Spread the love

ଶ୍ରୀମଦ୍ ଭଗବଦ୍ ଗୀତା

ଭଗବାନ କହୁଛନ୍ତି:- ଏହି ସୃଷ୍ଟିପୂର୍ବରୁ କେବଳ ମୁଁ ହିଁ ଥିଲି । ମୋ ବ୍ୟତୀତ ସ୍ଥୂଳ କିମ୍ବା ସୂକ୍ଷ୍ମ, କିମ୍ବା ଏହି ଉଭୟର କାରଣ ବୋଲି କିଛି ନ ଥିଲା । ଯେତେବେଳେ ଏହି ସୃଷ୍ଟି ନ ଥିଲା, ସେତେବେଳେ ଏକମାତ୍ର ମୁଁ ହିଁ ଥିଲି; ଏହି ଜଗତ୍ ରୂପରେ ଯାହା କିଛି ଦୃଶ୍ୟମାନ ହେଉଛି, ତାହା ମଧ୍ୟ ମୁଁ ଏବଂ ଏସବୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯିବା ପରେ ସର୍ବଶେଷରେ ମଧ୍ୟ ଏକମାତ୍ର ମୁଁ ହିଁ ରହିଥିବି ।କୌଣସି ବସ୍ତୁର ଆଭାସ ବା ପ୍ରତିବିମ୍ବ ଯେପରି ସତ୍ୟ ପରି ମନେ ହେଉଥାଏ, ବାସ୍ତବରେ ତାହା ଅସତ୍ୟ ବା ସତ୍ତାହୀନ। ପୁନଶ୍ଚ ଆକାଶମଣ୍ଡଳରେ ଯେପରି ରାହୁ ବିଦ୍ୟମାନ ଥିଲେ ମଧ୍ୟ ଦେଖାଯାଏ ନାହିଁ, ଠିକ୍ ସେହିପରି ମୁଁ ବିଦ୍ୟମାନ ଥିଲେ ମଧ୍ୟ ଦୃଷ୍ଟିଗୋଚର ହୁଏ ନାହିଁ । ଏହି ପ୍ରକାର ପ୍ରତୀତି ଓ ଅପ୍ରତୀତିକୁ ମୋର ମାୟା ବୋଲି ଜାଣିବା ଉଚିତ । ଯେପରି ଛୋଟ ବଡ଼ ସବୁ ପ୍ରାଣୀଙ୍କର ଶରୀର ପଞ୍ଚମହାଭୂତରେ ଗଢ଼ା ହୋଇଥିବାରୁ ସେହିସବୁ ଶରୀରରେ ପଞ୍ଚମହାଭୂତ ପ୍ରବେଶ କରିଥାନ୍ତି ଓ ପ୍ରବେଶ କରି ନ ଥାନ୍ତି ମଧ୍ୟ ; କାରଣ ପଞ୍ଚମହାଭୂତ ସେହିସବୁ ଶରୀରରେ ଆବଦ୍ଧ ହୋଇ ନ ଥାନ୍ତି, ଠିକ୍ ସେହିପରି ମୁଁ ସେହିସବୁ ଶରୀରରେ ପ୍ରବେଶ କରିଥିବା ପରି ଦେଖାଯାଏ, ଅଥଚ ମୁଁ ସେସବୁରେ ଆବଦ୍ଧ ନୁହେଁ । ପରମାତ୍ମତତ୍ତ୍ବ ଜାଣିବାକୁ ଚାହୁଁଥିବା ସାଧକମାନେ ଏତିକି ଜାଣିରଖିବା ଉଚିତ ଯେ — ପରମାତ୍ମାଙ୍କ ଠାରୁ ହିଁ ବିଶ୍ବ ଉତ୍ପନ୍ନ ହୋଇଛି; ସେ ହିଁ ଏହି ବିଶ୍ବର ଭିତରେ ଓ ବାହାରେ ସର୍ବତ୍ର ବ୍ୟାପି ରହିଛନ୍ତି; ଅତଏବ ଅନ୍ବୟରୂପେ ସେ ହିଁ ବିଦ୍ୟମାନ । “ଏହା ନୁହେଁ”, “ଏହା ନୁହେଁ” କହି ବ୍ୟତିରେକରୂପେ ସବୁ କିଛିକୁ ପ୍ରତ୍ୟାଖ୍ୟାନ କରିଚାଲିଲେ, ଶେଷରେ ସେ ହିଁ ରହନ୍ତି । ସୁତରାଂ ତତ୍ତ୍ବତଃ ଦେଖିବାକୁ ଗଲେ, ପ୍ରକୃତରେ ଏକମାତ୍ର ସେ ହିଁ ସର୍ବଦା ସର୍ବତ୍ର ବିଦ୍ୟମାନ।

ଜୟ ଶ୍ରୀରାମ
ଓଁ ନମୋ ଭଗବତେ ବାସୁଦେବାୟ

Related Post

Leave a Reply

Your email address will not be published. Required fields are marked *