Spread the love

ଭାବନା
ମନ ମୃର୍ତ୍ତିକାରେ ଭାବନାର ବୀଜ ଅଙ୍କୁରିତ ହୋଇଥାଏ।ଏହା ସୃଷ୍ଟିର ନିୟମ ଏବଂ ପ୍ରକୃତିର ବୈଚିତ୍ର।ପ୍ରାଣୀ ଜଗତରେ ମନର ସ୍ଥିତି ସୃଷ୍ଟିର ଆଧାରରେ ପ୍ରତ୍ୟେକ ସ୍ଥୁଳ ଏବଂ ସୂକ୍ଷ୍ମ ପ୍ରସଙ୍ଗ ଭିତ୍ତିକ ସମୟ ସାରଣୀର ଏକ ଅଂଶ ବିଶେଷ,ଯାହା ତର୍ଜମା କରିବା କେବେ କାହାରିଦ୍ବାରା ସମ୍ଭବ ହୋଇନଥାଏ। ତାହାର ପରିପ୍ରକାଶ ମଧ୍ୟ ଏତେ ସୂକ୍ଷ୍ମ ହୋଇଥାଏ ଯେ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରିବା ସମ୍ଭବ ହୋଇ ନଥାଏ। ତେଣୁ ଅନେକ ଭାବନା ସେହି ମନ ମଧ୍ୟରେ ଅଙ୍କୁରିତ ହୋଇ ପରିପ୍ରକାଶର ଅସମାପ୍ତ ପ୍ରକ୍ରୀୟାରେ ଅପ୍ରକାଶ୍ୟ ସ୍ମୃତି ହୋଇ ରହିଯାଏ। ସ୍ବପ୍ନ ପରି ତାହା ମନକୁ ସ୍ପର୍ଶ କଲେବି ବର୍ଣ୍ଣନା ବିକଳ୍ପରେ ଅନ୍ତର୍ଭାବନାର ଅଂଶୀଦାର ହୋଇ ମନକୁ ଆନ୍ଦୋଳିତ କରିବାର ଦେଖାଯାଏ। ବସନ୍ତ ଋତୁରେ ମଳୟ ପ୍ରବାହରେ ଚନ୍ଦନର ସୃଷ୍ଟିପରି ତାହା ଏକ ନିରବ ବାର୍ତ୍ତା ହୋଇ ପ୍ରକୃତିର ବୈଚିତ୍ର୍ୟତାକୁ ପରିପ୍ରକାଶ କରିବାରେ ତାର ବାସ୍ତବ ଗୁଣର ପରିଚୟ କେବଳ ତତ୍ ସମ୍ପର୍କୀୟ ଜ୍ଞାନର ଅଧିକାରୀ ଦ୍ବାରା ହିଁ ବାହ୍ୟ ପ୍ରକାଶ ପାଇଁ ଉଚିତ୍ ବ୍ୟବହାରିକ ପ୍ରମାଣ ପାଇଁ ପ୍ରସ୍ତୁତ ହୋଇ ରହିଥାଏ। ଯେପରି କସ୍ତୁରୀ ମୃଗଟି ନିଜେ ମଧ୍ୟ ବୁଝି ପାରେନା ତାର ନିଜ ନାଭି ମଣ୍ଡଳୀରେ ସେହି ବାସର ଉତ୍ପତ୍ତିର ଉତ୍ସ ତା ନିଜକୁ ଭ୍ରମିତ କରୁଛି। ମାତ୍ର ସେହି ବାସର ତୀବ୍ରତାର ଅନୁସନ୍ଧାନରେ ସେ ସମଗ୍ର ବନଖଣ୍ଡ ଭ୍ରମଣ କରିବାକୁ ପଛାଏ ନାହିଁ।ଏପରିକି ନିଜର ମୃତ୍ୟୁ ପୂର୍ବରୁ କସ୍ତୁରୀ ମୃଗଟି ସେହି ଭ୍ରମାତ୍ମକ ଭ୍ରମଣରେ ଘୁରି ବୁଲୁଥାଏ,ଯାହାର କାରଣ ପାଲଟିଯାଏ ତାର ନିଜର ମୃତ୍ୟୁ। ସୃଷ୍ଟିର ସମସ୍ତ ଚେତନଶୀଳ ପ୍ରାଣୀଯେ କେବଳ ମନ ଏବଂ ଭାବନାର ବଶବର୍ତ୍ତୀ ହୋଇ ଥାଆନ୍ତି ତାହା ନୁହେଁ।ଅଚେତନ,ଅବଚେତନର ସମସ୍ତ ସୃଷ୍ଟି ସେହି ମନ ଓ ଭାବନା ଉପରେ ନିର୍ଭରଶୀଳ ହୋଇଥାଏ। ମୃତ୍ତିକାର ପ୍ରକାର ଭେଦରେ ଯେପରି ବୀଜ ଅଙ୍କୁରିତ ହୋଇ, ବୃଦ୍ଧି ଓ ପ୍ରାକୃତିକ ପ୍ରକ୍ରୀୟାରେ ପରିବର୍ତ୍ତନ ହୋଇ ଫୁଲ ଫଳ ଧାରଣ କରି ତାର ଜୀବନ ଚକ୍ରର ପ୍ରବାହମାନ ଗତିକୁ ଗତିଶୀଳ କରିଥାଏ ସେହିପରି ମନର ସ୍ଥିତି ଭାବନାର ଉଦ୍ରେକ କାରିଗରୀ ଭୂମିକା ନିର୍ବାହରେ ଗୁରୁତ୍ବପୂର୍ଣ୍ଣ ଅଂଶ ଗ୍ରହଣ କରିଥାଏ।
