Spread the love

ଓଁ ନମୋ ଭଗବତେ ବାସୁଦେବାୟ ଶ୍ରୀମଦ୍ ଭାଗବତ, ପଞ୍ଚମ ସ୍କନ୍ଧ, ବିଂଶ ଅଧ୍ୟାୟ ଏପିସୋଡ ୨୭୯ ବିଷୟ – ବ୍ରହ୍ମାଣ୍ତ ଗଠନ ପ୍ରକ୍ରିୟା ପରମ ଶାସ୍ତ୍ର ଭାଗବତ ,

ଅଭ୍ୟାସ କରୁଥିବ ନିତ୍ୟ !!—— ଶ୍ରୀ ଶୁକଦେବ ଗୋସ୍ୱାମୀ ଏହି ଅଧ୍ୟାୟରେ ପରୀକ୍ଷିତ ମହାରାଜଙ୍କୁ ପ୍ଲକ୍ଷଦ୍ଵୀପ ଏବଂ ତାକୁ ଘେରି ରହିଥିବା ଜଳଠାରୁ ଆରମ୍ଭକରି ବିଭିନ୍ନ ଦ୍ଵୀପ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ସୁମେରୁ ପର୍ବତ ଯେପରି ଜମ୍ବୁଦ୍ଵୀପ ଦ୍ବାରା ବେଷ୍ଟିତ ହୋଇଛି, ଠିକ୍ ସେହିପରି ଜମ୍ବୁଦ୍ଵୀପ ଲବଣ ସମୁଦ୍ର ଦ୍ଵାରା ପରିବେଷ୍ଟିତ ହୋଇଛି । ଜମ୍ବୁଦ୍ଵୀପର ବିସ୍ତାର ଯେପରି ଏକଲକ୍ଷ ଯୋଜନ , ଠିକ ସେହିପରି ଲବଣ ସମୁଦ୍ରର ପରିମାଣ ଏକଲକ୍ଷ ଯୋଜନ ଅଟେ । ଲବଣ ସମୁଦ୍ର ପ୍ଲକ୍ଷଦ୍ଵୀପ ଦ୍ବାରା ପରିବେଷ୍ଟିତ ହୋଇଛି । ପ୍ଲକ୍ଷଦ୍ଵୀପର ବିସ୍ତାର ଲବଣ ସମୁଦ୍ରର ଦ୍ଵିଗୁଣ । ଏହି ଦ୍ଵୀପରେ ପ୍ଲକ୍ଷ ନାମକ ଏକ ମହାବୃକ୍ଷ ଅଛି । ଏହି ବୃକ୍ଷଟି ହିରଣ୍ମୟ ଓ ଏହାର ପରିମାଣ ଜମ୍ବୁବୃକ୍ଷ ତୁଲ୍ୟ । ଏହି ବୃକ୍ଷମୂଳରେ ସପ୍ତଶିଖ ଅଗ୍ନି ଅବସ୍ଥାନ କରୁଛନ୍ତି । ପ୍ଲକ୍ଷ ବୃକ୍ଷଯୋଗୁଁ ଏହି ଦ୍ଵୀପର ନାମ ପ୍ଲକ୍ଷ ହୋଇଛି । ଏହି ଦ୍ୱୀପର ଅଧିପତି ପ୍ରିୟବ୍ରତଙ୍କ ଆତ୍ମଜ ଇଧ୍ମଜିହ୍ୱ । ସେ ତାଙ୍କର ସାତପୁତ୍ର ଶିବ, ଯବସ, ସୁଭଦ୍ରା, ଶାନ୍ତ, କ୍ଷମ, ଅମୃତ ଓ ଅଭୟଙ୍କ ନାମରେ ସାତଟି ବର୍ଷରେ ବିଭାଗ କରିଦେଇ ପ୍ରତି ବର୍ଷକୁ ଜଣେଜଣେ ପୁତ୍ରଙ୍କୁ ଦାନ କରିଦେଲେ । ଏବଂ ନିଜେ ଭଗବଦ୍ ଭକ୍ତିଲାଭକରି ସଂସାରରୁ ମୁକ୍ତ ହୋଇଗଲେ । ଏହି ସାତପୁତ୍ରଙ୍କ ନାମ ଅନୁସାରେ ସାତଟି ଦ୍ଵୀପର ନାମ ହୋଇଛି । ଏହି ସାତଟି ବର୍ଷରେ ମଣିକୂଟ, ବଜ୍ରକୂଟ, ଇନ୍ଦ୍ରସେନ, ଜ୍ୟୋତିମାନ, ସୁବର୍ଣ୍ଣ, ହିରନ୍ୟଷ୍ଠୀବ ଓ ମେଘମାଳ ପର୍ବତ ଥିବାବେଳେ ଅରୁଣା, ନୃମ୍ନ, ଆଙ୍ଗିରସୀ, ସାବିତ୍ରୀ, ସୁପ୍ରଭାତା, ରତମ୍ଭରା ଓ ସତ୍ୟମ୍ଭରା ନାମକ ସାତଟି ନଦୀ ରହିଛି । ଶୁକଦେବ କହୁଛନ୍ତି ହେ ରାଜା ! ପ୍ଲକ୍ଷଆଦି ଦ୍ଵୀପ ମାନଙ୍କରେ ପରମାୟୁ, ଇନ୍ଦ୍ରିୟବଳ , ଶରୀରବଳ, ସାହସ, ବୁଦ୍ଧି, ବିକ୍ରମ ଏବଂ ସ୍ଵଭାବସିଦ୍ଧ ବୁଦ୍ଧି ସମସ୍ତଙ୍କର ସମାନ । ପ୍ଲକ୍ଷଦ୍ଵୀପ ସ୍ଵ ସମାନ ଦୁଇଲକ୍ଷ ଯୋଜନ ଇକ୍ଷ୍ୟୁ( ଟାଇପ ଯ୍ୟ ଫଳା ହେବନାହିଁ) ସମୁଦ୍ର ଦ୍ବାରା ବେଷ୍ଟିତ, ଠିକ ସେହିପରି ପ୍ଲକ୍ଷଦ୍ଵୀପର ଦୁଇଗୁଣ ଚାରିଲକ୍ଷ ଯୋଜନ ପରିମିତ ଶାଲ୍ମଳୀ ଦ୍ଵୀପ ମଧ୍ୟ ସୁରା ସାଗର ଦ୍ଵାରା ପରିବେଷ୍ଟିତ ହୋଇଛି । ସେଠାରେ ଅବସ୍ଥାନ କରୁଥିବା ଶାଲ୍ମଳୀ ବୃକ୍ଷର ନାମ ଅନୁଯାୟୀ ଦ୍ଵୀପର ନାମ ଶାଲ୍ମଳୀ ହୋଇଛି । ପକ୍ଷୀରାଜ ଗରୁଡ ସେଠାରେ ବାସକରି ଭଗବାନ ବିଷ୍ଣୁଙ୍କର ସ୍ତବ କରିଥାନ୍ତି । ମହାରାଜ ପ୍ରିୟବ୍ରତଙ୍କ ପୁତ୍ର ଯଜ୍ଞବାହୁ ଏହି ଦ୍ଵୀପର ଅଧିପତି ଅଟନ୍ତି । ସେ ତାଙ୍କର ସୁରୋଚନ, ସୌମନସ୍ୟ, ରମଣକ, ଦେବବର୍ଷ, ପାରିଭାଦ୍ର, ଆପ୍ୟାୟନ ଏବଂ ଅବିଜ୍ଞାତ ନାମକ ସାତପୁତ୍ରଙ୍କ ନାମ ଅନୁସାରେ ପ୍ରତ୍ୟେକ ପୁତ୍ରଙ୍କୁ ସାତଟି ବର୍ଷରେ ବିଭାଗ କରିଦେଇଛନ୍ତି । ଏହି ସାତଟି ବର୍ଷରେ ସୁରସ, ଶତଶୃଙ୍ଗ , ବାମଦେବ, କୁନ୍ଦ, ମୁକୁନ୍ଦ, ପୁଷ୍ପବର୍ଷ, ସହସ୍ର ଶ୍ରୁତି ନାମକ ସାତଟି ପର୍ବତ ଓ ଅନୁମତି, ସିନୀବାଳୀ, ସରସ୍ଵତୀ ,କୁହୁ, ରଜନୀ, ନନ୍ଦା ଓ ରାକା ନାମକ ସାତଟି ନଦୀ ରହିଛି । ସୁରାସାଗର ବହିର୍ଭାଗରେ ତାହାର ଦୁଇଗୁଣ ବିସ୍ତୃତ କୁଶଦ୍ଵୀପ ନାମକ ଏକ ଦ୍ଵୀପ ରହିଛି । କୁଶଦ୍ଵୀପ ଘୃତ ସାଗର ଦ୍ଵାରା ପରିବେଷ୍ଟିତ । ଏହି ଦ୍ଵୀପରେ କୁଶସ୍ତମ୍ଭ ଗୋଟାଏ ରହିଛି । ଏହି ସ୍ତମ୍ଭ ଭଗବଦ୍ ଇଛା ଅନୁଯାୟୀ ଦେଵତା ମାନଙ୍କଦ୍ଵାରା ନିର୍ମିତ ଏଵଂ ଏହା ଦ୍ୱିତୀୟ ଅଗ୍ନି ସ୍ୱରୂପ । ତାହାର କୋମଳ ଶିଖାର ପ୍ରଭାଦ୍ବାରା ସର୍ବଦିଗ ଉଦ୍ଭାସିତ ହେଉଛି । ଏହି କୁଶସ୍ତମ୍ଭରୁ କୁଶଦ୍ଵୀପ ନାମକରଣ ହୋଇଛି । ପ୍ରିୟବ୍ରତଙ୍କ ପୁତ୍ର ହିରନ୍ୟରେତା ଏହି ଦ୍ଵୀପର ଅଧିପତି ଅଟନ୍ତି । ସେ ତାଙ୍କର ସାତପୁତ୍ର ବସୁ, ବାସୁଦାନ, ଦୃଢ଼ରୁଚି, ନାଭିଗୁପ୍ତ, ସ୍ତୁତ୍ୟବ୍ରତ, ବିବିକ୍ତ ଓ ବାମଦେଵଙ୍କୁ ସାତ ଭାଗରେ ପ୍ରଦାନ କରିଛନ୍ତି । ଏହି ସାତବର୍ଷରେ ଚକ୍ର, ଚତୁଃଶୃଙ୍ଗ , କପିଳ, ଚିତ୍ରକୂଟ, ଦେବାନିକ, ଉର୍ଦ୍ଧ୍ବରୋମା ଓ ଦ୍ରବିଣ ନାମକ ସାତ ପର୍ବତ ଓ ରସକୂଲ୍ୟା, ମଧୁକୁଲ୍ୟା, ମିତ୍ରବିନ୍ଦା , ଶୃତବିନ୍ଦା, ଦେବଗର୍ଭା, ଘୃତଚ୍ୟୁତା ଓ ମନ୍ତ୍ରମାଳା ନାମକ ସାତଟି ନଦୀ ରହିଛି । ଘୃତସାଗରର ବହିର୍ଭାଗରେ କ୍ରୌଞ୍ଚଦ୍ଵୀପ ରହିଛି । ଏହା ଘୃତସାଗରର ଦୁଇଗୁଣ ଅଧିକ ଅଟେ । ଏହା କ୍ଷୀରସାଗର ଦ୍ଵାରା ପରିବେଷ୍ଟିତ ଅଟେ । ଏହି ଦ୍ଵୀପରେ କ୍ରୋଞ୍ଚନାମକ ଏକ ପର୍ବତ ବିରାଜମାନ ହୋଇଥିବାରୁ, ସେହିନାମରେ ଦ୍ୱୀପର ନାମ ହେଉଛି କ୍ରୋଞ୍ଚ । ପ୍ରିୟବ୍ରତଙ୍କ ପୁତ୍ର ଘୃତପୃଷ୍ଠ ଏହି ଦ୍ଵୀପର ଅଧିପତି ଅଟନ୍ତି । ସେ ଜ୍ଞାନବାନ ଥିଲେ । ସେ ତାଙ୍କର ସାତପୁତ୍ର – ଆମ, ମଧୁରୁହ, ମେଘପୃଷ୍ଠ, ସୁଧାମା, ଭ୍ରାଜିଷ୍ଠ, ଲୋହିତାର୍ଣ୍ଣ ଓ ବନସ୍ପତିଙ୍କ ମଧ୍ୟରେ ସାତବର୍ଷ ବଣ୍ଟନ କରିଥିଲେ । ସେହି ସାତବର୍ଷରେ ଶୁକ୍ଲ , ବର୍ଦ୍ଧମାନ, ଭୋଜନ, ଉପବର୍ହିଣ, ନନ୍ଦ, ନନ୍ଦନ ଓ ସର୍ବତୋଭଦ୍ର ନାମରେ ସାତ ପର୍ବତ ଏବଂ ଅଭୟା, ଅମୃତୋଘା, ଆର୍ଯ୍ୟକା, ତୀର୍ଥମତୀ, ରୂପବତୀ, ପବିତ୍ରବତୀ ଓ ଶୁକ୍ଳା ନାମରେ ସାତଟି ନଦୀ ରହିଛି । ପୁରୁଷ, ଋଷଭ, ଦ୍ରବିନ ଓ ଦେବକ ସଂଜ୍ଞକ ଚାରିବର୍ଣ୍ଣ ଏଠାରେ ବାସକରି ସମସ୍ତ ନଦୀର ପବିତ୍ରଜଳ ସେବା କରିଥାନ୍ତି । ଏହି କ୍ଷୀରସମୁଦ୍ର ବହିର୍ଭାଗରେ ଶାକଦ୍ଵୀପ ରହିଛି । ଏହି ଦ୍ଵୀପର ବିସ୍ତାର ଦ୍ୱାତ୍ରିଂଶଲକ୍ଷ ଯୋଜନ ଅଟେ । ଏହି ଦ୍ଵୀପର ଅଧିପତି ପ୍ରିୟବ୍ରତଙ୍କ ପୁତ୍ର ମେଧାତିଥି । ସେ ତାଙ୍କର ସାତପୁତ୍ର ପୁରୋଜବ, ମନୋଜବ , ପବମାନ, ଧୂମ୍ରାନୀଳ, ଚିତ୍ରରେପଂ, ବହୁରୂପ ଓ ବିଶ୍ୱଧାରଙ୍କୁ ସାତବର୍ଷରେ ବିଭକ୍ତ କରିଛନ୍ତି । ଏହି ସାତବର୍ଷରେ ଈଶାନ, ଉରୁଶୃଙ୍ଗ , ବଲଭଦ୍ର, ଶତକେସର, ସହସ୍ରସ୍ରୋତ, ଦେବପାଳ ଓ ମହାନସ ନାମକ ସାତଟି ପର୍ବତ ଏଵଂ ଅନଘା, ଆୟୁର୍ଦ, ଉଭୟସୃଷ୍ଟି, ଅପରାଜିତା, ପଞ୍ଚପଦୀ, ସହସ୍ରସ୍ତୁତି ଓ ନିଜଧୃତି ନାମ୍ନୀ ସାତଟି ନଦୀ ରହିଛି । ଏହି ବର୍ଷରେ ଋତୁବ୍ରତ, ସତ୍ୟବ୍ରତ, ଦାନବ୍ରତ, ଅନୁବ୍ରତ ନାମକ ଚାରିବର୍ଣ୍ଣର ଲୋକ ଭଗବାନଙ୍କ ଆରାଧନା କରିଥାନ୍ତି । ତାପରେ ଦଧିସମୁଦ୍ରର ବହିର୍ଭାଗରେ ପୁଷ୍କର ଦ୍ଵୀପ ରହିଛି । ଏହି ଦ୍ୱୀପର ପରିମାଣ ୬୪୦୦,୦୦୦ ଯୋଜନ ଅଟେ । ଏହି ସାଗରର ଚାରିପଟେ ସ୍ଵାଦୁଜଳ ରହିଛି । ଏହି ଦ୍ୱୀପର ପୂର୍ବ ଓ ପଶ୍ଚିମ ବର୍ଷଦ୍ୱୟର ସୀମାପର୍ବତ ସ୍ୱରୂପ ମାନସୋତ୍ତର ନାମରେ ଏକ ପର୍ବତ ରହିଛି । ଏହି ପର୍ବତର ଚାରିପଟେ ଇନ୍ଦ୍ରଆଦି ଲୋକପାଳଙ୍କର ଚାରୋଟି ପୁରୀ ରହିଛି । ପ୍ରିୟବ୍ରତଙ୍କ ପୁତ୍ର ବୀରହୋତ୍ର ଏହି ଦ୍ଵୀପର ଅଧିପତି । ବୀରହୋତ୍ରଙ୍କର ଦୁଇପୁତ୍ର ରମଣକ ଓ ଧାତକି ଏହି ଦୁଇ ଦ୍ଵୀପରେ ଅଧିପତିରୂପେ ନିଯୁକ୍ତ ହୋଇଥିଲେ । ଏହି ଭୂଖଣ୍ଡର ଅଧିବାସୀ ବ୍ରହ୍ମାରୂପରେ ଭଗବତ୍ ମୂର୍ତ୍ତିଙ୍କୁ ସକାମଭାବେଆରାଧନା କରିଥାନ୍ତି । ଏଠାରେ ଗୋଟିଏ ଦ୍ଵୀପ ସୂର୍ଯ୍ୟଙ୍କ ଦ୍ଵାରା ଆଲୋକିତ ଓ ଅନ୍ୟଟି ସର୍ବଦା ଅନ୍ଧକାରରେ ଥାଏ । ଏହି ଦୁଇ ଦ୍ଵୀପ ମଧ୍ୟରେ ଲୋକାଲୋକ ନାମକ ଏକ ପର୍ବତ ରହିଛି । ଯାହା ବିଶ୍ଵର ସୀମାରୁ ଶତକୋଟି ମାଇଲ ଦୂରରେ ଅବସ୍ଥିତ । ଭଗବାନ ନାରାୟଣ ତାଙ୍କର ଐଶ୍ୱର୍ଯ୍ୟ ବିସ୍ତାରକରି ଏହି ପର୍ବତ ଉପରେ ବିରାଜମାନ ହୁଅନ୍ତି । ଲୋକାଲୋକ ପର୍ବତ ପରେ ଅନ୍ୟ ଅଞ୍ଚଳର ନାମ ଆଲୋକ ବର୍ଷ, ଏବଂ ଆଲୋକ ବର୍ଷପରେ ମୁକ୍ତିକାମୀ ମନୁଷ୍ୟର ପବିତ୍ର ଲକ୍ଷ୍ୟସ୍ଥଳ ରହିଛି । ବିଶ୍ବର ଠିକ୍ ମଧ୍ଯଭାଗରେ ଭୂର୍ଲୋକ ଓ ଭୁବର୍ଲୋକ ମଧ୍ଯସ୍ଥାନରେ ସୂର୍ଯ୍ୟମଣ୍ଡଳ ଅବସ୍ଥିତ । ଅଣ୍ଡ ଗୋଲକ ବା ବିଶ୍ବମଣ୍ଡଳ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ପଚିଶକୋଟି ଯୋଜନ ବୋଲି କଳନା କରାଯାଇଛି । ସୂର୍ଯ୍ୟ ବିଶ୍ୱରେ ପ୍ରବେଶ କରି ଆକାଶକୁ ଦୁଇଭାଗ କରିଦିଅନ୍ତି । ଏହା ମାର୍ତ୍ତଣ୍ଡ ନାମରେ ବିଦିତ । ଏହା ମହତ୍ ତତ୍ତ୍ଵ ସ୍ୱରୂପ ହିରନ୍ୟଗର୍ଭରୁ ଉତ୍ପନ୍ନ ହୋଇଥିବା କାରଣରୁ ଏହାକୁ ମଧ୍ୟ ହିରନ୍ୟଗର୍ଭ କୁହାଯାଏ । ଏହିପରି ଏହି ଅଧ୍ୟାୟ ଭାଗବତରେ ବଣ୍ଣିତ ହୋଇଛି ।

ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟ, ନୀଳଗିରି, ବାଲେଶ୍ଵର । ଜୟ ଜଗନ୍ନାଥ ।।

Leave a Reply

Your email address will not be published. Required fields are marked *

You Missed