Spread the love

“ମହାଶିବରାତ୍ରୀ ଦିନ ଅମୃତ ଜଳ ବିତରଣ”

ଭୁବନେଶ୍ୱର,୨୨ା୨(ଦର୍ଶନ ସମୀକ୍ଷା) : ସନାତନୀ ପରଂପରାନୁଯାୟୀ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଗତ ମକର ସଂକ୍ରାନ୍ତିରୁ ପାଳିତ ହୋଇଆସୁଥିବା ମହାକୁମ୍ଭମେଳାର ସଙ୍ଗମଠାରୁ ସଂଗୃହୀତ ଅମୃତ ଜଳ ମହାଶିବରାତ୍ରୀ ଦିନ ସକାଳ ଆଠଟା ସମୟରୁ ଏଗାରଟା ପର୍ଯ୍ୟନ୍ତ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାରଠାରେ ଜନସାଧାରଣଙ୍କୁ ବିତରଣ କରିବାର ସଂକଳ୍ପ ନେଇଛନ୍ତି ଡଃ ସୁନୀତି ମୁଣ୍ଡ୍‌।

ଡକ୍ଟର ମୁଣ୍ଡ୍ ନିକଟରେ ମହାପ୍ରୟାଗଠାରେ କଳ୍ପବାସ କରି ଫେରିଛନ୍ତି। ଗଙ୍ଗା ନଦୀରୁ ଭକ୍ତି, ଯମୁନାରୁ କର୍ମ ଏବଂ ସରସ୍ୱତୀରୁ ଜ୍ଞାନ ନେଇ ଫେରିଥିବା ସେ ପ୍ରକାଶ କରିଛନ୍ତି। କୋଟି କୋଟି ଲୋକଙ୍କର ଆସ୍ଥା ଏବଂ ବିଶ୍ୱାସର ସଂଗମସ୍ଥଳରୁ ଅନେକ ଅନୁଭୂତି ନେଇ ସେ ପୁନଃ ଜନସେବାରେ ନିଜକୁ ନିୟୋଜିତ କରିଛନ୍ତି।

ପ୍ରୟାଗରାଜକୁ ଯିବା ପୂର୍ବରୁ ସୁନୀତି ଭୁବନେଶ୍ୱରର ବିଭିନ୍ନ ୱାର୍ଡରୁ ଘର ଘର ବୁଲି ଘୃତ ସଂଗ୍ରହ କରିଥିଲେ ଯେଉଁ ଘୃତରେ ସେ ମାଆ ଗଙ୍ଗାଙ୍କ ଆଳତୀ କରିବା ସହିତ ମହାକୁମ୍ଭର ଯଜ୍ଞକୁଣ୍ଡରେ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳ ମନାସୀ ଶାନ୍ତି ଯଜ୍ଞାହୁତି ଦେଇଥିବା ପ୍ରକାଶ କରିଛନ୍ତି। । କଳ୍ପବାସ ପରି ଏକ କଠିଣ ଜୀବନଚର୍ଯ୍ୟାକୁ ସେ ଖୁବ୍ ସହଜ ଭାବେ ଗ୍ରହଣ କରି ସନାତନ ପରଂପରାକୁ ସମ୍ମାନ ଜଣାଇଛନ୍ତି। ତ୍ରିବେଣୀରେ ବୁଡ ଦେବାର ଆଧ୍ୟାତ୍ମିକ ବିଶ୍ୱାସ ସହିତ ରହିଛି ଆମର ସୌରଜଗତର ଗ୍ରହନକ୍ଷତ୍ର ଚଳନ ତଥା ଅବସ୍ଥାନର ଗଣନା। ସେହିକ୍ରମରେ ଛଅ ବର୍ଷରେ ଥରେ ଅର୍ଦ୍ଧକୁମ୍ଭ, ବାର ବର୍ଷରେ ଥରେ ପୂର୍ଣ୍ଣକୁମ୍ଭ ଏବଂ ୧୪୪ ବର୍ଷରେ ଥରେ ମହାକୁମ୍ଭ ପଡ଼ିଥାଏ।

ପ୍ରକାଶ ଥାଉ କି ସୁନୀତି ଲିଙ୍ଗରାଜ ମନ୍ଦିରଠାରେ ଆଗାମୀ ୨୬ ତାରିଖ ମହାଶିବରାତ୍ରୀ ଦିନ ଜନସାଧାରଣରେ ଅମୃତ ଜଳ ବିତରଣ କରିବା ପରେ ଭୁବନେଶ୍ୱରର ବିଭିନ୍ନ ବୃଦ୍ଧାଶ୍ରମ, ଅନାଥ ଆଶ୍ରମ ଅନ୍ତେବାସୀ ଏବଂ ଜେଲରେ କାରାବାସ କରୁଥିବା କଏଦୀଙ୍କ ପାଇଁ ପୁଣ୍ୟ ଜଳ ବିତରଣ କରିବା କାର୍ଯ୍ୟକ୍ରମ ରଖିଛନ୍ତି। ତାଙ୍କ କହିବାନୁଯାୟୀ ଯେଉଁମାନେ ମନରେ ଇଚ୍ଛା ଥାଇ ମଧ୍ୟ ସଙ୍ଗମସ୍ଥଳକୁ ଯାଇପାରିନାହାନ୍ତି ସେମାନଙ୍କୁ ନିଜ ଥିବା ସ୍ଥାନରେ ଏହି ସୁବିଧା ଯୋଗାଇଦେବାକୁ ସେ ପ୍ରୟାସ କରିଛନ୍ତି। ସୁନୀତିଙ୍କ ଏଭଳି ପ୍ରୟାସକୁ ଜନସାଧାରଣ ପ୍ରଶଂସା କରିବା ସହିତ ବହୁ ସଂଖ୍ଯାରେ ଜନ ସମର୍ଥନ ପାଉଥିବା ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *