ମହାଭାରତରେ ଶ୍ରୀକୃଷ୍ଣ କୌରବଙ୍କୁ ମାଗିଥିବା ସେହି ୫ଟି ଗାଁ ଏବେ କେଉଁଠି ?
ସିଂହାସନ ଲୋଭ, ଜିଦ୍ ଓ ନାରୀର ଅପମାନ ଭଳି କେତେକ କାରଣରୁ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ହୋଇଥିଲା । ଜମି ଓ ରାଜ୍ୟ ବିଭାଜନ ମଧ୍ୟ ଏହି ଭୟଙ୍କର ଯୁଦ୍ଧର ମୁଖ୍ୟ କାରଣ ଥିଲା । ରାଜ୍ୟ ଲୋଭରେ କୌରବ ମାନେ ପାଣ୍ଡବଙ୍କ ପାଇଁ ଅନେକ ଷଡଯନ୍ତ୍ର ରଚିଥିଲେ । ସେମାନଙ୍କୁ ମାରିଦେବା ପାଇଁ ମଧ୍ୟ ଚେଷ୍ଟା କଲେ । ବିନା ଯୁଦ୍ଧରେ ଚୁଞ୍ଚି ମୁନର ମେଦିନୀ ନ ଦେବାକୁ ଜିଦ୍ ଧରିଥିଲେ ଦୁର୍ଯ୍ୟୋଧନ । ତଥାପି ଯୁଦ୍ଧ ଚାହୁ ନ ଥିଲେ ପାଣ୍ଡବଙ୍କ ଜ୍ଯେଷ୍ଠ ଭ୍ରାତା ଯୁଧିଷ୍ଠିର । ସେଥିପାଇଁ ସେ ଶ୍ରୀକୃଷ୍ଣଙ୍କୁ ଶାନ୍ତିଦୂତ ଭାବେ ପଠାଇ ଦୁର୍ଯ୍ୟୋଧନଙ୍କୁ ୫ଟି ଗାଁ ମାଗିଥିଲେ । ଦୁର୍ଯ୍ୟୋଧନ ଯଦି ଏହି ପାଞ୍ଚଟି ଗାଁ ଦେବାକୁ ରାଜି ହୋଇ ଯାଇଥାନ୍ତେ, ତେଵେ ଇତିହାସର ସବୁଠାରୁ ବଡ଼ ଯୁଦ୍ଧ ଟଳି ଯାଇଥାନ୍ତା । ଶେଷରେ ଦୁର୍ଯ୍ୟୋଧନଙ୍କ ଜିଦ୍ ଯୋଗୁଁ ମହାଭାରତ ଯୁଦ୍ଧ ହେଲା । ଏଥିରେ ଅନେକ ବୀର ନିହତ ହେଲେ ଓ କୌରବ ବଂଶ ନାଶ ହେଲା । ଆଜି ବି ଲୋକମାନଙ୍କ ମଧ୍ୟରେ ମହାଭାରତ ଯୁଦ୍ଧକୁ ନେଇ ଅନେକ ଜିଜ୍ଞାସା ଭରି ରହିଛି । ଯୁଦ୍ଧ କେଉଁଠି ହୋଇଥିଲ ଓ ଦୁର୍ଯ୍ୟୋଧନ କେଉଁଠି ଲୁଚିଥିଲେ ଇତ୍ୟାଦି । ମହାଭାରତରେ ଉଲ୍ଲେଖ ଥିବା ସମସ୍ତ ଅଞ୍ଚଳ ବିଷୟରେ ଜାଣିବାକୁ ଲୋକଙ୍କ ଆଗ୍ରହ ରହିଛି । ଶ୍ରୀକୃଷ୍ଣ ମାଗିଥିବା ସେହି ୫ଟି ଗାଁ ଆଜି ବି ରହିଛି । କିନ୍ତୁ ସମୟ ପରିବର୍ତ୍ତନ ସହିତ ସେହି ସ୍ଥାନ ଗୁଡିକର ନାଁ ବି ବଦଳିଛି । ଆସନ୍ତୁ ଜାଣିବା କେଉଁଠି ଅଛି ସେହି ୫ଟି ଗାଁ ବିଷୟରେ ଜାଣିବା ।
୧) ଇନ୍ଦ୍ରପ୍ରସ୍ଥ :
ଦିଲ୍ଲୀର ଦକ୍ଷିଣାଞ୍ଚଳକୁ ଇନ୍ଦ୍ରପ୍ରସ୍ଥ ବୋଲି କୁହାଯାଏ । ମହାଭାରତର କଥାବସ୍ତୁ ଅନୁସାରେ ଜମି ବିବାଦକୁ ନେଇ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହେଲା । ଏହାଦେଖି ଧୃତରାଷ୍ଟ୍ର ଯମୁନା ନଦୀ କୂଳରେ ଥିବା ଖାଣ୍ଡବପ୍ରସ୍ଥ ଅଞ୍ଚଳକୁ ପାଣ୍ଡବଙ୍କୁ ଦେଇ ତାଙ୍କୁ ରାଜ୍ୟରୁ ଅଲଗା କରିଦେଇଥିଲେ । ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ପାଣ୍ଡବମାନେ ରାବଣଙ୍କ ଶ୍ବଶୁର ତଥା ମହାନ୍ ଶିଳ୍ପୀ ମାୟାସୁରଙ୍କ ସହାୟତାରେ ଏଠାରେ ଏକ ଭବ୍ଯ ନଗରୀ ନିର୍ମାଣ କରିଥିଲେ ଓ ଏହାର ନାମ ଇନ୍ଦ୍ରପ୍ରସ୍ଥ ରଖିଥିଲେ ।
୨) ବ୍ଯାଘ୍ରପ୍ରସ୍ଥ :
ବ୍ଯାଘ୍ରପ୍ରସ୍ଥର ଅର୍ଥ ହେଉଛି ବ୍ଯାଘ୍ରଙ୍କ ରହିବା ସ୍ଥାନ । ଏବେ ଏହି ସ୍ଥାନଟି ଉତ୍ତର ପ୍ରଦେଶରେ ବାଗପଥ ନାମରେ ପରିଚିତ । ମୋଗଲ ଶାସନ ସମୟରେ ଏହି ସ୍ଥାନର ନାମ ବାଗପଥ ହୋଇଛି । ବାଗପଥ ହେଉଛି ସେହି ଜାଗା ଯେଉଁଠାରେ କୌରବ ମାନେ ଯଉଘର ପ୍ରସାଦ କରି ପାଣ୍ଡବମାନଙ୍କୁ ଜିଳିବାକୁ ଚେଷ୍ଟା କରିଥିଲେ ।
୩) ପାଣ୍ଡୁପ୍ରସ୍ଥ :
ହରିୟାଣାରେ ଥିବା " ପାନିପଥକୁ " ମହାଭାରତ ସମୟରେ ପାଣ୍ଡୁପ୍ରସ୍ଥ କୁହାଯାଉଥିଲା । ଏହି ସହରକୁ ବୁଣାକାରଙ୍କ ସହର ବୋଲି ମଧ୍ୟ କୁହାଯାଏ । ଭାରତୀୟ ଇତିହାସରେ ଏହି ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ସ୍ଥାନରେ ୩ଟି ବଡ଼ ବଡ଼ ଯୁଦ୍ଧ ହୋଇଥିଲା । ପାଣ୍ଡୁପ୍ରସ୍ଥ ରାଜଧାନୀ ଦିଲ୍ଲୀ ଠାରୁ ୯୦ କିଲୋମିଟର ଉତ୍ତରରେ ଅବସ୍ଥିତ ।
୪) ସ୍ବର୍ଣ୍ଣପ୍ରସ୍ଥ :
ଏହାର ଅର୍ଥ ହେଉଛି ସୁନାର ସହର । ମହାଭାରତ ସମୟରେ ସ୍ବର୍ଣ୍ଣପଥ କୁହାଯାଉଥିବା ଅଞ୍ଚଳ ଆଜି ହରିୟାଣା ରାଜ୍ୟର ସୋନେପତ୍ ସହର ନାମରେ ଖ୍ଯାତ ।
୫) ତିଳପ୍ରସ୍ଥ :
ମହାଭାରତ ସମୟର ଏହି ଅଞ୍ଚଳଟି ମଧ୍ୟ ହରିୟାଣାରେ ରହିଛି । ଏବେ ଏହା ରାଜ୍ୟର ଫରିଦାବାଦ ଜିଲ୍ଲାରେ ତିଲପତି ନାମରେ ନାମିତ ଯାହା ଯମୁନା ନଦୀ କୂଳରେ ରହିଛି । ଏହି ସହରର ଜନସଂଖ୍ୟା ୪୦ ହଜାରରୁ ଅଧିକ ରହିଛି ।।
ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ – ୯୮୫୩୧୪୨୫୧୦