Spread the love

ଗୁଟ୍‍ଖା କାରବାରକୁ ନିୟନ୍ତ୍ରଣ କରିବ କିଏ? ନିଷେଧାଦେଶକୁ ପୁରିଲା ୧୨ ବର୍ଷ…

ବଡ଼ମ୍ବା : ଓଡିଶାରେ ଗୁଟ୍‌ଖା ବ୍ୟାନ୍ । ବଜାରରେ ବିକ୍ରୀ ହୋଇ ପାରିବନି କି ତିଆରି ବି ହୋଇ ପାରିବନି ଗୁଟ୍‌ଖା । ଗତ ୨୦୧୩ ମସିହା ଜାନୁଆରୀ ମାସ ୩ତାରିଖରେ ଏମିତି ଆଇନ ଆଣିଥିଲେ ରାଜ୍ୟ ସରକାର । ଆଇନ ଉଲଂଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ସରକାର ଏ କ୍ଷେତ୍ରରେ ମିଳୁଥିବା ରାଜସ୍ୱକୁ ଗୋଡରେ ଆଡେଇ ଦେଇଥିଲେ ।

କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ ନିର୍ଦ୍ଦେଶନାମା ମଧ୍ୟ ଫୁ କରି ଉଡି ଯାଇଥିବା ଆଲୋଚିତ ହେଉଛି । ଏମିତି ନୁହେଁ ଯେ ଗୁଟ୍‌ଖା ବେପାର ଲୁଚାଛପାରେ ଚିଲିଛି । ସବୁ ଚାଲିଛି ଖୁଲମ୍‌ଖୁଲା । ସାଧାରଣତଃ ଯୁବପିଢୀ ହୁଅନ୍ତୁ ଅବା ପାଠପଢା ପିଲା, ତମାଖୁ ସେବନ ଏବେ ଅଧିକାଂଶଙ୍କ ପାଇଁ ଫ୍ୟାସନ୍ ପାଲଟିଛି ।

ଆମ ଅଞ୍ଚଳର ପ୍ରାୟ ୯୦ପ୍ରତିଶତ ଚା ଓ ପାନ ଦୋକାନରେ ଖୋଲାଖୋଲି ଭାବେ ବିକ୍ରୀ ହେଉଛି ଭଳିକି ଭଳି ଗୁଟ୍‌ଖା ପ୍ୟାକେଟ୍ । ଏମିତି କି ପରିବା ଦୋକାନ ଆଉ ବଡ଼ ବଡ଼ ବ୍ୟବସାୟୀ ଦୋକାନରେ ମଧ୍ୟ ଗୁଟ୍‌ଖା ଅବାଧରେ ବିକ୍ରୀ ହେଉଥିବାର ଦେଖିବାକୁ ମିଳୁଛି। ଆଉ ଏହି ନିଶା ଭିତରେ ଜଣକ ପରେ ଜଣେ ମୁଖ ଗହ୍ୱର କର୍କଟ ରୋଗରେ ଶୀକାର ହୋଇ ଚାଲିଛନ୍ତି । ଗୋଟିଏ ପଟେ ଅଧିକାଂଶ ଯୁବପିଢୀ ଜାଣି ଜାଣି କର୍କଟର ବିଷ ବଳୟ ମଧ୍ୟକୁ ନିଜକୁ ନିଜେ ଠେଲି ଦେଉଥିବା ବେଳେ ସରକାରୀ ଚିକିତ୍ସାଳୟ ଗୁଡିକରେ କର୍କଟ ରୋଗର ଚିକିତ୍ସା ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଗୋଟିଏ ପଟେ ତମାଖୁର ଅବାଧ ବିକ୍ରୟ ଉପରେ ଅଙ୍କୁଶ ଲଗାଇବାରେ ବିଭାଗୀୟ ଅଧିକାରୀ ଆନ୍ତରିକତା ପ୍ରକାଶ କରୁନଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଖାଉଥିବା ଯୁବପିଢୀ ଓ ରାଜ୍ୟ ରାଜକୋଷ ଉପରେ ପଡୁଛି।

ଦୀର୍ଘ ୧୨ ବର୍ଷ ପରେ ବି ଗାଁଠୁ ସହର ସବୁଠି ବେଧଡକ ଭାବେ ଗୁଟ୍‍ଖା କାରବାର ଚାଲିଛି । ପାଠ ପଢୁଥିବା ପିଲା ବି ଗୁଟ୍‍ଖା ଖାଇବା ନିଶାରେ ପଡିଯାଇଥିବା ଆଲୋଚିତ ହେଉଛି । ଗୁଟ୍‍ଖା ନିଶାରେ ପଡିଥିବା କେତେକ ଯୁବପିଢୀ ଏକାଥରକେ ଦୁଇଟି ଗୁଟ୍‍ଖା ପୁଡିଆ ଖାଉଥିବା ଦେଖିବାକୁ ମିଳୁଛି ।

ଯେହେତୁ ରାଜ୍ୟ ସରକାର ଗତ ୨୦୧୩ ମସିହା ଜାନୁୟାରୀ ମାସ ୩ ତାରିଖରୁ ବିଜ୍ଞପ୍ତି ଜାରି କରି ଗୁଟ୍‍ଖାକୁ ନିଷେଧ କରିଛନ୍ତି ତେବେ ରାଜ୍ୟ ସରକାର ଟଙ୍କାଟିଏ ବି ଟିକସ ଏ ବାବଦରେ ପାଉନାହାନ୍ତି ବଜାରରେ ବିକ୍ରୀ ହେଉଥିବା ବିଭିନ୍ନ କମ୍ପାନୀର ଗୁଟ୍‍ଖା ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ବେଳେ ସରକାରଙ୍କ କଟକଣା ସତ୍ୱେ ଏହା ରାଜ୍ୟ ଭିତରକୁ ଅବାଧରେ ଆସୁଛି ତାହାର ଉତ୍ତର କାହା ପାଖରେ ନାହିଁ । ତେଣୁ କର୍କଟ ସୃଷ୍ଟିକାରୀ ଗୁଟ୍‍ଖା ବିରୁଦ୍ଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ କିମ୍ବା ଜାରି କରିଥିବା ନିଷେଧାଦେଶକୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *