ଭୁବନେଶ୍ୱର,: ବିଜେଡିରେ ବଡ଼ ହଲଚଲ। ଗୋଟିଏ ପରେ ଗୋଟିଏ ଘନଘନ ବସୁଛି ବୈଠକ। ଘରୋଇ ହୋଟେଲରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ପରେ ଏପଟେ ପ୍ରତାପ ଦେବଙ୍କ ବାସ ଭବନରେ ବସିଛି ବଡ଼ ବୈଠକ ।
ପ୍ରତାପ ଦେବଙ୍କ ଘରେ ସିକ୍ରେଟ ମିଟିଂ ପରେ ବଡ଼ ବୟାନ ଦେଇଛନ୍ତି ଅରୁଣ ସାହୁ। ସେ କହିଛନ୍ତି, ସବୁ କଥା ନବୀନ ଜାଣିଛନ୍ତି। ବିଜୁ ଜନତା ଦଳ ଆହୁରି ଶକ୍ତିଶାଳୀ ହେବ। ସମସ୍ତେ ର୍ଧର୍ଯ୍ୟ ଧରିବା ଦରକାର। ଯିଏ କହୁଛନ୍ତି ବାହ୍ୟଶକ୍ତି ସିଏ ସ୍ପଷ୍ଟ କରନ୍ତୁ। ଆମେ ଦଳୀୟ ସଂଗଠନ ନିର୍ବାଚନ ନେଇ ଏକାଠି ହୋଇଥିଲୁ । ଦଳର ନେତା ନବୀନ ପଟ୍ଟନାୟକ, ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ ।
ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଶେଷକରି ‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର ମୂଳ ଲକ୍ଷ୍ୟ ବୋଲି ଦେବାଶିଷ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡିରେ ଯୋଗଦେଇ ପଦ ପାଇଥିବା କିଛି ନୂତନ ନେତା ନା ଏ ଦଳର ଇତିହାସ ଜାଣିଛନ୍ତି, ନା ନବୀନ ବାବୁଙ୍କର ନା ବିଜୁବାବୁଙ୍କ ଆଦର୍ଶ ଜାଣିଛନ୍ତି। ସେମାନେ ଆଉ କାହାର ଇଶାରାରେ ପରିଚାଳିତ ହେଉଛନ୍ତି। ସ୍ବାଭିମାନ ନଥିବା ସ୍ବାର୍ଥବାଦୀଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ। ନା ସେମାନେ ଦଳର ନା ଓଡ଼ିଶାର, ନା ନବୀନ ପଟ୍ଟନାୟକଙ୍କର ବୋଲି କହି କଡ଼ା କଟାକ୍ଷ କରିଛନ୍ତି।
ବୁଧବାର ଅପରାହ୍ନରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ବାସଭବନରେ ଦଳର ବହୁ ବରିଷ୍ଠ ନେତା ଏକାଠି ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବୈଠକରେ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ (ବବି), ଦେବୀ ମିଶ୍ର ପ୍ରମୁଖ ନେତା ଉପସ୍ଥିତ ଅଛନ୍ତି।
ସୂଚନାନୁୁସାରେ, ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବିଷୟ ନେଇ ଘମାଘୋଟ ଆଲୋଚନା ଚାଲିଛି। ଏହା ପୂର୍ବରୁ ବିଜେଡିର ବରିଷ୍ଠ ନେତାମାନେ ଏକ ହୋଟେଲରେ ମଧ୍ୟ ବୈଠକ କରିଥିଲେ। ପ୍ରତାପ ଦେବଙ୍କ ଘରେ ହୋଇଥିବା ଏହି ଦ୍ୱିତୀୟ ବୈଠକକୁ ନେଇ ରାଜନୈତିକ ମହଲରେ ହଲଚଲ.
ଓ୍ବକ୍ଫ ବିଲ୍କୁ ନେଇ ବିଜେଡିରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଭିତରେ ଛନ୍ଦିହୋଇପଡ଼ିଥିବା ଭି.କେ. ପାଣ୍ଡିଆନ୍ଙ୍କୁ ବଞ୍ଚାଇବାକୁ ଦଳ ଭିତରେ ଜୋର୍ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହାକୁ ସମ୍ଭାଳିିବାକୁ ପାଣ୍ଡିଆନ୍ଙ୍କ ଜଣେ ସହଯୋଗୀ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଗତ ୫ ଦିନ ଭିତରେ ବିଜେଡିରେ ଘଟିଥିବା ଘଟଣାକ୍ରମକୁ ଦେଖିଲେ ପାଣ୍ଡିଆନ୍ଙ୍କୁ କିପରି ସୁରକ୍ଷା ଦିଆଯାଉଛି ତାକୁ ନେଇ ସବୁଠାରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ଓ୍ବାକ୍ଫ ବିଲ୍କୁ ନେଇ ଯେଉଁ ଦ୍ୱିମତ ଦେଖାଦେଇଥିଲା ତାକୁ ଦଳର ବହୁ ବରିଷ୍ଠ, ଯୁବ ଏବଂ ଛାତ୍ରନେତା ବିରୋଧ କରିବା ସଙ୍ଗେ ସଙ୍ଗେ ପାଣ୍ଡିଆନ୍ଙ୍କୁ ହଟାଇବାକୁ ଦାବି ଜୋର୍ ଧରିଥିଲା। ହେଲେ ବହୁ ନେତାଙ୍କ ଦାବିକୁ ଅଣଦେଖା କରିଦେଇ ଏହାକୁ ଘୋଡ଼ାଇବା ସକାଶେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ବିଷୟକୁ ଅଗ୍ରାଧିକାର ଦେବାର ବାହାନା ଦଳ ଭିତରେ ଆରମ୍ଭ ହୋଇଛି। ଦଳର କେତେଜଣ ବରିଷ୍ଠ ବୋଲାଉଥିବା ନେତା ଗଣମାଧ୍ୟମ ଆଗରେ ନିଜକୁ ବଞ୍ଚାଇରଖିବା ଲାଗି ପାଣ୍ଡିଆନ୍ଙ୍କ ସହଯୋଗୀଙ୍କ ଗୋଟିଚାଳନାରେ ମୋଡ଼ିମକଚି ହୋଇଯାଇଥିବା ଚର୍ଚ୍ଚା ହେଉଛି”