ବାସନ୍ଦ ହେଲେ ଆଇଆଇଟି ବାବା ।
ମହାକୁମ୍ଭ ମେଳାରେ ଭାଇରାଲ ଆଇଆଇଟି ବାବାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆଇଆଇଟି ବାବା ଅଭୟ ସିଂଙ୍କୁ ଆଖଡାରୁ ବିଦା କରାଯାଇଛି । ଶନିବାର ସେ ରହୁଥିବା ଜୁନା ଆଖଡାରୁ ତାଙ୍କୁ ବହିଷ୍କୃତ କରାଯାଇଛି । ବାବା ତାଙ୍କ ଗୁରୁ ମହନ୍ତ ସୋମେଶ୍ବର ପୁରୀ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବାବା ଅଭୟଙ୍କୁ ଆଖଡା ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି ।
ଜୁନା ଆଖଡାର ମୁଖ୍ୟ ମହନ୍ତ ହରି ଗିରି କହିଛନ୍ତି, ଏହି ଆଖଡା ସନ୍ନ୍ୟାସ ନିୟମ କାନୁନ ଅନୁସାରେ ଚାଲେ, ଏଥିରେ ଯେଉଁମାନେ ଅବହେଳା କରନ୍ତି ସେମାନଙ୍କୁ ସନ୍ନ୍ୟାସୀ ଭାବେ ଗଣାଯାଏନାହିଁ । ବାବା ଅଭୟ ସିଂ ତାଙ୍କୁ ଗୁରୁଙ୍କୁ ଅସମ୍ମାନ କରିଛନ୍ତି । ଯାହା ସନାତନ ଧର୍ମ ଏବଂ ଜୁନା ଆଖାଡା ନିୟମ ବିରୋଧୀ । ସେ ହୁଅନ୍ତ ଅବା ଅନ୍ୟ କେହି ନିୟମ ଉପରେ ନୁହେଁ । ବାବା ଅଭୟ ତାଙ୍କ ଗୁରୁଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ତାଙ୍କୁ ଆଖଡାର ଶୃଙ୍ଖଳା କମିଟି ତାଙ୍କୁ ଆଖଡାରୁ ବହିଷ୍କୃତ କରିଛି ।
ଆଇଆଇଟି ବମ୍ବେରୁ ଏରୋସ୍ପେଶ ଇଞ୍ଜିନିୟରିଙ୍ଗରେ ଗ୍ରାଜୁଏସନ ପରେ ନିଜ କ୍ୟାରିୟର ଛାଡି ସନ୍ୟାସୀ ହୋଇଯାଇଥିଲେ । ମହାକୁମ୍ଭ ମେଳାରେ ରାତାରାତି ଭାଇରାଲ ହୋଇଥିଲେ ଅଭୟ ସିଂ । ଆଇଆଟି ବାବାଙ୍କ ନାମରେ ସାରା ଭାରତରେ ଏବେ ସେ ପରିଚିତ । ତାଙ୍କର ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି । ବାବା ଅଭୟ ତାଙ୍କ ବାପାଙ୍କୁ ହିରଣ୍ୟକସ୍ୟପ ଏବଂ ତାଙ୍କ ଗୁରୁଙ୍କୁ ପାଗଳ ବୋଲି ସମ୍ବୋଧନ କରିଥିଲେ । ଗୁରୁଙ୍କ ସହ ବିବାଦ ପରେ ବାବା ଅଭୟ ଏଭଳି ମନ୍ତବ୍ୟ ଦେଇଥିଲେ । ଯାହା ଇଣ୍ଟରନେଟରେ ଭାଇରାଲ ହେବା ପରେ ବାବା ଅଭୟଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବରୁ ତାଙ୍କୁ ଗୁରୁ ମହନ୍ତ ସୋମେଶ୍ବର ପୁରୀ ତାଙ୍କୁ କ୍ୟାମ୍ପରୁ ବହିସ୍କୃତ କରିଥିଲେ । ଯାହାକୁ ପାଳନ କରିନଥିଲେ ଏବଂ ଅନ୍ୟ ଜଣେ ସାଧୁଙ୍କୁ ଗାଳିଗୁଲଜ କରିଥିଲେ ।