ମିଥିଳାରେ ଭଗବାନ୍ ଶ୍ରୀକୃଷ୍ଣ
===============
ବିଦେହ ଦେଶର ରାଜଧାନୀ ମିଥିଳା l ସେଠାରେ ବାସ କରୁଥିଲେ ଶ୍ରୁତଦେବ ନାମକ ଜଣେ ଗୃହସ୍ଥ ବ୍ରାହ୍ମଣ l ସେ ଥିଲେ, ଭଗବାନ୍ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ l ଭଗବତ ଭକ୍ତିରୁ ତାଙ୍କର ଧନପ୍ରତି ବିଶେଷ କିଛି ଲାଳସା ନଥିଲା l ପ୍ରାରବ୍ଧବଶତଃ ଯାହା ମିଳି ଯାଉଥିଲା ସେଥିରେ ସେ ସନ୍ତୁଷ୍ଟଥିଲେ l ବ୍ରାହ୍ମଣଙ୍କ ପରି ସେ ଦେଶର ରାଜା ମଧ୍ୟ ଖୁବ୍ ଭକ୍ତି ପରାୟଣ ଓ ଶ୍ରୀକୃଷ୍ଣଙ୍କ ପରମଭକ୍ତ ଥିଲେ l ମୈଥିଳ ବଂଶର ସେହି ରାଜାଙ୍କର ନାମ ବହୁଳାଶ୍ୱ ଥିଲା l
ଦୁଇ ଭକ୍ତଙ୍କୁ ଦେଖିବା ପାଇଁ ଦିନେ ଭଗବାନ୍ ମନ ବଳାଇଲେ ଏବଂ ଦାରୁକଙ୍କ ହସ୍ତରେ ରଥ ମଗାଇ ଦ୍ୱାରକାରୁ ବିଦେହ ନଗରକୁ ଯାତ୍ରା କଲେ l ତାଙ୍କ ସହ ନାରଦ, ବାମଦେବ, ଅତ୍ରି, ବ୍ୟାସ, ପର୍ଶୁରାମ ଅସିତ, ଆରୁଣି, ଶୁକ ଦେବ, ବୃହସ୍ପତି, ମୈତ୍ରେୟ କନ୍ଵ, ଚ୍ୟବନ ଆଦି ୠଷିମାନେ ମଧ୍ୟ ଯାଉ ଥାନ୍ତି l ଭଗବାନ ଶ୍ରୀକୃଷ୍ଣ ଯେଉଁ ଦେଶ ଦେଇ ଯାଉଥାନ୍ତି ସେଠାକାର ନର ନାରୀ ମାନେ ତାଙ୍କ ପାଦ ପୂଜା କରି ନିଜକୁ ଧନ୍ୟ ମଣୁଥାନ୍ତି l ଏପରି ତାଙ୍କ ପୂଜା ପୂର୍ବକ ଆନର୍ତ୍ତ, ଧନ୍ଵ, କୁରୁ ଜାଙ୍ଗଳ, କଙ୍କ, ମତ୍ସ୍ୟ, ପାଞ୍ଚାଳ, କୁନ୍ତି, କେକେୟ, କୋଶଳ, ଅର୍ଣ୍ଣ ପ୍ରଭୃତି ବହୁ ଦେଶର ଭାଗ୍ୟଶିଳ ନରନାରୀ ଧନ୍ୟ ହୋଇ ଗଲେ l ଶ୍ରୀକୃଷ୍ଣଙ୍କ ଦର୍ଶନରେ ସେମାନଙ୍କ ସମସ୍ତ ଅଜ୍ଞାନ ନାଶ ହୋଇଗଲା l ପ୍ରଭୁ ସେମାନଙ୍କୁ ନିଜ ଚାହାଣିରେ ହିଁ ପରମ ସନ୍ତୋଷ ଦେଇ ଚାଲିଥାନ୍ତି l କେତେକ ସ୍ଥାନରେ ମନୁଷ୍ୟ ତଥା ଦେବତାମାନେ ମଧ୍ୟ ତାଙ୍କର ଗୁଣଗାନ କରୁଥାନ୍ତି l ଏପରି ଭାବେ ଭଗବାନ ଯାଇ ମିଥିଳାରେ ପହଞ୍ଚିଗଲେ l
ମିଥିଳାର ଲୋକମାନେ ଆଗରୁ କେବଳ ଭଗବାନ୍ ଓ ମୁନିମାନଙ୍କ ନାମ ଶୁଣି ଥିଲେ କିନ୍ତୁ ସେମାନଙ୍କୁ କେବେ ନିଜ ଚକ୍ଷୁରେ ଦେଖି ନଥିଲେ l
ସେମାନେ ମିଥିଳାରେ ପହଞ୍ଚିଛନ୍ତି ଶୁଣି ତାଙ୍କ ଆନନ୍ଦର ସୀମା ରହିଲା ନାହିଁ l ସମସ୍ତେ ନାନା ପୂଜା ସାମଗ୍ରୀ ଧରି ତାଙ୍କୁ ସମ୍ବର୍ଦ୍ଧନା ଜଣେଇବା ପାଇଁ ଧାଇଁ ଆସିଲେ l ସମସ୍ତେ ଯୋଡ଼ହସ୍ତ ଓ ନତମସ୍ତକରେ ସେମାନଙ୍କୁ ନମସ୍କାର କଲେ l ମିଥିଳାନରେଶ ବହୁଳାଶ୍ୱ ଏବଂ ବ୍ରାହ୍ମଣ ଶ୍ରୁତଦେବ ବୁଝିଗଲେ, ଭଗବାନ୍ ଶ୍ରୀକୃଷ୍ଣ ସେମାନଙ୍କୁ ଅନୁଗ୍ରହ କରିବା ନିମନ୍ତେ ଆସିଛନ୍ତି l ଉଭୟେ ସେମାନଙ୍କୁ ପ୍ରଣାମ କରି, ତାଙ୍କ ଆତିଥ୍ୟ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କଲେ l
ଭଗବାନ ଦୁଇ ଭକ୍ତଙ୍କ ଭକ୍ତିନିବେଦନ ନରଖନ୍ତେ କିପରି? ଏଣୁ ସେ ଏକ ସମୟରେ ଭିନ୍ନ ଭିନ୍ନ ରୂପ ଧରି ଦୁହିଁଙ୍କ ଗୃହରେ ପହଞ୍ଚିଲେ l ରାଜା ବହୁଳାଶ୍ୱ ସୁନ୍ଦର ସୁନ୍ଦର ଆସନ ମଗାଇ, ଭଗବାନ୍ ଶ୍ରୀକୃଷ୍ଣ ତଥା ମୁନି ଋଷିମାନଙ୍କୁ ବସିବାକୁ ଦେଲେ l ତାଙ୍କ ହୃଦୟ ଭଗବତ୍ ଭକ୍ତିରେ ଗଦ୍ଗଦ ହୋଇ ଉଠିଲା l ଚକ୍ଷୁ ତାଙ୍କର ଆନନ୍ଦାଶ୍ରୁ ପୂର୍ଣ୍ଣ ହୋଇଉଠିଲା l ସେ ଅତିଥି ମାନଙ୍କ ପାଦ ଧୌତ କରି ଚରଣ ଉଦକକୁ ସକୁଟୁମ୍ୱେ ଶିରରେ ଘେନିଲେ l ଏହାପରେ ରାଜା ଭଗବାନଙ୍କୁ ଓ ଭଗବତ୍ ସ୍ଵରୂପ ଋଷିମାନଙ୍କୁ ଗନ୍ଧ ଧୂପ ଦୀପ, ବସ୍ତ୍ର, ଅଳଙ୍କାର, ଗାଈ ଆଦି ସମର୍ପଣ କରି, ତାଙ୍କ ପୂଜା କଲେ l ସମସ୍ତେ ଭୋଜନ କରି ତୃପ୍ତ ହୋଇ ଯିବା ପରେ ରାଜା ବହୁଳାଶ୍ୱ କୃଷ୍ଣଙ୍କ ପାଦ ଯୁଗଳକୁ ନିଜ କୋଳରେ ରଖି ମଞ୍ଚାଳିବାକୁ ଲାଗିଲେ ଏବଂ ତାଙ୍କର ସ୍ତୁତି କରିବାକୁ ଲାଗିଲେ l ସେ ନାନା ସ୍ତୁତି କରି ଭଗବାନଙ୍କୁ ପ୍ରାର୍ଥନା କଲେ, ହେ ସର୍ବାନ୍ତର୍ଯ୍ୟାମୀ ! ହେ ଲୋକପାବନ ! ଆପଣ ପ୍ରାଣୀମାନଙ୍କୁ ଜନ୍ମମୃତ୍ୟୁ ଚକ୍ରରୁ ତାରିବା ନିମନ୍ତେ ଯଦୁବଂଶରେ ଅବତାର ଗ୍ରହଣ କରିଛନ୍ତି l
ଆପଣ ହେଉଛନ୍ତି ସଚ୍ଚିଦାନନ୍ଦ ସ୍ୱରୂପ ପରଂବ୍ରହ୍ମ l ପରମ ଶାନ୍ତି ବିସ୍ତାରକରିବା ନିମନ୍ତେ ଆପଣହିଁ ନାରାୟଣ ୠଷିରୂପେ ତପସ୍ୟା କରୁଛନ୍ତି l ହେ ପ୍ରଭୁ ! ଆପଣ ହେଉଛନ୍ତି ଅନନ୍ତ ଐଶ୍ୱର୍ଯ୍ୟ ଓ ଅସୀମ ମାଧୁର୍ଯ୍ୟର ନିଧି l ମୁଁ ଆପଣଙ୍କୁ ବାର ବାର ନମସ୍କାର କରୁଛି l ହେ ଅନନ୍ତ ! ଆପଣ ମୁନି ମାନଙ୍କ ସହ ଏଠାରେ କିଛି ଦିନ ରହିଯାନ୍ତୁ ଓ ଆପଣଙ୍କ ଚରଣ ଧୂଳିରେ ଏହି ନିମିବଂଶକୁ ପବିତ୍ର କରନ୍ତୁ l ମିଥିଳା ରାଜଙ୍କ ପ୍ରାର୍ଥନା ସ୍ବୀକାରକରି ଭଗବାନ ଶ୍ରୀକୃଷ୍ଣ କିଛିଦିନ ପାଇଁ ସେଠାରେ ଅବସ୍ଥାନ କଲେ l
ବ୍ରାହ୍ମଣ ଶ୍ରୁତଦେବ ମଧ୍ୟ ତାଙ୍କ ଘରକୁ ମୁନି ମଣ୍ଡଳ ସହିତ ଭଗବାନ୍ ଆସିଛନ୍ତି ଜାଣି, ଖୁବ୍ ଆନନ୍ଦିତ ହୋଇ ପଡ଼ିଲେ l ସେ ମସିଣା ପିଢ଼ା ଓ କୁଶାସନ ବିଛାଇ ଦେଇ ଭଗବାନ୍ ଓ ମୁନି ମାନଙ୍କୁ ବସାଇ ସ୍ବାଗତ ସମ୍ଭାଷଣ କଲେ l ଶୃତଦେବ ସ୍ତ୍ରୀଙ୍କ ସହ ସମସ୍ତଙ୍କ ପାଦ ପ୍ରକ୍ଷାଳନ କରି, ଚରଣ ଉଦକକୁ ନେଇ ନିଜ ଶିରରେ ସିଞ୍ଚି ହେଲେ ଓ କିଛି ନେଇ ନିଜ ପରିବାର ମଧ୍ୟରେ ବାଣ୍ଟିଦେଲେ l ତା’ପରେ ବିଭିନ୍ନ ପୂଜା ସାମଗ୍ରୀ ଓ ଧୂପ, ଦୀପ, ନୈବେଦ୍ୟ ଦେଇ ଭଗବାନ୍ ଏବଂ ମୁନି ମାନଙ୍କ ପୂଜାକଲେ l ସମସ୍ତ ଅତିଥି ଆସନ ଗ୍ରହଣ କରି ବସିବା ପରେ ଶୃତଦେବ ନିଜ ସ୍ତ୍ରୀ ଓ ବନ୍ଧୁବାନ୍ଧବଙ୍କ ସହ ତାଙ୍କ ସେବାରେ ଲାଗି ପଡ଼ିଲେ l
ବ୍ରାହ୍ମଣ ଶ୍ରୁତଦେବ ଭଗବାନଙ୍କର ନାନା ସ୍ତୁତି କରି କହିଲେ, ହେ ପ୍ରଭୁ,ଆପଣ ହେଉଛନ୍ତି ସବୁ କାର୍ଯ୍ୟ କାରଣର ନିୟାମକ l ଆପଣଙ୍କ ମାୟା, ଆପଣଙ୍କ ଦୃଷ୍ଟି ପଥକୁ ଢାଙ୍କି ଦେଇ ପାରେନାହିଁ l କିନ୍ତୁ ତାହା ଅନ୍ୟ ମାନଙ୍କ ଦୃଷ୍ଟିପଥକୁ ଢାଙ୍କି ରଖେ l ଆପଣଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି l ହେ ପ୍ରଭୁ ! ଆମେ ଆପଣଙ୍କ ସେବକ l ଆମେ ଆପଣଙ୍କର କି ସେବା କରିବୁ ତାହା ଆଜ୍ଞା ଦିଅନ୍ତୁ l