ସୃଷ୍ଟିରେ ପ୍ରତ୍ୟେକ ପ୍ରାଣୀ, ବୃକ୍ଷ ଲତା ଗୁଳ୍ମ ଠାରୁ ଆରମ୍ଭ କରି ମନୁଷ୍ୟ ପରି ସ୍ଥଳଚର, ଜଳଚର,ବ୍ୟୋମଚର ଏପରିକି ଉଭୟଚର ଓ ସ୍ଥଳଭେଦୀ ପ୍ରାଣୀମାନଙ୍କ ମଧ୍ୟରେ ଭାବନା କିପରି କାର୍ଯ୍ୟ କରେ ତାହା ସୂକ୍ଷ୍ମ ଭାବରେ ପର୍ଯ୍ୟାଲୋଚନା କଲେ ସ୍ପଷ୍ଟ ହୁଏ। କୌଣସି କ୍ରିୟାର ପ୍ରତିକ୍ରିୟା ସେହି ମନରୁ ଭାବନାକୁ ପ୍ରସାରିତ ହୋଇ ତାହା ଭାବରେ,ଭାଷାରେ ପରିପ୍ରକାଶ ହୋଇ ବ୍ୟାପକତା ଲାଭ କରିଥାଏ। ସେଥିପାଇଁ କୁହାଯାଏ:
” ତୁଣ୍ଡ ବାଇଦ ସହସ୍ରକୋଶ”
ଭାବ ଯେତେବେଳେ ଭାଵନାର ରୂପ ନେଇ ପରିପ୍ରକାଶ ଲାଭ କରେ ତାହା ଅନେକ ଭାବନାକୁ ପ୍ରଭାବିତ କରିବାରେ ସକ୍ଷମ ହୁଏ।ବୀଜଟିଏ ଅଙ୍କୁରିତ ହେଲେ ଯେପରି ମୃତ୍ତିକା ଉପରେ ତାର ସ୍ଥିତି ପରିଦୃଷ୍ଟ ହୁଏ, ସେହିପରି ଭାବନା ମନରୁ ଅଙ୍କୁରିତ ହୋଇ ବାହ୍ୟ ପ୍ରକାଶ ଘଟିଲେ ତାହା ଅନିୟନ୍ତ୍ରିତ ହୋଇପଡେ ଏବଂ ଗୁଣିତକ ପ୍ରକ୍ରୀୟାରେ ତାର ବୃଦ୍ଧି ଘଟେ।ତାହା କ୍ଷଣକ ମଧ୍ୟରେ ଅନେକ ଭାବନାକୁ ପ୍ରଭାବିତ କରି ପକାଏ।
ଭାବନାର ଗତିପଥ ମନର ସିଦ୍ଧାନ୍ତ ଉପରେ ନିର୍ଭର କରେ।ମନ ମୂଳରେ ଚେତନା ଚିନ୍ତା ପରି ଯେଉଁ ଉପାଦାନକୁ ଉତ୍ପାଦନ କରେ ତାହା ଯେଉଁ ଦିଗକୁ ନିର୍ଦ୍ଧାରଣ କରେ ଭାବନା ସେହି ଦିଗରେ ଗତିଶୀଳ ହୋଇଥାଏ।ସମୟ ସ୍ରୋତର ଅବିରତ ପ୍ରବାହଧାରା ଯେପରି ପ୍ରକୃତିର ପରିବର୍ତ୍ତନ ଆଣିଥାଏ ସେହିପରି ପ୍ରକୃତିର ପରିବର୍ତ୍ତନରେ ମନର ପରିବର୍ତ୍ତନ ଅବଧାରିତ ହୋଇଥାଏ।ସେହି ମନର ଗତିଶୀଳ ପଥରେ ଯେଉଁ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ ତାହା ଭାବନାକୁ ନିଜ ନିୟନ୍ତ୍ରଣରେ ରଖି ସେହି ଅନୁରୂପ ଗତିଶୀଳ କରାଇଥାଏ।