ସକାଳର ଭକ୍ତି ଅର୍ଘ୍ୟ
♾️⭕⭕♾️
ରାକ୍ଷସୀ ବିଚାରଇ ବସି। ଏହି ନଗରେ ଯିବି ପଶି।
ଆକାଶେ ଉଦେ ଦିନକର। ଅସୁରୀ ମାୟାର ଭଣ୍ଡାର।
ମାୟାମୋହିନୀ ରୂପ ଧରି। ତିନିଭୁବନେ ନାହିଁ ସରି।
କି ତାକୁ ପଟାନ୍ତର ଦେବା। ଦେଖି ଢଳିବେ ସୁରଦେବା।
କବରୀଭାରେ ଫୁଲମାଳ। ସୁନ୍ଦର ଅଳକା କପୋଳ।
ପୃଥୁ ନିତମ୍ବ କୁଚଭାର। ସିଂହକଟୀକୁ ପଟାନ୍ତର।
ଝୀନ ପତନୀ ରଙ୍ଗବାସ। କଟୀମେଖଳା ରବିତ୍ରାସ।
କର୍ଣ୍ଣେ ଶୋଭିତ ରତ୍ନକାପ। ଶିରେ ସୀମନ୍ତ ଦିବ୍ୟରୂପ।
ଅଳପ କହଇ ବଚନ। ଅଣ୍ଡିର କୋକିଳ ଯେସନ।
ହରିଲା ଗୋପୀଙ୍କର ମନ। ବାଳ ତରୁଣ ବୃଦ୍ଧଜନ।
ପଦ୍ମ ଗୋଟିଏ ଘେନି କରେ। ଅସୁରୀ ଚାଲଇ ସଧୀରେ।
କୁଟୀଳ ଅଳକା କପୋଳେ। ବାମ ଅଙ୍ଗୁଳି ଅଗ୍ରେ ତୋଳେ।
ପୂତନା ରୂପ ଦେଖି ଗୋପୀ। ପିଛାଡ଼ି ନ ପାରନ୍ତି ଆଖି।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ ! ଦଶମ ସ୍କନ୍ଧ , ସପ୍ତମ ଅଧ୍ୟାୟ )
ପ୍ରସଙ୍ଗ – ପୂତନା ଉଦ୍ଧାର
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଭଗବାନ ଶ୍ରୀକୃଷ୍ଣ ପୂତନାର ମନକୁ ନିଜ ଆଡ଼କୁ ଆକର୍ଷଣ କରିବାରୁ ଗୋପନଗ୍ର ନିକଟରେ ବସି ପୂତନା ଅସୁରୀ ଭାବିଲା , ” ଯାଉଛି , ଏହି ନଗର ଭିତରକୁ ପଶି ଶିଶୁମାନଙ୍କୁ ବିନାଶ କରିବି। ” ପୂର୍ବାକାଶରେ ସୂର୍ଯ୍ୟ ଉଦିତ ହୋଇ ଆସୁଥାନ୍ତି। ପୂତନା ରାକ୍ଷସୀ ତ ବଡ଼ ମାୟାବିନୀ ଥିଲା।
ସେ ନିଜ ମାୟା ବଳରେ ଏକ ସୁନ୍ଦରୀ ସ୍ତ୍ରୀ ବେଶ ଧାରଣ କଲା। ପୂତନା ଏତେ ସୁନ୍ଦର ଦେଖା ଯାଉଥିଲା ଯେ ତିନି ଭୁବନରେ ତା ରୂପର ତୁଳନା ନଥିଲା। ସେ ଦେଖିବାକୁ ଏତେ ସୁନ୍ଦର ଥିଲା ଯେ ତାକୁ ଦେଖିଲେ ଦେବତାମାନେ ମଧ୍ୟ ତା ସୌନ୍ଦର୍ଯ୍ୟରେ ମୋହିତ ହେବେ। ସେ ତାର କବରୀରେ ଫୁଲମାଳ ବାନ୍ଧିଥିଲା। ତାର ଗଣ୍ଡଦେଶ ଉପରେ ପଡ଼ିଥିବା ଚୂର୍ଣ୍ଣକୁନ୍ତଳ ତା ମୁଖମଣ୍ଡଳର ଶୋଭାକୁ ବଢ଼ାଇ ଦେଉଥିଲା। ପୂତନାର ପୃଥୁଳ ନିତମ୍ବ ଓ ସ୍ତନଯୁଗଳ ଏବଂ ସିଂହକଟୀ ତାର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରୁଥିଲା। ସେ ଏକ ସୁନ୍ଦର ରଙ୍ଗୀନ୍ ଝୀନ ବସ୍ତ୍ର ପରିଧାନ କରିଥିଲା। ତାର କଟୀମେଖଳା ସୂର୍ଯ୍ୟ କିରଣ ଭଳି ଝଲସୁଥିଲା। ତାର କର୍ଣ୍ଣର ରତ୍ନ ଖଚିତ ଅଳଙ୍କାର ଓ ସୀମନ୍ତର ଅଳଙ୍କାର ତାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିଲା। ସେ ଅଣ୍ଡିରା କୋକିଳ ଗାଇଲା ଭଳି ଅଳ୍ପ ଅଳ୍ପ କଥା କହୁଥିଲା।
ଗୋପପୁରର ଗୋପୀମାନଙ୍କ ସମେତ ବାଳକ , ଯୁବକ ଓ ବୃଦ୍ଧ ସମସ୍ତେ ତା ରୂପରେ ମୋହିତ ହେଉଥିଲେ। ଏହିଭଳି ଏକ ସୁନ୍ଦରୀ ନାରୀ ରୂପରେ ପୂତନା ହାତରେ ପଦ୍ମଫୁଲଟିଏ ଧରି ଗୋପଦାଣ୍ଡରେ ଧିରେ ଧିରେ ଚାଲୁଥିଲା। ମଝିରେ ମଝିରେ ସେ ତାର ଗଣ୍ଡଦେଶ ଉପରକୁ ଉଡ଼ି ଆସୁଥିବା ଚୂର୍ଣ୍ଣକୁନ୍ତଳକୁ ବାମ ହାତ ଆଙ୍ଗୁଠିର ଅଗ୍ରରେ ମଥା ଉପରକୁ ଟେକି ଦେଉଥିଲା। ପୂତନାର ସୁନ୍ଦର ରୂପକୁ ଦେଖି ଗୋପୀମାନଙ୍କର ଆଖିରେ ପିଛଡ଼ା ପଡ଼ୁ ନଥିଲା।
ଭାବାର୍ଥ – ପୁତନା ଅସୁରୀ ମାୟାରେ ଏକ ସୁନ୍ଦରୀ ସ୍ତ୍ରୀ ରୂପ ଧାରଣ କରି ଗୋପଦାଣ୍ଡରେ ଧିରେ ଧିରେ ଚାଲୁଥିଲା।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୮୪୨
ଜୟ ଜଗନ୍ନାଥ