ଭଗବାନ ହସିହସି କହିଲେ, ଶ୍ରୁତଦେବ ! ତୁମକୁ ଅନୁଗ୍ରହ କରିବା ନିମନ୍ତେ ହିଁ ଏହି ବଡ଼ ବଡ଼ ମୁନି ୠଷିମାନେ ଏଠାକୁ ଆସିଛନ୍ତି l ସେମାନେ ନିଜର ଚରଣ ଧୂଳିରେ ଏ ଜଗତକୁ ପବିତ୍ର କରିବା ପାଇଁ ମୋ ସହିତ ବିଚରଣ କରୁଛନ୍ତି l ଦେବତାମାନେ, ପୁଣ୍ୟକ୍ଷେତ୍ର ଓ ତୀର୍ଥକ୍ଷେତ୍ର ମାନେ ଦର୍ଶନ ସ୍ପର୍ଶନ ତଥା ଅର୍ଚ୍ଚନ ଦ୍ବାରା ଲୋକଙ୍କୁ ଧୀରେ ଧୀରେ ବହୁ ଦିନରେ ପବିତ୍ର କରନ୍ତି l କିନ୍ତୁ ସନ୍ଥମହାତ୍ମା ତାଙ୍କ ଦୃଷ୍ଟିପାତ ମାତ୍ରକେ ସମସ୍ତଙ୍କୁ ପବିତ୍ର ତଥା ନିର୍ମଳ କରି ଦିଅନ୍ତି l ମୁଁ ହେଉଛି ସର୍ଵ ଦେବମୟ l କିନ୍ତୁ ସନ୍ଥ ମହାତ୍ମା ମାନେ ହେଉଛନ୍ତି ସର୍ଵ ବେଦମୟ l ଏହି ବ୍ରହ୍ମର୍ଷି ମାନଙ୍କୁ ତୁମେ ମୋର ସ୍ବରୂପ ବୋଲି ଜାଣି, ପୂର୍ଣ୍ଣଶ୍ରଦ୍ଧା ସହକାରେ ପୂଜା କର l ତାହାହିଁ ହେବ ମୋର ପୂଜା l
ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଆଦେଶ ପାଇ ବ୍ରାହ୍ମଣ ଶ୍ରୁତଦେବ ଶ୍ରୀକୃଷ୍ଣଙ୍କୁ ଏବଂ ସେହି ବ୍ରହ୍ମର୍ଷି ମାନଙ୍କୁ ଏକାତ୍ମଭାବେ ଆରାଧନା କଲେ ତଥା ସେମାନଙ୍କ କୃପା ବଶରୁ ଭଗବତସ୍ୱରୂପ ପ୍ରାପ୍ତ ହୋଇଗଲେ l ରାଜା, ବହୁଳାଶ୍ୱ ମଧ୍ୟ ସେହି ଗତି ପ୍ରାପ୍ତ ହେଲେ l ଭକ୍ତ ଯେପରି ଭଗବାନଙ୍କୁ ଭକ୍ତି କରନ୍ତି l ଭକ୍ତଙ୍କୁ ମଧ୍ୟ ଭଗବାନ ସେହିପରି ଭକ୍ତି କରି ଥାନ୍ତି l ଦୁଇ ଭକ୍ତଙ୍କୁ ପ୍ରସନ୍ନକରିବା ନିମନ୍ତେ ଭଗବାନ ଓ ମୁନି ମାନେ ମିଥିଳା ପୁରରେ କିଛି ଦିନ ବାସ କଲେ l ଶେଷରେ ଭଗବାନ୍ ଦୁଇ ଭକ୍ତଙ୍କୁ ସାଧୁ ପୁରୁଷଙ୍କ ମାର୍ଗ ଉପଦେଶ ଦେଇ ଦ୍ୱାରକା ଫେରି ଆସିଲେ l
ଏ ସୁନ୍ଦର ଉପାଖ୍ୟାନ ଶେଷକରି ଶ୍ରୀମଦ୍ଭାଗବତ ଦଶମସ୍କନ୍ଧ ବୟାନବେଅଧ୍ୟାୟରେ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସ ବାର୍ତ୍ତା ଦେଲେ :-
ଏମନ୍ତେ ପ୍ରଭୁ ଭଗବାନ l
ମିଥିଳା ରହି କେତେଦିନ ll
ତାହାଙ୍କୁ ନିଜ ଜ୍ଞାନ ଦେଇ l
ଦ୍ୱାରକା ବିଜେ ଭାବଗ୍ରାହୀ ll
ସେ ହରିପାଦେ ଦେଇ ଚିତ୍ତ l
କହଇ ଦାସ ଜଗନ୍ନାଥ ll
ସୁଜନେ କୃଷ୍ଣପାଦେ ସେବ l
ସଂସାର ସାଗରୁ ତରିବ ll
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971