାର୍ଯ୍ୟ କୁଶଳତା ପୂର୍ବକ ନିର୍ବାହ କରିବା ହେଉଛି ଯୋଗ।‘ଯୋଗ’ ଓ ‘ପ୍ରାଣାୟାମ’ ଭାରତବର୍ଷରୁ ହିଁ ସୃଷ୍ଟି। ବହୁ ପୁରାତନ କାଳରେ ମୁନିଋଷିମାନେ ଯୋଗ ଓ ପ୍ରାଣାୟାମ କରି ଶହ ଶହ ବର୍ଷ ନିରାମୟ ଜୀବନ ବଞ୍ଚି ପାରୁଥିଲେ। ଭଗବାନ ସ୍ୱୟଂ ଯୋଗେଶ୍ୱର। ଯୋଗରୁ ଦର୍ଶନ। ଦର୍ଶନରୁ ବ୍ରହ୍ମ ପ୍ରାପ୍ତି। ଯୋଗ ହିଁ ସବୁଥିର ମୂଳ କାରଣ। ଯୋଗ ମାଧ୍ୟମରେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ, ଆୟୁ ବୃଦ୍ଧି ହୋଇଥାଏ, ମାନସିକ ଶାନ୍ତି ମିଳିଥାଏ, ଶରୀର ସୁସ୍ଥ ସବଳ ରହିଥାଏ। ଯୋଗାସନ ମାଧ୍ୟମରେ ମାଂସପେଶୀର କାର୍ଯ୍ୟକ୍ଷମତା ଅନ୍ତଃକରଣରୁ ବୃଦ୍ଧି ହୋଇଥାଏ ଏବଂ ଏହି କାର୍ଯ୍ୟ କ୍ଷମତା ମୃତ୍ୟୁ ପର୍ଯ୍ୟନ୍ତ ସକ୍ଷମ ରହିଥାଏ।ଯୋଗ ଅର୍ଥାତ୍‌‌ ସଂଯୋଗ। ଅର୍ଥାତ୍‌‌ ଜୀବାତ୍ମା ପରମାତ୍ମା ସହିତ ମିଳନ। ‘ସଂଯୋଗ ଯୋଗ ଇତ୍ୟୁକ୍ତ ଜୀବାତ୍ମା ପରମାତ୍ମନେଃ।’ ଅର୍ଥାତ୍‌‌ ଜୀବାତ୍ମା ପରମାତ୍ମା ସହିତ ସଂଯୋଗକୁ ଯୋଗ କୁହାଯାଏ। ଯୋଗ ସାଧନା କରୁଥିବା ଯୋଗୀ ହିଁ ସର୍ବଜ୍ଞ। ଯେଉଁ ଯୋଗର କ୍ରିୟାନୁଷ୍ଠାନ ଦ୍ୱାରା ମନୁଷ୍ୟ ପରମପଦ ଲାଭ କରିଥାଏ, ପରମାତ୍ମାଙ୍କ ଅଲୌକିକ ଶକ୍ତି ପ୍ରାପ୍ତ ହୋଇଥାଏ ତାହାକୁ କୁହାଯାଏ ‘ଯୋଗ ଶାସ୍ତ୍ର’ ବା ‘ବ୍ରହ୍ମ ଶାସ୍ତ୍ର’। ତେଣୁ ଆବାଳବୃଦ୍ଧବନିତା ଯୋଗକୁ ଆଶ୍ରୟ କରି ବା ଅନୁକରଣ କରି ଜୀବନକୁ ଅତିବାହିତ କରିବା ଉଚିତ୍‌‌।ପ୍ରାଣ ଶରୀରକୁ ସଞ୍ଚାଳନ କରିବାର ଶକ୍ତି ପ୍ରଦାନ କରିଥାଏ। ତେଣୁ ପ୍ରାଣକୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ବାୟୁ ହେଉଛି ଶରୀରର ସମସ୍ତ କୋଷ ସଞ୍ଚାଳନର ମୁଖ୍ୟ ମାଧ୍ୟମ। କେବଳ ପ୍ରାଣାୟାମ ମାଧ୍ୟମରେ ହିଁ ବାୟୁକୁ ସଞ୍ଚାଳନ କରାଯାଇପାରିବ। ତେଣୁ ଆବାଳବୃଦ୍ଧବନିତା ସର୍ବୋପରି ପ୍ରତ୍ୟେକ ଛାତ୍ରଛାତ୍ରୀ ନିୟମିତ ପ୍ରାଣାୟାମକୁ ଅଭ୍ୟାସ କରିବା ଉଚିତ୍‌‌। ନିୟମିତ ପ୍ରାଣାୟାମ କରିବା ଦ୍ୱାରା ମନରୁ କ୍ରୋଧ, ହିଂସା, ଔଦ୍ଧତ୍ୟ ଦୂର ହୋଇଥାଏ। ଅବସାଦରୁ ମୁକ୍ତି ମିଳିଥାଏ। ମାନସିକ ଶାନ୍ତି ମିଳିଥାଏ। ବଂଶାନୁକ୍ରମିକ ମଧୁମେୟ, ହୃଦ ରୋଗ, ଉଚ୍ଚ ରକ୍ତଚାପ, ଆଜମା ଆଦିରୁ ରକ୍ଷା ମିଳିଥାଏ। ଚର୍ମ ରୋଗ, ଗୁପ୍ତ ରୋଗରୁ ମୁକ୍ତି ମିଳିଥାଏ। ପାଚନ ଶକ୍ତି ବୃଦ୍ଧି ହୋଇଥାଏ। ଦାନ୍ତମୂଳ ଶକ୍ତ ହୋଇଥାଏ। ବାତ, ପିତ, କଫ ରୋଗରୁ ତ୍ରାହି ମିଳିଥାଏ। ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ପାରାଲିସିସ୍‌‌, ଥାଇରଏଡ୍‌‌, ଯକ୍ଷ୍ମା, କ୍ୟାନସର, ଆଣ୍ଠୁ, ଗଣ୍ଠି ବ୍ୟଥାରୁ ଉପଶମ ମିଳିଥାଏ। ମନ ସ୍ଥିର ଓ ଉଦାରବାଦୀ ହୁଏ। ଏପରିକି ମନରୁ ବାର୍ଦ୍ଧକ୍ୟ ଭାବ ଦୂର ହୋଇଥାଏ।ପ୍ରାଣାୟାମ ବା ଆସନ କରିବା ସମୟରେ ରେଚକ, ପୂରକ ଓ କୁମ୍ଭକ ଉପରେ ଦୃଷ୍ଟି ରଖିବା ଉଚିତ୍‌‌। ପ୍ରକାର ଭେଦରେ ପ୍ରାଣାୟାମକୁ ୭ ଭାଗରେ ବିଭକ୍ତ କରାଯାଇଛି। ଯଥା- ଉତ୍ସିକା, କପାଳ ଭାତି, ଅନୁଲୋମ ବିଲୋମ, ବାହ୍ୟ ପ୍ରାଣାୟାମ, ଭ୍ରାମରି, ଅଗ୍ନିସାର ଓ ଉଦ୍‌‌ଗିଧ। ଏହି ପ୍ରାଣାୟାମ ସମ୍ପର୍କରେ ଭଲଭାବରେ ଜାଣିବା ପାଇଁ ଅଭିଜ୍ଞ ଗୁରୁଙ୍କ ଉପଦେଶ ଓ ମାର୍ଗଦର୍ଶନର ଆବଶ୍ୟକତା ଥାଏ। ପ୍ରାଣାୟାମ ଓ ଯୋଗ ମାଧ୍ୟମରେ ନର ପଶୁତ୍ୱରୁ ମାନବତ୍ୱ ଏବଂ ତାପରେ ମାନବତ୍ୱରୁ ମାହାମାନବତ୍ୱରେ ପରିଣତ ହୋଇ ଶେଷରେ ପୂର୍ଣ୍ଣତ୍ୱ ଲାଭ କରିଥାଏ।ଆମ ଶାସ୍ତ୍ରରେ ଯେଉଁ ଷଡ଼ଦର୍ଶନ ବିଷୟରେ କୁହାଯାଇଛି (ପୂର୍ବ ମୀମାଂସା-ଜୈମିନି ଋଷି, ଉତ୍ତର ମୀମାଂସା-ଭଗବାନ ବ୍ୟାସ, ବୈଶେଷିକ ମୀମାଂସା-କଣାଦ, ନ୍ୟାୟ- ଋଷି ଗୌତମ, ପ୍ରକୃତି- କପିଳ ମୁନି ଓ ଯୋଗ-ପାତଞ୍ଜଳି) ସେଥିମଧ୍ୟରୁ ଆମ ସମାଜରେ ବିଶେଷ ଭାବେ ଯୋଗକୁ ପ୍ରାଧାନ୍ୟ ଦିଆଯାଇଛି। ଚିତ୍ତ ବୃଦ୍ଧିର ନିୟନ୍ତ୍ରଣ ହେଉଛି ଯୋଗ। ଚିତ୍ତକୁ ଏକାଗ୍ର କରି ମନକୁ ନିଶ୍ଚଳ କରିବା ପାଇଁ ଆଠ ଗୋଟି ପଦ୍ଧତି ଅବଲମ୍ବନ କରାଯାଇଛି। ତାହାକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ। ସେହି ଅଷ୍ଟାଙ୍ଗ ଯୋଗ ହେଉଛି – ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣା ଏବଂ ସମାଧି। ଯମ ନିୟମାଦି ପାଳନ କରିବା ପାଇଁ ମନୁଷ୍ୟର ଅନ୍ତରରେ ଶାରିରୀକ ସାମର୍ଥ୍ୟ ଏକାନ୍ତ ଆବଶ୍ୟକ। ସେଥିନିମିତ୍ତ ବୈଦିକ ଶକ୍ତି ପାଇଁ ଯୋଗ ସହାୟକ ହୋଇଥାଏ। ନିୟମିତ ଯୋଗ ପ୍ରାଣାୟମ ନ କଲେ ଶରୀର ରୋଗମୟ ହୋଇଥାଏ। ଶରୀର ସୁସ୍ଥ ଓ ନିରାମୟ ପାଇଁ ଯୋଗ ଏକାନ୍ତ ଆବଶ୍ୟକ। ‘ଯୁବା ବୃଦେ୍ଧାତିବୃଦେ୍ଧା ବା ବ୍ୟାଧିତ୍ୱ ଦୁର୍ବୋଳୋପି ବା ଅଭ୍ୟାସାତ୍‌‌ ସିଦ୍ଧିମାପ୍ନୋତି ସର୍ବୋଯୋଗ ଶତନ୍ଦ୍ରିୟ।’ ଅର୍ଥାତ୍‌‌ ଯୁବା (ବାଳକ ବାଳିକା), ବୃଦ୍ଧ (ବୟସ୍କ ବୟସ୍କା), ଅତିବୃଦ୍ଧ (ବୁଢ଼ା ବୁଢ଼ୀ), ରୋଗୀ, ଦୁର୍ବଳ ଆବାଳବୃଦ୍ଧବନିତା ସମସ୍ତେ ଯୋଗ ଅଭ୍ୟାସ କରିବା ଉଚିତ୍‌‌। ନିୟମିତ ଯୋଗାଭ୍ୟାସ କଲେ ଶରୀରର ସର୍ବବିଧ ଲାଭ ହୋଇଥାଏ।ଘେରଣ୍ଡ ସଂହିତାର ଦ୍ୱିତୀୟ ଉପଦେଶର ପ୍ରଥମ ଓ ଦ୍ୱିତୀୟ ଶ୍ଲୋକରେ କୁହାଯାଇଛି, ମଙ୍ଗଳମୟ ଦେବାଧିଦେବ ମହାଦେବ ମୋଟ୍‌‌ ୪୦ ଲକ୍ଷ ଯୋଗାସନ କଥା କହିଛନ୍ତି। ତନ୍ମଧ୍ୟରୁ ଷୋଡ଼ଶ ଆସନ ଶ୍ରେଷ୍ଠ ଏବଂ ତନ୍ମଧ୍ୟରୁ ଦ୍ୱାତ୍ରିଂଶତ୍‌‌ ଆସନ ମନୁଷ୍ୟମାନଙ୍କ ପାଇଁ ଅତ୍ୟନ୍ତ ପ୍ରସିଦ୍ଧି ଲାଭ କରିଛି। ଯୋଗ ପ୍ରାଚୀନ ଭାରତୀୟ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ। ଭଗବାନ ଦେବାଧିଦେବ ମହାଦେବ ଶିବ ଶଙ୍କରଠାରୁ ଯୋଗ ଜନ୍ମ ଏବଂ ପରେପରେ ବୈଦିକ ଋଷି ମୁନିଙ୍କ ଦ୍ୱାରା ଏହାର ପ୍ରଚାର ପ୍ରସାର ହୋଇଥିଲା ବୋଲି କୁହାଯାଏ। ପରେପରେ ଭଗବାନ କୃଷ୍ଣ, ବୃଦ୍ଧ, ମହାବୀର ମଧ୍ୟ ନିଜ ନିଜ ଚିନ୍ତାଧାରାରେ ଯୋଗ ପ୍ରଚାର କରିଛନ୍ତି।ଶ୍ରୀମଦ୍‌‌ ଭଗବଦ୍‌‌ ଗୀତାରେ ସ୍ୱୟଂ ଭଗବାନ କହୁଛନ୍ତି, ‘ହେ ଅର୍ଜ୍ଜୁନ! ମନ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀରକୁ ବଶ କରୁଥିବା ଆଶାରହିତ ଓ ସଂଗ୍ରହରହିତ ଯୋଗୀ ଏକାକୀ ହିଁ ଏକାନ୍ତ ସ୍ଥାନରେ ଅବସ୍ଥିତ ହୋଇ ଆତ୍ମାକୁ ନିରନ୍ତର ପରମାତ୍ମାରେ ଲୀନ କରିବା ଉଚିତ୍‌‌। ଯେଉଁ ଯୋଗୀ ମନକୁ ବଶ କରି ଆତ୍ମାକୁ ନିରନ୍ତର ମୋ ଠାରେ ରଖି ଯୋଗ କରେ ସେ ପରମାନନ୍ଦନର ପରାକାଷ୍ଠା ରୂପକ ଶାନ୍ତି ପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ମୋର ଉତ୍ତମ ସ୍ଥାନକୁ ଲାଭକରେ।’ଯୋଗାସନ କହିଲେ ଆମେ ସାଧାରଣତଃ ଦୁଇପ୍ରକାର ଆସନକୁ ବୁଝିଥାଉଁ। ଯଥା- ‘ଧ୍ୟାନାସନ’ ଓ ‘ସ୍ୱାସ୍ଥ୍ୟାସନ’। ଯେଉଁ ଆସନରେ ବସି ମନକୁ ସ୍ଥିର କରିବା ପାଇଁ ପ୍ରଯତ୍ନ କରାଯାଏ ତାହାକୁ ‘ଧ୍ୟାନାସନ’ ଏବଂ ଯେଉଁ ଆସନ ବ୍ୟାୟାମ ଦ୍ୱାରା ନିୟନ୍ତ୍ରିତ କରାଯାଏ ତାକୁ ‘ସ୍ୱାସ୍ଥ୍ୟାସନ’ କୁହାଯାଏ। ଯୋଗ ହେଉଛି ନିଜକୁ ନିଜ ମାଧ୍ୟମରେ ନିଜ ପର୍ଯ୍ୟନ୍ତ ପହଁଚାଇବା ପାଇଁ ଏକମାତ୍ର ମାଧ୍ୟମ। କେତେକ ଭାଷ୍ୟକାରଙ୍କ ମତରେ ଯୋଗରେ ତିନିଗୋଟି ଅର୍ଥ ଅଛି। ଯଥା ସଂଯୋଗ, ବିୟୋଗ ଓ ଉଦ୍ୟୋଗ। ଯୋଗର ପ୍ରୟୋଗଶାଳା ହେଉଛି ଆମ ଦେହ। ଦେହରେ ମନ, ବୁଦ୍ଧି, ଚିତ୍ତ, ଅହଂକାର ହେଉଛି ଚତୁଷ୍ଟୟ ମନ୍ତ୍ର ସ୍ୱରୂପ। ଯୋଗଦ୍ୱାରା ମନୁଷ୍ୟର ଶରୀର, ମନ ଓ ଆତ୍ମା ପ୍ରତ୍ୟେକ ସ୍ତରରେ ସମୃଦ୍ଧ ହୋଇଥାଏ। ଶାରୀରିକ ଶିକ୍ଷା ହେଉଛି ସାଧାରଣ ଶିକ୍ଷାର ଏକ ଅବିଛେଦ୍ୟ ଅଙ୍ଗ। ତେଣୁ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଯୋଗ ପ୍ରାଣାୟାମ ଶିକ୍ଷା ବା ଶାରୀରିକ ଶିକ୍ଷାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ‘୧୯୮୬ – ଜାତୀୟ ଶିକ୍ଷା ନୀତି’ରେ ଶାରୀରିକ ଶିକ୍ଷାକୁ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ରୂପେ ସ୍ୱୀକୃତି ଦିଆଯାଇଛି। ଶାରୀରିକ, ମାନସିକ, ସାମାଜିକ ଓ ନୈତିକ ବିକାଶ ଘଟାଇ ଶିକ୍ଷାର୍ଥୀକୁ ଜଣେ ସୁସ୍ଥ ମାନବ ରୂପରେ ଗଢ଼ି ତୋଳିବା ଏହାର ମୁଖ୍ୟ ଲକ୍ଷ୍ୟ।ଶାରୀରିକ ଶିକ୍ଷା ପ୍ରତି ସଚେତନ ରହିଲେ ମାନସିକ ଶକ୍ତି ଦୃଢ଼ ହୋଇଥାଏ। ଶାରୀରିକ ଶକ୍ତି ଓ ମାନସିକ ଶକ୍ତି ବ୍ୟକ୍ତିବିଶେଷଙ୍କ ଜୀବନ ଯାପନରେ ସହାୟକ ହେବା ସହିତ ସୁସ୍ଥ ଓ ଉନ୍ନତ ସାମାଜିକ ଜୀବନଯାପନରେ ସହାୟକ ହୋଇଥାଏ। ଏଣୁ ସମାଜରେ ପ୍ରତ୍ୟେକ ନାଗରିକ, ବିଶେଷକରି ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ ଶିକ୍ଷାପ୍ରତି ସଚେତନ ରହିବା ଉଚିତ୍‌‌।ସ୍ୱାସ୍ଥ୍ୟକୁ ଧନ, ରତ୍ନ, ମୋତି, ମାଣିକଠାରୁ ଶ୍ରେଷ୍ଠ ଧନ ବୋଲି ବିଚାର କରି ସ୍ୱାସ୍ଥ୍ୟ ଚର୍ଚ୍ଚା କରିବା ଉଚିତ୍‌‌। ସ୍ୱାସ୍ଥ୍ୟ ସମ ପରମ ଐଶ୍ଚର୍ଯ୍ୟ ଲାଭ କଲେ ମର୍ତ୍ତ୍ୟରେ ସ୍ୱର୍ଗ ଲାଭ ହୋଇପାରେ ବୋଲି ଯୋଗସାଧକମାନେ କୁହନ୍ତି। ପ୍ରତ୍ୟେକ ନାଗରିକକୁ ଶୃଙ୍ଖଳିତ କରି ଗଢ଼ି ତୋଳିବା ସହିତ ସଭ୍ୟତାର ବିକାଶ ଦିଗରେ ଯୋଗଶିକ୍ଷା, ଶାରୀରିକ ଶିକ୍ଷା ମୁଖ୍ୟତଃ ସହାୟକ ହୋଇଥାଏ। ତେଣୁ କୁହାଯାଇଛି – ‘ସ୍ୱାସ୍ଥ୍ୟ ଦିଏ ଆନନ୍ଦ-ସ୍ନେହ-ପ୍ରୀତି-ପ୍ରେରଣା, ସ୍ୱାସ୍ଥ୍ୟ ପୁଣି ଭରିଦିଏ ଦୁଃଖ ଆଉ ଯନ୍ତ୍ରଣା / ମାନୀଜ୍ଞାନୀଗୁଣୀବିପ୍ର କିବା ଅବା ବୀର, ଯେତେ ବଡ଼ ହେଲେ ସ୍ୱାସ୍ଥ୍ୟ ସମ୍ପଦ ତାହାର।’

Related Post

Leave a Reply

Your email address will not be published. Required fields are marked *

You Missed