ନିଟ୍ ପେପର ଲିକ୍ ମାମଲା; ୯ ପରୀକ୍ଷାର୍ଥୀଙ୍କୁ ବିହାର ପୋଲିସ୍ EOU ଶାଖାର ନୋଟିସ୍
ନିଟ୍ ପେପର ଲିକ୍ ମାମଲାରେ ବିହାର ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ନୋଟିସ୍ କରିଛି । ସାକ୍ଷୀ ସହିତ EOU କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ନିଟ୍ ପେପର୍ ଲିକ୍ ଓ ପରୀକ୍ଷାରେ ଅନିୟମିତତା ନେଇ ପରୀକ୍ଷାର୍ଥୀଙ୍କୁ ପଚରାଉଚରା କରିବ ପୋଲିସ । ସାଲଓ୍ବାର ଗ୍ୟାଙ୍ଗଠାରୁ ୯ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର ଜବତ କରିଥିଲା ଅର୍ଥନୈତିକ ଅପରାଧିକ ଶାଖା । ପରୀକ୍ଷାର୍ଥୀଙ୍କ ସହିତ ସେମାନଙ୍କ ଅବିଭାବକଙ୍କୁ ମଧ୍ୟ ପଚରାଉଚରା ପାଇଁ ଡାକିଛି EOU । ସମସ୍ତ ପିଲା ବିହାର ଭିନ୍ନ ଭିନ୍ନ ଜିଲ୍ଲାର ବୋଲି ଜଣାପଡ଼ିଛି ।
ନିଟ୍ ପେପର ଲିକ୍ ଓ ଅନିୟମିତତା ମାମଲାରେ ଯାଞ୍ଚ ବେଳେ ବିହାର ପୋଲିସକୁ ସାଲଓ୍ବାର ଗ୍ୟାଙ୍ଗ ଠାରୁ ୧୩ଜଣ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର ମିଳିଛି । ଏମାନଙ୍କ ମଧ୍ୟରୁ ୪ଜଣଙ୍କୁ ପୋଲିସ୍ ଗିରଫ କରିଛି । ବାକି ୯ ପରୀକ୍ଷାର୍ଥୀଙ୍କ ବାବଦରେ ତଥ୍ୟ ଦେବାକୁ ବିହାର EOU ନିଟ୍ ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ଚିଠି ଲେଖିଥିଲା । ଏହାସହିତ ରେଫରେନ୍ସ ପାଇଁ ପ୍ରଶ୍ନ ପତ୍ର ମଧ୍ୟ ମାଗିଯାଇଥିଲା ।
EOUର DIG ମାନବଜୀତ୍ ସିଂହ ଢିଲୋଙ୍କ ମୁତାବକ, NTA ନିଜ ଜବାବରେ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ପତ୍ର ମଧ୍ୟ ପଠାଇଛି । ଯେଉଁଠାରୁ EOUକୁ ପିଲାଙ୍କ ମୋବାଇଲ ନମ୍ବର ଏବଂ ଠିକଣା ମିଳିଛି । ସମାନ ଠିକଣାରେ ପୋଲିସ୍ ନୋଟିସ୍ ପଠାଇ ପରୀକ୍ଷାର୍ଥୀଙ୍କୁ ପଚରାଉଚରା ପାଇଁ ଡାକିଛି । ଅଭିଭାବକଙ୍କୁ ପଚରାଉଚରା ପରେ ସାଲଓ୍ବାର ଗ୍ୟାଙ୍ଗ ବିବାଦରେ ସମସ୍ତ ସୂଚନା ମିଳିପାରିବ ବୋଲି DIG ମାନବଜୀତ୍ ସିଂହ ଢିଲୋ କହିଛନ୍ତି । ପୋଲିସକୁ ଏହା ବି ସଙ୍କେତ ମିଳିଛି, ବିପିଏସସି ୩.୦ ପ୍ରଶ୍ନପତ୍ର ଲିକ୍ରେ ଏହି ଗ୍ୟାଙ୍ଗ ସାମିଲ୍ ଥିଲା । ପେପର ଲିକ୍ ପାଇଁ ୩୦ରୁ ୩୨ ଲକ୍ଷ ଟଙ୍କା ନେଇଥିଲେ ।