ସମୟ, ପ୍ରକୃତି,ମନ ଓ ଭାବନାର ପରିବର୍ତ୍ତିତ ଧାରାରେ ପରସ୍ପର ପରିପୁରକ ହୋଇ ନପାରିଲେ ଯେଉଁ ବିଲକ୍ଷଣ ଦେଖାଯାଏ,ତାହା ଛୋଟରୁ ବଡ ବିପର୍ଯ୍ୟୟ ସୃଷ୍ଟି କରେ। ଅନୁଭବ ଏବଂ ଅନୁଭୂତିରେ ତହା ପ୍ରତୀୟମାନ ହୋଇଥାଏ।ଋତୁ ପରିବର୍ତ୍ତନ ଯେପରି ସୃଷ୍ଟୀକୁ ପ୍ରକୃତି ମାଧ୍ୟମରେ ଭିନ୍ନ ଅନୁଭୂତି ଦେଇଥାଏ ସେହିପରି ସେହି ପରିବର୍ତ୍ତନରେ କିଛି ପରିଦୃଷ୍ଟ ହେଉଥିଲେ ଆଉ କିଛି ଅନୁଭୂତିର ବାର୍ତ୍ତା ବହନ କରେ।କବିଙ୍କ ଭାଷାରେ:
“ଏହି ମନ ବୃନ୍ଦାବନ
ଏହି ମନ କାଶୀ
ଏହି ମନ ବଦ୍ରିନାଥ
ପୁରୀ, ବାରାଣସୀ “
ଆହୁରି ମଧ୍ଯ କୁହାଯାଇଥାଏ”ମନର ମୂଳେ ଏ ଜଗତ ” ।ତେଣୁ ମନକୁ ଏକ ପ୍ରକାର ସୃଷ୍ଟିର ଶ୍ରେଷ୍ଠତା ପ୍ରଦାନ କରାଯାଇଛି।ତହା ଭାବନାର ଉତ୍ସ । ସେହି ଭାବନା ମୂଳରେ ସୁଖ, ଶାନ୍ତି, ପ୍ରିତୀ, ମୈତ୍ରୀ ପରି ଭଗବତ୍ ଗୁଣର ସ୍ଥିତି ଏବଂ ସତ୍ୟ, ଅହିଂସା,ଦୟା, କ୍ଷମାର ଐଶ୍ୱରୀୟ ଗୁଣାବଳୀର ଉତ୍ପତ୍ତିସ୍ଥଳ ଭାବରେ ଗ୍ରହଣ କରାଯାଏ। ଆହୁରି ମଧ୍ୟ ଏସବୁର ବିପରିତ ଧର୍ମି ଭାବନା ଅସତ୍ୟ, ଅଶାନ୍ତି , ହିଂସା, ଦ୍ୱେଷ, ଅସୂୟା, ଈର୍ଷା, ଅହଂଙ୍କାର ପରି ଅନେକ ଗୁଣର ଉଦ୍ରେକ ହୋଇଥାଏ। ସେଥିପାଇଁ ସୃଷ୍ଟିରେ ମଣିଷ ମନ୍ଦ ଗୁଣ ଗୁଡିକୁ ପରିତ୍ୟାଗ କରି ସୁଗୁଣର ଅଧିକାରୀ ହେଲେ ଜୀବନର ସମସ୍ତ ଆକାଂକ୍ଷିତ ସ୍ବାଦ ଓ ଇପ୍ସିତ ଲକ୍ଷ୍ୟରେ ସଫଳତା ହାସଲ କରିବାପାଇଁ ଶିକ୍ଷା ପରି ଅମୂଲ୍ୟ ସମ୍ପତ୍ତିର ଅଧିକାରୀ ହେବାପାଇଁ ସମାଜ ପରି ଅନୁଷ୍ଠାନର ସୃଷ୍ଟି ହୋଇଛି।ସେହି ସମାଜ ବିଶ୍ଵର ସର୍ବଶ୍ରେଷ୍ଠ ଶିକ୍ଷା କେନ୍ଦ୍ରର ମାନ୍ୟତା ଲାଭ କରିଛି।ସେଥିରେ ବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ପରି ଅନୁଷ୍ଠାନର ସୃଷ୍ଟି ମଣିଷ ସମାଜକୁ ଅଧିକ କୃତିତ୍ବ ଆଣି ଦେଇଛି।ଭାବନାହିଁ ସୃଷ୍ଟିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ, ଯାହା ସୃଷ୍ଟିକୁ ଆଗକୁ ବଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ସଞ୍ଜୟ ✍️

Related Post

Leave a Reply

Your email address will not be published. Required fields are marked *

You Missed